ପ୍ରେମ..... ଆକ୍ଷରିକ ରୁ ଆପେକ୍ଷିକ
ପ୍ରେମ..... ଆକ୍ଷରିକ ରୁ ଆପେକ୍ଷିକ
ପ୍ରେମ...........ଶବ୍ଦ ଏକ ମନସ୍ତାତ୍ତ୍ୱିକ ଆଲୋଡନର, ଚେତନାରୁ ଦିବ୍ୟ ଆଚରଣକୁ ରୁପାନ୍ତରଣର। ନିଃସ୍ବାର୍ଥପର ସମ୍ପର୍କ ସ୍ଥାପନରେ ଏକ ବିଭୁଦତ୍ତ ଅମୃତତୁଲ୍ୟ ଉପାଦାନ। ଏକ ଚିରସ୍ରୋତା ନିର୍ଝରିଣୀ ପରି ଅପରିବର୍ତ୍ତିତ ତାର ଅବୟବ ଏବଂ ଦୃଷ୍ଟିକୋଣ, ସୁଶୀତଳ ସୁମଧୁର ଜଳରାଶିର ମନ୍ତ୍ରମୁଗ୍ଧ କଳକଳ କବିତାର ଗାନ,ହେଉ ଉତ୍ତପ୍ତ ମରୁଭୂମି ,କଠିନ ପ୍ରସ୍ତର ପ୍ରାନ୍ତର ଅବା ଚିରସବୁଜ ସମତଳ ଭୂମି।
ସମସ୍ତ ଉପେକ୍ଷା, ତିରସ୍କାର, ଅପମାନ, ଅଭିମାନ, ଦୁଃଖ, ଗ୍ଳାନି କ୍ଷଣିକେ ଅସ୍ତିତ୍ବ ହରାନ୍ତି ପ୍ରେମର ଅମୁଲ୍ଯ ଅନୁଭୂତିରେ। ପ୍ରେମର ପରିଭାଷା ନେଇ ହସି ହସି କୃଶବିଦ୍ଧ ହୋଇଯାଆନ୍ତି ମହାତ୍ମା ଯୀଶୁ, ରାଜବାଟୀ ତ୍ଯାଗ କରି ସ୍ବାମୀଙ୍କ ସହ ବନବାସୀ ହୁଅନ୍ତି ସତୀ ମାତା ସୀତା, ପଦ ସ୍ପର୍ଶରେ ଅତୁଠ ପଥର ଅହଲ୍ୟାରେ ପରିଣତ ହୁଏ। ପ୍ରେମର ଓଂକାରରୁ ନିସୃତ ହୁଏ ହତାଶାରେ ଦୂର ଦିଗବଳୟକୁ ଟପି ଯିବାର ଅଫୁରନ୍ତ ସାମର୍ଥ୍ଯ, ବିଶ୍ବାସ ଅବିଶ୍ବାସର ଅନ୍ତର୍ଦ୍ବନ୍ଦ ମଧ୍ଯରେ ଆଗକୁ ବଢିବାକୁ ଅଦମ୍ୟ ସାହାସ ଟିଏ ଏବଂ ଗର୍ବ ଅହଂକାରର ଉତ୍ତୁଙ୍ଗ ହିମାଳୟ ରେ ସମ୍ପୂର୍ଣ୍ଣ ସମର୍ପଣର ଆବେଗ ଟିଏ। ପାର୍ଥିବ ସୃଷ୍ଟି ରେ ସମସ୍ତ ସମ୍ମୋହନ, ଆକର୍ଷଣ ରୁ ମୁକ୍ତ ଏକ ଶାଶ୍ବତ ଭାବନାଟିଏ ହିଁ ପ୍ରେମ। ପ୍ରେମ ସଦା ସ୍ବାଧୀନ, ମାଞ୍ଜାହୀନ ପତଙ୍ଗ ଟିଏ ଧରାରୁ ସରା ଯାଏ ପରିବ୍ୟାପ୍ତ ତା'ର ପରିସୀମା, ମୁକ୍ତ ଗଗନର ମୁକ୍ତ ବିହଙ୍ଗ ସମ। ସତେଅବା ଅଧୁନା ଜୀବନ ମହାଯୁଦ୍ଧରେ ପ୍ରେମ ହିଁ ଏକ ପଦୀ ଭଗବତ୍ ଗୀତା।
