Manas Ranjan Nayak

Classics Inspirational

3.4  

Manas Ranjan Nayak

Classics Inspirational

ପହିଲି ରୋଜଗାରର ପୁଲକ

ପହିଲି ରୋଜଗାରର ପୁଲକ

4 mins
194


ଜୀବନ ଯେ ଏକ ସମୟ ସୀମିତ କର୍ମଭୂମି ଏବଂ ନିରୁତା ପରିଶ୍ରମ ତଥା ପ୍ରାରବ୍ଧର ପ୍ରତିଫଳନ, ଏ ଗୂଢ ତତ୍ତ୍ବ ବୁଝିବାକୁ ମୋର ଯୌବନର ଉଦ୍ଦାମତା ହୁଏତଃ ପ୍ରସ୍ତୁତ ହୋଇନଥିଲେ ଏମ୍. ବି. ଏ ପଢ଼ା ସରିବା ପର୍ଯ୍ଯନ୍ତ। ଡାକ୍ତରୀ ପଢିବାର ସ୍ବପ୍ନ ସିଥିଳ ପଡିଯାଇଥିଲା ୩ ବିଜ୍ଞାନ ପରେ, ନିରବଚ୍ଛିନ୍ନ ଦ୍ବିତୀୟ ଥର ମଧ୍ଯ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହେଲାପରେ।ପରାଜୟର ଗ୍ଲାନି ମୋ ଅପେକ୍ଷା ବେଶ୍ ବାରି ହୋଇପଡିଥିଲା ବାପାଙ୍କ ସଙ୍କୁଚିତ କପାଳରେ। ଅନୁଶାସନ, କର୍ତବ୍ୟନିଷ୍ଠା ତଥା ଗଭୀର ଆତ୍ମସମ୍ମାନର ଆଭୂଷଣ ତଳେ ସନ୍ତାନ ପ୍ରତି ତାଙ୍କର ଅନାବିଳ ପ୍ରେମ ପ୍ରତ୍ୟକ୍ଷ ନହେଲେ ବି ପରୋକ୍ଷରେ ଅନାୟାସରେ ଚହଲିଉଠୁଥିଲା ମୋର ଛୋଟରୁ ଛୋଟ ଯେକୌଣସି ଏକ ବିଜୟ ଅବା କାହାର ପ୍ରଶଂସାର କେଇପଦ ସ୍ବୀକାରୋକ୍ତିରେ, ତାଙ୍କର ପ୍ରଶାନ୍ତିର ବିରଳ ସ୍ମିତହାସ୍ୟ ହୋଇ। ସଫଳତାର କ୍ଷୀଣ ଆଲୋକଟିଏ ନିମିଷେ ଦୂରୀଭୂତ କରେ ବିଫଳତା ତଥା ତା'ର ପ୍ରଲମ୍ବିତ ପରିଧିରେ ଜନ୍ମ ନେଇଥିବା ଅବସୋସର ତମସାଚ୍ଛନ୍ନ ପାରିଧିକୁ। ଠିକ୍ ମନେଅଛି ୨୦୦୫ ମସିହା ଜୁନ୍ ୨୦ ତାରିଖ ସଂଧ୍ଯା ୫ଟା ପାଖାପାଖି, ଡାକପିଅନ ମଉସା ମୋ ନାଁରେ ଆସିଥିବା ମାଟିଆ ଖାମ୍ ଟିଏ ଧରେଇ ଦେଇଥିଲା ବାପାଙ୍କୁ ଘର ପିଣ୍ଢା ଉପରକୁ ଆସି। ଖୁବ୍ ଉତ୍ସାହର ସହ ଖାମ୍ ଖୋଲି କିଛି ସମୟ ପଢିଲାପରେ ବାପା ହସି ହସି ମୋ ଆଡକୁ ଆସି ମୋ ହାତରେ “ଲୁପିନ୍ ଫାର୍ମାସ୍ୟୁଟିକାଲ”ର ନିଯୁକ୍ତି ପତ୍ରଟିକୁ ଧରାଇଦେଇ ମୁଣ୍ଡ ଉପରେ ଅଭୟର ହାତ ଟିଏ ଥୋଇଦେଇ ଥିଲେ। 


କର୍ତ୍ତବ୍ୟର ବନବାସ ଆରମ୍ଭ ହେଲା ମୋର ଘରଠୁ ବହୁଦୂର ମୁମ୍ବାଇରେ। ନୂଆ ସହର, ନୂଆ ଭାଷା, ନୂଆ ନୂଆ ଦାୟିତ୍ୱର ଅବବୋଧ ବେଶ୍ ଚୂନତିପୂର୍ଣ ହୋଇଥିଲେହେଁ ସଫଳତାର ଉନ୍ମେଷ ଟିକକ ଅଚିରେ ପ୍ରତିହତ କରୁଥାଏ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ। ଚାହୁଁ ଚାହୁଁ ମାସଟିଏ ବିତିଗଲା, ଅଗଷ୍ଟ ମାସ ୧ ତାରିଖ ଦିନ ମୋ ହାତରେ ଥିଲା ୨୦ ହଜାର ଟଙ୍କା ର ପ୍ରଥମ ଚେକ୍, ମୋର ଉପାର୍ଜନ ର ପ୍ରଥମ ସ୍ବାକ୍ଷର। ମନେ ପଡି ଯାଉଥିଲା ସଂଘର୍ଷର ସ୍ବେଦାକ୍ତ ମୁହୂର୍ତ୍ତ ସବୁ, ସଫଳତାର ପ୍ରତୀକ୍ଷିତ ଆବେଗ ସବୁ, ବାପାଙ୍କର ମୋ ଭବିଷ୍ଯତକୁ ନେଇ ଗାଁ ଠାକୁରାଣୀଙ୍କ ଆଗରେ ଭକ୍ତିପୂତ ଅଞ୍ଜଳି ତଥା କିଛି ଅବାଞ୍ଛିତ ହିତୋପକାରୀଙ୍କର ଅସହ୍ଯ ତୀତିକ୍ଷା ସବୁ ସ୍ମୃତି ଦିଗବଳୟରେ ଇନ୍ଦ୍ରଧନୁ ପରି। ପ୍ରକୃତିସ୍ଥ ହେଲି ଚପରାସୀ ର ଡାକରେ..... “ ସାର୍ ଚେକ୍ ଡିପୋଜିଟ୍ କର୍ ଦୁ କ୍ଯା, ମେ ବ୍ଯାଙ୍କ୍ ଯା ରହା ହୁଁ” । ହାଁ ଜରୁର୍... ମୁଁ ଉତ୍ତର ଦେଲି ଓ ଡିପୋଜିଟ୍ ସ୍ଲିପ୍ ସ୍ବାକ୍ଷର କରି ତା ହାତକୁ ବଢାଇଦେଲି ଚେକ୍। ସେଦିନ ସଂଧ୍ଯାରେ ଅଫିସ୍ ରୁ ଘରକୁ ଫେରିଲାପରେ ମନ ପ୍ରଜାପତିଟି ବେଶ୍ ଆନମନା ହୋଇଉଠିଥାଏ । ମନ ଉତଫୁର୍ଲିତ ହେଉଥାଏ ଘରକୁ ଫୋନ କରି ବାପାଙ୍କୁ ଜଣାଇଦେବା ପାଇଁ, ହେଲେ ଅଟକିଗଲି କିଛି କ୍ଷଣ। ଜୀବନ ଯାକର ପୁଞ୍ଜି ବିନିଯୋଗ କରି ପୁଅର ଏକ ସୁନିଶ୍ଚିତ ଭବିଷ୍ଯତର ସ୍ବପ୍ନ ଦେଖୁଥିବା ବାପାଙ୍କୁ କଣ ଏହା ହେବ କୃତାଞ୍ଜଳିର ଅର୍ଘ୍ୟ, ସଙ୍କୋଚବୋଧରେ ନଇଁଗଲା ମୁଣ୍ଡ ମୋର। ପରଦିନ ମୋର ଏକାଉଣ୍ଟକୁ ଦରମା ଆସିଯାଇଥିବାର ବାର୍ତ୍ତାଟି ମୋବାଇଲରେ ପଢି ବେଶ୍ ସନ୍ତୁଷ୍ଟି ମନେକରୁଥାଏ, ହେଲେ ଖୁସି ର ଜୁଆର କଣ ସନ୍ତର୍ପଣର ବନ୍ଧ ମାନୁଥାଏ, ଉଛୁଳି ପଡିବାକୁ ଲମ୍ଫ ମାରୁଥାଏ। ବୋଉକୁ ଫୋନ୍ କରି ଦରମା ମିଳିଛି ବୋଲି ଜଣାଇଲି, କିଛି କ୍ଷଣ ନୀରବତା ପରେ ତା' କଣ୍ଠ ବେଶ୍ ଗମ୍ଭୀର ଶୁଭୁଥାଏ, ବୋଧହୁଏ ମନେମନେ ଭଗବାନଙ୍କ ପାଖରେ କୃତଜ୍ଞତା ଜଣାଉଥିଲା ମୋର ସଫଳତା ପାଇଁ,.... “ ବାବୁରେ ପାଖ ଶିବ ମନ୍ଦିରକୁ ଯାଇ ମୁଣ୍ଡିଆ ମାରି ଦକ୍ଷିଣା ଦେବୁ, ମୁଁ ବାପାଙ୍କୁ କହି ମେଳାକୁ ଭୋଗ ପଠାଉଛି, ଦେହ ପା ଜଗି ଚଳିବୁ, କେବେ ଘରକୁ ଆସିବୁ?” ..... ଶେଷଆଡ଼କୁ କୋହାଚ୍ଛନ୍ନ ହୋଇଗଲା ବୋଉର ସ୍ବର। କର୍ତ୍ତବ୍ୟନିଷ୍ଠର ଭ୍ରମ ଆସ୍ଫାଳନ ଦେଇ, ଏବେ ଯାଇପାରିବିନି କହି ବୁଝାଇବାକୁ ବୃଥା ଉଦ୍ଯମଟିଏ କରି ବିରାମନେଲି। ଆନ୍ଦୋଳିତ ମନକୁ ଶାନ୍ତ କରିବାକୁଯାଇ ଅଫିସ୍ କ୍ଯାଲେଣ୍ଡରରୁ ଖୋଜିବସିଲି ଛୁଟିର ତାଲିକା ଓ ଅଗତ୍ୟା ପର ସପ୍ତାହର ଶେଷକୁ ଆଉ ଦୁଇ ଦିନ ଛୁଟି ଦରଖାସ୍ତ ଟିଏ ଆବେଦନ କରିଦେଲି। 


