Manas Nayak

Inspirational

3  

Manas Nayak

Inspirational

ସ୍ଥଗିତ ରଥଯାତ୍ରା, ବ୍ୟାଘାତ ଜଗନ୍ନଥ

ସ୍ଥଗିତ ରଥଯାତ୍ରା, ବ୍ୟାଘାତ ଜଗନ୍ନଥ

4 mins
362


ଚଳିତ ବର୍ଷ ମଧ୍ଯ ବିନା ଭକ୍ତରେ ସମାପନ ହେବାକୁ ଯାଉଛି ଶ୍ରୀଜୀଉଙ୍କ ସ୍ନାନଯାତ୍ରା , ଶ୍ରୀମନ୍ଦିର ପ୍ରଶାସନ ଆସନ୍ତା ଜୁନ୍ ୨୪ ତାରିଖରେ ଭକ୍ତ ଶୂନ୍ଯ ଦେବସ୍ନାନ ପୂର୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ଥଗିତ ହେବ କଣ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ଲଗାତାର ଦ୍ବିତୀୟ ବର୍ଷ ପାଇଁ? ମନେହୁଏ କଳଙ୍କିତ ଇତିହାସର ପୁନର୍ବାର ଆଗମନ ହୋଇଛି ସନାତନଧର୍ମୀ ଭକ୍ତ ସମ୍ପ୍ରଦାୟ ପାଇଁ, ନୁହେଁ ଏଥର ଧର୍ମଦ୍ରୋହୀ ବର୍ବର ମୋଗଲ୍, ଆଫଗାନି କିମ୍ବା ଇଂରେଜଙ୍କ ପାଇଁ ବରଂ ସମଗ୍ର ବିଶ୍ବକୁ ଆତଂକିତ କରିଥିବା କରୋନା ବିଭୀଷିକାପାଇଁ । 


ଦେବଭୂମି ଭାରତରେ ଶାସ୍ତ୍ରୀୟ ପରମ୍ପରାର ପ୍ରାଦୁର୍ଭାବ ଅନାଦିକାଳରୁ ପ୍ରତୀୟମାନ, ତନ୍ମଧ୍ଯରୁ ଉତ୍କଳର ଜଗନ୍ନାଥ ପରମ୍ପରା ସମଗ୍ର ବିଶ୍ବରେ ଗୌରବାନ୍ବୀତ। ଭକ୍ତ ଭଗବାନ ମଧ୍ଯରେ ଅତୁଟ ଆସ୍ଥା, ବିଶ୍ବାସ, ପ୍ରେମ ଓ ଭକ୍ତିୟ ଦୁର୍ବଳତା ମାନବୀୟ ସ୍ରୂଷ୍ଟିର ଉତ୍କର୍ଷତା ପ୍ରତିପାଦନ କରେ। ଚର୍ମ ଚକ୍ଷୁରେ ଅଦୃଶ୍ଯମୟ ପରମବ୍ରହ୍ମ ଜଗତରନାଥ ପରମ କାରୁଣ୍ୟିକ ଜଗନ୍ନାଥ ଦର୍ଶନ ଦିଅନ୍ତି ତାର ପ୍ରାଣପ୍ରୀୟ ଭକ୍ତପ୍ରବରକୁ, ତାର ଅାତୁର ଆବେଗରେ ଅଟକି ଯାଆନ୍ତି ପୁରୀ ବଡଦାଣ୍ଡରେ ନନ୍ଦିଘୋଷଉପରେ। ହସ୍ତହୀନ ଦାରୁବ୍ରହ୍ମ ମହାବାହୁ ବଢାଇ ନେଇ ଯାଆନ୍ତି ଶ୍ରୀଫଳ, ଭକ୍ତର ମାନ ଉଦ୍ଧାର ପାଇଁ। ଲକ୍ଷେ ରାଜାର ମଉଡମଣି, ଉତ୍କଳୀୟ ଗଜପତି ମହାରାଜ ଜଗନ୍ନାଥଙ୍କର ଦାସାନୁଦାସ ସେବକ ଭାବରେ ପ୍ରଭୁଙ୍କର ତିନିରଥରେ ଛେରାପହଁରା କରି ସାର୍ଥକ କରନ୍ତି ଧରାପୃଷ୍ଠରେ ମାନବ ଜନ୍ମକୁ। ବିଶ୍ବଭ୍ରାତୃତ୍ୱର ତଥା ଜାତି ଧର୍ମ ର ମହାସମନ୍ବୟର ନିଚ୍ଛକ ପ୍ରତିକ ଭାବରେ ମହାପ୍ରଭୁଙ୍କର ଘୋଷଯାତ୍ରାର ମାହାତ୍ମ୍ଯ ସୂଦୁରପ୍ରସାରିତ। ଦାରୁମୁର୍ତ୍ତିଙ୍କ ନିର୍ନିମେଷ ନୟନର ଚକାଚକା ଡୋଳାରେ ପାପ ଚକ୍ଷୁ ସମ୍ମିଳିତ କରି ଅନୁତପ୍ତର ଅସୁମାରି ଲୁହଢାଳି ପାପୀପ୍ରାଣ ମର୍ତ୍ତ୍ୟଧାମରୁ ମୁକ୍ତିପାଇଁ ବିଶ୍ବକର୍ତ୍ତାଙ୍କ ପାଖରେ ଆକୁଳ ମୀନତି କରେ ଏବଂ ପାପପିଣ୍ଡରେ ସ୍ବଚକ୍ଷୁରେ କଳ୍କୀଅବତାରୀ ନାରାୟଣଙ୍କ ଦିବ୍ୟଦର୍ଶନକୁ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି ମନେକରେ। 


