ସ୍ବପ୍ନ କେବେ ମରେନାହିଁ
ସ୍ବପ୍ନ କେବେ ମରେନାହିଁ
ମାନସ ଦାସ ଆଜି ୬୦ ବର୍ଷ ବୟସରେ ପହଞ୍ଚିଲେଣି, ହେଲେ ଏବେବି ସେ ନିଜ ସ୍ୱପ୍ନକୁ ଭୁଲି ନାହାନ୍ତି | ତାଙ୍କର ପିଲାଦିନର ଯେଉଁ ସ୍ବପ୍ନ ଏବେବି ପୁରା ହେଇନାହିଁ , ତାକୁ ସେ ପୁରା କରିବାକୁ ଚାହାନ୍ତି | ତାଙ୍କର ସେହି ଡାକ୍ତର ହେବାର ସ୍ବପ୍ନ ପୁରା ହେଇ ପାରିଲା ନାହିଁ କାରଣ ସେତେବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା ଆଉ ଡାକ୍ତରୀ ପଢିବା ପାଇଁ ଏତେ ସୁଯୋଗ ବି ନଥିଲା | ତାଙ୍କୁ ତାଙ୍କ ସାଙ୍ଗମାନେ ଥଟ୍ଟା କରି କୁହନ୍ତି ,'' ଆମ ମାନସର ଡାକ୍ତର ହେବାର ସବୁ ସ୍ବପ୍ନ ମରିଗଲା , ସେ ଶେଷରେ ସରକାରୀ କର୍ମଚାରୀ ହେଇ ମନକୁ ସେଥିରେ ବୁଝେଇ ଦେଇଛି |'' ଏତକ ଶୁଣି ବେଳେ ବେଳେ ତାଙ୍କ ପତ୍ନୀ ସୁନିତା ରାଗି ବି ଯାଆନ୍ତି ଆଉ ମାନସ ଙ୍କୁ କୁହନ୍ତି ,'' ତୁମ ସାଙ୍ଗମାନେ ସବୁ ପାଠ ପଢି ବି ମୂର୍ଖଙ୍କ ପରି କଥା କହୁଛନ୍ତି | ଆରେ ସ୍ବପ୍ନ କଣ କେବେ ମରେ ? ସେ ଦିନେ ନ ଦିନେ ପୂରଣ ହୁଏ |ହଁ ,ତୁମେ ସିନା ଡାକ୍ତର ହେଇ ପାରିଲ ନାହିଁ ,ହେଲେ ଆମ ଅଜୟ ଡାକ୍ତର ହେଇ ତାକୁ ପୁରା କରିବ | ସିଏ ନ କରି ପାରିଲେ ତା ପୁଅ ବା ଝିଅ ଦିନେ ତାକୁ ପୁରା କରିବେ | '' ଏହି ସବୁ କଥା ହେଉଥିଲା ଯେତେବେଳେ ମାନସ ବାବୁଙ୍କର ପୁଅ ଅଜୟ ଅଷ୍ଟମ ଶ୍ରେଣୀରେ ପଢୁଥିଲା ଓ ମାନସ ସେତେବେଳେ ସରକାରୀ ଚାକିରୀ କରୁଥିଲେ | ସୁନିତା ବେଶୀ ପାଠ ପଢି ନଥିଲେ ବି ତାଙ୍କର ଏହି କଥା ଗୁଡିକ ମାନସଙ୍କର ହୃଦୟକୁ ଛୁଇଁ ଯାଉଥିଲା ଓ ମନକୁ ବହୁତ ସତେଜ କରି ଦେଉଥିଲା | ମାନସ ଜାଣିଥିଲେ ତାଙ୍କ ପରିବାରର ଦରିଦ୍ରତା ଓ ତାଙ୍କ ପରିବାର ଦାୟିତ୍ୱର ବୋଝ ତାଙ୍କ ପିତା ମାତା ଙ୍କୁ ସୁଯୋଗ ଦେଇ ନଥିଲା ମାନସଙ୍କ ସ୍ବପ୍ନ କୁ ପୂରଣ କରିବା ଲାଗି | ସେହି ଦୁଃଖ କଷ୍ଟର ପ୍ରବଳ ଅଗ୍ନିରେ ମାନସଙ୍କ ମନ ଜଳି ପୋଡି ପାଉଁଶ ହେଇ ଯାଇଥିଲା ,କିନ୍ତୁ ତାଙ୍କର