Pramod Kumar Jena

Drama Inspirational

3  

Pramod Kumar Jena

Drama Inspirational

ସଦ୍ ବୁଦ୍ଧି

ସଦ୍ ବୁଦ୍ଧି

5 mins
306



       : ଯାଅ ଶ୍ରୀମାନ୍ ! ଆଉ ଗୋଟେ ବର୍ଷ ହାୱା ପାଣି ଖାଅ । ଏମିତି ଆସୁଥା ଆଉ ଯାଉଥା । ହାଜତ ଭିତରକୁ ଠେଲି ଦେଇ ସିପାହୀ ଚାଲିଗଲା । ଭିତରକୁ ପଶି ସିନେମା ଷ୍ଟାଇଲରେ ଗୋଟେ ଦଣ୍ଡ ବୈଠକ ମାରି ଶଙ୍କରା ଛାତିକୁ ମେଲେଇ ଗଡ ଜିତିଲା ଭଳି ତୃପ୍ତିରେ ଅଳସ ଭାଙ୍ଗିଲା । କଣରେ ଚକା ମାରି ବସିଥିବା ଶାନ୍ତ, ନିର୍ବିକାର କଏଦୀଟିକୁ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲା । ଏ ଚିଡିଆ ଘରେ ଏ ନୂଆ ଜନ୍ତୁଟି କିଏ ? ବୋଲେ ଜୟ ରାମଜୀକି । କିଛି ନ କହି ହାତ ଯୋଡି ନମସ୍କାର କଲା କଏଦୀଟି ।


       : ଆରେ ଗୁରୁ ! ଲଙ୍କାରେ ହରି ଶବ୍ଦ କିସ ? କିଛି ଉତ୍ତର ନ ଦେଇ ଚୁପ୍ ରହିଲେ କଏଦୀ ଜଣଙ୍କ ।

       ଶଙ୍କରର ଏଇଟା ବୋଧେ ପଞ୍ଚମ ଜେଲ୍ ଯାତ୍ରା । ଏ ସବୁ ହିସାବ ରଖିବାକୁ ବେଳ କାହିଁ ତା’ର ? ଘରଠୁ ନିଜର ତା’କୁ ଜେଲ୍ ଲାଗେ । ଯେଉଁ ଦିନ ପ୍ରଥମ ଥର ପାଇଁ ଜେଲ୍ ଆସିଥିଲା, ସେ ଦିନ ଜାଣିଲା, ମାଆର ଗାଳି, ବାପର ମାଡ ଖାଇ ଅଧା ପେଟରେ ମାଟି ଘରେ ଶୋଇବା ଅପେକ୍ଷା, ଏଇଟା ତା’କୁ ସ୍ୱର୍ଗ ଭଳିଆ ଲାଗିଥିଲା । ସେ ଦିନ ସେ ଜାଣିଲା ଜେଲ୍ କ’ଣ ? ଆଉ ତା’ ବାପା କାହିଁକି ସମସ୍ତଙ୍କୁ ଡରୋଉଥିଲା, ବାଡେଇବି, ପିଟିବି, ହା.....ଣିବି । ପଛେ ଜିହଲ ଯିବି । ଚେନ୍ ଛିଣ୍ଡାଉ ଛିଣ୍ଡାଉ ଧରା ପଡିଗଲା । ପରୱା ନାହିଁ । ପୁଣି ବିନା ଝଞ୍ଜଟରେ ଖାଇବା, ପିଇବା ଆଉ ଶାନ୍ତିରେ ଶୋଇବାକୁ ମିଳିଯିବ । ରାତି ସେତେବେଳକୁ ଦଶଟା । ବାକି କଏଦୀ ମାନେ ଶୋଇଗଲେଣି । ଶଙ୍କରକୁ ନିଦ ହେଉ ନ ଥାଏ । ଇଚ୍ଛା ହେଲା, ଟିକିଏ ଭାବ ଦୋସ୍ତି କରିବାକୁ ।

       : ଓ ଭା.....ଇ ! ଶୋଇ ପଡିଲ କି ?

: କ’ଣ ହେଲା ?

: ଆଉ କେତେ ଦିନ ରହଣୀ ?

: ନା..... ସରି ଆସିଲାଣି । ଆଉ କିଛି ଦିନ ପରେ ସରିଯିବ ।

: କ’ଣ କରିଥିଲ କି ଭାଇ ? ମର୍ଡର୍, ଚୋରୀ, ଡକାୟତି ନା ରେପ୍ ?