ଅଧୁନା କୋଭିଡ୍ ୧୯ ଭୂତାଣୁ ଜନିତ କରୋନା ବିଭୀଷିକା ମାନବୀୟ ସଭ୍ୟତାକୁ ବ୍ୟସ୍ତବିବ୍ରତ କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ସୀମିତ ବୈଜ୍ଞାନିକ ଜ୍ଞାନକୌଶଳ ଏବଂ ଏଭଳି ନୂତନ ମହାମାରୀଭଳି ରୋଗ ନିୟନ୍ତ୍ରଣ ଅନୂଭୂତିର ଅଭାବ ନତମସ୍ତକ କରିଦେଇଛି ଆଜି ପରମାଣୁ ଶକ୍ତିଶାଳୀ ମାନବକୁ। ପରିଣାମ ସ୍ୱରୂପ ଶତାଧିକ ଜୀବନ କ୍ଷତି, ଜାତୀୟ ଆର୍ଥିକ ଅଧୋଗତି, ଦୈନନ୍ଦୀନ ନିଯୁକ୍ତି ଅଭାବରେ ଭାରାକ୍ରାନ୍ତ ଅଗଣିତ ଶ୍ରମିକ ଏବଂ ସ୍ତବ୍ଧ ଅଗଣିତ କ୍ଷୁଦ୍ର-ମଧ୍ଯମ ଅନୁଷ୍ଠାନ। ଅନ୍ୟ ବ୍ୟାଧିର ସହଜ ପ୍ରତିଷେଧକ ଟୀକା ପରି କରୋନା ପାଇଁ ଉଦ୍ଭାବନ ଆଜି ଅଦମ୍ୟ ଅନୁଭବ ହୁଏ, ହୁଏତ ବିଳମ୍ବିତ ସଫଳତାହିଁ ଏକାନ୍ତ କାମ୍ଯ। କହିବା ବାହୁଲ୍ଯ ସାମାଜିକ ଦୂରତ୍ବରକ୍ଷା ଓ ସଙ୍ଗରୋଧହିଁ ଏହି ଭୂତାଣୁ ସଙ୍କ୍ରମଣକୁ ରୋକିବାର ଏକମାତ୍ର ବିକଳ୍ପ । ଅଧୁନା କୋଭିସିଲ୍ଡ, କୋଭାକ୍ସିନ୍ ପରି ଦ୍ବିତ ପ୍ରତିଷେଧକ ଟିକା ଯୁଦ୍ଧକାଳୀନ ଭିତ୍ତିରେ ପର୍ଯ୍ୟାୟ କ୍ରମେ ବୟସ ସୀମା ଅନୁସାରେ ଦେଶବ୍ୟାପୀ ଉପଲବ୍ଧ କରିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି ସତ, ହେଲେ ଭାରତ ଭଳି ବିଶାଳକାୟ ଦେଶରେ ମହାମାରୀ ତାର ଦ୍ବିତୀୟ ଲହରୀ ରେ ସଂକ୍ରମିତ ହେଉଥିଲା ବେଳେ ସମ୍ପୂର୍ଣ୍ଣ କାବୁ ପାଇବା ନିଶ୍ଚିତ ଭାବରେ କଷ୍ଟସାଧ୍ୟ ଦାୟିତ୍ୱ ମନେହୁଏ। 


