ହୃଦୟ
ହୃଦୟ
ହୃଦୟ ଶବ୍ଦର ଅର୍ଥ କ'ଣ?ଭିନ୍ନ ଭିନ୍ନ ବ୍ୟକ୍ତିମାନଙ୍କ ପାଇଁ ଭିନ୍ନ ଭିନ୍ନ ଅର୍ଥ।ଏଇ ଯେମିତି ବିଜ୍ଞାନଶିକ୍ଷକମାନଙ୍କ ପାଇଁ ଗଠନ ଓ କାର୍ଯ୍ୟ ଶିକ୍ଷା ଦେବାକୁ ଥିବା ଅଙ୍ଗ ସାହିତ୍ୟ ଶିକ୍ଷକ ପାଇଁ ପ୍ରେମଭାଵ ଶିଖେଇବାର ଏକ ମାଧ୍ୟମ।କିନ୍ତୁ ଆଜିକାଲିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ହୃଦୟର ଅର୍ଥ କ'ଣ ଚିନ୍ତା କଲାବେଳେ ମୋନାର ମୁଣ୍ଡ ଗୋଳମାଳ ହୋଇଯାଉଥିଲା।ମୋନା ଏକ ସରକାରୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଏଇ ମାସେ ହେବ ଯୋଗ ଦେଇଥିଲା।ମୋନା ନିଜେ ପାଠ ପଢ଼ୁଥିବା ସମୟକୁ ଆଜିର ସମୟ ସହ ପ୍ରତି ମୁହୂର୍ତ୍ତରେ ତୁଳନା କରୁଥିଲା।ସେ ପାଠ ପଢିଲା ବେଳେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଯେଉଁ ଭୟଭକ୍ତି ରହିଥିଲା ତା'ର ଲେଶ ମାତ୍ର ଆଜିକାଲିର ଛାତ୍ରଛାତ୍ରୀ ମାନଙ୍କ ପାଖରେ ନଥିଲା।ହୁଏତ ଏହା ତା'ର ବ୍ୟକ୍ତିଗତ ଅନୁଭୂତି ହୋଇଥାଇ ପାରେ କିନ୍ତୁ ସେ ଅନୁଭବ କରିପାରିଥିଲା ଯେ ତା'ର ଛାତ୍ରଛାତ୍ରୀ ସ୍କୁଲରେ ପାଠପଢ଼ା ପ୍ରତି କମ ଧ୍ୟାନ ଦେଉଥିଲେ କିନ୍ତୁ ଅନ୍ୟ ବାଜେକଥା ରେ ସେମାନଙ୍କ ଧ୍ୟାନ ଅଧିକ ଥିଲା।କାହାକୁ ସୁଧାରିବାକୁ ଚେଷ୍ଟା କଲେ ଦଣ୍ଡମୁକ୍ତ ଅଞ୍ଚଳର ଦ୍ୱାହି ଦେଇ ସେମାନଙ୍କ ବାପାମାଆ ମଧ୍ୟ ପିଲାଙ୍କ ଦୋଷ ଦୁର୍ବଳତା ଦେଖିବା ବଦଳରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁଇପଦ ଶୁଣେଇଦେଇ ଚାଲିଯାଉଥିଲେ।ଏସବୁ ପରିସ୍ଥିତିରେ ଛାତ୍ରଛାତ୍ରୀ ବିଗିଡିବା ସ୍ୱାଭାବିକ।ସମସ୍ତ ଘଟଣା ଦୁର୍ଘଟଣା ମଧ୍ୟରେ ଦିନଗୁଡିକ କେବଳ ଗଡିଚାଲିଥିଲା ଭଳି ମୋନାକୁ ମନେ ହେଉଥିଲା।ତେବେ ମୋନା ପାଇଁ ବିପଦ ସେଇଦିନ ଘନେଇଥିଲା ଯେଉଁଦିନ ସେ ସରପଞ୍ଚଙ୍କ ପୁଅର ପ୍ରେମପତ୍ରଟି ପାଇଥିଲା ଯାହା ନବମ ଶ୍ରେଣୀର ଝିଅଟିଏ ପାଇଁ ଲେଖାଯାଇଥିଲା।
ଯେହେତୁ ମୋନା ଶ୍ରେଣୀରେ ପାଠ ପଢେଇଲା ବେଳେ ସରପଞ୍ଚଙ୍କ ପୁଅ ଏଭଳି ଚିଠିଲେଖାରେ ବ୍ୟସ୍ତ ରହି ଶ୍ରେଣୀରେ ବିଶୃଙ୍ଖଳା କରୁଥଲା ତେଣୁ ମୋନାର ବିରକ୍ତି ହେବା ସ୍ବାଭାବିକ ଥିଲା।ବିରକ୍ତି ହୋଇ ସେ ଏଇ ଘଟଣା ପ୍ରଧାନଶିକ୍ଷକଙ୍କ ଦୃଷ୍ଟିକୁ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।ପ୍ରଧାନଶିକ୍ଷକ ଯେତେ ବୁଝେଇଲେ ମଧ୍ୟ ସେ ନଛୋଡବନ୍ଧା ଥିଲା।ସେ ସରପଞ୍ଚଙ୍କ ପୁଅ ବୋଲି ତା ମନକୁ ଯାହା ଆସିବ କରିବ,ଏଭଳି ଅକାଟ୍ୟ ଯୁକ୍ତି ବାଢିଥିଲା।ବାଧ୍ୟ ହୋଇ ପ୍ରଧାନ ଶିକ୍ଷକ ମହୋଦୟ ସରପଞ୍ଚ ମହାଶୟଙ୍କୁ ଡକେଇ ପଠେଇଲେ।
ପ୍ରଧାନଶିକ୍ଷକଙ୍କ କଥାକୁ ହେୟଜ୍ଞାନ କରି ସେଦିନ ସରପଞ୍ଚ ମହୋଦୟ ବିଦ୍ୟାଳୟକୁ ଆସିଲେ ନାହିଁ। ତା ପରଦିନ ବିଦ୍ୟାଳୟ ଖୋଲିବା ସମୟରେ ଆସି ସବୁ ଦୋଷ ମୋନା ଉପରେ ଲଦିଦେଲେ । ତାଙ୍କର କହିବା କଥା ଥିଲା ମୋନା ଯଦି ଶ୍ରେଣୀରେ ଭଲ ଭାବେ ପଢ଼ଉଥାନ୍ତା ପିଲାମାନେ ବଦମାସୀ କରିନଥାନ୍ତେ । ତେଣୁ ତାଙ୍କ ପୁଅ ଯାହା କରିଛି ସେଥିପାଇଁ ପରୋକ୍ଷରେ ମୋନା ହିଁ ଦାୟୀ । ନିଜ ପୁଅକୁ ସୁଧାରିବା ବଦଳରେ ସେ ମୋନାକୁ ତାଗିଦ କରିବାକୁ ଲାଗିଲେ । ତାଙ୍କୁ ସ୍କୁଲକୁ ଡକେଇ ପଠେଇ ତାଙ୍କର ମୂଲ୍ୟବାନ ସମୟ ନଷ୍ଟ କରିଥିବାରୁ ମୋନାର ଦୋଷ ଯେ ଅକ୍ଷମଣୀୟ ତାହା ସେ ପ୍ରମାଣ କରି ଚାଲିଥିଲେ। ମୋନା ସେସବୁ ଚୁପ ଚାପ ସହିଥିଲା । ସେ ଭାବୁଥିଲା ସେହି କ୍ଷଣରେ ହୃଦୟର ଅର୍ଥ ହେଲା କଷ୍ଟ ସହିବା ପାଇଁ ତିଆରି କରାଯାଇଥିବା ଗୋଟେ ଅଙ୍ଗ।ସେଦିନ ତା' ହୃଦୟକୁ ବହୁତ ବାଧିଥିଲା । ଘରକୁ ଆସି ବହୁତ କାନ୍ଦିଥିଲା । ପରେ ବାପାଙ୍କୁ ଫୋନ କରି ସବୁ କହିଲା ଓ ଚାକିରୀ ଛାଡି ଘରକୁ ଫେରି ଆସିବ ବୋଲି କହିଥିଲା । ବାପା ତାକୁ ବହୁତ ବୁଝେଇଲେ । ଅଧୌର୍ଯ୍ୟ ନହେବା ପାଇଁ କହିଲେ।ବାପା ମଧ୍ୟ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ।କିଛିଦିନ ପାଇଁ ସେ ସେହି ସ୍କୁଲରେ ଚାକିରୀ କରିଥିଲେ । ତେଣୁ ସେ ଅଞ୍ଚଳରେ ତାଙ୍କର କିଛି ଛାତ୍ର ଥିଲେ। ସେ ସେମାନଙ୍କୁ ଘଟଣା ସମ୍ପର୍କରେ କହିବେ ଓ କିଛି ସମାଧାନ କରିବେ ବୋଲି କହିଥିଲେ । ବାପାଙ୍କ କଥା ମୋନାର କ୍ଷତ ବିକ୍ଷତ ହୃଦୟରେ ମଲମ ସଦୃଶ ଥିଲା କିନ୍ତୁ ସେ ଅପମାନିତ ଅନୁଭବ କରୁଥିଲା। ତେଣୁ ହୃଦୟର କଷ୍ଟ ଆଖିରେ ଲୁହ ହୋଇ ଅବିରତ ବୋହି ଚାଲିଥିଲା।କାନ୍ଦି କାନ୍ଦି ସେ ରାତିରେ ନଖାଇ ଶୋଇପଡ଼ିଲା ।ସକାଳୁ ଉଠି ପ୍ରସ୍ତୁତ ହୋଇ ସ୍କୁଲରେ ପହଞ୍ଚିଲା।