STORYMIRROR

Sachidananda Kar

Romance Inspirational

3  

Sachidananda Kar

Romance Inspirational

ସବୁରାତି ମଧୁରାତି

ସବୁରାତି ମଧୁରାତି

2 mins
412


            ରୂପବତୀ କନ୍ୟା।

            ଏମିତି କନ୍ୟା ମିଳିଗଲେ ଜୀବନସାରା ଖାଲି ' ରୂପ ' ପିଇ ରହି ଯାଇପାରିବି।

            ମନରେ ରୂପବତୀ କନ୍ୟାଟିଏର ଲାଳସା।

            ସୋମେଶ୍ ସବୁବେଳେ ଏଇକଥା ହିଁ କହୁଥିଲା।

            ଇଂଜିନିୟର ଚାକିରୀ।ମୋଟା ଅଙ୍କର ଦରମା।ଭୁବନେଶ୍ବର, ବାଙ୍ଗାଲୋର, କୋଲକାତା, ପାଟନା ପରି ସହର ବୁଲି ଆସିଥିଲା ସେ।ହେଲେ କୌଣସି ଜାଗାରେ ସୌନ୍ଦର୍ଯ୍ୟର ଝଲକ ପାଇ ପାରି ନ ଥିଲା।

            - ' ସବୁ ନକଲି - କୁନି କଞ୍ଚନ କଢି ପରି ଖାଲି ଉପରିଆ ----ୟାକୁ କ'ଣ ସୁନ୍ଦର କହିହେବ ! '

            କଥାକଥାରେ ସେ ରଖୁଥିଲା ଏଇ ମନ୍ତବ୍ୟ।

            ତା'ର ଟଙ୍କାର ଝୁଲିଟି ପୂର୍ଣ୍ଣ ,ହେଲେ ମନର ଝୁଲିଟି ଖାଲି ରହୁଥିଲା ସବୁବେଳେ।

             ରୂପବତୀ କନ୍ୟା ପାଇବାକୁ ସେ ବହୁତ ଚେଷ୍ଟା କରିଥିଲା।ଘଟକ ଦଲାଲମାନେ ତା'ଠାରୁ ବହୁତ ଟଙ୍କା ଠକି ଖାଇଥିଲେ।ବନ୍ଧୁବାନ୍ଧବ ଓ ଜାତିଭାଇ ବି ତା'ଠାରୁ ଟଙ୍କା ଭିଡିଥିଲେ।

             ତଥାପି ସେ ନିରାଶ ହୋଇ ନ ଥିଲା।ସହରରୁ ମୁହଁ ଫେରାଇ ଗାଆଁ ଆଡକୁ ନଜର ନେଇଥିଲା।ପ୍ରକୃତ ସୁନ୍ଦରୀ ଗାଆଁରେ ହିଁ ମିଳନ୍ତି - ଏପରି ଗୋଟିଏ ଧାରଣା ମନକୁ ଆଣିଥିଲା।

            ସାଙ୍ଗମାନେ ହସୁଥିଲେ ତା' କଥା ଶୁଣି।

            ଥରେ ଜଣେ ସାଙ୍ଗ ତାକୁ କହିଲା - ' ବାଲି କୂଅ ଆଉ ଗାଆଁ ଝିଅର ରୂପ, ଉଭୟେ ସମାନ।ବାଲି କୂଅର ପାଣି ଭାରି ଥଣ୍ଡା ।ସେଥିରୁ ଢୋକେ ପିଇଦେଲେ ଆତ୍ମା ଶାନ୍ତି।ଗାଆଁ ଝିଅର ରୂପ ଥରେ ଦେଖିଦେଲେ ଆଖିକୁ ନିଦ ଆସିଯାଏ।ହେଲେ ବାଲି କୂଅ ଏଇନା ଅଛି ତ ଏଇନା ନାହିଁ।ଗାଆଁ ଝିଅର ରୂପ ସେମିତି ଢଳିଯାଏ। '

            କିନ୍ତୁ ଏସବୁ କଥାରେ ପ୍ରଭାବିତ ହେଉ ନ ଥିଲା ସେ।

            ଶେଷରେ ଗାଆଁରୁ ତାକୁ ତା'ର ରୂପବତୀ କନ୍ୟା ମିଳିଗଲା।

            ଏବେ ତା'ର ରୂପବତୀ ସ୍ତ୍ରୀ ସହିତ ସହରକୁ ଆସିଥିଲା ସେ।

            କିଛିଦିନ ପରେ..........

            ଦିନେ ସେ ଦେଖିଲା ତା'ର ରୂପବତୀ ସ୍ତ୍ରୀ ଦୁଧବାଲା ସହିତ ହସିହସି କଥା ହେଉଛି।ଆଉ ଦିନେ ଗୋଟେ ରାଜମିସ୍ତ୍ରୀ ସହିତ ତାକୁ ହସିହସି କଥା ହେଉଥିବାର ମଧ୍ୟ ଦେଖିଲା।ପୁଣି ଦିନେ ଦେଖିଲାବେଳକୁ ଗୋଟେ ଟ୍ରକ୍ ଡ୍ରାଇଭର ସହିତ ସେ ହସିହସି କ'ଣ ଗପୁଛି।

            ନା, ଆଉ ନୁହେଁ।ଏମାନେ ସମସ୍ତେ ତା' ରୂପବତୀ ସ୍ତ୍ରୀ ଉପରେ ନଜର ପକାଇଛନ୍ତି।ତା'ର ଦେହ ଜଳିଗଲା।

            ଏବେ ତାକୁ ଫିକାଫିକା ଦିଶୁଥିଲା ତା' ସ୍ତ୍ରୀର ରୂପ।

             ଏହାପରେ ସେ ତା' ସ୍ତ୍ରୀକୁ ପାଖକୁ ଡାକିଲା।କିଛି ନ ପଚାରି ଦି' ହାତରେ ତା' ବେକକୁ ଧରିଲା।ଲମ୍ବା କେଶ ତା'ର ଫିଟି ପଡିଲା ତଳକୁ।ତାକୁ କହିଲା - ' କହ,କାଲିଠୁ ତୁ ଦୁଆର ବାହାରକୁ ଯିବୁ ? କାହା ସାଙ୍ଗେ ହସିବୁ ?କାହ ସାଙ୍ଗେ ଗପିବୁ ? କହ ? '

              ଏତିକିରେ ନିଜର ଭୁଲ ବୁଝି ପାରିଲା କି କ'ଣ ସୋମେଶର ଛାତିରେ ମୁହଁ ଜାକି ସେ କାନ୍ଦି ଉଠିଲା।

             - ' ନା, ନା, ନା।ନାଇଁ, ନାଇଁ, ନାଇଁ। '

             କେବଳ ଏତିକି ହିଁ ବାହାରୁଥିଲା ତା' ପାଟିରୁ।କନ୍ଦୁଥିଲା ସେ।

             ବାସ୍।ଏହାପରେ ସୋମେଶର ମନରେ ଆଉ ଲେଶ ମାତ୍ର ସନ୍ଦେହ ନ ଥିଲା ।ଫିକାଫିକା ବି ଦିଶୁ ନ ଥିଲା ସ୍ତ୍ରୀର ରୂପ।ବରଂ ତା' ସ୍ତ୍ରୀ ଯେ ପ୍ରକୃତରେ ରୂପବତୀ ଭାବୁଥିଲା ସେ।

             ସେଦିନ ସ୍ତ୍ରୀ ସହିତ ରାତି ବିତାଇବା ବେଳେ ସେ ମନେକଲା ଯେମିତି ଦୁନିଆର ଗୋଟେ ଅତି ରୂପବତୀ ନାରୀ ସହିତ ସେ ବାସ୍ତବ ମଧୁରାତି ବିତାଉଛି। ' ରୂପ ' ପିଉଛି।

              ଏବେ ---------?

              ଏବେ ସବୁଦିନ ସେ ' ରୂପ ' ପିଉଛି।

              ସବୁରାତି ତାକୁ ମଧୁରାତି ପରି ଲାଗୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance