STORYMIRROR

Manas Ranjan Nayak

Drama Romance Fantasy

4  

Manas Ranjan Nayak

Drama Romance Fantasy

ବନ୍ଧୁମିଳନ

ବନ୍ଧୁମିଳନ

8 mins
289

ଫି'ସନ ପାର୍ବଣର ଉଚ୍ଚାଟ ଆସର ପରି ଅତୀତ ପାଲଟିଯାଇଥିବା କିଛି ସ୍ମୃତି, ପୁନର୍ବାର ଜୀବନ୍ଯାସ ପାଇଯାଆନ୍ତି ଚଇତାଳିର ମାଦକତାରେ। ନିଃଶବ୍ଦ ହେଲେହେଁ ପ୍ରକମ୍ପିତ ହୋଇଉଠେ ଅନ୍ତର୍ମନର କରୁଣ ଉପତ୍ୟକାଟି, ଉଲ୍ଲାସ ଉନ୍ମାଦନାର ଅୟୁତ ଆଲୋଡନରେ। ଜୀବନକୁ ଜୀବିକାର ଖଣି ମନେକରି ଅନ୍ଧାରରେ ଆଲୁଅ ଅବା ଆଲୁଅରେ ଅନ୍ଧାରର ଅନୁଭବ ନେଇ ଜିଉଁଥିବା ମଣିଷଟିଏ କ୍ଷଣିକ ଆବେଗରେ ଆତ୍ମହରା ହୋଇଉଠେ। ତେଲ ଲୁଣ ସଂସାରରେ ସୁଖ ଦୁଃଖର ସଉଦା କରୁ କରୁ ଜୀବନକୁ ଦାୟିତ୍ୱ ଅବା କର୍ତ୍ତବ୍ଯର ପାଇଟି ମାନିନେଇଥିବା ଖିଆଲି ମନଟି ପୁଣିଥରେ ଚହଲିଉଠେ କେଉଁଏକ ମଧୁର ସ୍ମୃତିର ଜୁଆରି ଆଗମନରେ । ଅହେତୁକ ଆନନ୍ଦ, ଅନିୟନ୍ତ୍ରିତ ଭାବଭଙ୍ଗୀ ଏବଂ ଏକ ମଧୁର ଅପେକ୍ଷାରେ ଜୁଡୁବୁଡୁ ହୋଇଉଠେ ବୟସ୍କ ଚର୍ମ ତଳର ଚପଳ ମନଟି..... ବନ୍ଧୁ ମିଳନର ଦୁର୍ବାର ଆବେଗରେ।

ମୋବାଇଲ୍ ରେ ହ୍ବାଟସ୍ଆପ୍ ଦେଖୁ ଦେଖୁ କେଉଁ ଏକ ଅଜଣା ବାର୍ତ୍ତା ପାଖରେ ଅଟକି ଗଲା ସମ୍ବିତ୍ ର ଚଳଚଞ୍ଚଳ ହସ୍ତଟିପ । ଅଜଣା ବାର୍ତ୍ତାମାନଙ୍କୁ ସ୍ବଘୋଷିତ ଅପ୍ରତ୍ୟାଶିତ ବିଜ୍ଞାପନ ମନେକରି ହଟାଇବା ତା'ର ଚିରାଚରିତ ଅଭ୍ଯାସରେ ପରିଣତ ହୋଇଯାଇଥିଲେହେଁ, ଆଜି ଏକ ଅପୂର୍ବ ପୁଲକର ଶିହରଣରେ କିଛି କ୍ଷଣ ଅନ୍ତର୍ମନସ୍କ ହୋଇଗଲା ସେ। ଲେଖାଥିଲା “ସମ୍ବିତ୍! କେମିତି ଅଛ? ଆମ ବ୍ଯାଚ୍ ହ୍ବାଟସ୍ଆପ୍ ଗ୍ରୁପ୍ ରୁ ତୁମ ନମ୍ବର ପାଇଲି, ଏ ବର୍ଷ ଫେବୃଆରୀ ୧୪ରେ କଲେଜ୍ ବନ୍ଧୁ ମିଳନକୁ ଆସିଲେ ସାମ୍ନା ସାମ୍ନି କଥା ହେବା ........ ସ୍ଥିତି ” । ଖୁବ୍ ଉତ୍ସାହ ବଶତଃ ଟ୍ରୁକଲର୍ ରେ ଯେଉଁ ନମ୍ବରରୁ ବାର୍ତ୍ତା ଆସିଥିଲା ତାକୁ ଖୋଜି ଉଲ୍ଲସିତ ହୋଇଉଠିଲା ସମ୍ବିତ୍। ସ୍ଥିତିପ୍ରଜ୍ଞା ଦାସ୍..... କ୍ଷଣିକ ଉଚ୍ଚାରଣ ମାତ୍ରେ ଆଲୋଡ଼ିତ ହୋଇଉଠିଲା ସୁପ୍ତ ମନତଳର ଉଷ୍ମ ସ୍ମୃତି ଉଦଗୀରଣ। ଅବାଞ୍ଛିତ ଆବେଗଟିଏ ସତେଅବା ଆବର୍ତ୍ତନର ମୃଦୁ ଚଳନରେ ପୁନର୍ବାର ହୋଇଉଠିଲା ଉଚ୍ଛ୍ବାସରେ ଛଳଛଳ। ସ୍ମୃତି ମଲାଟରେ ଜଳଜଳ ଛାପି ଉଠିଲା ବିସ୍ମୃତପ୍ରାୟ ଅଥଚ ଅବ୍ଯକ୍ତ ପୁଣି ଅସମାପ୍ତ କେଇକ୍ଷଣ ସୁଖଦ ମୁହୂର୍ତ୍ତର ଅଦମ୍ଯ ଉଦବେଳନ।

