Priyadarshini Mishra

Drama

3  

Priyadarshini Mishra

Drama

କେକ୍

କେକ୍

3 mins
168



    "ଏ ମୁନା ଏ ରବି ମୋ ବୋଉ କହିଛି ଏଇ ଥର ମୋ ଜନ୍ମଦିନ ବାବୁଘର ପୁଅର ଜନ୍ମଦିନ ଭଳି ପାଳନ ହେବ।ବାବୁଘର ପୁଅ ଭଳି ମୁଁ ନୂଆ ଜାମା ପିନ୍ଧିବି,ମୋ ଘରକୁ କୁଣିଆ ଆସିବେ,ମୋ ପାଇଁ ରକମ ରକମର ଜିନିଷ ଆଣିଥିବେ,ମୋତେ କଙ୍ଗାରୁଷେନ(congratulations)କହିବେ,ହେପ୍ୟର୍ଥ ଟୁୟୁ(Happy birthday to you)କହିବେ,ଆଣିଥିବା ଜିନିଷ ମୋତେ ଦେବେ,ମୁଁ ମଧ୍ୟ କେକ୍ କାଟିବି ।ମୋ ବୋଉ ଭଲ ଭଲ ଜିନିଷ ସବୁ ରାନ୍ଧିଥିବ।ଭୋଜିଭାତ ହେବ।ସମସ୍ତେ ଖାଇବେ।ବଡ଼ ମଜା ହେବ।ତୁମେ ସମସ୍ତେ ଆସିବ।"ଏକା ନିଃଶ୍ୱାସ ରେ ଏତେଗୁଡାଏ କଥା କହିଦେଲା ପପୁ।ରବି ଓ ମୁନା ସେମାନଙ୍କ ସାଙ୍ଗର ମୁହଁକୁ ହାଁ କରି ଚାହିଁ ରହିଥିଲେ।ସତରେ ଏଇଥର ପପୁର ଜନ୍ମଦିନ ପାଳନ ହେବ।ଏମିତି ଭାବି ମନେ ମନେ ଖୁସି ହେଉଥିଲେ।ଭୋଜି ଖାଇବାକୁ ମିଳିବ ତାହା ପୁଣି ବାବୁଘର ଭଳି ଭାବି ଭାବି ଆନନ୍ଦିତ ହେଉଥିଲେ।ପପୁ ସେମାନଙ୍କ ଭାବନାର ପୁର୍ଣ୍ଣଚ୍ଛେଦ ପକାଇ ପୁଣି କହିଲା," ଆଜିଠାରୁ ଠିକ ଦୁଇଦିନ ପରେ ମୋ ଜନ୍ମଦିନ ପାଇଁ ସନ୍ଧ୍ୟା ସାତଟାରେ ଆମ ଘରକୁ ଆସିବ।ସାଙ୍ଗମାନଙ୍କ ବିନା ଜନ୍ମଦିନ ପାଳନରେ ମଜା ଆସିବନି।ତୁମେ ଦୁଇଜଣ ନିଶ୍ଚୟ ଆସିବ ନାସିଲେ ମୁଁ ତୁମମାନଙ୍କ ସହ କଥା ହେବିନି"।ଏତିକି କହି ପପୁ ଚାଲିଗଲା।ରବି ଓ ମୁନା କଥାବାର୍ତ୍ତା ହେଲେ।ମୁନା କହିଲା,"କିରେ ରବି ପପୁ ର ବୋଉ ସିନା ବାବୁଘରେ କାମ କରେ ବୋଲି ତା' ଜନ୍ମଦିନ ପାଳନ ହେବ। ସିଏ ଆମକୁ ଡାକିଦେଇଗଲା।ଆମେ ଯିବା।ହେଲେ ମୁଁ ଭାବୁଛି ଖାଲିହାତରେ କେମିତି ଯିବି।ଜନ୍ମଦିନରେ କ'ଣ ଗୋଟେ ତ ଦେବାକୁ ହେବ।ଭୋଜି ଖାଇଦେଇକି ପଳେଇଆସିଲେ ଲାଜ ମାଡିବ"।ରବି କହିଲା," ତୁ ଠିକ କହିଛୁ,ହେଲେ ତାକୁ କ'ଣ ଗୋଟେ କିଣିକି ଦେବାପାଇଁ ପଇସା କୋଉଠୁ ଆଣିବା।ଘରେ ମାଗିଲେ ଦେବେନି।ଆମ ଘରେ ତ ଓଳିଏ ଖାଇଲେ ଆର ଓଳିକି ଖାଇବାକୁ ମିଳିବ ନା ନାହିଁ ଚିନ୍ତା କରିଥାଉ।ଆଉ କାହାକୁ କ'ଣ ଦେବି କହିଲେ ମୋ ବୋଉ ମୋତେ ମାରିବା ଆରମ୍ଭ କରିଦେବ"। ମୁନା କହିଲା,"ମୋର ମଧ୍ୟ ସମଦଶା।ତେବେ ଦୁଇଦିନ ଭିତରେ କ'ଣ ଗୋଟେ ଚିନ୍ତା କରି ବ୍ୟବସ୍ଥା କରିଦେବା।ତୁ ବ୍ୟସ୍ତ ହେବୁନି"।ଏମିତି କଥାବାର୍ତ୍ତା ହୋଇ ଦୁହେଁ ନିଜ ନିଜ ଘରକୁ ଚାଲିଗଲେ।

