ସାରାଂଶ
ସାରାଂଶ
ବୁଢା ହେଲେଣି ବୋଲି ନୁହେଁ ମୂଳରୁ ଭାରି ସ୍ୱାଭିମାନୀ ଆଉ ଏକ ଜିଦ୍ଦିଆ ଲୋକ ମୋ ବାପା। ଯାହା ମୁଣ୍ଡରେ ପଶିଥିବ ସେୟା।
ଘରେ ଟିଭି ନଥିଲା। ମୁଁ ସରକାରୀ କଲେଜରେ ଲେକଚରଶିପ ଆରମ୍ଭ କରିଥାଏ। ବାପାଙ୍କୁ ପ୍ରଥମ ଚାକିରୀ କରି ଟିଭିଟିଏ ଗିଫ୍ଟ ଦେଲି। ପ୍ରସନ୍ନ ହେଲେବି ମୋ ପଇସା ମୋତେ ସମୂଳ ସୁଧ ଫେରେଇ ଦେଲେ ବାପା। ରାଗିକହିଲି ଖୁସି ତ? ଆଉ କେବେବି କିଛି ଦେବିନି।
ହେଲା?
ମୋ ବାହାଘର ପାଇଁ କନ୍ୟା ଖୋଜା।
ପାଖ ଗାଁ ଝିଅ ତୃପ୍ତି ଦାଶ ବୋଲି ମଧ୍ୟସ୍ଥି ଦିନେ ଗୋରୀ ସୁନ୍ଦରୀ,ସରକାରୀ ଚାକିରିଆ ଝିଅଟିଏ ଦେଖେଇଦେଇ ଚାଲିଗଲା। ମୁଁ ନିଜକୁ ଗର୍ବିତ ମନେକରି ଗୁଡ଼େ ଖୁସି ହୋଇଗଲି,ପ୍ରଥମ ପସନ୍ଦ ସବୁଠୁ ନିଆରା। ଫୋନରେ ଦି'ପଦ ଲାଜମିଠା କଥା ହେଲୁ... ଜୀବନରେ ତୃପ୍ତି କଣ ପ୍ରଥମ ଥର ପାଇଁ ଅନୁଭବ କଲି।
ତା' ପରେ ଝିଅଟା ଅଚାନକ ବ୍ଲକ କରିଦିଅନ୍ତା କି...!!
ସେପଟେ ବାହାଘର ପ୍ରସ୍ତାବ ଭାଙ୍ଗି ଦେଇ ଆସିଥିଲେ ବାପା।
କହିଲେ କଣ ନା, ଯେଉଁ ଝିଅ ପାଠୋଇ ବୋଲି ଅହଙ୍କାରୀ ଯେ ନଇଁ ଥରେ ନମସ୍କାର ହେଉନି, ଦିନ ନ'ଟା ରେ ଶେଜରୁ ଉଠୁଛି, ରୋଷେଇ ବାସ, ଘର କରଣାରେ ମା' କୁ ସହଯୋଗ କରୁନି, ସେ ପିଲା କାନ୍ଧରେ ଗୋଟେ ଘରର ସମ୍ପୂର୍ଣ ଦାୟିତ୍ୱ ଦେଇଦେବା ମୂର୍ଖାମୀ।
ଶେଷରେ ପଡିଶାଘର ପିଲାଦିନସାଙ୍ଗର ଝିଅ ନୀଳିମାଙ୍କ ସହ ବିବାହ କରାଇଦେଲେ। ଶାବନା ବର୍ଣ, ନାକ କାନ୍ଦୁରି, ଫ୍ରକ ପିନ୍ଧି କାଲି ଆମ ବାଡିରୁ ଲେମ୍ବୁ ତୋଳୁଥିବା ନିଲି ମୋ ସ୍ତ୍ରୀ ହବ ଶୁଣି ମୋ ହାତରୁ ଫୋନ ଖସି ପଡିଲା।
ହେଲେ ବାପାଙ୍କ ନିର୍ଣ୍ଣୟ ଆଗରେ ଆମ ସମୟରେ ମୁହଁ ଖୋଲିବା ମନାଥିଲା।
ନୀଳିମା ପୂଜା ପର୍ବ, ଗୁରୁ ଗୁରୁଜନଙ୍କୁ ସମ୍ମାନ, ଘର କରଣା ସବୁଥିରେ ପାରଙ୍ଗମ। ଭୁବନେଶ୍ୱର ପରି ଖର୍ଚ୍ଚବହୁଳ ସହରରେ ସ୍କୁଲ ଚାକିରୀ କରି ଦି'ପଇସା ସାହାଯ୍ୟ କରି ଦିଅନ୍ତି। ଆମର ଝିଅଟିଏ। ମୋ ସଂସାର ହସୁଛି ଆଜି ନୀଳିମାଙ୍କ ପାଇଁ।