ମନ ପରିଧିରେ ସନ୍ନିକଟ ମନେହେଲେବି ବିତିଗଲାଣି ଦୀର୍ଘ ୫ ବର୍ଷ ଏଭିତରେ । ଗାଁ ସ୍କୁଲ୍ ସାରି ରେଭେନସା ମହାବିଦ୍ଯାଳୟରେ ପଢିବାକୁ ନୂଆକରି କଟକ ସହରକୁ ଆସିଥାଏ ସମ୍ବିତ୍। ପ୍ରଥମଥର ପାଇଁ ତା'ର ଅନ୍ତର୍ମନରେ ଉପଲବ୍ଧି କରୁଥାଏ ଦାୟିତ୍ୱ ଏବଂ କର୍ତ୍ତବ୍ଯବୋଧର ଏକ ସୂକ୍ଷ୍ମ ଆଲୋଡନ, କଲେଜର କିଛି ପ୍ରଭାବଶାଳୀ ବ୍ଯକ୍ତିତ୍ବଙ୍କ ପରୋକ୍ଷ ଅବା ପ୍ରତ୍ଯକ୍ଷ ସଂସ୍ପର୍ଶରେ ଆସିଲାପରେ। ଘରର ଅନାବିଳ ସ୍ନେହ ଶ୍ରଦ୍ଧା ସାଙ୍ଗକୁ ଆକଟ ପଣର ଏକ ପ୍ରଚ୍ଛନ୍ନ ବଳୟରୁ ଦୂରେଇ ଆସି,ସ୍ବାଧୀନତା ଏବଂ ଆଦ୍ଯ ଯୌବନର ଉଦ୍ଦାମତାରେ ଫେଣ୍ଟାଫେଣ୍ଟି ଅନୁଭବକିଛି ବେଶ୍ ହଲଚଲ ସୃଷ୍ଟି କରୁଥାଏ ତା'ର ଦେହ ମନରେ। ମନ ପ୍ରଜାପତିଟିର କଅଁଳି ଉଠିଥାଏ କୁନିକୁନି ପର ଓ ସେ ଆଗଭର ହେଉଥାଏ ଭରିବାକୁ ତା'ର ବେଲଗାମ ଉଡାଣ ମିଠାମିଠା ପ୍ରେମ ଆକାଶରେ।

