STORYMIRROR

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ସ୍ବପ୍ନର ମରୁ ଯାତ୍ରା

ସ୍ବପ୍ନର ମରୁ ଯାତ୍ରା

2 mins
179

ନଶ୍ବର ଶରୀରରେ ନିଃଶ୍ବାସ ପ୍ରଶ୍ବାସ ର ଧାରା ଅବିଛିନ୍ନ ଥିଲାଯାଏ ଗଢୁଥାଏ ଭାଙ୍ଗୁଥାଏ ସ୍ବପ୍ନର ସୁଉଚ୍ଚ ଅଟ୍ଟାଳିକା, କିଛି ବନ୍ଦ୍ ଆଖିର ପଲକ ତଳେ ଆଉକିଛି ଖୋଲା ଆଖିରେ ଆଖିଏ ଜଞ୍ଜାଳ ଭିଡରେ। ସ୍ବପ୍ନରୁ ବାସ୍ତବିକତା କୁ ରୂପାନ୍ତରଣର ପ୍ରକ୍ରିୟାଟି କିନ୍ତୁ ଖୁବ୍ ରହସ୍ଯମୟ ପ୍ରତିତହୁଏ ଜୀବନପଥ ର ଦୋଛକିରେ ବେଶ୍ କିଛି ବାଟ ଅତିକ୍ରାନ୍ତ କରି, କେଉଁ ଏକ ଝଙ୍କାଳିଆ ବର ଓହଳର ସ୍ନିଗ୍ଧ ଶୀତଳ ଛାଇତଳେ ଅବକାଶ ନେଉ ନେଉ ଅନ୍ତର୍ମୁଖୀ ହେଲାବେଳେ। ପ୍ରାପ୍ତି ଓ ପ୍ରୟାସର ସମାନ୍ତରାଳ ସମୀକରଣଟି କିନ୍ତୁ ଅଷ୍ଟମ କକ୍ଷାରେ ପଢିଥିବା ଗଣିତଠୁ ବେସ୍ ଭିନ୍ନ ବାରିହୁଏ। ଜୀବନ ଗୋଲକର ବିସ୍ମୟକର ଘୂର୍ଣ୍ଣନ ସହିତ, ଆଶା ଆକାଂକ୍ଷାର ଅଦୃଶ୍ଯ ଅକ୍ଷାଂଶ ସବୁ ଦୂର ସ୍ବପ୍ନିଳ ଦିଗବଳୟରେ ଅପହଞ୍ଚ ଦ୍ରାଘିମା ପ୍ରାୟ ମନେହୁଏ। ହେଲେ ଜୀବନ କଣ ଷ୍ଟେସନରେ ବିଚ୍ଯୁତ ହୋଇ ବନ୍ଦ ପଡିଥିବା ମାଲଗାଡି ହୋଇଛି ଯେ ସ୍ଥିର ହୋଇଯିବ! ପୁଣି କୁଆଁମାରେ ଆଉ ଏକ ସବୁଜ ସ୍ବପ୍ନ ଆଶା ଆଲୁଅକୁ ମୁହଁ କରି ଏକ ନୂତନ ଦିଗକୁ। କେତେବେଳେ ଅଂଶୁଘାତ ତ କେତେବେଳେ ମୌସୁମୀର ମାଦକୀୟ ବୃଷ୍ଟି ଧାରା ତଥାବି ନିରବଛିନ୍ନ ଏ ସ୍ବପ୍ନର ମରୁ ଯାତ୍ରା ! 

ହେଉ ସେ ଦିବା ସ୍ବପ୍ନ ଅବା ଲହୁ ଲୁହ ଭିଜା ନିରୁତା ପ୍ରାପ୍ଯ ର ଆଞ୍ଜୁଳାଏ ଅଭିପ୍ସା, ମହାକାଳର ଇଙ୍ଗିତ ରେ କ୍ଷଣିକେ ପରିବର୍ତ୍ତିତ ହୋଇଯାଏ ସବୁକିଛି ମୋକ୍ଷରୁ ମୃତ୍ଯୁ,ନିର୍ବାଣରୁ ଆସକ୍ତି କିମ୍ବା ପୂର୍ଣ୍ଣତାରୁ ଶୂନ୍ଯତା । ପ୍ରାପ୍ତି- ଅପ୍ରାପ୍ତି, ସନ୍ତୋଷ-ଅବସୋସ ଭିତରେ ବି ଆଉ ଏକ ସ୍ବପ୍ନର କ୍ଷୀଣ ଅଙ୍କୁରଣଟିଏ ବାସ୍ତବିକତାର ଉର୍ବର ପଟାଳିରେ ଉଧେଇବାକୁ ସଂଘର୍ଷ ଜାରି ରଖିଥାଏ। ଝରକା ସେପାଖର ମୋହ କୋହର ଜୁଆର ଭଟ୍ଟା ଭରା ଜୀବନ ସମୁଦ୍ରର ଗୁରୁ ଗର୍ଜନରେ କେତେବେଳେ ଭିତ୍ତତ୍ରସ୍ତ ତ କେତେବେଳେ ଆଶା ଅଭିପ୍ସାର ନୀଳାମ୍ବୁ ଦିଗବଳୟର ଆକର୍ଷଣରେ ସ୍ବପ୍ନାରୋହୀ ସାଜେ। ସ୍ବପ୍ନର ବି ଏବେ କିଣା ବିକା ଚାଲେ,ସ୍ବପ୍ନ କଁଣ ନାସ୍ତିକତାର ପ୍ରଗଳ୍ଭତା ନା ଆଞ୍ଜୁଳାଏ ମାଟିର ମୋହ?ହେଉ ପଛେ ସ୍ବପ୍ନ ମୃଗତୃଷ୍ଣା ର ପ୍ରତୀକ୍ଷା,ହେଉ ସେ ଦୁଃସ୍ବପ୍ନ ଅବା ଦିବା ସ୍ବପ୍ନ, କର୍ତବ୍ୟ ର ବୁଢୀଆଣି ଜାଲରୁ ମୁକୁଳି ନିଜ ପାଇଁ ବି କିଛି ସ୍ବପ୍ନ ଦେଖିବାକୁ ପଡେ । ବାଲକୋନୀ ର କୁଣ୍ଡ ମାନଙ୍କରେ ବୁଣି ଦେଇଛି ଏବେ ସ୍ବପ୍ନ କେଇ ମୁଠା, ରୀତିମତ୍ ପାଣି ଦେଇ ଚାହିଁ ରହିଛି ଶୁଭ ପଲ୍ଲବ ର ସକରାତ୍ମକ ଅଙ୍କୁରଦ୍ଗମଟିକୁ ନୂଆ ସକାଳର ସୁନେଲୀ କିରଣ ସ୍ପର୍ଶ ରେ ହୁଏତ ହସି ଉଠିବ ସ୍ବପ୍ନ ର ସାର୍ଥକତା ଅବା ବାଳ ସୂର୍ଯ୍ୟ ର ଆଲିଙ୍ଗନ ପୂର୍ବରୁ ସ୍ବପ୍ନ କୋଣାର୍କ ହେବ ପୁନର୍ବାର ଶତ ବିଧ୍ବଂସ ! ଅନ୍ତହୀନ କ'ଣ ତାହେଲେ ସ୍ବପ୍ନର ଏ ମରୁ ଯାତ୍ରା ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics