STORYMIRROR

Priyadarshini Mishra

Drama

4  

Priyadarshini Mishra

Drama

ସ୍ୱାର୍ଥ

ସ୍ୱାର୍ଥ

2 mins
317


    ସ୍ୱାର୍ଥ ଥିଲେ ସମସ୍ତେ ନିଜର।ସ୍ୱାର୍ଥ ସରିଗଲେ କିଏ କାହାର ।ତୁ କିଏ ନା ମୁଁ କିଏ।ଏଇ ଯେମିତି ମୋ ମାରୁତି କାର।ଦିନ ଥିଲା ଏଇ କାରଟି ମୋ ପ୍ରତିଷ୍ଠା ଓ ସମ୍ମାନ ର ବିଷୟ ଥିଲା।ମୁଁ ଏଇ ଗାଁର ପ୍ରଥମ ବ୍ୟକ୍ତି ଥିଲି ଯିଏ ମୋଟର କାରଟିଏ କିଣିପାରିଥିଲି।କାର ଟି କିଣିସାରି ଘରକୁ ଆଣିବା ପୂର୍ବରୁ ଗାଁମୁଣ୍ଡରେ ଥିବା ଗ୍ରାମଦେବତୀଙ୍କ ପାଖରେ ଗାଡିପୂଜା ପାଇଁ ଅଟକିଥିଲି।ଗାଁସାରା ଲୋକ ଯାଇ ସେଠାରେ ଜମା ହୋଇଯାଇଥିଲେ।ନୂଆଗାଡି ଗାଁ ପର୍ଯ୍ୟନ୍ତ ଆସିଲେ ଗାଡି ଦେଖିବା ଧୈର୍ଯ୍ୟ ଯେମିତି କାହା ପାଖରେ ନଥିଲା।ମୁଁ ମଧ୍ୟ ଗର୍ବିତ ମନେ କରୁଥିଲି।କିନ୍ତୁ ଆଜି ସେ କାରର ଅବସ୍ଥା ଦେଖିଲେ ଭାରି ଦୁଃଖ ଲାଗୁଛି।ଗାଁ ମାଇପେ ଆଜି ସେହି କାର ଉପରେ ଘଷି ଶୁଖେଇବା ପାଇଁ ପଛଉନାହାଁନ୍ତି।ମୁଁ କିଛି କହିଲେ ଏ ବୁଢା ଏମିତି କାହିଁକି ହେଉଛି ବୋଲି ଚୁପଚୁପ କଥା ହୁଅନ୍ତି।ସେମାନେ ବା କାହୁଁ ବୁଝିବେ ଏ କାରର ମହତ୍ତ୍ୱ।ଏତେ କଥା ହୋଇସାରିଲିଣି କିନ୍ତୁ ମୋ ପରିଚୟ ଦେଇନି।ମୋ ପୁଅ ମଧ୍ୟ କହେ ମୁଁ କାଳେ ଆଜିକାଲି ସବୁ ଭୁଲିଯାଉଛି।ଯେମିତି ଗାଁ ମାଇପିଙ୍କୁ କାର ଉପରେ ଘଷି ଶୁଖେଇବା ପାଇଁ ମନା କଲେ ପୁଅ କହେ,"ବାପା ଆମ ଘରେ ନୂଆ ମଡେଲର ତିନି ତିନିଟା କାର ଅଛି ତୁମେ ଭୁଲିଗଲ କି?"ଆରେ ତିନି ତିନିଟା କାର ଅଛି ବୋଲି ଦିନେ ଯେଉଁ କାର ମୋ ପ୍ରତିଷ୍ଠାର ବିଷୟ ଥିଲା ତା ଉପରେ କଣ ଘଷି ଶୁଖାଯିବ!ମୋ ନାଁ ଆଦିତ୍ୟ ମଙ୍ଗରାଜ। ବାଣପୁର ଜମିଦାରଙ୍କ ମୁଁ ଏକମାତ୍ର ଦାୟାଦ।


  ଓଡିଶା ସରକାରଙ୍କ ଜଣେ ପଦସ୍ଥ ଅଧିକାରୀ ଭାବେ ମୁଁ ଅବସର ଗ୍ରହଣ କରିଛି।ଜମିଦାର ଭାବେ ଯେଉଁ ସମ୍ମାନ ମୋ ବାପା ଜେଜେଙ୍କର ଆମ ଗାଆଁରେ ଥିଲା ତାହା ମୋର ନଥିଲା।ଚାକିରୀ କାଳରେ ମୁଁ ଗାଁଠାରୁ ଦୂରରେ ରହିବା ଏହାର କାରଣ ହୋଇପାରେ ବୋଲି ମୁଁ ଭାବୁଥିଲି କିନ୍ତୁ ଅବସର ଗ୍ରହଣ ପରେ ଗାଁରେ ରହିବାରୁ ଏହାର ଅସଲ କାରଣ ଜାଣିପାରିଲି।ମୋ ଦ୍ୱାରା ଗାଁଲୋକଙ୍କ କୌଣସି ସ୍ୱାର୍ଥ ସାଧନ ହୋଇନଥିଲା।ଓଲଟି ମୋ ପୁରୁଣା କାର ଉପରେ ଘଷି ଶୁଖେଇଲେ ମୁଁ ବିରକ୍ତ ହେଉଥିଲି।ଚାକିରୀ କଲାବେଳେ ଯେଉଁ ସହକର୍ମୀ ମୋ ଗୁଣଗାନ କରି ଥକୁନଥିଲେ କେତେବେଳେ ସହରରେ ସେମାନଙ୍କ ସହ ଦେଖା ହେଲେ ନଜାଣିଲା ପରି ମୁହଁ ବୁଲେଇ ଚାଲିଯାଉଛନ୍ତି।ଗାଁ ଘରଦ୍ୱାର ଜମିବାଡ଼ି ଦେଖାଶୁଣା କରିବା ପାଇଁ ପୁଅର ବାରଣ ସତ୍ତ୍ୱେ ଅବସର ପରେ ଗାଁକୁ ଚାଲିଆସିଲି ସତ କିନ୍ତୁ ଲୋକଙ୍କର ସ୍ୱାର୍ଥପରତା ଭାରି ଅସହ୍ୟ ବୋଧ ହେଲାଣି।ବେଳେବେଳେ ଏକାନ୍ତରେ ଚିନ୍ତା କରେ ମୋର ମାରୁତି କାର ଓ ମୋ ଭିତରେ ତଫାତ କଣ?ଉତ୍ତର ପାଇବା ପାଇଁ ଅନେକ ଚେଷ୍ଟା କରିଛି କିନ୍ତୁ ପାଇନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Drama