STORYMIRROR

Manas Ranjan Nayak

Abstract Classics Inspirational

3  

Manas Ranjan Nayak

Abstract Classics Inspirational

ସମ୍ପର୍କର ବଦଳା ସମୀକରଣ

ସମ୍ପର୍କର ବଦଳା ସମୀକରଣ

2 mins
174

ବିସ୍ଥାପିତ ନୁହଁ ଏବେବି ପୃଥିବୀ ତାର ପ୍ରାରବ୍ଧ କକ୍ଷପଥରୁ ହେଲେ ମାତା ପିତା ଓ ସନ୍ତାନଙ୍କୁ ନେଇ ସମ୍ପର୍କର ସେହି ସମବାହୁ ତ୍ରିଭୁଜଟି ଆଜି ଭୂମିହୀନ ମନେହୁଏ। ଦିନେ ସ୍ନେହ ଶ୍ରଦ୍ଧା ପ୍ରେମର କାଉଁରୀ ସ୍ପର୍ଶରେ ଅସାଧ୍ଯ ଜଞ୍ଜାଳ ନିମିଷକ ମଧ୍ଯରେ ସମାଧାନ ହୋଇଯାଉଥିବା ବେଳେ ଅଧୁନା ଜ୍ଞାନ ବିଜ୍ଞାନରେ ଅନେକ ପ୍ରଗତିଶୀଳ ବୋଲି ଡିଙ୍ଗୁରା ପିଟୁଥିବା ନୂତନ ପିଢି ନିଜର କ୍ଷୁଦ୍ର ପରିବାରଟିରେ ହିଁ ଅଣନିଶ୍ୱାସୀ ହୋଇଉଠେ ସମ୍ପର୍କରେ ତିକ୍ତତା, ଭୁଲ ବୁଝାମଣା, ଆତ୍ମଗର୍ବରେ ଭରପୁର ଅଭିମାନ ଓ ସ୍ବାର୍ଥର ଚକ୍ରବର୍ତ୍ତୀ ସୁଧ ସହ ବନ୍ଧା ପଡିଥିବା ସମ୍ପର୍କକୁ ନେଇ। ତ୍ଯାଗ, କ୍ଷମା, ସହନଶୀଳତା ପ୍ରେମ, ଆତ୍ମୀୟତା ଆଜି ସତେଯେପରି ପାଲଟିଛନ୍ତି ଭଗ୍ନ ମନ୍ଦିର ର ପରିତ୍ଯକ୍ତ ଶିଳା, ଅପେକ୍ଷାରେ କେଉଁ ଏକ ପୂଣ୍ଯ ମୂହୁର୍ତ୍ତରେ ଚେତନାର ଉର୍ଦ୍ଧ୍ବ ସୋପାନରେ କାହାର କାରୁଣ୍ୟ ହସ୍ତକ୍ଷପରେ ପୁନରୁଦ୍ଧାର ହେବାପାଇଁ । ଶାଶ୍ବତ ସମ୍ପର୍କର ପୀୟୂଷ ଧାରା ଆଜି ସ୍ବାର୍ଥ ଓ କାମନାର ମହାମାରୀ ରେ ସୁଦୂର ସଂକ୍ରମିତ। ସ୍ନେହ ଉଷ୍ମତା ଅଭାବରେ ସମ୍ପର୍କର କମଳଟି ଆଜି ମୁର୍ଚ୍ଛିତ ପ୍ରାୟ, ଆତିଥ୍ଯ ଅଭିନୟର ମାୟାଜାଲ ଶିଥିଳ କରିଦେଇଛି ଜୀବନର ବାସ୍ତବିକତାକୁ। ଅବସାଦଗ୍ରସ୍ତ ଜୀବନଟା ଭାରୀ ଭାରୀ ଲାଗେ, ଏକ ଅଛିଣ୍ଡା ଗଣିତ ପରି ଅଡୁଆଲାଗେ । ନିଚ୍ଛକ ବସ୍ତୁବାଦର ଆକର୍ଷଣ, ଭୌତିକ ସୁଖର ଅଡୁଆ ଜାଲରେ ଛନ୍ଦି ହୋଇ ସରଳ ଜୀବନରେ ସମ୍ପର୍କର ସହଜ ସମୀକରଣଟି ଜଟିଳ ହୋଇ ଉଠୁଛି କ୍ରମଶଃ। ଚେତନାର ଅଧଃପତନ ସହ ମାନସିକତାରେ ପରିଲକ୍ଷିତ ହେଉଛି ଅନେକ ଅସାମାନ୍ୟ ପରିବର୍ତ୍ତନ। କିଛି ପ୍ରାପ୍ତିର ଲାଳସା, ଲାଭ କ୍ଷତି ର ନିଅଁ ଉପରେ ସମ୍ପର୍କର ଅଟ୍ଟାଳିକା ତୋଳିବାକୁ ଅଦମ୍ୟ ଚେଷ୍ଟା ଚାଲିଛି। ନିଜର ରକ୍ତ ମାଂସ ଶରୀରରୁ ଜୀବନଦାନ ଦେଇ, ବାତ୍ସଲ୍ୟ ପ୍ରେମର ଅଭୟ ବଳୟରେ ରଖି, ସନ୍ତାନର ଭବିଷ୍ଯତକୁ ସୁରକ୍ଷିତ କରିବାକୁଯାଇ ହାତ ପାହାନ୍ତାରେ ସୁନେଲି ବର୍ତ୍ତମାନକୁ ତିଳ ତିଳ କରି ଜାଳିବାକୁ ପଛାନ୍ତି ନାହିଁ ସେମାନେ । ସର୍ବସ୍ବ ବିନିଯୋଗ କରି ସର୍ବଶେଷରେ ଇଛା ନଥାଇ ବି ଏକୁଟିଆ ଜୀଇଁବାକୁ, ନିସଂଗ ଜୀବନସହ ନିବିଡତା କରିନେବାକୁ ବାଧ୍ଯ ହୁଅନ୍ତି ବୟସର ଅପରାହ୍ନରେ ପରିତ୍ୟକ୍ତ ପିତା ମାତା ମାନେ । ସମୟର ଲୁଚକାଳି ଖେଳରେ ହାରି ଯାଆନ୍ତି ସେମାନେ, ସମ୍ପର୍କର ସରଳରେଖାରେ ସେମାନଙ୍କ ପିଲାମାନେ କିନ୍ତୁ ଆଗେଇ ଯାଆନ୍ତି ବହୁତ ଦୂର। ନିଚ୍ଛକ ପ୍ରେମ, ଅଭିମାନ, ତ୍ଯାଗ ବଳିଦାନର ଭିତ୍ତିଭୂମି ଉପରେ ଗଢିଉଠିଥିବା ସ୍ବାମୀ ସ୍ତ୍ରୀଙ୍କର ସମ୍ପର୍କର ସ୍ଥିତି ବି ଆଜି ଜରାଜୀର୍ଣ୍ଣ। ଯେଉଁଠି ଦିନେ ଥିଲା ଅତୁଟ ବିଶ୍ବାସ, ସମର୍ପଣ ଓ ଆତ୍ମୀୟତା ସେଠାରେ ଆଜି କ୍ଷୀଣ ବୁଝାମଣା ର ଅଭାବରେ ଦରାର୍ ପଡିଯାଏ। ନାରୀ ସଶକ୍ତିକରଣ ନାରାରେ ଦୁର୍ବାର ହୋଇଉଠେ ପତି ପତ୍ନୀଙ୍କ ମଧ୍ଯ ରେ ସମ୍ମାନ, ଦକ୍ଷତା, କ୍ଷମତା ର ଅନ୍ତର୍ଯୁଦ୍ଧ। ପରିଶେଷରେ ହାର୍ ଜିତ୍ ର ପରିଣାମ ସ୍ବରୂପ ମିଳୁଛି କେବଳ ହତାଶ, ଉଦାସ ଓ ବିଷାଦର ଏକ ବହଳ ପରସ୍ତ, ପ୍ରେମ ପ୍ରୀତି ର ସେହି ସପ୍ତରଙ୍ଗୀ ସମ୍ପର୍କର ଇନ୍ଦ୍ରଧନୁ ଉପରେ। ବେଦ ଭୂମି ଭାରତର ପୁଣ୍ଯ ଧରାପୃଷ୍ଠରେ ବନ୍ଧୁତ୍ବ ସମ୍ପର୍କ ର ଗୌରବାନ୍ୱିତ ଅଧ୍ୟାୟ ଆଜି ପାଲଟିଛି ସ୍ମୃତିହରା ଇତିହାସ। ତ୍ୟାଗ ବଳିଦାନର ଜାଗା ନେଇଛନ୍ତି ଏକ ସ୍ବାର୍ଥକୈନ୍ଦ୍ରୀକ ପ୍ରତିଦ୍ବନ୍ଦିତାର ଉଚ୍ଚାଟ ମାନସିକତା ଏବଂ ପୁଳାଏ ଓୌପଚାରିକତା ମାତ୍ର। 