କୋଣାର୍କ ଏକ୍ସପ୍ରେସ୍ ରେ ଘରଲେଉଟାଣିର ପର୍ବ ଆରମ୍ଭ ହେଲା ଅଗଷ୍ଟ ୧୪ ତାରିଖ ଅପରାହ୍ନ ୩ଟା ବେଳେ ଶିବାଜୀ ଛତ୍ରପତି ଟରମିନସ୍ ରୁ ଭୁବନେଶ୍ୱର ଉପଲକ୍ଷେ। ଉତ୍ସାହର ଆବେଗଟିକୁ ନିଆଁ ଦେବାକୁ ଯାଇ ସଂଗୋପନ ରଖିଥାଏ ମୋର ଘରବାହୁଡାର ସମ୍ବାଦଟିକୁ। ଘରେ ପହଞ୍ଚିଲାପରେ ସେଦିନର ବାତାବରଣରେ ଥିଲା କିଛି ନୂତନ ରୋମାଞ୍ଚ, ମମତାର ମହ ମହ ବାସ ଓ ସନ୍ତପିତ ସଂସାରରେ ସୁଖର ଏକ ଅବର୍ଣ୍ଣନୀୟ ସୁଆଦ। ଖାଇ ପିଇ ସାରିଲାପରେ ବୋଉ ପାଖକୁ ଯାଇ ତାର ପସନ୍ଦର ଚମ୍ପାରଙ୍ଗର ପାଟଶାଢୀ ଟିଏ ବ୍ଯାଗରୁ ବାହାରକରି ହାତରେ ରଖି କହିଲି “ ବୋଉ ଦେଖ ତ, ତୋର ଏଟା ପସନ୍ଦ ହେଉଛିନା ! ଭଲ ନଲାଗିଲେ ରଖିଥା ପରେ ଆଉଗୋଟେ ଆଣିବି ହେଲେ ଏଇଟା ଫେରେଇବାକୁ କହିବୁନି ଜମା” । ବୋଉର ଶାଢୀକୁ ନେଇ ଖୁବ୍ ଦୁର୍ବଳତା, କାହାର ପସନ୍ଦ ତାକୁ ୧୦୦ ପ୍ରତିଶତ ଛୁଏଁନା ଜମା, ହେଲେ ଅପେକ୍ଷାକୃତ ମୋର ପସନ୍ଦ ତା ସହ ମିଳିଥାଏ ଅନେକ ଥର। ଏଥର କିନ୍ତୁ ବେସ ଏକ ଅଭିଭୂତ ଭାବ ମୁହଁରେ ଫୁଟାଇ ଆବେଗର କମ୍ପିତ ହାତ ଟିଏ ଶାଢୀଟି ଉପରେ ବୁଲାଇ ଆଣି ଦୁଇ ଟୋପା ଲୁହ ନିଗାଡ଼ି ଦେଲା ସେ ଓ ଅସ୍ପଷ୍ଟ ସ୍ବରରେ ପଚାରିଲା “ ବାପାଙ୍କର କ'ଣ ଆଣିଛୁ, ତାଙ୍କୁ ଦେଖେଇଲୁଣି ? ” । ବ୍ଯାଗରୁ ବାହାରକଲି ଫିକା ଆକାଶିଆ ରଙ୍ଗର ସାର୍ଟ ଓ ଗାଢ ନୀଳରଙ୍ଗର ପ୍ଯାଣ୍ଟ ଥିବା କାଗଜ ଖୋଳକୁ। ବାପାଙ୍କୁ ସାମନା କରି ଉପହାର ଦେବାର ନା କେବେ ଯୋଗ୍ୟତା ଥିଲା ନା ଥିଲା ସାମର୍ଥ୍ଯ। ଆଜି ସାମର୍ଥ୍ଯର ପ୍ରଥମ ସିଡ଼ି ଚଢିଥିଲେବି ସଂକୋଚବୋଧର ଭାର ବେଶୀ ବେଶୀ ମନେ ହେଉଥିଲା। ବୋଉକୁ କୁଣ୍ଢେଇ ଧରି ଅଳି କଲାଭଳି କହିଲି “ ବୋଉ ! ବାପାଙ୍କୁ ପ୍ଲିଜ୍ ଦେଇ ଦେ ଓ କହିବୁ ତୁ ମୋତେ କହିଥିଲୁ ତାଙ୍କ ପାଇଁ ହଳେ ଭଲ ପୋଷାକ ଆଣି ଦେବାପାଇଁ କାହିଁକି ନା ତାଙ୍କ ସାଙ୍ଗ ସବୁ ସାର୍ ମାନେ ବର୍ଷରେ ଦୁଇ ତିନିଥର ନୂଆ ପୋଷାକ ପିନ୍ଧୁଛନ୍ତି, ହେଲେ ସେ ସେହି ୨-୩ ହଳକୁ ରଗଡି ପିନ୍ଧି ପିନ୍ଧି ଫିକା ପକେଇ ଦେଲେଣି । ତୁ ଦେଲେ ସେ ତୋ ଉପରେ ଅଳ୍ପ ବିରକ୍ତି ହେବେ କିନ୍ତୁ ମୁଁ ଦେଲେ କେ ଜାଣି କ'ଣ କହିବେ? ” । 