: ନା..... ଗୋଟେ ମସ୍ତବଡ ଭୁଲ କରିଥିଲି । ତା’ର ପ୍ରାୟଶ୍ଚିତ କରୁଛି । ଏ କଥାଗୁଡିକ ତା’କୁ ଯେମିତି ସିନେମାର ଡାଏଲଗ୍ ଭଳି ଲାଗୁଥିଲା ।

: ଶୋଇପଡ । କାଲି ସବୁ କଥା କହିବି । କିଛି ସମୟ ପରେ ସେ ଦୁହେଁ ଶୋଇଗଲେ । ପରଦିନ ଶଙ୍କର ବାକି କଏଦୀମାନଙ୍କଠୁଁ ଜାଣିଲା ଯେ, ସେ ଜଣେ ଡାକ୍ତରବାବୁ । ରାତିରେ ସେ ଦୁହେଁ ପୁଣି କଥାବାର୍ତ୍ତା ହେଲେ ।

: ହଁ । ମୁଁ ଜଣେ ଡାକ୍ତର । ସେଦିନ ଅପରେସନ୍ କରୁଥିବା ବେଳେ, ହଠାତ୍ କରେଣ୍ଟ୍ ଚାଲିଗଲା । ଅପରେସନ୍ ସରିଯାଇଥିଲା । ଖାଲି ସିଲେଇ ବାକି ରହିଥିଲା । ଜେନେରେଟର୍ ସେଟ୍ ଲଗେଇବା ମେକାନିକ୍ ଟିକେ ଡେରି କଲା । ବାକି ସିଲେଇ କରିବାକୁ ନର୍ସ୍ ଓ କମ୍ପାଉଣ୍ଡରଙ୍କ ଜିମା ଛାଡି ମୁଁ ଟଏଲେଟ୍ ପଳେଇଲି । ସେମାନେ ପ୍ରାୟ ସବୁ ଅପରେସନରେ ମୋତେ ସାହାଯ୍ୟ କରନ୍ତି । ମୁଁ ସବୁ ନିଜେ ରହି ତଦାରଖ କରୁଥାଏ । ସେ ଦିନ ବଡ ଭୁଲ ହୋଇଗଲା । ସେମାନଙ୍କ ଉପରେ ବାକି କାମ ଛାଡିଦେଇ ମୋର ଅପରେସନ୍ ଟେବୁଲ୍ ଛାଡିବାର ନ ଥିଲା । ସେଇ କେଇଟା ଅନ୍ଧାର ମୂହୁର୍ତ୍ତରେ ଗୋଟେ ବଡ ଭୁଲ ହୋଇଗଲା । ରୋଗୀର ପେଟରେ ଛୋଟ କତୁରୀଟିଏ ରହିଗଲା । ପରେ ଜଣାପଡିଲା । ସେମାନେ କେଶ୍ କଲେ । ସବୁ ଭୁଲକୁ ମୁଁ ମୋ ମୁଣ୍ଡରେ ନେଇଗଲି । ଭୁଲ ଯେତେବେଳେ କରିଛି, ପ୍ରାୟଶ୍ଚିତ କରିବା ମୋ ଦରକାର ଥିଲା ।


ଭୁଲ କିଏ କଲା । ସଜା କିଏ କାଟୁଛି ? ସବୁ ଭୁଲ ନିଜ ଉପରକୁ ନେଇଗଲେ । ଅଥଚ କାହା ଉପରେ ରାଗ ନାହିଁ କି ଦ୍ୱେଷ ନାହିଁ । ପୁଣି ସଜା ଦିନେ ନୁହେଁ କି ମାସେ ନୁହେଁ । ବର୍ଷ....... ବର୍ଷ........... କେତେ ବର୍ଷ, ତାହା ବି ପଚାରିବାକୁ ଇଚ୍ଛା ହେଲାନି । ସମସ୍ତଙ୍କ ଠାରୁ ପୁରା ଅଲଗା । ସେ ଜଣେ ଡାକ୍ତର୍ । ଆଉ ମୁଁ ଗୋଟିଏ ଚୋର । ମୋତେ ପୁଣି ତୁମେ କହି ଡାକୁଛନ୍ତି । କେତେ ସରଳ ଭାଷାରେ କହୁଥାନ୍ତି । ଯେମିତି ଚେହେରା, ସେମିତି ଭାଷା, ସେମିତି ବ୍ୟବହାର । ଏକା ଲୟରେ ଶଙ୍କର ଚାହିଁ ରହିଥାଏ । ଆଚ୍ଛା ଭାଇ ! ମୋ କଥା ତ ଶୁଣିଲ । ଏଥର ତୁମ କଥା କୁହ । ତୁମେ କାହିଁକି ଆସିଲ ? ହଁ......... ତୁମେ କ’ଣ କରିଥିଲ ?