ସ୍ବପ୍ନ ସେହି ପାଉଁଶ ତଳେ ଦବି ରହି ଯାଇଥିଲା | ସୁନିତାର ଏହିପରି କଥା ଯେମିତି ମାନସଙ୍କ ସେହି ଦବି ହୋଇ ରହିଥିବା ସ୍ୱପ୍ନକୁ ଆଶାର କିରଣ ଦେଇ ରାସ୍ତା ଦେଖାଉଥିଲା | ମାନସ ପୁଅ ଅଜୟ କୁ ପାଠ ପଢିବା ପାଇଁ ସମସ୍ତ ସୁବିଧା ଓ ସୁଯୋଗ ଦେଉଥିଲେ | ସେ ଚାହୁଁଥିଲେ ଅଜୟ ପାଠ ପଢି ଡାକ୍ତର ହେଇ ତାଙ୍କ ସେଇ ଦବି ଯାଇଥିବା ସ୍ୱପ୍ନକୁ ପୂରଣ କରିବ | ସୁନିତା ବି ସବୁବେଳେ ଅଜୟ କୁ କହୁଥିଲେ ,''ମନ ଦେଇ ପଢ,ତୋତେ ଡାକ୍ତର ହେବାକୁ ହେବ | ତୋ ବାପାଙ୍କ ସ୍ୱପ୍ନକୁ ତୁ ପୁରା କରିବୁ |'' ଅଜୟ କିଛି କହୁ ନଥିଲା ,ଖାଲି ସୁନିତାଙ୍କୁ ଚାହିଁ ରହୁଥିଲା | ମାନସ ବି କେତେ ଥର ଅଜୟକୁ କହିଛନ୍ତି ଏହି କଥା |
ଅଜୟ ଦଶମ ପରୀକ୍ଷାରେ ଭଲ ନମ୍ବର ରଖି ଉତୀର୍ଣ୍ଣ ହେଲା | ତାକୁ ମାନସ ସହରର ସବୁଠାରୁ ପୁରୁଣା ଓ ଭଲ ମହାବିଦ୍ୟାଳୟରେ ପାଠ ପଢାଇଲେ | ଅଜୟ ବିଜ୍ଞାନ ପଢିଲା | ମାନସଙ୍କ ଇଚ୍ଛା ଯେ ଅଜୟ ଡାକ୍ତର ହୋଇ ତାଙ୍କ ସେହି ଦବି ହୋଇ ରହିଥିବା ସ୍ୱପ୍ନକୁ ପୁରା କରିବ | କିନ୍ତୁ ମାନସ ତା ସାହିତ ଅଜୟକୁ କହୁଥିଲେ ,''ତୋତେ ଯାହା ଭଲ ଲାଗୁଚି ତୁ କର କିନ୍ତୁ ଯଦି ଡାକ୍ତର ହେବୁ ମୁଁ ବହୁତ ଖୁସି ହେବି |ମୁଁ ତୋ ଉପରେ କିଛି ଜୋର ଜବରଦସ୍ତ ଲଦି ଦେବାକୁ ଚାହୁଁ ନାହିଁ |'' ଅଜୟ ତା ବାପାଙ୍କର ଏହି କଥା ଶୁଣି ବହୁତ ଆଶ୍ୱସ୍ତ ହୁଏ |ଆଜ୍ଞାର ସ୍ବପ୍ନ ,ସେ ଗୋଟିଏ ଯନ୍ତ୍ରୀ ହେବ | ତାକୁ ଡାକ୍ତରୀ ପାଠ ପ୍ରତି ଆଦୌ ଇଛା ନଥାଏ | ସେ ଦ୍ୱାଦଶ ପରୀକ୍ଷା ପରେ ଡାକ୍ତରୀ ଓ ଯନ୍ତ୍ରୀ ହେବ ଲାଗି ହେଉଥିବା ପ୍ରବେଶିକା ପରୀକ୍ଷା ଦେଲା | କେବଳ ଯନ୍ତ୍ରୀ ହେବ ପ୍ରବେଶିକା ପରୀକ୍ଷାରେ ସେ ଭଲ ଭାବରେ ଉତୀର୍ଣ୍ଣ ହେଲା ଏବଂ ଡାକ୍ତରୀ ପଢ଼ିବାର ଯୋଗ୍ୟତା ହାସଲ କରି ପାରିଲା ନାହିଁ | ଅବଶ୍ୟ ଅଜୟ ର ଇଛା ନଥିଲା ଡାକ୍ତରୀ ପଢିବାକୁ ଓ ସେ ଜାଣିଶୁଣି ସେହି ପ୍ରବେଶିକା ପରୀକ୍ଷାରେ ଭଲ କରି ନଥିଲା | ଏ ବିଷୟରେ ମାନସ ଙ୍କୁ ବି ଅଜୟ ର କଥା ବାର୍ତ୍ତାରୁ ଜଣା ପଡିଥିଲା | ପ୍ରଥମେ ମାନସଙ୍କ ମନ ଟିକେ ଦୁଖୀ ହେଲା ଓ ସେ ପରେ ତାକୁ ବୁଝାଇ ଦେଲେ | ହେଲେ ପତ୍ନୀ ସୁନିତା କିନ୍ତୁ ବହୁତ ଦୁଖୀ ହେଇ ଯାଇଥିଲେ ,କାରଣ ତାଙ୍କ ସ୍ୱାମୀଙ୍କ ସେଇ ସ୍ବପ୍ନ ଏବେ ବି ସେମିତି ଦବି ରହିଗଲା | ସୁନିତାଙ୍କୁ ମାନସ ବୁଝାଇ ଦେଲେ ଓ ପୁଅ ଅଜୟର ସବୁଠାରୁ ଭଲ ଯାନ୍ତ୍ରିକ ବିଦ୍ୟାଳୟରେ ନାମ ଲେଖାଇ ଦେଲେ | ସେ ସୁନିତାକୁ କହିଲେ ,'' ଦେଖା ସୁନିତା ,ମୋର ସ୍ୱାର୍ଥ ପାଇଁ ଆମେ ଅଜୟର ମନର ସବୁ ଖୁସିକୁ ଜଳି ପାଉଁଶ କରି ତା ତଳେ ତାର ଯନ୍ତ୍ରୀ ହେବାର ସ୍ୱପ୍ନକୁ ଦବାଇ ଦେବା ଥିଓଙ୍କ ନୁହେଁ | ଏବେ ବି ସମୟ ଅଛି ,କେହି କେହି ତ ମୋର ସ୍ୱପ୍ନକୁ ପୁରା କରିବ |ତୁମେ ଦୁଃଖି ହେବାର ଆଦୌ ଆବଶ୍ୟକ ନାହିଁ |'' ସୁନିତା ବୁଝି ଯାଇଥିଲେ |ଅଜୟ ପାଠ ପଢିଲା ଓ ଚାରି ବର୍ଷ ପରେ ତାଙ୍କ ବିଶ୍ୱବିଦ୍ୟାଳୟରେ ସେ ପ୍ରଥମ ହୋଇ ତାର ଯନ୍ତ୍ରୀ ହେବାର ସ୍ୱପ୍ନକୁ ଆହୁରି ମଜଭୁତ କଲା | ଅଜୟ ଗୋଟିଏ ବହୁତ ବଡ଼ ବହୁରାଷ୍ଟ୍ରୀୟ ସଂସ୍ଥାରେ ଭଲ ଚାକିରୀ ପାଇଗଲା | ମାନସ ଓ ସୁନିତା ବହୁତ ଖୁସି ହେଲେ | ଅଜୟ ଚାକିରୀ କରିବାର ଦୁଇ ବର୍ଷ ଭିତରେ ତା ବାପାଙ୍କ ଘରକୁ ଆହୁରି ସୁନ୍ଦର ଭାବରେ ତିଆରି କଲା | ସେ ଗୋଟିଏ ଚାରି ଚକିଆ ଗାଡି ତା ମା ସୁନିତା ଓ ବାପା ମାନସ ଙ୍କୁ କିଣି ଉପହାର ଦେଲା | ପୁଅର ଏହି ଉନ୍ନତିରେ ଉଭୟ ମାନସ ଓ ସୁନିତା ବହୁତ ଆନନ୍ଦିତ ହେଲେ | ସେମାନେ ଅଜୟର ବାହାଘର ଆରତୀ ସହିତ କରିଦେଲେ | ଆରତୀ ଓ ଅଜୟ ଉଭୟଙ୍କୁ ପାଠ ପଢିଲା ବେଳୁ ଜାଣିଥିଲେ | ଆରତୀ ଏବେ ପାଠ ପଢ ଶେଷ କରି ଅଧ୍ୟାପକ ଭାବରେ କାମ କରୁଛି | ଏବେ ମାନସ ତାଙ୍କ ପରିବାରକୁ ନେଇ ବହୁତ ଖୁସି ଥିଲେ ,କିନ୍ତୁ କେବେ କେବେ ତାଙ୍କର ସେହି ଡାକ୍ତର ହେବାର ସ୍ବପ୍ନ ତାଙ୍କୁ ପ୍ରଶ୍ନ କରୁଥିଲା | ସେ ତାର ଉତ୍ତର ଦେଇ ନପାରି ବହୁତ ଦୁଃଖି ହୋଇ ଯାଉଥିଲେ | ଏକଥା ସୁନିତା ବୁଝି