Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Banabihari Mishra

Comedy

3  

Banabihari Mishra

Comedy

ସାହିତ୍ୟ ଶିକ୍ଷା

ସାହିତ୍ୟ ଶିକ୍ଷା

6 mins
45


ସକାଳୁ ସକାଳୁ ଉଠି ଝାଡା ଝପଟ ସାରି ଛଅ ସାତ କିଲୋମିଟର ଚାଲିବା ମୋର ଏକରକମ ଅଭ୍ୟାସରେ ପଡିଗଲାଣି। ତା ସାଙ୍ଗରେ ପ୍ରାତଃ ଭ୍ରମଣରୁ ଫେରି ଘର ପାଖ ବଜାରରେ କାଳିଆ ଚାହା ଦୋକାନରେ ଚାରି ପାଞ୍ଚଜଣ ସାଙ୍ଗଙ୍କୁ ନେଇ ଅଧଘଣ୍ଟା ଗୁଲିଖଟି କରିବା ମଧ୍ୟ ଅଭ୍ୟାସରେ ପଡିଯାଇଥାଏ। ଏଇମିତି ସକାଳ ଓଳି ପ୍ରାୟ ଦେଢଘଣ୍ଟା କଟିଯାଏ। 

ସେଇ ଚାହା ଦୋକାନରେ ଢିଙ୍କି ଶାଳରୁ ଢେଙ୍କାନାଳ ଯାଏ ପାଇଖାନାରୁ ପାର୍ଲିଆମେଣ୍ଟ ଯାଏ ସବୁକଥା ପଡେ। ସେଥିରେ ଥାଏ କିଛି ନିଜସ୍ଵ କଳ୍ପନା ପ୍ରସୂତ କଥା, କିଛି ମସଲାଦିଆ ଚଟପଟା ଖବର, ସାମ୍ପ୍ରତିକ ଖବରର ଜ୍ଞାନଗର୍ଭକ ବିଶ୍ଳେଷଣ ଆଉ ଅନେକ ପ୍ରକାରର ମଜାଳିଆ କଥା। ଯଦିଓ ଏ ସବୁ କଥାରେ ମୁଁ ସକ୍ରିୟ ଅଂଶଗ୍ରହଣ କରି ନଥାଏ, ତଥାପି ସାଙ୍ଗମାନଙ୍କ ଗହଣ ଛାଡି ନପାରିବାର ମୋହ ଆଉ ଘରକୁ ଗଲେ ଘରଣୀଙ୍କର ଏଟା ଆଣ, ସେଟା ରଖ ଆଦି କାମ ବରାଦର ଭୟ ଯୋଗୁଁ ଅଧଘଣ୍ଟା ସମୟ ସେଠି କାଟିଦେଲେ ସବୁ ସମସ୍ୟାରୁ ମୁକ୍ତି। 

ଆମ ଭିତରୁ ପଦିଆଟା ବେଶି ନକଲିଆ। ତା କଥାଗୁଡା ଏମିତି ଯେ ନ ହସିଲା ଲୋକ ହସିବ। ଏଇଟା ଗୋଟେ ଈଶ୍ବରଦତ୍ତ କଳା। ସେଇଥିପାଇଁ ପରା କହନ୍ତି, କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। ଏଡେ ଛୋଟିଆ କଥାକୁ ଏମିତି ବାଗେଇ ବନେଇ ଚୁନେଇ କହିବ ଯେ ହସି ହସି ମଣିଷ ପେଟବଥା ହେଇଯିବ। ତାର ମୁଖଭଙ୍ଗୀ, କଥା କହିବାର ଶୈଳୀ ଆଉ ହାତହଲାର ଗୋଟେ ନିଆରାପଣ ଥାଏ। ବୟସ ପଚାଶ ଛୁଇଁଲାଣି, ମୁଣ୍ଡରେ କୋଶଳା କିଆରୀଟା କାଜୁ ପ୍ଲାଣ୍ଟେସନ ହେଇଗଲାଣି। ତଥାପି ରସିକତା ଯାଇନି। ହଁ, ତା ମୁଣ୍ଡରେ ଚକୁଳି ପିଠା ଆକୃତିର ଚନ୍ଦାଟାକୁ ସାମନା ବାଳକୁ ବଢେଇ ଢାଙ୍କି ରଖିବାର ବିଫଳ ପ୍ରୟାସ କରିଥାଏ ଯାହା ଆହୁରି ହସର ଖୋରାକ ଯୋଗାଇଥାଏ। ଦରପାକଲା ନିଶ ସାଙ୍ଗକୁ ମୋଟା ଫ୍ରେମର ଚଷମା ତା ମୁହଁରେ ବଡ ଅଦ୍ଭୁତ ଦେଖାଯାଏ। ସେଇଥିପାଇଁ ଆମ ମଣ୍ଡଳୀରେ ତାର କାଟତି ଟିକେ ବେଶି। ସିଏ ଯୋଉଦିନ ମଣ୍ଡଳୀରେ ହାଜିରା ନପକାଏ, ସେଦିନ ମଣ୍ଡଳୀରେ ମଜା ନଥାଏ। ସମସ୍ତେ ଶୀଘ୍ର ଘରକୁ ଫେରି ଯାଆନ୍ତି। ଅବଶ୍ୟ ପଦିଆ ଓରଫ ପଦ୍ମନାଭ ଆମ ଗୁଲିଖଟି ମଣ୍ଡଳୀରେ ଅନୁପସ୍ଥିତ ରହିବାର ଖୁବ୍ କମ ନଜିର ଅଛି। ଯୋଉଦିନ ସିଏ ନଆସେ, ସେଦିନ ସଞ୍ଜବେଳେ ଆମେ ସବୁ ତା ଘରେ ପହଞ୍ଚି ଯାଉ। ଯାହା ହେଲେ ବି ବୟସ ହେଲାଣି। କାଳେ କିଛି ଦେହପା ଖରାପ ହେଲା କି? 

ଆଜି ପଦିଆ କେମିତି ଉଦାସ ଥିଲାଭଳି ଲାଗୁଥିଲା। ହସଖୁସିଆ ମଣିଷଟା ଏମିତି ମୁହଁ ଶୁଖିଲା କରି ରହିବା କାହାକୁ ଭଲ ଲାଗିବ ଯେ? ମୁଁ ପଚାରିଲି, "କ'ଣ ହେଇଛି କି ପଦିଆ, ଏମିତି ମୁହଁଟାକୁ ଧାନଉଁଷା ହାଣ୍ଡି ଭଳି କରିଛୁ କାହିଁକି?" 

-- "କହନା ଭାଇ, ସିଏ ଗୋଟେ ବଡ ଅଘଟଣ।"

ପଦିଆ କହୁଥିଲା, ତାଙ୍କ ଘରକୁ ପିଲାଙ୍କୁ ଟିଉସନ କରିବା ପାଇଁ ଆସୁଥିବା ସେ ତନୁପାତଳୀ ଝିଅଟା ଆଜିଠୁ ଆଉ ଆସିବନି। ମିସେସ କହୁଛନ୍ତି, ତାକୁ କୁଆଡେ ପାଠ ପଢେଇ ଆସୁନି। ସବୁ ଭୁଲଭାଲ ପଢୋଉଛି।

ମୁଁ ଜାଣିଥିଲି ପଦିଆ ଘରକୁ ଟିଉସନ ପଢେଇବାକୁ ଆସୁଥିବା ସେ ଝିଅଟା କନଭେଣ୍ଟ ସ୍କୁଲରେ ପଢୁଥିଲା। ପରିବାରର ଆର୍ଥିକ ଦୁରାବସ୍ଥା ହେତୁ ବେଶି ପଢିପାରିଲା ନାହିଁ। ବାପା ନାହିଁ, ଘରେ ରୋଗୀଣା ମାଆ ଆଉ ସାନଭାଇ। ଭାଇଟା ଭଲ ପଢେ। ସେଇଆକୁ ମଣିଷ କରିବାକୁ ଅଦମ୍ୟ ଚେଷ୍ଟା ଚଳେଇଛି। ମୁଁ ସେ ଝିଅଟିକୁ ଆଗରୁ ଜାଣିଥିଲି। ପ୍ରକୃତରେ ମୋରି କହିବା ଅନୁଯାୟୀ ପଦିଆ ସେ ଝିଅଟାକୁ ତା ସପ୍ତମ ଶ୍ରେଣୀରେ ପଢୁଥିବା ପୁଅ ଆଉ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଝିଅଙ୍କୁ ଟିଉସନ କରିବାକୁ କହିଥିଲା। 

କଥାଟା କ'ଣ ସବିଶେଷ ଜାଣିବା ପାଇଁ ମୁଁ ପଦିଆକୁ ଆଶ୍ବାସନା ଦେଇ କହିଲି, "ହଉ, ଆଜି ସଞ୍ଜବେଳେ ମୁଁ ତୁମ ଘରକୁ ଯିବି। କଥାଟା କ'ଣ ହେଇଛି, ବୁଝିବା।" ପ୍ରକୃତରେ ପଦିଆ ସେ ଝିଅ ସମ୍ବନ୍ଧରେ ମୋଠାରୁ ଶୁଣିଥିଲା। ସେଇଥିପାଇଁ ତା ପ୍ରତି ଗୋଟେ ସମବେଦନା ତା ମନରେ ଥିଲା। ତାକୁ ଟିଉସନ ଛଡେଇ ଦେବା କଥା ଶୁଣି ଦୁଃଖ କରୁଥିଲା। ଆଉ ତାଛଡ଼ା ଟିଉସନ ବିନା ଏ ପିଲା ଦି'ଟା ଜମାରୁ ପାଠଶାଠ ପଢିବେନି। ଦିନସାରା ଖାଲି ମୋବାଇଲ ଆଉ ଟିଭି। ବାଳୁଙ୍ଗା ହେଇଯିବେ। ସେଥିପାଇଁ ଘରେ ସବୁବେଳେ କଟର କଟର ଲାଗିବା ନିଶ୍ଚିତ। ପିଲାଙ୍କୁ ମଣିଷ କରିବା ପାଇଁ ପୁଣି ଗୋଟେ ଟିଉସନ ମାଷ୍ଟ୍ର ଯୋଗାଡ କରିବା ଦାୟିତ୍ୱ ତାରି ଉପରେ ପଡିବ।

ମନରେ ମୋର ଉତ୍କଣ୍ଠା ବଢ଼ିବାରେ ଲାଗିଥାଏ। ସଞ୍ଜ ଯେତିକି ପାଖେଇ ଆସୁଥାଏ ସେତିକି ମନ ବିଚଳିତ ଲାଗୁଥାଏ। ପ୍ରତିକ୍ଷିତ ସମୟ ଆସିଗଲା। ପଦିଆ ଘରଆଡେ ବାହାରିଲି। ସେଠି ପହଞ୍ଚି ପ୍ରାଥମିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିଚର୍ଯ୍ୟା, ଚା ପର୍ବ ପରେ ମୁଁ ପ୍ରକୃତ କଥାଟା ସିଧାସଳଖ ଆରମ୍ଭ କରିଦେଲି। କୌଣସି ଗୌରଚନ୍ଦ୍ରିକା ନଦେଇ ପଦିଆ ମିସେସଙ୍କୁ ପଚାରିଲି, "ଭାଉଜ, ମୁଁ ଶୁଣୁଛି ତୁମେ କୁଆଡେ ମୀନାକୁ ଟିଉସନ କରିବା ପାଇଁ ମନା କରୁଛ। କାରଣଟା କ'ଣ? ସିଏ ତ ଭଲ ପଢାଏ। ଆଉ ତାଛଡା ଗରିବ ଘର ଝିଅଟା। ଏ ବର୍ଷ ଅଧାରୁ ତା ଟିଉସନ ବନ୍ଦ କରିଦେଲେ ସେ ତା ଭାଇର ପଢା, ତା ରୋଗୀଣା ମାଆର ଚିକିତ୍ସା କରିବ କେମିତି? ଅନ୍ତତଃ ଏ ବର୍ଷଟା ସରିଯାଉ। ଆଉ ମାତ୍ର ଚାରିଟା ମାସ। ଷାଣ୍ମାସିକ ପରୀକ୍ଷାରେ ପିଲାଙ୍କର ଫଳ ତ ଭଲ ହେଇଥିଲା। ତେବେ ଅସୁବିଧା ରହିଲା କୋଉଠି?

ପଦିଆ ମିସେସ କହିଲେ, "ଆପଣ ଜାଣିନାହାନ୍ତି। ସେ ଝିଅଟା ସବୁ ଭୁଲଭାଲ ପଢୋଉଛି। ପଅରିଦିନ ମୁଁ ପ୍ରଧାନ ବାବୁଙ୍କ ଘରକୁ ଯାଇଥିଲି। ତାଙ୍କ ଘରକୁ ଜଣେ ଟିଉସନ ପଢେଇବାକୁ ଆସୁଛନ୍ତି। ସିଏ ପାଖରେ କୋଉ ଗୋଟେ ସ୍କୁଲରେ ଶିକ୍ଷକ। ଭାରି ଭଲ ପଢୋଉଛନ୍ତି। ପ୍ରଧାନ ବାବୁଙ୍କ ବଡପୁଅ ଆମ ପୁଅ ସାଙ୍ଗରେ ସପ୍ତମ ଶ୍ରେଣୀରେ ପଢେ। ତାଙ୍କ ସାନପୁଅ ମଧ୍ୟ ଆମ ଝିଅ ସାଙ୍ଗରେ ପଞ୍ଚମ ଶ୍ରେଣୀରେ ପଢୁଛି। ସେଦିନ ମୁଁ ଗଲାବେଳେ ସିଏ ତାଙ୍କ ବଡ଼ପୁଅକୁ ବୁଝୋଉଥିଲେ,'ଧିରେ ଘେନ କାନନରେ କୃଷ୍ଣ ବିଳମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ।' ଅର୍ଥ କହିଲେ,'ହେ ନରେ! ଧୀରେ କାନରେ ଶୁଣ। କୃଷ୍ଣ ଡେରିରେ ଉଠିବାରୁ ବଣକୁ ଯାଇନାହାନ୍ତି। ସେଇ ବତ୍ସା, ମାନେ ବାଛୁରୀମାନଙ୍କ ପ୍ରତି ମମତା ହେତୁ ମାତା ଯଶୋଦା କାନ୍ଦୁଛନ୍ତି।' କେତେ ସୁନ୍ଦର ବୁଝୋଉଥିଲେ କହିଲେ। 