କଲେଜରେ ପ୍ରଥମ ଦିନର ଉତ୍କଣ୍ଠା ମୂହୁର୍ମୂହୁ ବଳବତ୍ତର ହୋଇଉଠୁଥାଏ ସମ୍ବିତ୍ ପାଇଁ, ଯୁକ୍ତଦୁଇ ବିଜ୍ଞାନ “ଏ” ଏବଂ “ବି” ସେକ୍ସନ୍ ରେ ସମସ୍ତ ୨୫୬ ଜଣ ଛାତ୍ରଛାତ୍ରୀଙ୍କୁ ଭାଗ କରାଯାଇ ତଦନୁଯାୟୀ ପରିଚୟପତ୍ର ଦିଆଯାଇଥାଏ, ତା'ର ଅନୁକ୍ରମାଙ୍କ ( roll number) ଥାଏ ୧୨୩-ଏ । ନୁଆ ମୁହଁସବୁ ହେଲେହେଁ ଏତେ କମ୍ ସମୟରେ ପରସ୍ପର ସହ ଖୁବ୍ ଏକ ଆତ୍ମୀୟତା ପଣରେ ବାନ୍ଧିହେଇ ଯାଉଥାଆନ୍ତି ସମସ୍ତେ, ପୁଅମାନେ ପୁଅମାନଙ୍କ ସହିତ ଓ ଝିଅମାନେ ଝିଅମାନଙ୍କ ସହିତ, ହେଲେ ଚିରାଚରିତ ଢଙ୍ଗରେ କକ୍ଷର ଦୁଇ ବିପରୀତ ପାର୍ଶ୍ୱସ୍ତ ସିମେଣ୍ଟ କାଠର ଡେସ୍କ ଚେୟାରରେ ବିଭକ୍ତ, ସତେଅବା ଏକ ସ୍ଥିରୀକୃତ ଖସଡ଼ା ସଭ୍ୟତାର କେଉଁ ଆବାହମାନ କାଳରୁ। ନଜର ଆଢୁଆଳରେ ପୁଅଝିଅ ମାନଙ୍କର ପ୍ରଥମ ଚାହାଣି ବିନିମୟ ହେଉଥାଏ ଉଭୟ ପାର୍ଶ୍ବକୁ ଓ ତା'ପରେ ସ୍ମିତହାସ୍ୟ ସହ କୌତୁହଳ ମିଶ୍ରିତ କିଛି କ୍ଷୀଣ ଗୁଞ୍ଜରଣ। ହଠାତ୍ ଏକ ନିସ୍ତବ୍ଧତା... ରସାୟନ ବିଜ୍ଞାନର ଅଧ୍ଯାପକଙ୍କ ଆଗମନରେ। ସହର୍ଷ ଅଭିବାଦନ ବିନିମୟପରେ ଉପସ୍ଥାନ ନିଆଗଲା, ବେଶ୍ ଏକାଗ୍ରତାର ସହ ଅପେକ୍ଷା କରିଥାଆନ୍ତି ନିଜ ନିଜର ଅନୁକ୍ରମାଙ୍କକୁ ସମସ୍ତେ ଓ ଅଧ୍ଯାପକଙ୍କ ଉଚ୍ଚାରଣ ସହ ଉପସ୍ଥିତିର ସଗର୍ବ ସମ୍ମତି ସୂଚକ ବକ୍ତବ୍ଯଟିରେ ପ୍ରକମ୍ପିତ ହୋଇଉଠୁଥାଏ ଶ୍ରେଣୀଗୃହ। ୧୨୩ର ଉଚ୍ଚାରଣରେ ସମ୍ମତି ଜଣାଇ ଅନୁଶାସନର ଦାୟିତ୍ୱରୁ କ୍ଷଣିକ ବିରତି ନେବାକୁ ଯାଉଥିବା ବେଳେ ପରବର୍ତ୍ତୀ ଅନୁକ୍ରମାଙ୍କ ୧୨୫ରେ ସମ୍ବିତ୍ ର ଧ୍ଯାନ ଆକର୍ଷିତ ହେଲା ଅପରପାର୍ଶ୍ଵର ଏକ ସୁମଧୁର ଲାଳିତ୍ୟ ସ୍ବର ଆଡକୁ..... ଆଃ ଏ ତ ସେଇ ଝିଅ ଯାହା ସହିତ କେବଳ କିଛିକ୍ଷଣ ଆଗରୁ ତା'ର ଦୃଷ୍ଟି ମିଶିଥିଲା ୪୨ ଜଣ ଝିଅଙ୍କ ମଧ୍ଯରୁ! ଯୁଗ୍ମ ଅଯୁଗ୍ମ ସଂଖ୍ଯାର ଅଦଳବଦଳରେ ( ଯୁଗ୍ମ ସଂଖ୍ଯାମାନ “ ଏ” ଗ୍ରୁପ୍ ରେ ଏବଂ ଅଯୁଗ୍ମ ସଂଖ୍ଯାମାନ “ ବି” ଗ୍ରୁପ୍ ରେ) ଏ କ'ଣ ଏକ ସାଧାରଣ ସଂଯୋଗ ମାତ୍ର ନା ଆଉକିଛି ବିସ୍ମୟର ପରୋକ୍ଷ ଇଙ୍ଗିତ ?.....ମନେ ମନେ ପ୍ରଶ୍ନ କଲା ସମ୍ବିତ୍। ପରବର୍ତ୍ତୀ ଅନୁକ୍ରମାଙ୍କର ଉଚ୍ଚାରଣ ବାସ୍ ଏକ ପୁନରାବୃତ୍ତି ମନେକରି ତାକୁ ଉପେକ୍ଷାକରି କେବଳ ୧୨୫ ଅନୁକ୍ରମାଙ୍କର ସେଇ ଝିଅ ସହ ନିର୍ନିମେଷ ଧ୍ଯାନ ସଂଯୋଗରେ ରହିଲା ଏକ ଅପୂର୍ବ ସମ୍ମୋହନରେ..... ପ୍ରତୀକ୍ଷା ଏକ ସମଭାବପନ୍ନ ଇସାରାର। ଧୈର୍ଯ୍ୟ କ୍ଷୀଣ ହେବାକୁ ଯାଉଥିଲେ ମଧ୍ଯ ତା'ପାଖରୁ କୈଣସି ପ୍ରତିକ୍ରିୟା ମଳିନଥିଲା ଏଯାଏଁ, ହେଲେ ବିଶ୍ବାସର ବାଲିବନ୍ଧ କଣ ଆଶଙ୍କାର ଚହଲା ଛିଟାରେ ଭାଙ୍ଗିଯାଏ? ବୋଧହୁଏ ସେ ନିଜ ଅନୁକ୍ରମାଙ୍କ ୧୨୩ କୁ ସମ୍ମତି ଦେବାବେଳେ ତା' ଅଜାଣତରେ ସେ ବି ନିଶ୍ଚୟ ତାକୁ ଏହିଭଳି ପ୍ରତୀକ୍ଷାର ସମ୍ମୋହନୀ ପଲକରେ ଚାହିଁଥିବ ଭାବି ମନେମନେ ପୁଲକିତ ହେଲା ସମ୍ବିତ୍। ଆରମ୍ଭ ପର୍ବର ଅବସାନ ପରେ ପାଠପଢା ଗତିଶୀଳ ହେଲା ଶ୍ରେଣୀରେ, ଅଜୈବିକ ( inorganic) ରସାୟନ ବିଜ୍ଞାନର ମୌଳିକ ପର୍ଯ୍ଯାୟକରଣ (periodification of elements) । ପୂର୍ବ ପାଠର ଆଲୋଚନା ଆଳରେ ଅଧ୍ଯାପକ ମହୋଦୟ କ୍ଲୋରିନ୍ ର ଆଣବିକ ବସ୍ତୁତ୍ବ (atomic mass) ପ୍ରଶ୍ନକଲେ ଓ ତତ୍କ୍ଷଣାତ୍ ଅନେକ ହାତ ଉଠିଥିଲା, ସମ୍ବିତ୍ ର ମଧ୍ଯ। ସମ୍ମୁଖ ଯୁଦ୍ଧରେ ସମର୍ପଣ କଲାପରି ମ୍ଲାନ ଦିଶୁଥାଏ ହାତ ଟେକି ନଥିବା ଛାତ୍ରଛାତ୍ରୀଙ୍କ ବଦନ ଓ ବିଜୟୋଲ୍ଲସିତ ସମ୍ରାଟଙ୍କ ପରି ସୁଦୀପ୍ତ ଦେଖାଯାଉ ଥାଆନ୍ତି ହାତ ଟେକି ଥିବା ଛାତ୍ରଛାତ୍ରୀମାନେ। ଦୁଇପାର୍ଶ୍ଵର ଚୌକି ମାନଙ୍କ ମଧ୍ଯ ଦେଇ ଥିବା ସିମେଣ୍ଟ ପାହାଚ ଚଢି ଚଢି ଅଧ୍ଯାପକ ଉପରକୁ ଉଠିଆସୁଥାଆନ୍ତି ହାତ ଟେକିଥିବା ଛାତ୍ରଛାତ୍ରୀଙ୍କ ମଧ୍ଯରୁ କାହାକୁ ଜଣେ ଉତ୍ତର ଦେବାକୁ ଚୟନ କରିବା ନିମିତ୍ତ, ସେମାନଙ୍କ ମଧ୍ଯରେ ବିସ୍ମୟ ଓ ଉତ୍କଣ୍ଠାର ପ୍ରତ୍ଯୟ ବଢାଇ। ହଠାତ୍ ସମ୍ବିତ୍ ବସିଥିବା ଧାଡି ପାଖରେ ଅଟକି ଗଲେ ସେ ଓ ଉଭୟ ପାର୍ଶ୍ବର ଛାତ୍ରଛାତ୍ରୀଙ୍କ ସହ ଚକ୍ଷୁ ସମ୍ମିଳିତ କରି ଅକସ୍ମାତ୍ ୧୨୫ ଅନୁକ୍ରମାଙ୍କର ସେହି ଝିଅକୁ ତର୍ଜନୀରେ ଇଙ୍ଗିତ କଲେ। ସମଗ୍ର ଶ୍ରେଣୀ ବେସ୍ ଉତ୍ସାହର ସହ ସେହି ଝିଅଟି ଆଡକୁ ଚାହିଁ ଥାଆନ୍ତି ସତ ହେଲେ ସମ୍ବିତ୍ ଅନୁଭବ କରୁଥାଏ ଦ୍ବିଗୁଣ ଉତ୍ସୁକତା ଏବଂ ଏକ ଅବ୍ଯକ୍ତ ସନ୍ତୋଷବୋଧ ଯଦିଅ ସେ ଉତ୍ତର ଏଯାଏଁ କହିନଥାଏ। ୩୫.୫ ..... ଉତ୍ତର ଦେଲା ସେ । “ ଖୁବ୍ ଉତ୍ତମ, ତୁମ ନାମ କଣ ଓ କେଉଁଠୁ ଆସିଛ? ” ପ୍ରଶ୍ନ କଲେ ଅଧ୍ଯାପକ। “ ଧନ୍ଯବାଦ ସାର୍, ମୋର ନାମ ସ୍ଥିତିପ୍ରଜ୍ଞା ଦାସ୍ ଓ ମୁଁ ଭଦ୍ରକରୁ ଆସିଛି” ଉତ୍ତର ଦେଲା ସେ। ଏଥର ଅଧ୍ଯାପକ ସମସ୍ତଙ୍କୁ କରତାଳିଦେଇ ସ୍ଥିତିକୁ ଉତ୍ସାହିତ କରିବାକୁ ନିର୍ଦ୍ଦେଶ ଦେଲେ ଓ ସମସ୍ତଙ୍କ କରତାଳିରେ ମୁହୂର୍ତ୍ତଟି ବେସ୍ ସକରାତ୍ମକ ଉର୍ଜାରେ ଭରିଗଲା। ଶ୍ରେଣୀରେ ମୌଳିକ ମାନଙ୍କର ପର୍ଯ୍ଯାୟକରଣ ହେଉଥିଲାବେଳେ ସମ୍ବିତ୍ ର ସେହି କ୍ଷଣିକ ଅଭୀପ୍ସାର ଆବାହନ ପର୍ବକୁ ମିଳିଯାଇଥିଲା ଏକ ମୌଳିକ ପରିଚୟ, ଯାହାକୁ ସେ ପର୍ଯ୍ଯାୟକ୍ରମେ ଭାବନାର ସାରଣୀରେ ସ୍ଥାନ ଦେଇଚାଲିଥାଏ ଆଗକୁ ଆଗକୁ.....