ପାରୁଥିଲେ | ଅଜୟର ବାହାଘରର ଦୁଇ ବର୍ଷ ପରେ ଆରତୀ ଗୋଟିଏ ସୁନ୍ଦର ଝିଅକୁ ଜନ୍ମ ଦେଲା | ବହୁତ ଖୁସିରେ ମାନସ ଓ ସୁନିତା ତାର ନାମ ଶୁଭଙ୍କରୀ ରଖିଲେ | ଦିନକୁ ଦିନ ନାତୁଣୀ ବଢିବାକୁ ଲାଗିଲା | ଶୁଭଙ୍କରୀ ତା ଜେଜେ ଓ ଜେଜେମା ଙ୍କ ସହିତ ପ୍ରାୟ ବେଶୀ ସମୟ ବିତାଉଥିଲା | ମାନସ ତାକୁ ତାଙ୍କ ଜୀବନର ସବୁ କାହାଣୀ ଶୁଣାଉଥିଲେ ଓ ତାକୁ ବହୁତ ସକାରତ୍ମକ ଭାବନା ରଖିବା ପାଇଁ ପ୍ରେରିତ କରୁଥିଲେ | ଶୁଭଙ୍କରୀ ତା ଜେଜେଙ୍କର ସେଇ ଡାକ୍ତରୀ ପଢ଼ିବାର ସ୍ବପ୍ନ ବିଷୟରେ ବି ଶୁଣେ ଓ ଏବେ ବି ତା ଜେଜେ ସେଇ ସ୍ୱପ୍ନକୁ ନେଇ ଆଶା ହରାଇ ନଥିବା ଜାଣି ବହୁତ ଖୁସି ହୁଏ | ଶୁଭଙ୍କରୀ ଯେତେବେଳେ ଦଶମ ପରୀକ୍ଷା ଦେଲା ,ସେତେବେଳେ ମାନସ ତାକୁ ନିଜେ ଘରେ ବସି ପଢ଼ାରେ ସାହାଯ୍ୟ କରୁଥିଲେ | ଶୁଭଙ୍କରୀ ବହୁତ ଭଲ ପାଠ ପଢୁଥିଲା | ସେ ଦଶମରେ ବହୁତ ଭଲ ନମ୍ବର ରଖି ଉତୀର୍ଣ୍ଣ ହେଲା ଓ ବିଜ୍ଞାନରେ ଦ୍ୱାଦଶ ପଢିବାକୁ ଲାଗିଲା | ତାର ବିଜ୍ଞାନ ପ୍ରତି ଆଦର ଓ ଭଲ ପାଇବା ଦେଖି ମାନସ ମାନେ ମାନେ ଭାବୁଥିଲେ ବୋଧେ ତାଙ୍କ ନାତୁଣୀ ଶୁଭଙ୍କରୀ ଡାକ୍ତର ହୋଇ ତାଙ୍କ ସ୍ବପ୍ନ ପୁରା କରିବ | କିନ୍ତୁ କାହାକୁ କିଛି କହୁ ନଥିଲେ | ଦ୍ୱାଦଶ ପଢିବା ସହିତ ଶୁଭଙ୍କରୀ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ, ଏ ବିଷୟରେ ସେ କାହାକୁ କହି ନଥିଲା | ବେଳେ ବେଳେ ମାନସ ତାକୁ ଯେବେ ପଚାରନ୍ତି ଯେ ସେ କଣ ହେବାକୁ ଚାହୁଁଚି | ଶୁଭଙ୍କରୀ କହେ, ''ମୁଁ ସମସ୍ତଙ୍କ ମନକୁ ନିଜର କରିବାକୁ ଚାହେଁ |''ମାନସ କିଛି ବୁଝି ପାରନ୍ତି ନାହିଁ | ଶୁଭଙ୍କରୀ ଦ୍ୱାଦଶ ପରୀକ୍ଷା ଦେଲା ଓ ତା ସହିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ମଧ୍ୟ ଦେଲା | ସେତିକିବେଳେ ମାନସ ଚାକିରିରୁ ଅବସର ନେଇଥିଲେ ଓ ସବୁ କାଗଜ ପତ୍ର ଠିକ ଠାକ କରିବାରେ ଲାଗିବ ଯୋଗୁ ସେଥି ପ୍ରତି ତାଙ୍କର ଧ୍ୟାନ ନଥିଲା |