ସେତେବେଳକୁ ମୁଁ ଭିତରେ ଭିତରେ ଖୁବ୍ ହସୁଥିଲି। ଯଦି ମଝିରେ ହସିଦେଇଥାଆନ୍ତି ତେବେ ମାଷ୍ଟରଙ୍କ ବ୍ୟାଖ୍ୟା ଯାହା ପଦିଆ ମିସେସଙ୍କ ମୁହଁରୁ ନିଃସୃତ ହେଉଥିଲା ତାହା ସମ୍ପୂର୍ଣ୍ଣ ଶୁଣିବାରେ ଅକ୍ଷମ ହୋଇଥାଆନ୍ତି। ତାପରେ ପୁଣି ପଦିଆ ମିସେସ ମାନେ ଯାହାଙ୍କୁ ମୁଁ ଭାଉଜ ଡାକେ, ରାଗିବାର ବି ବହୁତ ସମ୍ଭାବନା। ସେତେବେଳକୁ ଘର ଭିତରୁ ପକୁଡି ଛଣାହେବାର ସୁଗନ୍ଧ ଆସୁଥିଲା। ଯଦି ପଦିଆ ମିସେସଙ୍କୁ ରଗେଇଦେବି, ସେ ପକୁଡି ବି ଦୂରେଇ ଯିବାର ଅନେକ ସମ୍ଭାବନା ଯାହା ଆଦୌ ଉଚିତ ହେଇ ନଥାନ୍ତା। ତେଣୁ ଯଥାସମ୍ଭବ ପ୍ରୟାସ କରି ଅଗତ୍ୟା ହସକୁ ଚାପିରଖି ଚୁପ ରହିଲି। ସେଇଠୁ ମୁଁ ପଦିଆକୁ ନେଇ ସେ ମହାନ ମାଷ୍ଟ୍ରଙ୍କ ଦର୍ଶନ କରି ନିଜକୁ ଧନ୍ୟ କରିବା ପାଇଁ ସ୍ଥିର କଲି।

କିଛି ସମୟପରେ ଗରମାଗରମ ପକୁଡି ଆସିଗଲା। ପରମ ଆହ୍ଲାଦରେ ସେତକ ଗର୍ଭସ୍ଥ କରି ଚା' ପାନରେ ଆପ୍ୟାୟିତ ହେଲାପରେ ପଦିଆ ଆଉ ମୁଁ ପ୍ରଧାନ ବାବୁଙ୍କ ଘର ଆଡ଼କୁ ବାହାରିଲୁ। ସେତେବେଳକୁ ସମୟ ପ୍ରାୟ ସନ୍ଧ୍ୟା ସାତଟା ହେଲାଣି। ମାଷ୍ଟ୍ରଙ୍କ ଟିଉସନ ଆସିବା ସମୟ ହେଇଗଲାଣି। ତେଣୁ ଯଥାସମ୍ଭବ ଚାଲିବାର ବେଗ ବଢେଇ ଆମେ ଦୁଇଜଣ ପ୍ରଧାନ ବାବୁଙ୍କ ଘରେ ପହଞ୍ଚିଲୁ।

ଆଦର ସତ୍କାର ସରିବା ପରେ ଆମେ ମାଷ୍ଟ୍ରଙ୍କ ପାଠପଢା ଆଡେ ଧ୍ୟାନ ଦେଲୁ। ସେଦିନ ସେ ପ୍ରଧାନ ବାବୁଙ୍କ ସାନପୁଅ ମୁନାକୁ ପଢୋଉଥିଲେ, 'ଘୁରେ ଆମ ପୃଥିବୀଟି ଚକାଚକା ଭଉଁରୀ, ଘୁରୁଛି ସେ କେଉଁକାଳୁ ଘୁରୁଥିବ ଆହୁରି।' ମାଷ୍ଟ୍ରେ ଟିକେ ବୟସ୍କ। ଏଇ ସତାବନ କି ଅଠାବନ ହେବ। ମାଷ୍ଟ୍ରେ ବୁଝୋଉଥିଲେ, 'ମୁନା, ଏ ଗୀତରେ ଯାହା ଲେଖାଯାଇଛି, ସେସବୁ ଭୁଲ କଥା। କବି ତ, ଯାହା ମୁଣ୍ଡକୁ ଆସିଲା, ଲେଖିଦେଲେ। ଗୀତରେ ଲେଖାହେଇଛି, ପୃଥିବୀ ଘୁରୁଛି। କିରେ, ପୃଥିବୀ ଯଦି ଘୁରୁଥାଆନ୍ତା, ତେବେ ଆମେସବୁ ଠିଆ ହୁଅନ୍ତେ କେମିତି? ପଡି ଯାଆନ୍ତେନି। ଏ ଘର, ଏ ଗଛଲତା ସବୁ ତ ଘୁରନ୍ତା। ଗୀତରେ ସିନା ଲେଖି ଦିଆଯାଇଛି, କିନ୍ତୁ ପ୍ରକୃତରେ ପୃଥିବୀ ସ୍ଥିର ରହିଛି, ଆଉ ସୂର୍ଯ୍ୟ ତା ଚାରିପଟେ ଘୁରୁଛି।"