      ପପୁ ଦୁଇଦିନ ହେଲା ରାତିରେ ଶୋଇବାକୁ ଆସିଲେ କେବଳ ଜନ୍ମଦିନ କଥା ଭାବୁଛି।ରାତି ପାହିଲେ ତା'ର ଜନ୍ମଦିନ।ତା' ଜନ୍ମଦିନର ମୁଖ୍ୟ ଆକର୍ଷଣ ହେବ ଜନ୍ମଦିନ କେକ୍।ଅନେକ ଦିନ ଆଗରୁ ସେ ବୋଉ ସହିତ କଥା ହୋଇଥିଲା।"ବୋଉଲୋ ମୋର ଅଷ୍ଟମ ଜନ୍ମଦିନରେ କେକ୍ତିଏ ଆଣିଦେବୁ।ବାବୁଘର ପୁଅ ଜନ୍ମଦିନରେ ଯୋଉ କେକ୍ ଖାଇଥିଲି ସେଭଳି କେକ୍ ଟିଏ ଆଣିବୁ।ସେତେ ବଡ଼ ନହେଲେ ଚଳିବ ।ଛୋଟ କେକଟିଏ ଆଣିଦେବୁ।"ବୋଉ ହଁ କରିଥିଲା।କେକ୍ କାଟିକି ସେ ପ୍ରଥମେ ବୋଉକୁ ଖୁଆଇବ।ବାପା ଠାକୁରଙ୍କ ପାଖକୁ ଯିବା ଦିନରୁ ବୋଉ ବାବୁଘରେ କାମ କରି ତା'ର ସବୁ ଇଚ୍ଛା ପୁରଣ କରିଛି।ବୋଉ ବେଳେ ବେଳେ କାନ୍ଦେ ସେ କିନ୍ତୁ କିଛି ବୁଝିପାରେନା।ବୋଉକୁ ପଚାରିଲେ ତାକୁ ଜାବୁଡି ଧରି କାନ୍ଦିବା ବନ୍ଦ କରିଦିଏ।ସେ ଯାହା ହେଉ ତା' ବୋଉ ସମସ୍ତଙ୍କ ବୋଉମାନଙ୍କ ଠାରୁ ଅଲଗା। ତାକୁ ବହୁତ ଭଲ ପାଏ ସବୁବେଳେ ଗେଲ କରେ।ମାରିବା ଦୂରେ ଥାଉ ତାକୁ ଗାଳି ମଧ୍ୟ କରେନି।କେବେ ତା' ଉପରେ ରାଗେନି।ତା' ବୋଉ ସବୁଠୁ ଭଲ।ଏମିତି କେତେ କଥା ଭାବୁ ଭାବୁ କେତେବେଳେ ସକାଳ ହେଇଗଲା।ବୋଉର ଡାକରେ ପପୁ ଉଠିପଡ଼ି ଗାଧୋଇ ପାଧୋଇ ପ୍ରସ୍ତୁତ ହୋଇଗଲା। ବାପାଙ୍କ ଫୋଟୋରେ ଜୁହାର ହେଇ ବୋଉ ସାଙ୍ଗରେ ମନ୍ଦିର ଗଲା।ରାତିସାରା ଶୋଇନଥିବାରୁ ଘରକୁ ଆସି ଖାଇପିଇ ଶୋଇଗଲା।ସେ ଉଠିଲା ବେଳକୁ ବୋଉ କହିଲା ସବୁ ପ୍ରସ୍ତୁତି ସରିଛି।ନୂଆ ଜାମା ପିନ୍ଧିଦେଇ କୁଣିଆମାନେ ଆସିଲା ପର୍ଯ୍ୟନ୍ତ ବଦମାସୀ ନକରି ଚପଚାପ ବସେ ।ସମସ୍ତେ ଆସିଗଲେ କେକ୍ କାଟିବା।ପପୁ ଯେତେ କହିଲେ ମଧ୍ୟ ବୋଉ ପପୁକୁ କେକ୍ ଦେଖିବାକୁ ଦେଇନଥିଲା।ପପୁ ନିଜର ନୂଆ ଜାମା ଦେଖି ଭାବିଲା,ଜାମାଟି ବାବୁଘର ପୁଅର ଗତ ଜନ୍ମଦିନର ଜାମା ଭଳି ହୋଇଥିଲା।

     ପପୁ ଆଉ ଅପେକ୍ଷା କରିପାରୁନଥାଏ।ତଥାପି ବୋଉ କହିଛି,ତେଣୁ ଚୁପଚାପ ବସିଥାଏ।ଧୀରେ ଧୀରେ ବସ୍ତିର ସବୁଲୋକ ତାଙ୍କ ଘରେ ଜମା ହେଲେ ।ରବି ଓ ମୁନା ଆସିଯାଇଥିଲେ।ସେ ଦୁହେଁ ପପୁ ପାଇଁ ସୁନ୍ଦର ହାତ ତିଆରି କାର୍ଡ ଆଣିଥିଲେ।ଏବେ ପାଳି ଥିଲା କେକ୍ କାଟିବାର।ବୋଉ କେକ୍ ଆଣିଲା।ଯେତେବେଳେ କେକ୍ ଉପରୁ ଘୋଡ଼ଣି ଉଠେଇଲା କେକ୍ ଦେଖି ଭାବିଲା କେକଟି କେକ୍ କମ ବୋଉ ହାତ ତିଆରି ପୋଡ଼ ପିଠା ବେଶୀ ଜଣାପଡୁଥିଲା।ତେବେ ମନକଥା ମନରେ ରଖି କେକ୍ କାଟିଲା।କିନ୍ତୁ ତା'କୁ ଭାରି ଦୁଃଖ ଲାଗୁଥିଲା।ସମସ୍ତଙ୍କୁ କେକ୍ ଦିଆଗଲା।ସେମିତି ଆହୁରି ସାତଟି କେକ ବୋଉ ରଖିଥିଲା।ସମସ୍ତେ କେକ୍ ଖାଇ ବୋଉକୁ ପ୍ରଶଂସା କରୁଥିଲେ।ସମସ୍ତେ ଭୋଜି ଖାଇବାକୁ ଗଲେ।ଭୋଜିରେ ଭାତ,ଡାଲମା, ଖଟା ଖାଇ ପପୁ କୁ ଆଶୀର୍ବାଦ କରି ବୋଉର ଅନେକ ପ୍ରଶଂସା କରୁଥା'ନ୍ତି।ଧୀରେ ଧୀରେ କୁଣିଆ ଗହଳି କମିଗଲା।ରବି ଓ ମୁନା ଖାଇସାରି ଘରକୁ ଚାଲିଗଲେ।ସେମାନଙ୍କ ସାଙ୍ଗରେ ପପୁ ଝା ଖାଇସାରିଥିଲା ।

ସମସ୍ତେ ଚାଲିଗଲା ପରେ ସେ ସିଧା ବୋଉ ପାଖକୁ ଆସି କହିଲା, ବୋଉ ଜନ୍ମଦିନର ନୂଆ ଜାମା ବାବୁଘର ପୁଅର ଜାମା,କେକ୍ ନାଁରେ ପୋଡ଼ପିଠା,ଭୋଜି ନାଁରେ ଭାତ, ଡାଲମା?କିଛି ନ କରିଥିଲେ ଚଳିଥା'ନ୍ତା କିନ୍ତୁ ଏମିତି କାହିଁକି କଲୁ?ହଠାତ ବୋଉ ଆଖିରେ ଲୁହ ଦେଖି ପପୁ କଣ ବୁଝିଲା କେଜାଣି,ଆଠ ବର୍ଷର ପପୁ ଅଠର ବର୍ଷର ପୁଅ ଭଳି କହିଲା, "ବୋଉ ଏହି ଜନ୍ମଦିନ ମୋର ସବୁଠାରୁ ସ୍ମରଣୀୟ ଜନ୍ମଦିନ ହୋଇ ଜୀବନ ସାରା ମୋ ସ୍ମୃତିରେ ରହିବ"।


Rate this content
Log in

Similar oriya story from Drama