ଶ୍ରେଣୀଗୃହରୁ ପ୍ରୟୋଗଶାଳା(laboratory), ପୁସ୍ତକଶାଳା(library) ଓ ମହାବିଦ୍ୟାଳୟ ପରିସରର ଅନେକ ସ୍ଥାନରେ ଏଥର ବହୁବାର ନିରବଚ୍ଛିନ୍ନ ସାମ୍ନାସାମ୍ନି ହୁଅନ୍ତି ସମ୍ବିତ୍ ଏବଂ ସ୍ଥିତିପ୍ରଜ୍ଞା, ହେଲେ ସଂସ୍କାର ଓ ସଂଭ୍ରମତାର ଲକ୍ଷ୍ମଣରେଖା ଡେଇଁ କେହି ଆଉ ପାହୁଣ୍ଡଟିଏ ବି ଆଗକୁ ବଢିପାରୁନଥାଆନ୍ତି। ସନ୍ତର୍ପଣର ଛୁଞ୍ଚିରେ କ'ଣ ସମ୍ପର୍କର ତୋରଣ ବୁଣାଯାଏ? ଅଜଣା ଏକ ଆତ୍ମୀୟତା ଆବୋରିନେଇଥିଲା ସମ୍ବିତ୍ ର ମନ ଓ ଚେତନାକୁ । ସ୍ବାଭିମାନକୁ ସ୍ବାହା କରି, ସମସ୍ତ ସଂକୋଚକୁ ଦୂରକରି ତାକୁ ହିଁ ଆଗକୁ ବଢିବାକୁ ହେବ ବୋଲି ମନେମନେ ସ୍ଥିରକଲା ସେ। ପରଦିନ ରସାୟନ ପ୍ରୟୋଗଶାଳାରେ (laboratory) ଅଧ୍ଯାପକଙ୍କ ଅମ୍ଳ (acid)ପରୀକ୍ଷାର ପ୍ରଦର୍ଶନ ପରେ ଛାତ୍ରଛାତ୍ରୀଙ୍କର ନିଜ ନିଜ ଅଭ୍ଯାସ କରିବାକୁ ଥାଏ, ସମ୍ବିତ୍ ଖୁବ୍ ସହଜ ଓ ସଫଳତାର ସହ ପରୀକ୍ଷଣ ସମାପ୍ତ କରି ଅପର ପାର୍ଶ୍ୱକୁ ଦୃଷ୍ଟିପାତ କରେ ତ ଦେଖିଲା ସ୍ଥିତିପ୍ରଜ୍ଞା ବେଶ୍ ବ୍ୟସ୍ତ ବିବ୍ରତ ହୋଇ ତା'ଆଡକୁ ଚାହିଁ ରହିଛି ହେଲେ କିଛି କହିପାରୁନି। ସମ୍ବିତ୍ ତା'ର ମନୋଦଶା ପଢିପାରି ,ତତ୍କ୍ଷଣାତ୍ ଅପରପାର୍ଶ୍ଵକୁ ଯାଇ ତିନୋଟି ଯାକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ପ୍ରଦର୍ଶନକଲା ଓ ତାକୁ ନିଜେ ପରୀକ୍ଷଣ କରିବାକୁ କହିଲା। ଏଥର ସ୍ଥିତିପ୍ରଜ୍ଞା ନିର୍ଭୁଲ ଭାବରେ ଅନାୟାସରେ ତିନୋଟିଯାକ ପରୀକ୍ଷଣକରି,ପରୀକ୍ଷା ନଳୀରେ ନିଜ ଅନୁକ୍ରମାଙ୍କ ଲେଖି,ପ୍ରୟୋଗଶାଳା ସହାୟକଙ୍କ ପାଖରେ ସେସବୁକୁ ଜମାକରି ଆସିଲା। ସେତେବେଳକୁ ସମ୍ବିତ୍ ନିଜ ଟେବୁଲ୍ ପାଖକୁ ଫେରିଆସିଥାଏ, ସ୍ଥିତିପ୍ରଜ୍ଞା ତା' ପାଖକୁ ଆସି କହିଲା “ ଧନ୍ଯବାଦ୍ ସମ୍ବିତ୍, ମୁଁ ବହୁତ ଚିନ୍ତିତଥିଲି ମୋର କୌଣସିବି ପରୀକ୍ଷଣ ସଠିକ୍ ହେଉନଥିଲା ଓ ତୁମର ବ୍ଯବହାରିକ ପ୍ରଦର୍ଶନ ପରେ ବେଶ୍ ସହଜରେ ସବୁ ଠିକ୍ ଠାକ୍ ଭାବରେ ହୋଇଗଲା..... ଅନେକ ଅନେକ ଧନ୍ଯବାଦ ତୁମକୁ ତୁମର ବହୁମୂଲ୍ଯ ସହଯୋଗ ପାଇଁ” । “ ଆରେ ଏତେ ଧନ୍ଯବାଦ କଣପାଇଁ? ଅଧ୍ଯାପକ ଯେପରି କରିଥିଲେ ମୁଁ ତ ବାସ୍ ସେହିପରି କରିବାକୁ ଚେଷ୍ଟା କରିଥିଲି ଓ ସେଥିରେ ଆମେ ଦୁହେଁ ସଫଳବି ହେଲେ, ହଁ ତୁମେ ବୋଧହୁଏ କୌଣସି କାରଣବଶତଃ ଅଧ୍ଯାପକଙ୍କ ପ୍ରଦର୍ଶନକୁ ଧ୍ଯାନ ଦେଇନଥିବ। ବନ୍ଧୁତ୍ବରେ ଏତେ ଔପଚାରିକତା କଣପାଇଁ? ”.... ଖୁବ୍ ଉଦାରତାର ସହ କୃତଜ୍ଞତା ସ୍ବୀକାର ପୂର୍ବକ ପରୋକ୍ଷଭାବରେ ନିଜର ପ୍ରେମ ଇସ୍ତାହାରକୁ ଜଣାଇଦେଲା ସମ୍ବିତ୍। ପେଣ୍ଡୁଲମ୍ ଘଣ୍ଟାର ଇସାରାରେ ସରିଆସୁଥିଲା ସେଦିନର ନିର୍ଘଣ୍ଟ ହେଲେ ସମ୍ବିତ୍ ପାଇଁ ଆରମ୍ଭ ହେଇଯାଇଥିଲା ଜୀବନ ଯମୁନାରେ ପ୍ରେମର ଜୁଆର।