ମୋ କାନମୁଣ୍ଡ ସେତେବେଳକୁ ଭାଁ ଭାଁ ହୋଇଯାଉଥାଏ। ଏମିତି ପାଠପଢା! ମୁଁ ଆଉ ପଦିଆ ଆଶ୍ଚର୍ଯ୍ୟ ହେଇ ଯାଇଥିଲୁ। ମତେ ଲାଗିଲା, ଏ ମାଷ୍ଟ୍ରେ ଯେମିତି ଗାଲିଲିଓଙ୍କ ଯୁଗର। 'ସୂର୍ଯ୍ୟ ସ୍ଥିର ଆଉ ପୃଥିବୀ ତା ଚାରିପଟେ ଘୁରୁଛି' ବୋଲି କହିଥିବାରୁ 'ପୃଥିବୀ ସ୍ଥିର, ସୂର୍ଯ୍ୟ ତା ଚାରିପାଖରେ ଘୁରୁଛି' ବୋଲି ବିଶ୍ଵାସ କରୁଥିବା ଲୋକମାନଙ୍କ ଭିତରୁ ଏ ମାଷ୍ଟ୍ରେ ଜଣେ ହେଇ ଗାଲିଲିଓଙ୍କୁ କାରାଗାରରେ ବନ୍ଦୀ କରି ରଖିଥିଲେ ଆଉ ପ୍ରାଣଦଣ୍ଡ ଦେଇଥିଲେ। ମହାକାଶ ବିଜ୍ଞାନର ସମସ୍ତ ପ୍ରତିପାଦିତ ତଥ୍ୟକୁ ମାଷ୍ଟ୍ରେ ଭୁଲ ପ୍ରମାଣିତ କରିଦେଉଥିଲେ। ମନେ ମନେ ବିରକ୍ତ ହୋଇ ଆଉ ତାଙ୍କ ସହ କୌଣସି କଥା ହେବାର ଯୌକ୍ତିକତା ନାହିଁ ବୋଲି ମୁଁ ଅନୁଭବ କରୁଥିଲି।

ପଦିଆ ପଚାରିଲା, "ସାର୍, ଆପଣ କେତେ ଭୁଲ୍ ଭାବରେ ପଢୋଉଛନ୍ତି। ଆମ ପୃଥିବୀ ତ ସୂର୍ଯ୍ୟ ଚାରିପଟେ ଘୁରୁଛି। ସୂର୍ଯ୍ୟ ସ୍ଥିର। ପୃଥିବୀ ନିଜ ଚାରିପଟେ ଘୁରୁଛି ଆଉ ସୂର୍ଯ୍ୟ ଚାରିପଟେ ଗୋଟିଏ ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରୁଛି। ନିଜ ଚାରିପଟେ ଘୁରିବା ଯୋଗୁଁ ଦିନରାତି ହେଉଛି ଆଉ ସୂର୍ଯ୍ୟ ଚାରିପଟେ ଘୁରିବା ଯୋଗୁଁ ଋତୁ ପରିବର୍ତ୍ତନ ହେଉଛି। ଗୋଟିଏ ପରେ ଗୋଟିଏ ଋତୁ ଆସୁଛି। ପିଲାମାନଙ୍କୁ ଏମିତି ଭୁଲ୍। ପଢାଇବା ଦ୍ଵାରା ଆପଣ ସେମାନଙ୍କର କ୍ଷତି ହିଁ କରୁଛନ୍ତି।"