ସାମାଜିକ ମୂଲ୍ଯବୋଧ ଆଜି ବ୍ଯକ୍ତିଗତ ପରିଚୟକୁ ଆଇନା ଦେଖାଇବାକୁ ହୁଏ ଅସମର୍ଥ। ସମ୍ପର୍କର ଭଗ୍ନ ସେତୁ ସବୁ କେବଳ ଅତୀତର ସେହି ଅମୂଲ୍ଯ ସଂଯୋଗର ସ୍ମୃତିଚାରଣ କରି ବାସ୍ତବିକତା କୁ ପାସୋରିବାକୁ ନିରନ୍ତର ଉଦ୍ଯମରତ। ହେଲେ ସମ୍ପର୍କର ଆକର୍ଷଣ କଣ ସତରେ ଏତେ ଦୁର୍ବଳ? ଆଚରଣରେ ପରିସ୍ପୁଷ୍ଠ ନହେଲେହେଁ ମନର କେଉଁ ଆଭ୍ୟନ୍ତରୀଣ ପ୍ରଦେଶରେ ନିଶ୍ଚୟ ହେଉଥିବ କିଛି ଆଲୋଡନ। ସମୟର ପଷାପାଲିରେ ଅଙ୍କ ବଦଳିବାକୁ ବା କେତେ ସମୟ ଲୋଡା? ରାତିରେ ରାମଙ୍କ ର ଅଭିଷେକ ଓ ସକାଳେ ବନବାସ ପରି ସମ୍ପର୍କର ଏହି ବିଭତ୍ସ ସମୀକରଣବି ଦିନେ ବଦଳିଯିବ।


Rate this content
Log in

Similar oriya story from Abstract