କନିକା ପାଠାଗାର, କଫିଘର ଏବଂ ଉଦ୍ଯାନ ଆଦି ଏବେ ସାଜନ୍ତି ସମ୍ବିତ୍ ଓ ସ୍ଥିତିପ୍ରଜ୍ଞାର ମନଖୋଲା ଆଳାପର ନୀରବ ବିମୁଗ୍ଧ ସାକ୍ଷୀ। ଜୀବନବି ଏକ ନିଆରା ରଙ୍ଗମଞ୍ଚ, ଯହିଁ ନା ଜଣା ଥାଏ ନିଜର ସଂଳାପ ଅବା ପରବର୍ତ୍ତି ଦୃଶ୍ଯ। ସମ୍ପର୍କର ସେତୁଟିକୁ ସୁଦୃଢ଼ କରିବାକୁ ମନସ୍ଥ କରି ଫେବୃଆରୀ ୧୪ ଦିନ ପ୍ରଭାତରେ ସମ୍ବିତ୍ ରସାୟନ ବିଜ୍ଞାନର ଅବଧିପରେ ଏକ ନିବୁଜ ରଙ୍ଗୀନ ଲଫାପାରେ ନିଜର ବହୁଆକାଂକ୍ଷିତ ଉଚ୍ଛ୍ବାସଟିକୁ ଚିତ୍ରିତକରି ଗୋପନରେ ରସାୟନ ବିଜ୍ଞାନ ଖାତାରେ ରଖି ସ୍ଥିତିପ୍ରଜ୍ଞା ପାଖକୁ ଯାଇ କହିଲା “ ସ୍ଥିତି! ତୁମେ ମାଗିଥିବା କ୍ଲୋରିନ୍ ର ଆତ୍ମୀୟତା(affinity) ଏହି ଖାତାରେ ଅଛି, ଲେଖିସାରିବାପରେ ମୋତେ କାଲି ଫେରାଇ ଦେଲେ ଚଳିବ” । ଚିରାଚରିତ ଢଙ୍ଗରେ ଅଧରରେ ଏକ ସ୍ମିତ ହାସ୍ୟରେଖା ଫୁଟାଇ ସମ୍ମତି ଜଣାଇଥିଲା ସ୍ଥିତିପ୍ରଜ୍ଞା। ଦୀର୍ଘ ଦିନର ଉତକଣ୍ଠାର ଯବନିକା ପଡିବାକୁ ଯାଉଥିଲା ସମ୍ବିତ୍ ପାଇଁ, ମନ ଦିଗବଳୟରେ ଜମାଟ ବାନ୍ଧୁଥିଲେ ଘନ କୁହୁଡି, ହୁଏତ ଅାସନ୍ତା ପ୍ରଭାତ ହେବ ଏକ ନୂତନ ଉଜ୍ଜ୍ବଳ ଦିବସର ଅୟମାରମ୍ଭ ଅବା ଘୋଟିଯିବ ବିଷାଦର ଘନବାଦଲ। ସାରାରାତି ଉଜାଗରରେ ବିତାଇଦେଇ ପ୍ରତୀକ୍ଷାର ରୋଷଣୀରେ ଥାଏ ସମ୍ବିତ୍ ର ଉତ୍ତପ୍ତ ଓ ଉତ୍ତେଜିତ ହୃଦୟ। ପରଦିନ ରସାୟନ ପୟୋଗଶାଳାରେ ଅନୁମାପନ ( titration) ଶ୍ରେଣୀରେ ଦେଖାହୁଏ ଦୁହିଁଙ୍କର ହେଲେ ପରୀକ୍ଷା ନଳୀରେ କଳା ଅପକ୍ଷେପ( precipitate) ପରି ମଳିନ ଦେଖାଯାଉଥାଏ ସ୍ଥିତିପ୍ରଜ୍ଞାର ସଦା ପ୍ରସ୍ପୁଟିତ ମୁଖମଣ୍ଡଳ ଓ ଏକ ଅତୁଟ ନିସ୍ତେଜତା ବାରିହୋଇ ପଡୁଥାଏ ତାଳୁରୁ ତଳିପାଯାଏ। ବେଶ୍ ବୁଝିନେଲା ସମ୍ବିତ୍ ତାର ପ୍ରତିଫଳନ ମନର ଦର୍ପଣରେ, ଆଉ ଥରେ ନଜର ମିଳାଇବାକୁ ଇଛାକରିନି ସେ। ସମସ୍ତ ଜଡତ୍ବକୁ ଭଙ୍ଗକରି ଗ୍ରନ୍ଥାଗାରରେ ସେଦିନ ସମ୍ବିତ୍ କୁ ଭେଟି କୌଣସି ଶବ୍ଦ ବିନିମୟରେ ତା'ର ଖାତାଟିକୁ ଫେରାଇ ଦେଇ ଚାଲିଗଲା ସ୍ଥିତିପ୍ରଜ୍ଞା, ଚାହିଁ ମଧ୍ଯ ପଛରୁ ଡାକି ପାରିଲାନି ତାକୁ ସମ୍ବିତ୍, ସତେଅବା ଏକ ଅପ୍ରତ୍ଯାଶିତ ଝଡ଼ରେ ତାର ଅସ୍ତିତ୍ବ ନିଶ୍ଚିହ୍ନ।

