Jayashree Maharana

Classics

2  

Jayashree Maharana

Classics

ସ୍ୱପ୍ନର ଘର

ସ୍ୱପ୍ନର ଘର

5 mins
340


ରଘୁଆ ଘର ଛପର ,ଇଟା ପକେଇବା,ଧାନ ଗଦା କରିବା,ହେଁସ ମସିଣା ବୁଣିବା ,ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର । ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା' ପାଇଁ କାଠିକର ପାଠ । ତା'ର ଦେହମୁଣ୍ଡ ଖରାପ ହୋଇଗଲେ ଚୁଲି ଅଜଳା ରହିଯାଏ । ଦୁଇ ବଖରା ବତା ତାଟି ଦିଆ ଚାଳଘର । ସେଥିରେ ଚାରି ପ୍ରାଣୀ ରୁହନ୍ତି । ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ଖୁସି ହେଉଥାଏ ଯେ ତାହାର ଅବସ୍ଥା ସୁଧୁରି ଯିବ । ସେ ଆଉ ଗରିବ ହୋଇ ରହିବ ନାହିଁ ।


 ଏଇ ଆଶା ଟିକକ ରଘୁଆ ପରି ଚିରଦୁଃଖୀ ମୁହଁରେ ହସର ମୋତି ଝରାଇଦିଏ । ଦିନସାରା ପରିଶ୍ରମ । କ୍ଳାନ୍ତ ଶରୀରକୁ ଶେଯ ଉପରେ ଅଜାଡି ଦେଇ ରଘୁଆ ସ୍ୱପ୍ନ ଦେଖେ ଖୋଲା ଆଖିରେ । ତାହାର ବି ପକ୍କାଘରଟିଏ ହେବ । ସରକାରଙ୍କ ତରଫରୁ ତାକୁ ବି ମିଳିବ ଶ୍ରମିକ କାର୍ଡର ସମସ୍ତ ସୁବିଧା ସୁଯୋଗ । ଦେହ ଖରାପ ହେଲେ ଟଙ୍କା ଅଭାବରୁ ନାଲି ଅଦା ମିଶା ଚା ପିଇ ସୁସ୍ଥ ହେବାକୁ ପଡିବନି । ସେ ଡାକ୍ତରଖାନା ଯାଇ ମାଗଣା ଔଷଧ ଖାଇବ ଆଉ ଭଲ ହେଇଯିବ । ସାମାନ୍ୟ ଔଷଧ ଅଭାବରୁ ତା'ବାପା ଛୋଟ ବୟସରୁ ତାକୁ ଛାଡି ଚାଲିଯିବାର ଦୁଃଖ ଏବେ ବି ତାକୁ ଦୁର୍ବଳ କରିଦେଉଛି । କଳା ମଚମଚ ଦେହରେ ଶିରା ଗଣିହେଉଥିବା ହାତ ଗୁଡିକ ସହ ନିସ୍ତେଜ ଆଖିରେ ସପନ ଦେଖି ପୂରଣ କରିବା ତା ପାଇଁ ଅସମ୍ଭବ । ମାତ୍ର ସରକାର ତା ପାଇଁ ନୂଆ ଆଶାର ଆଲୋକ ଆଣିଛନ୍ତି ।


  ସଂଧ୍ୟାବେଳରେ ଏମିତି ଅନେକ କଥା ଭାବି ସେ ମୁରୁକି ମୁରୁକି ହସୁଛି । ଝିଅ ପୁଅ ଦୁହେଁ ଆଶ୍ଚର୍ଯ୍ୟ ହେଉଛନ୍ତି । ବାପାଙ୍କ ଖୁସିର କାରଣ ଅଜଣା ତାଙ୍କ ପାଇଁ । ଡିବି ଲଗାଇ ପାଠ ପଢୁ ପଢୁ ଦଲକାଏ ପବନ ଆସି ଡିବିକୁ ଲିଭାଇ ଦେଲା ।ଏମିତି ଅନେକ ଥର ହେଇଚି । ସେ ପବନରେ ରଘୁଆ ବ୍ୟତିବ୍ୟସ୍ତ ହୁଏ । ନିଜ ଅଭାବୀ ପଣ ପାଇଁ ଖୁବ ଅବସୋସ କରେ । କିନ୍ତୁ ଆଜି ଏ ଦଲକାଏ ପବନ ତାକୁ ରୋମାଂଚିତ କଲା । ଦୃଢ଼ କଣ୍ଠରେ କହିଲା ବ୍ୟସ୍ତ ହୁଅନି ପିଲେ ଆଉ ତୁମକୁ ହଇରାଣ ହେବାକୁ ପଡିବନି । ତାହାର ଏଇ ପଦକ ରୋଷେଇ ଘରୁ ଦିଆସିଲି ପେଡାଟା ଧରି ଦୁମ୍ ଦୁମ୍ ହୋଇ ଚାଲିଆସି ରଘୁଆର ସ୍ତ୍ରୀ ରଜନୀ ଡିବି ଲଗେଇ କହିଉଠିଲା । ହଇ ହେ !କାଇଁ ଏମିତି ତୁଚ୍ଛା ଫୁଟାଣି ମାରୁଛ । ତୁମକୁ ହାତ ଧରି ଆସିବାର ୧୨ ବର୍ଷ ହେଲାଣି । ଏଇ ଝାଟିମାଟି ଘର , ଦିନର ସୁରୁଜ କିରଣ ଆଉ ରାତିରେ ଏଇ ଡିବି ହିଁ ସାହା । ତୁମେ ଆଜି ହଟାତ ଏତେ ଭରସା ଦେଉଛ କାହିଁକି କହିଲ ?