ସାମ୍ପ୍ରତିକ ପରିସ୍ଥିତିକୁ ଦ୍ରୂଷ୍ଟିରେ ରଖି ଭାରତର ସର୍ବୋଚ୍ଚ ନ୍ଯାୟାଳୟ ବିଗତବର୍ଷ ରଥଯାତ୍ରା ଆୟୋଜନ ନକରିବା ପାଇଁ ଆଦେଶ ଦେଇ ବିତର୍କର ପରିସୀମା ମଧ୍ଯକୁ ଆସିଥିଲେ। ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀମନ୍ଦିରର ସର୍ବୋଚ୍ଚ କର୍ତ୍ତ୍ରୁପକ୍ଷ ହିସାବରେ ସୁପ୍ରିମକୋର୍ଟ ରେ ପୁନର୍ବିଚାର ଯାଚିକା ଦାଖଲ୍ କରିବାକୁ ରାଜ୍ଯ ସରକାରଙ୍କ ପାଖରେ ଆବେଦନ କରିଥିଲେ ଏବଂ ସର୍ବଶେଷରେ ବିନା ଭକ୍ତରେ ଶ୍ରୀଜୀଉମାନଙ୍କ ର ରଥଯାତ୍ରା ଯଥାବିଧି ସିଂହ ଦ୍ବାର ରୁ ଶ୍ରୀଗୁଣ୍ଡିଚା ଯାଏ କେବଳ ସେବାୟତଙ୍କ ଦ୍ବାରା ସମାପିତ ହୋଇଥିଲା, ଏହାଦ୍ବାରା ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ଯାନ୍ତ୍ରିକ ବିଧିରେ ଦର୍ଶନ ଲାଭକରି ଭକ୍ତବୃନ୍ଦ ଶୋକସନ୍ତପ୍ତରୁ ନିଜକୁ ମୁକ୍ତ କରିବାକୁ ସମର୍ଥସିଦ୍ଧ ହୋଇପାରିଥିଲେ । ସୁପ୍ରିମକୋର୍ଟଙ୍କ ବିଚାର ଜନହିତ ଦୃଷ୍ଟିରୁ ତାତ୍ପର୍ୟ୍ଯପୁର୍ଣ୍ଣ ଥିଲା । ପର୍ୟ୍ଯାୟକ୍ରମେ ୫ଟି ଲକ୍ଡାଉନ୍, ବ୍ଯାପକ ସଟ୍ ଡାଉନ୍, ସଙ୍ଗରୋଧ, ସାମାଜିକ ଦୁରତ୍ଵ ବଳବତ୍ତର ଥିବା ସତ୍ବେ କରୋନା ଆକ୍ରାନ୍ତ ସଂଖ୍ଯା ସେତେବେଳେ ପ୍ରତିଦିନ ସକ୍ରିୟ ରହି ଓଡିଶାରେ ୫୦୦୦ ହେବାକୁ ବସିଥିଲା। ଲକ୍ଷାଧିକ ଭକ୍ତମାନଙ୍କ ସମାଗମ ହେଉଥିବା ବିଶ୍ବପ୍ରସିଦ୍ଧ ପୂରୀ ଘୋଷଯାତ୍ରା ଆୟୋଜନହେଲେ ଏହି ମହାମାରୀ କାଳରେ ସ୍ଥିତି ଅକ୍ଷମଣୀୟ ହେବବୋଲି ଶୁଣାଣି ବେଳେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ କହିଥିଲେ। ସୂଚନାଯୋଗ୍ୟଯେ ବିଗତ ୪୫୨ ବର୍ଷର ଇତିହାସରେ,ଆଫଗାନ୍ ଓ ମୋଗଲ୍ ମାନଙ୍କର ବହୁବାର ମନ୍ଦିର ଲୁଣ୍ଠନ,ବିଗ୍ରହ ଧ୍ବଂସ ସମୟରେ ବାରମ୍ବାର ଦାରୁବ୍ରହ୍ମଙ୍କୁ ଭକ୍ତମାନେ ଲୁଚାଇ ରଖୁଥିଲେ,ସେଥିପାଇଁ ୩୨ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା |କଳାପାହାଡ଼ ପାଇଁ (୯ ବର୍ଷ), ମିର୍ଜା ଖୁରମ୍,ସୁବେଦାର ହାସିମ୍ ଖାଁ ଆଦିଙ୍କ ପାଇଁ (ପ୍ରତ୍ୟେକ୍ ୧ ବର୍ଷ), ହିନ୍ଦୁ ରାଜା କଲ୍ୟାଣ ମଲ୍ଲର, ବେଗମ୍ ଖାଁ (ପ୍ରତ୍ୟେକ୍ ୨ ବର୍ଷ), ଏକରମ୍ ଖାଁ(୧୩ ବର୍ଷ) ଓ ମହମ୍ମଦ ତକ୍କି ଖାଁ (୩ ବର୍ଷ) ବନ୍ଦ ହୋଇଥିଲା ରଥଯାତ୍ରା । 


