STORYMIRROR

Manas Ranjan Nayak

Others

3  

Manas Ranjan Nayak

Others

ମୋ ଗାଁ ଗଳି ମୁଣ୍ଡ

ମୋ ଗାଁ ଗଳି ମୁଣ୍ଡ

2 mins
120

ବେସ୍ ସହଜ, ସରଳ, ସାବଲୀଳ ପରିଚୟଟିଏ ତା'ର....ମୋ ଗାଁ ଗଳି ମୁଣ୍ଡ । କେଉଁ ବାପ ଗୋସବାପ କାଳରୁ ଗାଁଟିର ପୀଢି ପରେ ପୀଢି ଅଳିକ ଜୀବନର ସକଳ ସାକ୍ଷୀ ହୋଇ ଏଯାବତ୍ ବଞ୍ଚିରହିଛି । ବହୁରୂପୀ ଏଣ୍ଡୁଅ ପରି ବଦଳିଛି ତାର ପାରିପାର୍ଶ୍ୱିକ ଅବୟବ, ହେଲେ ସାଇତି ରଖିଛି ସେ ମନ ସିନ୍ଦୁକରେ ରାଶି ରାଶି ହସ ଲୁହର ଅପାଶୋରା ଅନୁଭୂତିକୁ ସ୍ମୃତିର ଫାସ ପକେଇ । ଆଜିବି ଆକାଶରେ ରଙ୍ଗର ଫୁଆରା,ମୁହୂର୍ମୁହୂ ମହକାଇ ତା ପଥ ଭୂପତିତ ହେଉଛି ଶେଫାଳୀ। ମଗୁଶୀରର କଁଁଅଳ ଖରା ପୁଇଁବାକୁ ଆଜି କେହି ନାହିଁ। ଖଣ୍ଡି ଧାନ ଛିଞ୍ଚା ଆଜି ଆଉ ମିଳେନି ସେ ଗଳି ମୁଣ୍ଡରୁ । ନିଜର ଅସହାୟତାକୁ ଲୁଚାଇବାକୁ ଚେଷ୍ଟା କରୁଛି, ଦରାଣ୍ଡୁଛି ଅତୀତ ସ୍ମୃତିର ସବୁଜ ପଟାଳି...।

 କର୍ଦ୍ଦମାକ୍ତ ରାସ୍ତା ଆଜି ସୁଉଚ୍ଚ ପକ୍କା ସଡକରେ ରୂପାନ୍ତରିତ ସତ ହେଲେ ସେହି କଙ୍କ୍ରିଟ୍ ତଳେ ଅଣନିଶ୍ୱାସୀ ହୋଇଯାଇଛି ଶୈଶବରୁ ବାର୍ଦ୍ଧକ୍ଯଯାଏ ଜୀବନନାଟୀକାର ଅଗଣିତ ପାଦଚିହ୍ନ । ପ୍ରଗତିର ପାହାଚ ଚଢୁ ଚଢୁ ବହୁତ ତଳେ ରହିଯାଇଛି ସେହି ଧୂଳି ଧୂସର ପଥୁରିଆ ଗଳିମୁଣ୍ଡ ଯାହା ଉପରେ ଆଣ୍ଠେଇ ଝୁଣ୍ଟି ଜୀବନର ପ୍ରଥମ ପାହାଚଟିଏ ଦିନେ ସଳଖି ଛିଡା ହୋଇଥିଲି। ଦିନେ ବ୍ରାହ୍ମ ମୂହୁର୍ତ୍ତରୁ ନିଶାର୍ଦ୍ଧଯାଏ ଚଳଚଞ୍ଚଳ ରହୁଥିବା ଗଳିମୁଣ୍ଡ ଏବେ ଏକ ପରିତ୍ୟକ୍ତ ଆଦିମ ସଂକୀର୍ଣ ( ଉଭୟ ପଟର ଜମି ମାଲିକମାନଙ୍କର ଅପ୍ରତିଦ୍ଵନ୍ଦୀତ ସୀମା ଅଧିକରଣ) ଚଲାପଥପ୍ରାୟ ନାଟକୀୟ ସ୍ମୃତିଫଳକ ହୋଇ ବିଦ୍ୟମାନ। ମୁଖ୍ଯ ସଡକକୁ ଯୋଡି ହେଉଥିବା ଗ୍ରାମୀଣ ସଡକ ଏବେ ପରିବର୍ତ୍ତିତ, ଗ୍ରାମର ବିପରୀତ ଦିଗରେ ଥିବା ସୁଦୀର୍ଘ ରାସ୍ତା ଏବେ ପ୍ରଧାନମନ୍ତ୍ରୀ ଯୋଜନା ଅନ୍ତର୍ଗତ ପିଚୁ ସଡକରେ ରୂପାନ୍ତରିତ। ଚିକ୍କିଟା ମାଟି,ମାଙ୍କଡ଼ା ପଥର ଏବଂ ପରେ ପରେ ମୁରମ୍ ଅବତାରରୁ କଂକ୍ରିଟ୍ ସଡକକୁ ବିକାଶର ସ୍ବପ୍ନ ଦେଖୁଥିବା ଗଳି ମୁଣ୍ଡ କିନ୍ତୁ ହରପପା ମହେଞ୍ଜୋଦାରୋ ଭଳି ସୁପ୍ତ ଇତିହାସ ହୋଇ ଗାଁ କବଜାରେ ନିଃଶେଷ ପ୍ରାୟ ମନେହୁଏ।