ହେଲେବି ଜୀବନରେ ତୃପ୍ତି ଅତୀତର ଅଜଣା ଗଳିରେ କେଉଁଠି ଛାଡି ଆସିଲା ପରି ଲାଗୁଥାଏ। ସବୁଥାଇ କିଛି ନଥିଲା ପରି।ଲୁଣି ସମୁଦ୍ର ଯେଡ଼େ ବିଶାଳ ହେଲେବି ତୃଷ୍ନା ମେଣ୍ଟାଇବା ପାଇଁ ସକ୍ଷମ ନୁହେଁ।
ଏସବୁ ଅଠେଇଶ ବର୍ଷ ପୁରୁଣା କଥା।
ରାଜକନିକାରେ ଉଭୟ ବାପା ଏବଂ ଶ୍ୱଶୁର ରହୁଥିଲେ। ଶେଷରେ ବୋଉ ଚାଲିଯିବା ପରଠୁଁ ବାପା ନିଜ ଛୋଟ ଘରେ ଆଳି ମାଳିକାରେ ଦୈନ୍ୟ ଅବସ୍ଥାରେ ପଡି ରହିଛନ୍ତି। ସହସ୍ରଥର ଆଣି ଆସିବାକୁ ଚେଷ୍ଟା କରି ଥକିଲି। ଭୀଷ୍ମ ପ୍ରତିଜ୍ଞା ଆସିବେନି ମୋ ପାଖକୁ ମାନେ ଆସିବେନି।
କହନ୍ତି,
"ତୁମେ ପିଲାମାନେ ଦିନ ସାରା ବାହାରେ, ସଂଧ୍ୟା ରେ ଫେରିବ, ମୁଁ କଣ ଖାଲି ଘରଟା ଭିତରେ ଆକାଶକୁ ଚାହିଁ ପଡିରହିଥିବି?"
ଏବେ ଏବେ ଗାଁ ରେ ଝିଅ ବାହାଘର ସାରି ଆସିଲି,
ହଁ,.... ଗାଁ ରେ.. କାହିଁକିନା ବାପା ଟିକେ ଦେଖିବେ ବୋଲି। ମୋ ସ୍ତ୍ରୀ ନୀଳିମାବି ନିଜ ବିଧବା ମା'ଙ୍କୁ ଅନେକ ଦିନ ପରେ ଦେଖିବାକୁ ରଙ୍କ। ମୋ ବାପାଙ୍କଠୁଁ ଦଶବର୍ଷ ବଡ଼ ମୋ ଶାଶୁ। ବାପାଙ୍କୁ ସେ ସାନଭାଇ ପରି ଭଲ ପା'ନ୍ତି। ଝିଅ ବାହାଘର ଅବସରରେ ଏକାଠି ହେଲେ।
ପୁରୁଣା କଥା ମନେ ପକାଇ ଉଭୟ ସମୁଦୀ ସମୁଦୁଣୀ ପାଖାପାଖି ବସି ଗୁଡ଼େ କନ୍ଦାକଟା କଲେ। ତାଙ୍କ ଦୁଃଖରେ ଆମେ କଣ ଆକାଶବି ଚିପୁଡ଼ି ହୋଇ କାନ୍ଦିଲା ସେ ରାତି। ବାହାଘର ଦିନ କିନ୍ତୁ ସମସ୍ତେ ଖୁସିରେ ଆଶୀର୍ବାଦ କରି ଝିଅକୁ ତା'ଘରେ ଛାଡି ଆସିଲୁ।
କାମକାର୍ଯ୍ୟ ବାହାନାରେ ଅନେକ ଦିନପରେ ଘରଲୋକଙ୍କ ସହ ସାକ୍ଷାତ। ଗାଁ ସାହି ଭାଇ ରେ ଟୁଁଗୁରୁ ଟୁଁଗୁରୁ ଛୁଆମାନେ ଉଚ୍ଚତାରେ ବଢ଼ି ଗଲେଣି। ଆଉ ହାତପା'ନ୍ତାରେ ନାହାନ୍ତି। ମୋ ସହିତ ମୋ ବଡ଼ଷଢ଼ୁବି ବାର୍ଦ୍ଧକ୍ୟଗ୍ରସ୍ତ।
ଫୋନରେ କଥା ହେଲାବେଳେ ଲାଗନ୍ତି ପଚିଶବର୍ଷର ଗଜା ଟୋକା ଯେମିତି। ଇଂଲିଶ ଶୁଣିଲେ କିଏ କହିବେନି ନିପଟ ମଫସଲ ଲୋକ !!