ରଘୁଆ ରାଗିଲା ନାହିଁ । ନରମ ଗଳାରେ କହିଲା ,ନାଇଁ ଲୋ ରଜନୀ ମୁଁ ସତ କହୁଛି । ଛକରେ ଲୋକ କଥା ହେବାର ମୁଁ ଶୁଣିଛି। ଏଥର ସରକାର ଚାଳଘର ଲୋକଙ୍କର ଦୁଃଖ ବୁଝିଛନ୍ତି । ଆମକୁ ଟଙ୍କା ମିଳିବ ଆମେ ପକ୍କା ଘର ତୋଳିବା । ତୁ ଆଉ ମୁଁ ବାହୁ ବଳରେ ଗଢ଼ିଦେବା ଆମ ସ୍ୱପ୍ନର ଘର ।


ତମେ ସତ କହୁଚ ? ଖୁବ ଆଗ୍ରହରେ ଟିକିଏ ଖୁସି ହେଇ ପଚାରିଲା ରଜନୀ ।


ହଁ ଲୋ । ମୁଁ ସତ କହୁଛି ,କହିଉଠିଲା ରଘୁଆ ।


ରଘୁଆ ପାଟିରୁ କଥା ନ ସରୁଣୁ ଝିଅ ପୁଅ ଦୁହେଁ କହିଉଠିଲେ , ହଁ,ହଁ, ବୋଉ । ଆମ ସ୍କୂଲ ଗୁରୁଜୀ କହୁଥିଲେ ସରକାର କୁଆଡେ ଲୋକଙ୍କ ମଙ୍ଗଳ ପାଇଁ ନୂଆ ନୂଆ ଯୋଜନା କରିଛନ୍ତି । ପକ୍କା ଘର,ବିଜୁଳି ବତୀର ବ୍ୟବସ୍ଥା, ଭତ୍ତା ବ୍ୟବସ୍ଥା । ଏଣିକି ଦେଶରେ କେହି ଅଭାବରେ ରହିବେ ନାହିଁ ।


ଏତିକି ଶୁଣିଦେଇ ଦୁଇ ବାହାଡ଼ା ଦାନ୍ତ ଦେଖାଇ ମନଖୋଲା ହସଟିଏ ହସିଦେଇ ରଜନୀ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାରିଲା । ବୋଧ ହୁଏ ତା ସ୍ୱପ୍ନର ଘର ତିଆରି ପାଇଁ ପ୍ରଭୁଙ୍କ ଆଶିଷ ମାଗୁଥିଲା ।


ତୁମେ ଟିକେ ଯାଇ ସରପଞ୍ଚ ବାବୁଙ୍କୁ ଦେଖା ହେଉନ ? ଏତିକି କହିଦେଇ ରଜନୀ ଉତ୍ତର ପାଇବା ଆଶାରେ ରଘୁଆ ଆଡ଼କୁ ଚାହିଁ ରହିଲା ।


ଆଲୋ, ମୁଁ ତ କାମ ସାରି ଫେରିବା ବେଳକୁ ସନ୍ଧ୍ୟା । ଆଉ ସରପଞ୍ଚ ବାବୁ କଣ ଏତେ ସମୟ ପଞ୍ଚାୟତ ଘରେ ଥିବେ ? ସାମାନ୍ୟ ବ୍ୟଥିତ ମୁହଁରେ କହିଉଠିଲା ରଘୁଆ । କାମ ବନ୍ଦ କରି ଗଲେ ଆମେ ଖାଇବା କଣ ?


କଣ ଭାବିଲା କେଜାଣି ରଜନୀ । କହିଲା ,ତୁମେ ଯଦି କହିବ ପିଲାମାନେ କାଲି ସ୍କୁଲ ଗଲାପରେ ମୁଁ ଟିକେ ଯାଇ ଦେଖା କରିବି କି ?