ସେଠାରେ ପୂର୍ବରୁ ସରପଞ୍ଚ ମହୋଦୟ ପ୍ରଧାନ ଶିକ୍ଷକଙ୍କ ସହ ଉପସ୍ଥିତ ଥିଲେ। ମୋନାକୁ ଦେଖି ତାଙ୍କର ପାନଖିଆ ନାଲିଆ ଦାନ୍ତ ଦେଖାଇ ତା ପାଖକୁ ଆସିଲେ । ତାଙ୍କୁ ଦେଖି ମୋନା ଘୃଣାରେ ମୁହଁ ବୁଲେଇ ଚାଲିଯିବାକୁ ବସିଥିବା ବେଳେ ପ୍ରାଧାନ ଶିକ୍ଷକଙ୍କ ଡାକରେ ଅଟକିଗଲା । ଗତକାଲି ଉଗ୍ର ରୂପ ଦେଖାଇଥିବା ସରପଞ୍ଚଙ୍କ ରୂପ ଭାବଭଙ୍ଗୀ ସମ୍ପୂର୍ଣ୍ଣ ଅଲଗା ଥିଲା।
ସରପଞ୍ଚ ମହୋଦୟ ପାଖକୁ ଆସି ମୋନାକୁ ତାଙ୍କ କଥା ନଧରିବାକୁ ଅନୁରୋଧ କରିଥିଲେ । ସେ ତାଙ୍କ ପୁଅକୁ ସୁଧାରିବା ପାଇଁ ତାକୁ ଗତକାଲି ରାତିରେ ବହୁତ ମାରିଥିବା କଥା କହିଥିଲେ । ସେଥିପାଇଁ ତାଙ୍କ ପୁଅ ଆଜି ସ୍କୁଲ ଆସିନଥିବା କଥା ଜଣେଇଥିଲେ । ନିଜର ଗତକାଲିର କଥା ପାଇଁ ଦୁଃଖ ପ୍ରକାଶ କରିଥିଲେ। ତାଙ୍କର ଏସବୁ କଥା ଶୁଣି ମୋନାର ହୃଦୟର କଷ୍ଟ ଧୀରେ ଧୀରେ କମିଯାଇଥିଲା । ତାକୁ ଏକ ଗଡ଼ ଜିତିଗଲା ଭଳି ଲାଗୁଥିଲା।ସେ ସରପଞ୍ଚଙ୍କୁ କହିଲା," ପୁଅକୁ ଟିକେ ଜଗିବେ ସେ ଯେମିତି ଅବାଟକୁ ନଯାଉ ମୁଁ ସେତିକି ହିଁ ଚାହେଁ।"ତା'କଥାରେ ସରପଞ୍ଚ ମୁଣ୍ଡ ହଲେଇ ହଁ କରିଥିଲେ। ତାପରେ ମୋନାକୁ କହିଥିଲେ,"ଦିଦି ତୁମେ ଆମ ଏମ ଏଲ ଏଙ୍କ ପରିଚୟ ଲୋକ ବୋଲିତ ଜଣେଇ ନଥିଲ ।ହଉ କିଛି ଅସୁବିଧା ହେଲେ ମୋତେ ଜଣେଇବ ମୁଁ ସବୁ ବୁଝିବି"। ଏତିକି କହି ସରପଞ୍ଚ ଚାଲିଯିବା ପରେ ମୋନା ଭାବୁଥିଲା ସତରେ ! ସେ ତାଙ୍କ ଗତକାଲିର ଭୁଲ ବୁଝିପାରି ଆଜି ସ୍କୁଲ ଆସିଥିଲେ ନା ବାପାଙ୍କ ଛାତ୍ର ଥିବା ସ୍ଥାନୀୟ ଏମ ଏଲ ଏଙ୍କ ଚାପରେ ସ୍କୁଲ ଆସି ତାକୁ ଏପରି କଥା ସବୁ କହିକି ଗଲେ। ଏମିତି ଅନେକ ପ୍ରଶ୍ନ ତା' ହୃଦୟରେ ଉଙ୍କି ମାରୁଥିଲା।ଏଇ ଦୁଇ ତିନି ଦିନ ଭିତରେ ତା' ପାଇଁ ହୃଦୟର ପରିଭାଷା ଯେପରି ବଦଳି ଯାଇଥିଲା । ନିଜ ହୃଦୟର ଭାଷା ଜଣେଇବା ପାଇଁ ସରପଞ୍ଚଙ୍କ ପୁଅ ଯେଉଁ ଭୁଲ କରିଥିଲା ସେ ଘଟଣା ପରେ ମୋନାର ହୃଦୟରେ ଅନେକ ଭାବ ସୃଷ୍ଟି ହୋଇଥିଲା । ଦୁଃଖ, କଷ୍ଟ ,ରାଗ, ଅଭିମାନ ଠାରୁ ଆରମ୍ଭ କରି ଆନନ୍ଦ ପରି ଅନେକ ଭାବ। ମୋନାର ଅଜାଣତରେ ତା'ପାଟିରୁ ହିନ୍ଦୀ ସିନେମା ଗୀତ ଧାଡି଼ ବାହାରିଗଲା"ଦିଲ ତୋ ବଚ୍ଚା ହେ ଜି ଥୋଡା କଚ୍ଚା ହେ ଜି"। ଚାକିରୀ ଛାଡ଼ିବା କଥା ମନରୁ ପୋଛିଦେଇ ସେ ନିଜ କାମରେ ମନ ଦେଲା ।