ଫୋନ ଆଉ ସତ ଦୁନିଆ ଭିତରେ ଅନେକ ପାର୍ଥକ୍ୟ। ମଝିରେ ମଝିରେ ଯାଇ ଦୁଃଖ ସୁଖ ହେଇ ଆସିବାରେ ଆତ୍ମିକ ଖୁସିଥାଏ।
ଶ୍ୱଶୁର ଚାଲିଗଲା ପରେ ତାଙ୍କ ପୁଅ ନଥିବାରୁ ଷଢ଼ୁହିଁ ଶାଶୁଙ୍କ ସେବା କରି ଆସୁଛନ୍ତି।ଆକ୍ସିଡେଣ୍ଟ ହୋଇ ଡାହାଣ କାନ୍ଧ ଖସିଯାଇଛି ଆହାଃ!! କିଛି ଜଣାଉ ନାହାନ୍ତି। ମନ ଖରାପ ହେଲା।
ଝିଅ ଜ୍ୱାଇଁଙ୍କୁ ବିଦା କଲା ପରେ ଭୁବନେଶ୍ୱର ଫେରି ଆସିଲୁ। ଘରଟା ଶ୍ରୀହୀନ। ବାପାଙ୍କ କଥା ଭାବି ରାତିସାରା ମୁଁ ଛଟପଟ। ନୀଳିମା ଭୋରୁ ଉଠି ସ୍କୁଲ ପାଇଁ ରେଡି ହେଉଥାନ୍ତି। ଦେଖିଲି, ତାଙ୍କ ଲୁହରେ ତକିଆ ଭିଜିଛି। ଝିଅ ବିଦା ପାଇଁ କି ମା' ପାଇଁ କେଜାଣି? ତାଙ୍କ ଫୋନ ହାତ ପାଖରେ ଥିଲା। ୱାଟସ ଆପରେ ରାତି ତିନିଟା ପନ୍ଦରରେ ଲେଖିଛନ୍ତି,
"ନାନୀ, ବୋଉପାଇଁ ବ୍ୟସ୍ତ ହବୁନି। ଭାଇନାଙ୍କ ଦେଖାଶୁଣା କର। ଡାକ୍ତର ତିନି ମାସ ପାଇଁ ତାଙ୍କୁ ବେଶୀ ଚଳ ପ୍ରଚଳ ନ କରିବାକୁ ପରାମର୍ଶ ଦେଇଛନ୍ତି, ମୁଁ ବୋଉକୁ ବେଶୀ ନହେଲେ ତିନି ମାସ ପାଇଁ ଆଣିବାକୁ ୟାଙ୍କୁ ମନେଇବି।"
ଉପରଓଳି ବାପା ଆଉ ଶାଶୁ ଦୁହିଁଙ୍କୁ ମନେଇ ଭୁବନେଶ୍ୱର ଆଣି ଆସିଲି। ସ୍କୁଲରୁ ଫେରି ମା' ଆଉ ଶ୍ୱଶୁରଙ୍କୁ ଦେଖି ନୀଳିମା ତାଜ୍ଜୁବ ହୋଇଗଲେ। ଷଢ଼ୁ ଙ୍କୁ ଫୋନ କରି କହିଦେଲି ଶାଶୁ ଏଥର ଆମ ପାଖରେ ରହିବେ।
ବାପା କହିଲେ, "ଆରେ ପ୍ରଦୀପ, ମୋ ଖାଇବା, ଔଷଧ କଥା ଚିନ୍ତା କରନି, ରାଜକନିକା ଘର ଭଡା ଲଗେଇଦେ...ପଇସାତୋ ଆକାଉଣ୍ଟରେ ଜମା ହେଇଯିବ।"
ବାପାଙ୍କ ଅବୁଝା ମନ... କଣ କହିବି, ହସିଦେଲି। ଆମେ ସବୁଦିନ ଘରୁ ଚାଲି ଆସିଲା ପରେ ଛାତ ଉପରେ ସେମାନେ ମନଭରି କାନ୍ଦୁଥିଲେ, ଗପୁଥିଲେ, ଗଛର ଯତ୍ନ ନେଉଥିଲେ, ସଂସ୍କାର ଚ୍ୟାନେଲ ଲଗାଇ କଥା,ପୁରାଣ ଶୁଣୁଥିଲେ। ଜିଦି କରୁଥିଲେ, ମନେଇ ଖୁଆଇ ଦେଉଥିଲି। ତୃପ୍ତିଦାଶ କୁ ନ ପାଇ ବାର ଅତୃପ୍ତି କଥା ମନେ ପକାଇ ଝଗଡା କରୁଥିଲି। ସ୍କୁଲ କଥା କଲେଜ କଥା ଗପି ଗପି ଶୁଆଇ ଆସିଲା ପରେ, ଶେଜକୁ ଯାଉଥିଲି। ନୀଳିମାଙ୍କ ଖୁସି କହିଲେ ନ ସରେ।
ଝିଅ ବାହାଘର ପରେ ଭାବୁଥିଲି ତୀର୍ଥ କରିବି। ମୋ ଘର କିନ୍ତୁ ପବିତ୍ର ଧାମଟିଏ ହୋଇ ଯାଇଥିଲା। ବାପା ମା' ଙ୍କ କୋଳରୁ ବାପାମା'ଙ୍କୁ କୋଳ କଲାଯାଏ ହସଲୁହର ଅଙ୍କା ବଙ୍କାଏକଯାତ୍ରା- ଶେଷରେ ଏକ ତୃପ୍ତିପୂର୍ଣ୍ଣ ପରିସମାପ୍ତି.... ଏଇତ ଜୀବନର ସାରାଂଶ।