ପରିବର୍ତ୍ତିତ କଦର୍ଯ୍ୟ,କୁତ୍ସିତ,ସଂକୁଚିତ ମାନସିକତାର ନୂତନ ପରିଧି ମଧ୍ଯରେ ବେସୁରା ଆଜି ପ୍ରେମ ବଂଶୀର ସ୍ବର। ପ୍ରାସଙ୍ଗିକତା ହରାଇଛି ପ୍ରେମ ଆଜି ସ୍ବାର୍ଥ, ଅହଂକାର, କାମନା ବାସନାର ମହୁଲି ମେଳାର ମୂଲଚାଲ୍ ରେ। ସନ୍ଧ୍ଯା ନଇଁଲେ ପ୍ରେମ ଆଜି ବାଟବଣା ହୁଏ ଗାଁ ସହରର ଗଳିକନ୍ଦିରେ ଏକ ବିଭତ୍ସ ଗନ୍ଧ ଓ କାମୁକ ଚାହାଁଣି ମାନଙ୍କ ମଧ୍ଯରେ। ସବୁଥିରେ କିଛି ଗୋଟେ ପାଇବାର ଦୁର୍ବାର ଆକାଂକ୍ଷାର ଗଭୀର ସାଗରରେ ସଲିଳ ସମାଧି ନିଏ ପ୍ରେମର ଶର୍କରା ଟିକକ, ପରିସ୍ପୁଷ୍ଠ ହୁଏ ଖାଲି ସ୍ବାର୍ଥ ର ଲବଣାକ୍ତ ସ୍ବାଦ। ପ୍ରେମର ପରିପାଟୀ ଆଜି ଆବଦ୍ଧ କେବଳ ଚେତନାର କେଇଁ ଏକ ଅନ୍ଧାର ଗର୍ତ୍ତରେ ଓ ଚେନାଏ ଅଧେ ଦେବାଳୟ କିମ୍ବା ସତସଙ୍ଗ ର ଦୁଇହାତ ପରିସୀମା ମଧ୍ଯରେ। ନିଚ୍ଛକ ଭୌତିକତାର ଚାଦରତଳେ ବସ୍ତୁବାଦର ଉଷ୍ମତା ଜୀବନକୁ ପ୍ରେମର ଶୀତଳ ଅନୁଭବରୁ ବଞ୍ଚିତ କରାଏ। ତୁମୂଳ ପ୍ରତିଦ୍ବନ୍ଦିତା, ଇର୍ଷା ଓ ସ୍ବାର୍ଥପରତା ର ଶକ୍ତ ପ୍ରାଚୀର ବାହାରେ ପ୍ରେମର ସାମର୍ଥ୍ଯ କ୍ଷୀଣ ମନେହୁଏ। ତଉଲା ତଉଲିର ଜୀବନ ଏକ ବ୍ଯବସାୟ ଏବେ,ପ୍ରେମ ଏଠି ବେନାମୀ ବଟକରା ଟିଏ ମାତ୍ର।ସବୁଆଡେ ଖାଲି ଆତ୍ମୀୟତାଶୂନ୍ଯ ଦେଖାଣିଆ ସମ୍ପର୍କ ର ଭିଡ, ବିଶ୍ବାସୀନୀ ମିଛିମିଛିକା ହସ ଓ ମୁଁ ମୋର ମୋତେ ଚିହ୍ନ ଭରା ମୁହଁ ସବୁ,ସମୟ ସୁବିଧା ଅନୁସାରେ ରଙ୍ଗ ବଳାଉଥିବାର ସାଙ୍ଗ ସାଥୀ ଦଳ ଏବଂ କାମନା ଜର୍ଜରିତ ଦାମ୍ପତ୍ୟ। ଭାଲେଣ୍ଟାଇନସ୍ ଦିବସରେ ଗୋଲାପି ପ୍ରେମ ନିବେଦନ ବାସ୍ତବରେ ଶହେ ଅବାଞ୍ଛିତ ଆକାଂକ୍ଷା ରେ କଣ୍ଟକିତ। ତା'ହେଲେ ସତରେ କଣ ପ୍ରେମର ଅସ୍ତିତ୍ବ ଆଜି ଆକ୍ଷରିକ ରୁ ଆପେକ୍ଷିକ ଆଡକୁ !!!