କିଛିକ୍ଷଣର ନୀରବତା ପରେ ଛାତ୍ରାବାସ କୋଠରୀର ଏକାନ୍ତରେ କିଛି ସାହାସ ଠୁଳକରି ସେହି ଖାତାଟିକୁ ଖୋଲିଲା, ଖସି ପଡିଲା ତାର ସେହି ନିଜସ୍ବ ଚିଠି ଖଣ୍ଡକ, ତା'ର ପ୍ରଥମ ପ୍ରେମର ନିବିଡ ଆଶ୍ଳେଷ ଟିକକ, ହେଲେ ଏବେ ଏକ ମୂଲ୍ଯହୀନ ଅଗ୍ରାହ୍ଯ ସମ୍ପର୍କର ସ୍ବୀକାରୋକ୍ତି ମାତ୍ର । ହେଲେ ଏ କ'ଣ? ତା ଚିଠିର ଲଫାପା ଭିତରେ ଆଉ ଏକ ଛୋଚ ଚିଠି ଯାହା ତା'ର ହସ୍ତାକ୍ଷର ନୁହଁ! ଅପ୍ରମିତ ଉତ୍ସାହର ସହ ଚିଠିଟିକୁ ଖୋଲି ପଢିଲା...... “ ସମ୍ବିତ୍! କ୍ଷମା କରିବ, ଯେଉଁ ସାହାସର ସହିତ ତୁମେ ତୁମ ହୃଦୟର ଉଚ୍ଛ୍ବାସଟିକୁ ମୋ ପାଇଁ ଲେଖି ପାରିଲ ତାହା ମୋ କ୍ଷେତ୍ରରେ ଚାହିଁଲେ ବି ସମ୍ଭବ ନୁହଁ। ଗରିବ ପରିବାରର ଗୁରୁ ଦାୟିତ୍ୱ ସଙ୍ଗକୁ ପିତାଙ୍କର ସୁଉଚ୍ଚ ସ୍ବାଭିମାନ୍ ହିଁ ମୋର ଅଭିମାନ। ସେ ପରିପ୍ରେକ୍ଷୀରେ ପ୍ରେମ ପ୍ରୀତିର ହୃଦୟଙ୍ଗମ ମୋ ଜିଜ୍ଞାସାର ପରିଧି ବହିର୍ଭୂତ। ହଁ ବନ୍ଧୁତ୍ବର ପରିଭାଷା ଠିକ୍ ସେ ଜାଣିନଥିଲେ ମଧ୍ଯ ବେଶ୍ କମ୍ ଦିନରେ ତୁମ ସଂସ୍ପର୍ଶରେ ଆସି ଅନୁଭବ କରୁଥିଲି, ହେଲେ କେତେବେଳେ ତାହା ତୁମ ହୃଦୟରେ ପ୍ରେମର ଆଭାସ ଆଣିଦେଲା ଜାଣିପାରିଲିନି। ଆଶାକରେ ଯେଉଁ ନିଷ୍ପାପ ନିରୀହତାର ଆଶ୍ଲେଷ ନେଇ ତୁମେ ଦିନେ ପ୍ରଥମଥର ପାଇଁ ଦେଖିଥିଲ ଓ ପ୍ରୟୋଗଶାଳାରେ ସାହାଯ୍ୟ କରୁଥିଲ ସେହି ମନରେ ଏକାନ୍ତରେ ଆଉଥରେ ମୋ ସ୍ଥିତିକୁ ଅନୁଭବ କରି ମୋତେ ଭୁଲ୍ ବୁଝିବନି। ପରୀକ୍ଷାରେ ଅପାର ସଫଳତା ଓ ଏକ ସମୁଜ୍ଜ୍ଵଳ ଭବିଷ୍ଯତ ତୁମର ଧ୍ଯୟ ହେଉ...... ସ୍ଥିତି ”। ପାପୁଲିରୁ ପାରଦ ଗଳିପଡିଲାପରି ପ୍ରୀତି ପୁଷ୍ପ ତା'ର ମରୁତୃଷ୍ନାରେ ମଉଳିଗଲା। ନିଷ୍ପାପ ମନର ପ୍ରେମ ପ୍ରୟାଗରେ ତର୍ପଣ କଲା ସବୁ ଜିଜିବିଷା। ସ୍ବାଭିମାନର ସୂତା ଖିଅରେ ଝୁଲୁଥାଏ ପ୍ରେମଚଢେଇର ବସା, ଥରେ ଛିଡିଲେ ଅସ୍ତିତ୍ବର ଚିହ୍ନ ବର୍ଣ୍ଣ ରହେନା। ଅକସ୍ମାତ୍ ଏହି ମାନସିକ ଦୁର୍ଘଟଣା ପରେ ସମ୍ବିତ୍ ଫେରିପାଇଲା ତା'ର ପ୍ରାଥମିକତା ଏବଂ ବେଶ୍ ପରିପକ୍ବତାର ସହ ବନ୍ଧୁତ୍ବ ଓ ଜୀବନର ଦାୟିତ୍ୱମାନ। ସମ୍ମୋହନର ବୀଣାଝଂକାର ନିମିଷକେ ବଦଳିଗଲା ନିରୁତା ସମ୍ବେଦନଶୀଳତାର ଔପଚାରିକତାରେ। ତା'ପରେ ବେଶ୍ ସାମୟିକ ମିଳାମିଶା ଓ କଥୋପକଥନରେ ସହଜ ହୋଇଛି ପରସ୍ପରର ନିଜସ୍ବ ଜୀବନ। ଗତାନୁଗତିକ ଭାବଧାରାରେ ଭୁଲିଯାଇଛନ୍ତି ନିକଟ ଅତୀତର ସେହି ଘଟଣାକୁ,ବିତିଯାଇଛି ବର୍ଷ ପରେ ବର୍ଷ, ଜମି ଯାଇଛି ନେଳି ସ୍ମୃତିର ଆବରଣ ହୋଇ।