ମୋ ମନ ରଖି ବୋଉ ବାପାଙ୍କ ଆଲମାରୀରେ ଖୋଳଟିକୁ ରଖିଦେଇ ଖଟ ଉପରେ ଚଷମା ଲଗେଇ ଖବର କାଗଜ ପଢିବାରେ ହଜିଯାଇଥିବା ବାପାଙ୍କ ଉଦ୍ଦେଶ୍ଯରେ ସ୍ବଗତକ୍ତି କଲାପରି ମୋ ପରାମର୍ଶ ଅନୁଯାୟୀ ସବୁ କଥା ଉଚ୍ଚ ସ୍ବରରେ କହିଦେଇ ରୋଷେଇ ଘରକୁ ଚାଲିଗଲା। ବାପା କିଛି ସମୟ ଖବର କାଗଜ ପଢିବାରୁ ନିବୃତ୍ତ ହୋଇ, ଧିର ମନ୍ଥର ପାଦରେ ଆଲମାରୀ ଖୋଲି, ଖୋଳଟିକୁ ଖଟ ଉପରେ ରଖି ଛଳ ଛଳ ଆଖିରେ ଦେଖିନେଲେ ଓ ଆଲମାରୀ ପରିବର୍ତ୍ତେ ଆଲଣାରେ ତାଙ୍କର କଢା ଆଇରନ ଦିଆ ପୋଷାକ ମାନଙ୍କ ସହ ଟାଙ୍ଗି ଦେଲେ। ସକାଳେ ମୁଁ ଜାଣିଶୁଣି ଘରୁ ବାହାରି ପାଖ ଛକ ପାଖରେ ଖବରକାଗଜ ଆଣିବା ଛଳରେ ବାପାଙ୍କ ସାଇକେଲ୍ କୁ ଅପେକ୍ଷା କରିଥାଏ। ସବୁଦିନ ପରି ଠିକ୍ ୯.୧୫ ବେଳକୁ ବାପାଙ୍କ ସାଇକେଲ ଦେଖାଗଲା ସ୍କୁଲଯିବା ରାସ୍ତାରେ ଓ ଗଭୀର ଆତ୍ମସନ୍ତୋଷରେ ଦୀପ୍ତିମନ୍ତ ଏକମୁହଁ ମୋର ସେଇ ନୂଆ ପୋଷାକରେ। ପ୍ରାପ୍ତିର ପ୍ରଲମ୍ବିତ ସୋପାନ ସତେଅବା ମନେ ହେଉଥିଲା ମୋର ହାତ ପାଆନ୍ତାରେ, କର୍ତବ୍ୟବୋଧର ଭାର ଆପଣାଛାଏଁ ହାଲୁକା ମନେ ହେଉଥିଲା ମୁଣ୍ଡ ଉପରେ , ଆଉ ଆଶୀର୍ବାଦର ପୁଷ୍ପ ସତେଅବା ବିଛୁଡି ପଡୁଥିଲା ଦାୟିତ୍ୱର ସୁଦୀର୍ଘ ପଥରେ ଆଗକୁ ଆଗକୁ...............। 



Rate this content
Log in

Similar oriya story from Classics