ଡାକ୍ତରଙ୍କ ପାଖରେ ଶଙ୍କରକୁ ବହୁତ ଛୋଟ ଲାଗିଲା । ସ୍ୱୟଂ ଠାକୁରଙ୍କ ସାମ୍ନାରେ ସେ ଠିଆ ହୋଇଛି । ଆଉ ଠାକୁର ତା’କୁ ପଚାରୁଛନ୍ତି, ତୁ କ’ଣ କରିଛୁ ଶଙ୍କର ? ଗୋଟି ଗୋଟି କରି ଗାଇଗଲା ଶଙ୍କର । କେମିତି ତା’ ମାଆ ତା’ ପାଠପଢାରେ ଡୋରୀ ବାନ୍ଧିଦେଲା । ବସ୍ତିର ବାକି ଛୁଆଙ୍କ ସାଙ୍ଗେ ପଠାଇଦେଲା ଜରି ଗୋଟେଇବା ପାଇଁ । ସେ ଦିନ ବସ୍ତା ଭିତରେ ଖୋଜୁ ଖୋଜୁ ତା’ ବାପା କହିଲା, ଆରେ ମୂର୍ଖ ! ଆଉ କିଛି ମିଳିଲାନି ? ଏଇ କେତେଟା ପ୍ଲାଷ୍ଟିକ୍ ବୋତଲ୍ ଗୋଟେଇ ଆଣିଛୁ ? କେତେ ପଇସା ହେବ ? ଖାଲି ପ୍ଲାଷ୍ଟିକ୍ ଗୋଟେଇଲେ କ’ଣ ହେବ ? ରାସ୍ତା ଘାଟରେ ମୌକା ଦେଖି କାହାର ଚପଲ୍, କାହା ଘରୁ ଲୁହା, କାହା ଘରୁ କଂସା ତାଟିଆ ଏମିତି ଛୋଟକାଟିଆ ଜିନିଷ ତା’ ଭିତରେ ପୁରେଇବୁ । ତା’ ହେଲେ ଯାଇ କିଛି ହେବ । ତା’ ପରଠୁ ମୁଁ ଚୋରୀ କରିବା ଶିଖିଗଲି । ଏମିତି କଖାରୁ, କାକୁଡି ଚୋରଉ ଚୋରଉ ବଡ ଚୋର ହେଇଗଲି । ଲୋକଙ୍କ ମୋବାଇଲ୍ ଚୋରୀ କଲି । ଧରା ପଡିଲି । ମୋତେ ବାଳ ସୁଧାର ଆଶ୍ରମକୁ ପଠେଇଦେଲି । ସେଇଠୁ ଫେରିବା ପରେ ମୋ ସାଥୀରେ ଆଉ କେହି ସାଙ୍ଗ ହେଲେନି । ଯୁଆଡେ ଗଲି, ସମସ୍ତେ ଫୁସୁରୁ ଫାସର ହେଲେ । ଆଉ ଯେଉଁ ମାନେ ମୋ ସହ ସାଙ୍ଗ ହେଲେ, ସେମାନେ ହିଁ ମୋର ସର୍ବନାଶ କଲେ । ଅଜାଣତରେ ସେମାନଙ୍କ ମେଳରେ ପଡି ଗଲି । ସେଇଟା ଗୋଟିଏ ଛୋଟକାଟିଆ ଗ୍ୟାଙ୍ଗ୍ କହିଲେ ଚଳିବ ।


ସେମାନେ କ’ଣ କରିପାରିବେ ତାହା ପରେ ଜାଣିପାରିଲି । କିଛି ନ କରି ବି ଦ୍ୱିତୀୟ ଥର ପାଇଁ ଜେଲ୍ ଗଲି ସେମାନଙ୍କ ପାଇଁ । ବୁଡିଲା ମାଠିଆ ତଳକୁ ତଳକୁ । ୟା ପୂର୍ବରୁ ଜେଲରେ ମୋ ଉପରେ ଦୟା ଦେଖାଇ ଜଣେ ଜେଲର୍ ତାଙ୍କର ଗୋଟିଏ କାମ କରିବାକୁ କହିଲେ । ରାତିରେ କୋର୍ଟ୍ ଯିବାକୁ କହି, ପାଞ୍ଚ ଜଣ କଏଦୀଙ୍କୁ ନେଇ ଗୋଟିଏ ଲୋକକୁ ପିଟିବାକୁ କହିଲେ । ଆମେ ମୁହଁରେ ପଟି ବାନ୍ଧି ତା’କୁ ପିଟିଲୁ । ସେ କିଏ, ଆଉ ତା’କୁ କାହିଁକି ପିଟୁଛୁ, ଆମେ ଜାଣି ନ ଥିଲୁ । ପରେ ଆମକୁ ପୁଣି ଜେଲ୍ ଭିତରେ ଭର୍ତ୍ତି କରିଦେଲେ । କେହି ଜାଣି ପାରିଲେନି, ସେ ଲୋକକୁ କିଏ ପିଟିଲା ଓ କାହିଁକି ? ପରେ ସେ ଜେଲର୍ ଆମ ଗ୍ରୁପକୁ ଅନ୍ୟ କାମ(ଚୋରୀ କାମ)ରେ ଲଗେଇଲେ । ଯାହା ମିଳିବ, ସେଥିରୁ କିଛି କଏଦୀମାନଙ୍କ ଚିହ୍ନା ଲୋକଙ୍କୁ ବି ଦେଉଥିଲେ । ଯେଉଁ ଦିନ ଜେଲରୁ ମୁକୁଳିଲି, ପଚାରିଲି, ଆଜ୍ଞା ମୋ ଭାଗ କାଇଁ ? ତୋ’ ମାଆ ଆସିଥିଲା, ଦେଇଦେଇଛି । ଆରେ ମୋ ମାଆ ମରିବାର ତ ବର୍ଷେ ହେଇଗଲାଣି । ସେ ପୁଣି କୋଉ ମାଆକୁ ଦେଲେ ? ସେ ଦିନ ଜାଣିଲି, ଏମାନେ କେତେ ବେଇମାନ୍ । ଲାଗିଲା ସମସ୍ତେ ଏଠି ସେୟା । ମାଆ......... ବାପା............ ସାଙ୍ଗ............ ହାକିମ......... ହୁକୁମ..........