ବାସ୍ତବତାକୁ ଫେରିଲା ଏବେ ସମ୍ବିତ୍, ମନ ଝରକାରେ ଦୀର୍ଘ ପାଞ୍ଚ ବର୍ଷ ତଳର ସ୍ମୃତି ମନ୍ଥନକରି। ପୁନର୍ବାର ମୋବାଇଲ୍ ରେ ହ୍ବଟସ୍ଅପ୍ ଖୋଲି ଗ୍ରୁପ୍ ରେ ବନ୍ଧୁମିଳନର କାର୍ଯ୍ଯସୂଚୀ ଖୋଜି ପୁଲକିତ ହେଲାଯେ ତାହାଥିଲା ଆସନ୍ତା ସପ୍ତାହର ଫେବୃଆରୀ ୧୪ ତାରିଖ, ପୁଣି ସେଦିନପରି ଆଉଏକ ଭାଲେଣ୍ଟାଇନସ୍ ଦିନ! ଏଥର ଗ୍ରୁପ୍ ସୂଚନାକୁ ଯାଇ ପୁଣିଥରେ ଖୋଜିନେଲା ସ୍ଥିତିପ୍ରଜ୍ଞାର ନମ୍ବର୍ ଓ ଉନ୍ମାଦିତହୋଇ ସୁରକ୍ଷିତ କରିନେଲା ମଧ୍ଯ। ବାରମ୍ବାର ସ୍ଥିତିପ୍ରଜ୍ଞା ପାଖରୁ ଆସିଥିବା ବାର୍ତ୍ତାଟିକୁ ପଢି ଶିହରୀ ଉଠୁଥାଏ ସମ୍ବିତ୍। ଉତ୍ସାହବଶତଃ ମୁଖପୁସ୍ତକରେ ମଧ୍ଯ ସ୍ଥିତିପ୍ରଜ୍ଞାର ରୂପରେଖ ପଢିନେଇ ଆସ୍ବସ୍ତହେଲାଯେ ତା'ପରି ସେ ମଧ୍ଯ ଏଯାଏ ଆଉ କାହା ସହ ନିବିଡ଼ ବନ୍ଧୁତ୍ବର ଡୋରିରେ ଛନ୍ଦିହୋଇନାହିଁ। ଉତ୍କଣ୍ଠାର ଚରମସୀମାରେ ଉପନୀତ ହୋଇ ସ୍ଥିତିର ବାର୍ତ୍ତାରେ ଉତ୍ତରବି ଦେଇଦେଲା...... “ ସ୍ଥିତି! ବିସ୍ମୟର ଧୂଳିଝଡ ପରି ତୁମ ବାର୍ତ୍ତା ପାଇଲି। ଲାଗୁଛି ଯେମିତି ପ୍ରତ୍ଯାଖ୍ଯାନର ସେଦିନର ଶବ୍ଦ ଏବେ କାଳର କସଟିରେ ସଜ୍ଞା ହରାଇ ଆମନ୍ତ୍ରଣର ପ୍ରତିଧ୍ଵନି ହୋଇ ଫେରି ଆସିଛି। କିଛି ସମୟ ବିତିଯାଇଛି ନିଶ୍ଚୟ, ହେଲେ ମୋର ପ୍ରତୀକ୍ଷା ଆଜିବି ପୁନର୍ଜୀବିତ ବରଂ ଦ୍ବିଗୁଣିତ ଆଜି ସ୍ପନ୍ଦନ ତୁମର ସମ୍ମତି ଜାଣିବା ପାଇଁ। ହଁ ଜାଣି ଖୁସିହେବ ତୁମର ସେଦିନର ମୋ ଭବିଷ୍ଯତ ପାଇଁ ଶୁଭେଚ୍ଛା ଫଳପ୍ରଦ ହୋଇଛି, ମୁଁ ରସାୟନ ବିଜ୍ଞାନରେ କନିଷ୍ଟ ବୈଜ୍ଞାନିକ ରୂପେ ଭାବା ଆଣବିକ କେନ୍ଦ୍ରରେ ନିଯୁକ୍ତି ପାଇଛି। ତୁମ ବିଷୟରେ ତୁମ ମୁହଁରୁ ସାମ୍ନା ସାମ୍ନି ଶୁଣିବାକୁ ଅସ୍ଥିର। ଏଥର ଭାଲେଣ୍ଟାଇନସ୍ କୁ ଅପେକ୍ଷାରେ ରହିଲି ବନ୍ଧୁମିଳନର ଆସରକୁ ଚାହିଁ........ ସମ୍ବିତ୍” । ସେପଟରୁ ତୁରନ୍ତ ସାଙ୍କେତିକ ଉତ୍ତର ଫେରିଲା ..... ।