ମାଷ୍ଟ୍ରେ ଭୟଙ୍କର ଭାବରେ ଉତ୍କ୍ଷିପ୍ତ ହୋଇପଡିଲେ। କହିଲେ, "ପୃଥିବୀ ଯଦି ଘୁରୁଥାଆନ୍ତା ଆମେ ପଡି ଯାଉନାହାନ୍ତି କାହିଁକି? ଆମେ ନିଇତି ଦେଖୁଛୁ ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଉଛନ୍ତି। ତେବେ ସୂର୍ଯ୍ୟ ଘୁରୁଛି ନା ପୃଥିବୀ ଘୁରୁଛି?" ମୁଁ ମଝିରେ ପଶି ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲି। "ରେଳଗାଡିରେ ଯାଉଥିଲା ସମୟରେ ଗଛଲତାମାନେ ପଛ ଆଡକୁ ଧାଇଁଲା ପରି ଦେଖାଯାଆନ୍ତି। ତେବେ କ'ଣ ଗଛଲତାମାନେ ସତରେ ପଛ ଆଡକୁ ଦୌଡନ୍ତି?" ଯେତେ ପ୍ରକାରର ଉଦାହରଣ ଦେଇ କହିଲେ ବି ମାଷ୍ଟ୍ରେ ବୁଝିବାକୁ ନାରାଜ। ସବାଶେଷରେ ମାଷ୍ଟ୍ରେ କହିଲେ, "ହଉ, ଯଦି ଆପଣ କହୁଛନ୍ତି ତେବେ ପୃଥିବୀ ଘୁରୁଥାଉ। ସିଏ ଖାଲି ଆପଣଙ୍କ ପାଇଁ ଘୁରୁଥିବ। ମୁଁ ଘରକୁ ଗଲେ ମୋ ଘରେ ପୃଥିବୀ ସ୍ଥିର। ସେଠି ସୂର୍ଯ୍ୟ ଘୁରିବ। ସେଦିନ ଆମ ସ୍କୁଲକୁ ଇନସ୍ପେକ୍ଟର୍ ଆସିଥିଲେ। ସିଏ ମଧ୍ୟ ଏଇକଥା କହୁଥିଲେ। ହେଲେ ମୋ ମନ ଜମାରୁ ମାନିଲା ନାହିଁ। ମୁଁ ସଫା ସଫା କହିଦେଲି, ହଉ ଆଜ୍ଞା, ଆଉ ଛଅମାସ ଆପଣଙ୍କ କଥାରେ ମୁଁ ପୃଥିବୀକୁ ଘୁରେଇବି। ତା'ପରେ ମୁଁ ରିଟାୟାର୍ କରିବି। ସେତେବେଳେ ମୋ ପୃଥିବୀ ମୋ ପାଇଁ ସ୍ଥିର ହେଇଯିବ।"

ଆଉ ଅଧିକ ଯୁକ୍ତିତର୍କ କରିବା ନିହାତି ଅସଂଗତ ଓ ଅନାବଶ୍ୟକ ଲାଗୁଥିଲା। ତେଣୁ ପଦିଆ ସାଙ୍ଗରେ ଘରକୁ ଫେରିଲି।

କହିବା ବାହୁଲ୍ୟ, ତା'ପରଠାରୁ ପ୍ରଧାନ ବାବୁ ମଧ ସେ ସାରଙ୍କୁ ଟିଉସନ ବନ୍ଦ କରେଇଦେଲେ। ମୀନାକୁ ସେ ଟିଉସନଟା ମଧ୍ୟ ମିଳିଗଲା। ଯାହାହେଉ ବିଚାରୀକୁ ଆର୍ଥିକ ଦିଗରେ ପରୋକ୍ଷରେ କିଛି ସାହାଯ୍ୟ କରି ପାରିଥିବାରୁ ଖୁବ୍ ଗୋଟେ ଆତ୍ମସନ୍ତୋଷ ପାଉଥିଲି।


Rate this content
Log in

More oriya story from Banabihari Mishra

Similar oriya story from Comedy