ଶୁଣିସାରି ଡାକ୍ତର କହିଲେ, ତୁମେ ଜଣେ ଭଲ ଲୋକ । ଖରାପ ଲୋକଙ୍କ ମେଳରେ ପଡି ଯାଇଛ । ଭଗବାନ୍ ତୁମକୁ ଜଣେ ଭଲ ଲୋକ ହିସାବରେ ପଠେଇଥିଲେ । ତୁମେ ତା’କୁ ବଦମାସ୍ ବନେଇଦେଲ । ସାରା ରାତି ଶଙ୍କରକୁ ଆଉ ନିଦ ହେଲାନି । ଏମିତି କଥା ତା’କୁ ଜୀବନରେ କେହି କେବେ କହି ନ ଥିଲେ । ସମସ୍ତେ ଛିଃ ଛାକର, ମାରଧର କରୁଥିଲେ । କିନ୍ତୁ ଜଣେ ଅଚିହ୍ନା ମଣିଷ ଆଜି ଆପଣାର ସାଜି କେତେ ସୁନ୍ଦର କଥା କହିଦେଲେ । ଆଜି ଲାଗିଲା, ଡାକ୍ତର କହୁଥାନ୍ତେ, ଆଉ ସେ ଶୁଣୁଥାନ୍ତା ।

***   ***   ***   **** ***   ***   ***   ***   ***

କିଛି ଦିନ ପରେ ଡାକ୍ତରବାବୁଙ୍କୁ ଡାକରା ଆସିଲା । ଆଜି ତାଙ୍କର ଶେଷ ଦିନ । ଗଲା ବେଳକୁ ଡାକ୍ତରଙ୍କୁ କୁଣ୍ଢାଇ ପକେଇଲା ଶଙ୍କରା । ମୋ ଭାଗ୍ୟ । ଆପଣଙ୍କୁ ଦେଖିଲି । ଡାକ୍ତର କହିଲେ, ଶଙ୍କରା ! ତୁମର ବି ଦିନେ ସଜା ଶେଷ ହୋଇଯିବ । ଆଉ ତୁମେ ବି ନିଜ ଘରକୁ ଫେରିଯିବ ।

: ନାଃ ଡାକ୍ତରବାବୁ ! ମୋ ସଜା ସରିଲେ, ମୁଁ ଘରକୁ ଯିବିନି । ସିଧା ପୁରୀ ଯିବି । ଜଗନ୍ନାଥଙ୍କ ଆଗରେ ଲମ୍ବା ହୋଇ ପଡିଯିବି । ଆଉ କହିବି, ପ୍ରଭୁ ! ପେଟ ଚାଖଣ୍ଡକ ଦେଇଛ ଯେତେବେଳେ, ବୁଦ୍ଧି ବି ଦିଅ । ମୋତେ ଏ ନର୍କରୁ ଉଦ୍ଧାର କର । ଆଉ ସେ ଠାକୁର ଯୋଉ ବୁଦ୍ଧି ଦେବେ, ସେୟା କରିବି । ନା ମାଆ, ନା ବାପା, ନା ସାଙ୍ଗ, ନା ଜେଲର୍, ନା ପୁଲିସିବାଲା, ଆଉ କାହା କଥା ଶୁଣିବିନି ।


రచనకు రేటింగ్ ఇవ్వండి
లాగిన్

Similar oriya story from Drama