ବୀଜଗଣିତରେ ବଦଳା ଚଳନପରି ଗୋଟିଏ ପରିବର୍ତ୍ତିତ ମୁହୂର୍ତ୍ତହିଁ ଓଲଟପାଲଟ କରିଦିଏ ଜୀବନର ସମୀକରଣ। ଲମ୍ବା ଅନ୍ତରାଳ, ପ୍ରତୀକ୍ଷାର ପାହାଡ ଡେଇଁ ଏବେ ସମ୍ଭାବନାର କଁଁଅଳ ଖରା ଟିକିଏ ଉଇଁଛି। ରେଭେନ୍ସା ଉଦ୍ଯାନରେ ଫେବୃଆରୀ ୧୪ର ବାତାବରଣ ଆଜି ବନ୍ଧୁମିଳନର ଉତ୍ସାହରେ ମୁଖରିତ। ସମ୍ବିତ୍ ର ନଜର ଅଟକିଥାଏ ମୁଖ୍ଯ ତୋରଣରେ, ହଠାତ୍ ଦୃଷ୍ଟିଗୋଚର ହେଲା ସେହି ସମ୍ମୋହନୀ ଆଭା, ସତେ ଅବା ଦୂର ଦିଗବଳୟରେ ଉଦିତ ଭାନୁର କନକ ଆଭା ବିଚ୍ଛୁରିତ ହୋଇଯାଉଛି! ସ୍ଥିତି ହସ ହସ ମୁଖରେ ପ୍ରଥମେ ଧାଇଁ ଆସିଲା ସମ୍ବିତ୍ ଆଡକୁ ଓ ଏକ ନିବିଡ଼ ଆଲିଙ୍ଗନରେ ତୋଳିଧରିଲା ତାକୁ। କାନ ପାଖରେ ଫିସ୍ ଫିସ୍ ହୋଇ କହି ଉଠିଲା “ Happy Valentine's Day Sambit ! ” ହଠାତ୍ ସମସ୍ତଙ୍କର କର ତାଳିରେ ପ୍ରକୃତିସ୍ଥ ହେଲେ ଦୁଇଜଣ, ଗୋଲାପ ବୃଷ୍ଟି ସହ ମିଳିତ କଣ୍ଠରେ ଅଭିନନ୍ଦନର ମୃଦୁ ସଙ୍ଗୀତ ଭାସିଆସୁଥିଲା ନେପଥ୍ଯରୁ। ବନ୍ଧୁମିଳନର ଆସର କ୍ରମଶଃ ଆତ୍ମୀୟ ହୋଇଉଠୁଥାଏ। ସମାପନ ଉତ୍ସବରେ ସବୁ ପ୍ରେମୀଯୁଗଳଙ୍କୁ କେଇପଦ ସଂଭାଷଣ ଦେବାକୁ ହେଉଥାଏ। ସ୍ଥିତପ୍ରଜ୍ଞା ସମ୍ବିତ୍ କୁ ମାଇକ୍ରୋଫୋନ୍ ଧରାଇଦେଲା, ଦୁହେଁ ହାତଧରାଧରି ହୋଇ ମଞ୍ଚ ଉପରକୁ ଉଠିଗଲେ ଓ ସମ୍ବିତ୍ ସ୍ଥିତି ଆଡକୁ ଥରେ ଚାହିଁ ସ୍ବୀକାରୋକ୍ତି କରିବାକୁ ଉଦ୍ଯତ ହେଲା ..........“ ସାମୟିକ ସମ୍ମୋହନ ନୁହଁ ପ୍ରେମ, ବରଂ ଏକ ଆତ୍ମୀକ ଆବେଗିକ ଆଶ୍ଳେଷ..... ଏକ ଅତିନ୍ଦ୍ରିୟ ଇଚ୍ଚାରଣ ଯାହା କେବେ ସରେ ନା ଲିଭେ”।

       



Rate this content
Log in

Similar oriya story from Drama