 ଏକଦା ଘଞ୍ଚ ସବୁଜିମାରେ ପରିପୂର୍ଣ୍ଣ ହୋଇ ନିଜକୁ ଗଳି ମୁଣ୍ଡର ଗୌରବାନ୍ୱିତ ଅଂଶୀଦାର ମନେ କରୁଥିବା ବର, ଅଶ୍ବତ୍ଥ, ଆମ୍ବ, ପୁଟିଆ, ଶିରିଶ, ତେନ୍ତୁଳି, ବରକୋଳି ଓ ତାଳ ପରି ଅନେକ ଦ୍ରୁମ, ଯେଉଁମାନେ ଆଜୀବନ ଗ୍ରାମର ମୁଖଶାଳା ପ୍ରାୟ ସ୍ବାଗତ କରୁଥିଲେ ଆଗନ୍ତୁକ ମାନଙ୍କୁ ଆଜି ଖୋଲା ଆକାଶ ତଳେ ବିବର୍ଣ୍ଣ ସେମାନେ। ଦିନେ ସହସ୍ର ପକ୍ଷୀ, ସରୀସୃପ ମାନଙ୍କର ଅଭୟାରଣ୍ୟ ଥିବା ଗଳି ମୁଣ୍ଡ ଏବେ ନିଜର ଅସ୍ତିତ୍ବ ହରାଇବା ଗ୍ଲାନିରେ ମ୍ରିୟମାଣ। ସ୍ମୃତିର ଇନ୍ଦ୍ରଧନୁରେ ଶୈଶବରୁ ବୟସର ଅପରାହ୍ନ ଯାଏ ବେଶ୍ ପ୍ରଛନ୍ନ ଥିଲା ତାର ପ୍ରଭାବ ପ୍ରତିଟି ଜୀବନ ଉପରେ। ଛୋଟବେଳେ ବୁଢୀମା କାଖେଇ ଗଳି ମୁଣ୍ଡର କୁଆ କୋଇଲି ସୁଆ ବଗ ଦେଖେଇ ଡାଲିଭାତ ଖୋଇଦେବା, ଗଳି ମୁଣ୍ଡର ଝଙ୍କା ଗଛମାନଙ୍କୁ ନେଇ କେତେ ଭୂତ ରାକ୍ଷସର ଭୟାନକ କାହାଣୀ, ପାଣିବୁଆ ରଜରେ ଗଳି ମୁଣ୍ଡର ପୋଖରୀରୁ ମାଛଧରା, ଅଗିରା ପୂର୍ଣ୍ଣମୀରେ ଗଳି ମୁଣ୍ଡ ଧାନ କିଆରିରେ ସାହି ସାରା ଏକତ୍ରିତ ହୋଇ ଅଗି ଜାଳିବା ଓ ଅନେକ ବର୍ଷ ପରେ ଦୂର ରାଜ୍ଯରୁ ଗାଁକୁ ଫେରିଲା ବେଳେ ଗଳି ମୁଣ୍ଡର ଆଲ୍ହାଦ ବେଶ୍ ପ୍ରାଣ ଫୁଙ୍କିଦେଉଥିଲା ପ୍ରତିଟି ଜୀବନରେ। ଗଳି ମୁଣ୍ଡରୁ ପଦ ଗଣତି ଦୂରତ୍ବରେ ମହୀମା ମଣ୍ଡିତ ଗ୍ରାମଦେବତୀ, “ମା ଶଙ୍ଖୁଳେଇ” ଙ୍କ ଅଲୌକିକ ବାଟୀକା ସତେ ଅବା ଗ୍ରାମକୁ ମା'ର ପଣତକାନିର ସୁରକ୍ଷା ବଳୟଥିଲା। ସେଦିନର ଅମାୟିକ ଆତ୍ମୀୟତାରେ ଢଳ ଢଳ ପଲ୍ଲୀଜୀବନରେ ଆଧ୍ଯାତ୍ମିକତା ବି ଥିଲା ଏକ ଅଭେଦ୍ୟ ଅଙ୍ଗ, କ୍ଷଣିକ ଆତ୍ମଗର୍ବୀ ମୁଣ୍ଡଟି କିନ୍ତୁ ଗ୍ରାମର ଆରମ୍ଭରୁ ଗଳି ମୁଣ୍ଡ ପାଖରେ ଆପଣାଛାଏଁ ନଉଁ ଯାଉଥିଲା। 

 ଅକ୍ରୁର ରଥ ଅଣଲେଉଟା ପରି ଅତୀତର ସେହି ଗଳି ମୁଣ୍ଡ, ଆଉଥରେ ଅଧୁନା ନିଚ୍ଛକ ବସ୍ତୁବାଦୀତାର ପ୍ରାବଲ୍ୟତାରେ ସିକ୍ତ ଜୀବନଶୈଳିକୁ ପୁନର୍ଗମନ, ଆଉ ଏକ ଦ୍ବାପରକୁ ଅପେକ୍ଷା ପରି ମନେହୁଏ........ କେଉଁ ଏକ ସ୍ମୃତି ବିଜଡିତ ଅର୍ଗଳିରେ ସବୁଦିନ ପାଇଁ ଯୋଡି ହୋଇ ରହିଯିବ “ମୋ ଗାଁ ଗଳି ମୁଣ୍ଡ” ! 


Rate this content
Log in