ଆଜି ମାନସ ଅବସର ନେବା ପରେ ଘରେ ବସି ପତ୍ନୀ ସୁନିତା ସହିତ ଚାହା ପିଉଛନ୍ତି ଓ ଖବରକାଗଜ ଆଣି ଖୋଲି ପଢିବାକୁ ଆରମ୍ଭ କଲେ | ସେତିକି ବେଳେ ଦୂରରୁ ଠିଆ ହୋଇ ଶୁଭଙ୍କରୀ ତା ଜେଜେ ଓ ଜେଜେମା ଙ୍କୁ ଦେଖୁଥିଲା | ଅଜୟ ତାର ତାର ହୋଇ ବାହାରୁଥିଲା କାମରେ ଯିବାକୁ | ବୋହୁ ଆରତୀ ଆଜି ଟିକେ ଡେରିରେ ଯିବ, ତେଣୁ ସେ ରୋଷେଇ ଘରେ ବ୍ୟସ୍ତ | ସେତିକି ବେଳେ ମାନସ ଙ୍କ ଆଖି ସେହି ଖବରକାଗଜର ପ୍ରଥମ ପୃଷ୍ଠାରେ ପଡିଲା | ଦେଖିଲେ ସେଥିରେ ତାଙ୍କ ଗେହ୍ଲି ନାତୁଣୀ ଶୁଭଙ୍କରୀର ଛବି ଓ ଲର୍ଙ୍କହ ହୋଇଛି ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସେ ପ୍ରଥମ ହୋଇଛି | ତା ପରେ ଲେଖା ହୋଇଛି ସେ ମାନସ ଓ ସୁନିତା ଙ୍କର ନାତୁଣୀ ବୋଲି | ମାନସ ଖୁସିରେ ଆତ୍ମହରା ହୋଇ ବଡ଼ ପାଟିରେ କହିଲେ, ''ସୁନିତା ମୋ ସ୍ବପ୍ନ ଆଜି ପୁରା ହୋଇଛି | ତୁମେ କହୁଥିଲ ନା ସ୍ବପ୍ନ କେବେ ମରେନାହିଁ, ସେଇଟା ଏବେ ସତ ହୋଇଛି | ମୋ ଶୁଭଙ୍କରୀ ସବୁ କରି ଦେଖାଇଛି |''ଏତକ କହି ସେ ସେହି ଖବର ସୁନିତାକୁ ଦେଖାଉଥିଲେ ଓ ତାଙ୍କ ଆଖିରେ ଆନନ୍ଦର ଲୁହ ଥିଲା | ସୁନିତା ବି ଦେଖି ଖୁସିରେ କାନ୍ଦି ପକାଇଲେ | ସେତିକିବେଳେ ତାଙ୍କର ନାତୁଣୀ ଶୁଭଙ୍କରୀ ଦୌଡ଼ି ଆସି ମାନସ ଓ ସୁନିତା ଙ୍କ ଆଖିରୁ ଲୁହ ପୋଛି ଦେଇ ତାଙ୍କ ପାଖରେ ଗେହ୍ଲା ହେବାକୁ ଲାଗିଲା | ତା ମୁଣ୍ଡକୁ ଉଭୟ ସୁନିତା ଓ ମାନସ ଆଉଁସି ଦେଉଥିଲେ | ମାନସ ଙ୍କ ପାଟି ଶୁଣି ଅଜୟ ଓ ଆରତୀ ଦୌଡ଼ି ଆସିଲେ ଓ ସବୁ ଶୁଣିଲେ | ସମସ୍ତେ ବହୁତ ଖୁସି ହେଇଗଲେ | ମାନସ କହିଲେ, ''କାଲି ମୁଁ ଗୋଟିଏ ଭଲ ପାର୍ଟି ର ଆୟୋଜନ କରିବି ଓ ମୋର ସବୁ ସାଙ୍ଗ ମାନକୁ ଡାକିବି | ସମସ୍ତେ ଆସି ଦେଖିବେ ଓ ଜାଣିବେ ମୋ ଶୁଭଙ୍କରୀକୁ, ସେ ପ୍ରମାଣ କରି ଦେଇଛି ସ୍ବପ୍ନ କେବେ ମରେନାହିଁ ବୋଲି'' ସମସ୍ତେ ଖୁସିରେ ହଁ କହିଲେ ଓ ସେଥିପାଇଁ ବ୍ୟବସ୍ଥା କରିବାରେ ଲାଗିଗଲେ |