ଶ୍ରୀଜିଉଙ୍କ ସେବାୟତ ମଣ୍ଡଳୀ ତଥା ଅଗଣିତ ଜଗନ୍ନାଥ ସଂସ୍କୃତିପ୍ରେମୀ ଯୁକ୍ତିବାଢିଛନ୍ତି , ପ୍ରଚଳିତ ପ୍ରଥା ଅନୁଯାୟୀ ଥରେ ରଥଯାତ୍ରା ବନ୍ଦ ହେଲେ ୧୨ ବର୍ଷ ପର୍ୟ୍ୟନ୍ତ ରଥଯାତ୍ରା ଆୟୋଜନ ସ୍ଥଗିତ ରହିବ। ଜଗନ୍ନାଥ ସଂସ୍କୃତି ଓ ନୀତିକାନ୍ତି ଉପରେ ଏହାର କୁପ୍ରଭାବ ପଡ଼ିବା ସହ ଅରାଜକତା ଦେଖା ଯାଇ ପାରେ। ପୂର୍ବରୁ କରୋନା ସଂପର୍କୀତ ସମସ୍ତ ନିର୍ଦ୍ଦେଶନାମା ପାଳନକରି ରଥନିର୍ମାଣ, ସ୍ନାନ ଯାତ୍ରା ଏବଂ ବଡଦାଣ୍ଡରେ ବନ୍ଦେଉତ୍କଳ ଜନନୀ ଗାୟନ ଆଦି ସଫଳତାର ସହ ସମାପନ କରାଯାଇ ଥିବାବେଳେ ଚଳିତବର୍ଷ ତୁଳନାତ୍ମକ ପରିପ୍ରେକ୍ଷୀରେ ଆମ ରାଜ୍ୟରେ କରୋନା ସଂକ୍ରମଣ ବେଶ୍ ନିୟନ୍ତ୍ରଣାଧୀନ ରହି ଆଗତ ଘୋଷଯାତ୍ରା ଯଥାରିତି ପାଳନ କରିବା ପାଇଁ ଉପକୂଳ ଅଛି। କୋଟିକୋଟି ଭକ୍ତମାନଙ୍କ ଆସ୍ଥାକୁ ଆଘାତ ନକରି କଷ୍ଟସାଧ୍ୟ ହେଲେ ମଧ୍ୟ ସମସ୍ତ ପ୍ରତିକାର ବିଧି ଅବଲମ୍ବନ କରି ରଥଯାତ୍ରା ଆୟୋଜନ କରିବା ନ୍ଯାୟସଙ୍ଗତ ମନେହୁଏ। ସନାତନଧର୍ମର ପ୍ରତିଷ୍ଠାତା ସଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ଯ ଏ ସପକ୍ଷରେ ତାଙ୍କର ମୂଲ୍ଯବାନ ମତାମତ ରଖିଥିଲେ। ଅତ୍ୟାବଶ୍ୟକୀୟ ବ୍ୟକ୍ତିଙ୍କ ଦ୍ବାରା ଶାସ୍ତ୍ରସମ୍ମତ ପରମ୍ପରା ପ୍ରାପ୍ତ ରଥଯାତ୍ରା ପ୍ରକଳ୍ପ କ୍ରିୟାନ୍ବିତ କରିବା ପୁନର୍ବିଚାର ପାଇଁ ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟର ଅବଶ୍ୟ ଆପେକ୍ଷିତ ରହିଛି। 


ଆଧ୍ଯାତ୍ମିକତା ଓ ନୈତିକତା କେବେ ପରସ୍ପରର ବିରୁଦ୍ଧାଚରଣ କରେନାହିଁ। ଆଧ୍ଯାତ୍ମିକତା ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଜାଗ୍ରତ ରଖେ ଭଗବତ୍ ଚେତନାକୁ। ନୈତିକତା ଉଦ୍ରେକ କରେ ମାନବତ୍ବକୁ ପ୍ରଗତିର ସୁଦୀର୍ଘ ପଥରେ। କହିବାର ତାତ୍ପର୍ୟ୍ଯ ଏହିଯେ ସମଗ୍ର ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ ଶ୍ରୀଜଗନ୍ନାଥ ଚେତନାକୁ ଯେକୌଣସି ପ୍ରତିକୂଳ ସମୟରେ ବଳବତ୍ତର ରଖିବାପାଇଁ ଯଥାସାଧ୍ଯ ଉଦ୍ୟମ ହେବା ଏକାନ୍ତ କାମ୍ୟ। ନୈତିକତା ଅାଢୁଆଳେ ସହଜସାଧ୍ୟ ଶାସ୍ତ୍ରୀୟ ସଂସ୍କୃତିକୁ ଆଘାତ କରିବା ଆଦୌ ବିଜ୍ଞତାର ପରିଚୟ ନୁହଁ। 

......ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ



Rate this content
Log in

Similar oriya story from Inspirational