କଥାଟି ରଘୁଆର ମନକୁ ପାଇଲା । ହଁ ହଁ ଆଜିକାଲି ମାଇପିମାନେ କୁଆଡେ ଗଲେଣି । ସ୍ୱୟଂସହାୟକ ସଂସ୍ଥା ଗଢି ନାଁ କମେଇଲେଣି । ତୁ ଆମର ସବୁବେଳେ ଘର ଭିତରେ ରହିଲେ ହେବନି ।


ହଁ ହଁ ମୁଁ କାଆଲି ଯିବି । କହିଲା ରଜନୀ । ପଖାଳ କଂସାଟେ ଖାଇ ଦେଇ ଶୋଇଗଲା ରଘୁଆ । ଆଖି ଆଗରେ କେବଳ ସ୍ୱପ୍ନର ଘର । ମନେ ମନେ ଖୁସି ହେଉ ହେଉ କେତେବେଳେ ଆଖିଲାଗିଥିଲା ରଘୁଆର ।


କୁକୁଡ଼ା ଡାକରେ ଆଖି ଖୋଲି ଦେଖିଲା ରଘୁଆ । ୟେ କଣ ଆଜି ଉଛୁର ହୋଇଗଲାଣି ଉଠିବାରେ । ବହୁଦିନ ପରେ ଶାନ୍ତିରେ ଶୋଇଥିଲା ତେଣୁ ଅଧିକ ଟିକେ ନିଦ ହେବା ସ୍ବାଭାବିକ । ଯାହା ହେଉ ନିଜ ନିତ୍ୟକର୍ମ ସାରି ପଖାଳ ଦିମୁଠା ପିଆଜ ଫାଳେ ଆଉ ରାତିର ଭଜା ଟିକେ ଖାଇଦେଇ କାମକୁ ବାହାରିବା ପୂର୍ବରୁ ରଜନୀକୁ ପୁଣି ମନେପକାଇବା ଜରୁରୀ ମନେକଲା ।


ରଜନୀ ମୁଣ୍ଡ ଟୁଙ୍ଗାରି ହଁ କଲା । ପୁଅ ଝିଅଙ୍କୁ ସ୍କୁଲ ପଠାଇ ସାରି ନିଜ ପେଡିରୁ ସାମାନ୍ୟ ନୂଆ ଲୁଗାଟି ପିନ୍ଧି ,ମୁଣ୍ଡ କୁଣ୍ଡେଇ ନାଲି ସିନ୍ଦୂର ଟୋପା ଦେଇ ହାତେ ଓଢଣୀ ପକେଇ ବହାରିପଡ଼ିଲା ।

ବାଟରେ ସୁମା ମାଆ ଦେଖି ବଡ଼ ପାଟିରେ ପଚାରିଲା ,ଆଲୋ ଏ ରଜନୀ କାଳେ ନାଇଁ ବେଳେ ନାଇଁ କୁଆଡେ ଯାଉଛୁ ବା ଏକୁଟିଆ ? ଯେତେବେଳେ ବି କୁଣିଆ ମଇତ୍ର ଘରଯାଉ ରଘୁଆ ସହ ଯାଉ ଆଜି । ନାଇଁ ମ ନାନୀ ପାଖ ଗାଁ ରେ ମୋ ପିଇସୀ ଝିଅର ଦେହ ଖରାପ । ଆଉ ଇଏ ତ କାମ ବନ୍ଦ କଲେ ହେବନି କହି ବହୁଦିନ ତଳେ ଘଟିଥିବା ଘଟଣାଟିକୁ ବର୍ତ୍ତମାନ କହି ଚାଲିଗଲା । ଗାଁ ଗଣ୍ଡା କଥା କିଏ ଯଦି ତାଙ୍କର ଶତ୍ରୁ ଥିବ କରେଇ ଦେବନି ଭାବି ମିଛ କହିଥିଲା ରଜନୀ ।


  ପଞ୍ଚାୟତ ଘରେ ପହଞ୍ଚି ଟିକେ ଶଙ୍କିଗଲା ରଜନୀ । ନିଜ ମୁଣ୍ଡ ଓଢଣୀଟି ଭଲରେ ସଜାଡି ନେଲା । ବାବୁଙ୍କୁ ମୁଣ୍ଡିଆଟିଏ ମାରି ଠିଆ ହେଲା । ବାବୁ ଏଥର ମୁହଁ ଉଠାଇ ପଚାରିଲେ କଣ କାମ ଥିଲା କି ମାଆ ? ହଁ ବାବୁ । ମୁଁ ପିଠାପୁର ଗାଁର ହରିଜନ ସାହିର। ଆଜ୍ଞା ମୋର ଚାଳଘର । ଆପଣ ଯଦି ସରକାରଙ୍କ ତରଫରୁ ଘର ପାଇଁ କିଛି ଟଙ୍କା ସାହାଯ୍ୟ କରିଦିଅନ୍ତେ .... ଥର ଥର କଣ୍ଠରେ କହିଉଠିଲା। ବାବୁ ରଜନୀ ମନର ଡର ଜାଣିପାରିଲେ କି କଣ ସଂଗେ ସଙ୍ଗେ କହିଉଠିଲେ ହଁ ହଁ କରିଦେବା । କିନ୍ତୁ ମାଆ ଏଥିପାଇଁ ତୁମକୁ ପ୍ରଥମେ ୧୦୦୦୦ଟଙ୍କା ଆଉ ଘରର କାଗଜପତ୍ର ଦେବାକୁ ପଡିବ । ଉପର ବାବୁଙ୍କୁ ସନ୍ତୁଷ୍ଟ ନକଲେ କାମଟି ହେବନାହିଁ । ଆଖି ତରାଟି ହେଇଗଲା ରଜନୀର । ଏତେ ଟଙ୍କା ? ହଁ ମାଆ ଟଙ୍କା ଯୋଗାଡ କରି ଆସିଲେ ମୁଁ କରିଦେବି ମାଆ । ଏବେ ତୁମେ ଯାଅ ।


   ପାଦ ଅଚଳ ହେଇଯାଉଥିଲା ରଜନୀର । ଯାହା ପାଖରେ ୧୦ ଟଙ୍କାର ମୂଲ୍ୟ ଏତେ ଅଧିକ ସେ ୧୦୦୦୦ ଟଙ୍କା ବା ଆଣିବ କୋଉଠୁ । ନା ନା ତେବେ ସ୍ୱପ୍ନର ଘର କରିବା ଅସମ୍ଭବ । ଦୁଃଖ,ଅବସୋସ ନେଇ ରଜନୀ ଘରକୁ ଫେରିଲା ।


   ସନ୍ଧ୍ୟାରେ ରଘୁଆ ଖୁସି ମନରେ ଘରକୁ ଆସି ଆଗ ଗାଧୁଆ ପାଧୁଆ ନକରି ରଜନୀ କୁ ସ୍ୱପ୍ନର ଘର କଥା ପଚାରିଲା । ରଜନୀ ଠାରୁ ସବୁ ଶୁଣିବା ପରେ ତା ସ୍ୱପ୍ନ ସବୁ ତାକୁ ଖତେଇ ହେଉଥିଲେ । କୋଉଠୁ ଆଣିବ ସେ ଏତେଟଙ୍କା ? ଦିନସାରା ହାଡ଼ଭଙ୍ଗା ଖଟଣୀ ଖଟି ଚାରି ପେଟ ପୋଷିବା କଷ୍ଟ । କିଏ ବା ତାକୁ ଦେବ ଏତେ ଟଙ୍କା । ସମ୍ପତ୍ତି ବୋଇଲେ ଏ ଘର ଛଡା ତ କିଛି ନାହିଁ । ସ୍ୱପ୍ନ ସବୁ ବାଟ ଭାଙ୍ଗି ଚାଲିଯାଉଥିଲେ । ଲଥ କିନା ଉଚ୍ଚ ମାଟି ପିଣ୍ଢାରେ ବସି ପଡ଼ିଲା ରଘୁଆ । କେବଳ ରଜନୀର କଥା ତାକୁ ଶୁଭୁଥିଲା ,ଆମର ଏ ଘର ଆମ ପାଇଁ ସ୍ୱର୍ଗ। ସ୍ୱପ୍ନର ଘରଠୁ ମଧ୍ୟ ସୁନ୍ଦର ।

  


  ମୁଁ ଗାଳ୍ପିକ ବାଉରିବନ୍ଧୁ ଲେଙ୍କା ମହାଶୟଙ୍କ ଗଳ୍ପ ଅଂଶକୁ ନେଇ ମୋର ସ୍ୱପ୍ନର ଘର ଗଳ୍ପଟି ଲେଖିଛି । ସରକାରଙ୍କ ଭିନ୍ନ ଭିନ୍ନ ଯୋଜନା । କଟର ଗରିବ ଖଟିଖିଆ ଅଶିକ୍ଷିତଙ୍କ ଓଅଇଁ ଏସବୁ ସ୍ୱପ୍ନ । ସ୍ୱାର୍ଥଲୋଭୀ ରାଜନେତାଙ୍କ ଅର୍ଥଲାଳସା ଭାଙ୍ଗିଦିଏ ଗରିବର ସ୍ୱପ୍ନ । ତେଣୁ ଏପରି ବାସ୍ତବ କଥାକୁ ଗଳ୍ପ ରୂପ ଦେବାକୁ ଚେଷ୍ଟା କରିଅଛି ।



Rate this content
Log in

Similar oriya story from Classics