STORYMIRROR

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ସକାଳ

ସକାଳ

2 mins
339

ଦୂର ଦିଗବଳୟରେ ନୂତନତ୍ବର ଏକ ଉଦ୍ଭାସିତ ଅଭିସ୍ପୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ବିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ। ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସଂଭାର ନେଇ ଆସେ ଏହି ସକାଳ। ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ। ପକ୍ଷୀ କାକଳି, କାରଖାନା ସାଇରନ୍ ର ଶଙ୍ଖ ଧ୍ୱନି ସହିତ ଜୀବନରଣାଙ୍ଗନରେ ଆରମ୍ଭ ହୁଏ ଆଉ ଏକ ସଂଘର୍ଷ। ରାତ୍ରିର ଅବଚେତନରେ ସୁକ୍ଷ୍ମ ଦୃଷ୍ଟିକୋଣରୁ ଦେଖିଲେ ଏକ ମୃତ ଅବସ୍ଥାରୁ ପୁନର୍ବାର ଚେତନାପୂର୍ଣ୍ଣ ଜୀବନଧାରାକୁ ଆଗମନକରେ ଧରାପୃଷ୍ଠରେ ସକଳ ଜୀବନ ରାଶି। ଆଧ୍ଯାତ୍ମିକ ଦୃଷ୍ଟିରେ ଦେଖିଲେ ମରଣଶୀଳ ଜୀବନରେ ଜନ୍ମ ମୃତ୍ଯୁର ଧ୍ରୁବ ସ୍ଥିର ପୁନାର୍ଗମନର ଏହା ଏକ ନିଛ୍ଛକ ଦୈନନ୍ଦିନ ରୂପାନ୍ତରଣ ପ୍ରାୟ। 


ସଳଖ ସୁନ୍ଦର ନହେଲେବି ନିରବଚ୍ଛିନ୍ନ ଏହି ମଣିଷ ଜୀବନର ଘୋଷଯାତ୍ରା। ଘାତ ପ୍ରତିଘାତ, ନିନ୍ଦା ପ୍ରଶଂସା, ହାନୀ ଲାଭ ଦେଇ ବିବର୍ତ୍ତନର ଜୀବନଧାରା କେଉଁ ଏକ ଅଦୃଶ୍ଯ ଶକ୍ତିରେ ପରିଚାଳିତ ଆତ୍ମା ପରମାତ୍ମାର ମାରାଥନ୍ ଦୌଡରେ ଅଗ୍ରସର। ଇତିହାସ ସାକ୍ଷୀ ସେହି କଳଙ୍କିତ ସକାଳର ବିଭୀଷିକା,ରକ୍ତପିପାସୁ କ୍ରୂର ମାନବର ତାଣ୍ଡବଲୀଳା ଏବଂ ଦୈବଦୁର୍ବିପାକର ଅଶୋଭନୀୟ ଆର୍ତ୍ତନାଦ। ହେଲେ ଇତିହାସରୁ ଶିକ୍ଷା ନେଇ ବାସ୍ତବବାଦୀ ମାନବ, ନିଜ ଜ୍ଞାନ ବିଜ୍ଞାନର ସୁଦୂର ବିନିଯୋଗ କରି ବର୍ତ୍ତମାନକୁ ନିଜର ବିଜୟ ରଥର ସାରଥି କରିପାରିଛି । କହିବା ବାହୁଲ୍ଯ,ସଫଳତାର ପ୍ରଯୁର୍ଯ୍ୟ ଭିତରେ ଦିଗହରା ମଣିଷ ବାସ୍ତବ ଆନନ୍ଦର କେତେଦୂର ସ୍ବାଦ ଚାଖିପାରିଛି। ବସ୍ତୁବାଦୀ ସଭ୍ଯତାର ଚାକଚକ୍ୟ ହେଉ ଅବା ଅବଶେଷରେ ସୁକ୍ଷ୍ମ ଜୀବନର ଅନ୍ତଃକରଣ, ପ୍ରାପ୍ତକାମୀ ମାନବ ସ୍ଥୂଳ ଚକ୍ଷୁରେ ଅବହେଳିତ ନୈସର୍ଗିକ ଶକ୍ତିର ଇଙ୍ଗିତକୁ ହୃଦୟଙ୍ଗମ କରେ ଏବଂ ଆଶାବାଦୀ ହୋଇଉଠେ ଏକ ପରିବର୍ତ୍ତିତ ନୂତନ ଭବିଷ୍ଯତର ଅନ୍ବେଷଣରେ। 


ସିନ୍ଦୁରା ଫାଟିଲେ, ସଦ୍ଯସ୍ନାତା ତାରୁଣ୍ୟର ପରିପ୍ରକାଶ ନେଇ ଆବିର୍ଭାବ ହୁଏ ସକଳ ଶକ୍ତିର ଉତ୍ସ ଦିବାକର। ସମୟର ସୁଅ ପରି ସକାଳରୁ ହୁଏ ମଧ୍ଯାହ୍ନ, ସତେ ଅବା ଯୌବନର ଉଦ୍ଦାମତା ଅସାଧ୍ଯକୁ ସାଧନ କରିବାର ପରିପୂର୍ଣ୍ଣ ଆତ୍ମବିଶ୍ୱାସ। କ୍ରମଶଃ ସମୟ ସୁଅର ଭଟ୍ଟାପରି ଆଗତ ହୁଏ ଗୋଧୂଳି ଲଗନ, ବାର୍ଦ୍ଧକ୍ଯର ଅଭିସନ୍ଧି, ବାହୁ ମେଲି କାଳ ଅନ୍ଧକାର ଅଭିବାଦନ କରେ ଏକ ସମାପ୍ତିର ଅଢୁଆଳକୁ........ ଚିରନ୍ତନ ମୃତ୍ୟୁ। ହେଲେ ସମାପ୍ତ ହୁଏନି ରଙ୍ଗମଞ୍ଚରେ ଜୀବନ ନାଟକ, ଅପେକ୍ଷା ରହେ ଆଉ ଏକ ଆରମ୍ଭର, ଆଉ ଏକ ନୂତନ ସକାଳ....।


Rate this content
Log in

Similar oriya story from Classics