ବନ୍ୟା
ବନ୍ୟା
" ହଁ ମ' ମୁଁ କହୁଥିଲି ଯେ ମୋ କଥା ସମସ୍ତଙ୍କୁ ଗନ୍ଧଉଥିଲା।ବନ୍ୟା ସତରେ ଗୋଟେ ଗ୍ରହ।ଏମିତି ସେମିତି ନୁହେଁ ସାକ୍ଷାତ ଶନି ।ବନ୍ୟା ଆସିବାରୁ ଗୋଟେ ହସଖୁସି ଭରା ପରିବାର ଉଜୁଡିଗଲା।ରୀନା ଭାଉଜକୁ ଦେଖିଲେ ଦୁଃଖ ଲାଗେ।ବନ୍ୟା ପାଇଁ ତାଙ୍କର ଏମିତି ଦଶା।ମୁଁ କେତେ କହିଲେ କଣ ହେବ?ମୋ କଥା କିଏ ଶୁଣୁଛି?ସବୁବେଳେ ମୋତେ ଗାଳି ଦେଇ ଚୁପ କରେଇଦେଉଥିଲେ ଏବେ ଠିକ ବୁଝିପାରୁଥିବେ ଯେ ।ଯାହାହେଲେ ମୁଁ ମୋ ଭାଇର ଗୋଟିଏ ବୋଲି ଭଉଣୀ।ମୁଁ କଣ ତା'ର ଖରାପ ଚାହିଁବି?ଖୁଥିଲେ କଣ ନା ମୁଁ କାଳେ ଘରଭଙ୍ଗେଇ"।
ଏକା ନିଶ୍ୱାସ ରେ ଏତେ କଥା କହିଗଲା ସର ଅପା। ମୁଁ ତା କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ତାକୁ ଅନେଇରହିଥିଲି।ସରଅପା ମୋ ଉପର ଶ୍ରେଣୀରେ ପଢେ।ଦେଖିବାକୁ ଭାରି ସୁନ୍ଦରୀ।ମାଆବାପାଙ୍କର ଏକମାତ୍ର ଝିଅ ହୋଇଥିବାରୁ ଭାରି ଅଲିଅଳି।ତେଣୁ ମାତ୍ରାଧିକ ଫୁଲେଇ,ବଦରାଗି ଓ ମୁହଁଖୋର।ସ୍ଥାନ କାଳ ପାତ୍ର ବିଚାର ନକରି ମୁହଁକୁ ଯାହା ଆସେ କହିଯାଏ।କେତେ ଆକଟ କଲେ ମଧ୍ୟ ଶୁଣେନି କି ମାନେନି।
ବିବେକ ଭାଇ ସରଅପାର ଗୋଟିଏ ବୋଲି ଭାଇ। ଭାଇ ଭଉଣୀ ମଧ୍ୟରେ ନିବିଡ଼ ସ୍ନେହ।ମୁଁ ନିଜେ ଦେଖିଛି ସରଅପାର ବାହାଘର ପରେ ବିବେକ ଭାଇ କେମିତି ବଦଳିଯାଇଥିଲା।ଖାଇବା ପିଇବା ଛାଡ଼ିଦେଇଥିଲା।ସମସ୍ତେ ତାକୁ ବୁଝଉଥିଲେ। କିନ୍ତୁ ସେ ସବୁବେଳେ ତା' ସାନ ଭଉଣୀ କୁ ଝୁରିହେଉଥିଲା।ପୁଅପିଲାଟେ ହୋଇ ମଧ୍ୟ ସରଅପାକୁ ମନେ ପକେଇ କେତେ କାନ୍ଦିଛି ବିବେକ ଭାଇ। ତାକୁ ସାମାନ୍ୟ ହେବା ପାଇଁ ପାଖା ପାଖି ଦୁଇ ମାସ ସମୟ ଲାଗିଯାଇଥିଲା।ସର ଅପାର ବାହାଘର ପରେ ମାଉସୀ ବିବେକ ଭାଇକୁ ବାହା କରେଇବାକୁ ଚାହିଁଲେ। ଖୋଜି ଖୋଜି ଗୋଟିଏ ଚାଉଳରେ ଗଢ଼ା ରୀନା ଭାଉଜଙ୍କୁ ଘରକୁ ବୋହୂ କରି ଆଣିଲେ।ଭାଉଜ ରୂପରେ ଯେମିତି ଗୁଣରେ ଠିକ ସେମିତି।ଅଳ୍ପ ଦିନ ଭିତରେ ଘରର ସବୁ ଦାୟିତ୍ୱ ନିଜ ଉପରକୁ ନେଇଗଲେ।ଘରକୁ ଠିକ ଭାବେ ଚଲେଇବା ଠାରୁ ଆରମ୍ଭ କରି ଫୁଲେଇ ନଣନ୍ଦ ଘରକୁ ଆସିଲେ ତା' ମନ ଜାଣି ତା'କୁ ସମ୍ଭାଳିବା ପର୍ଯ୍ୟନ୍ତ ସବୁକାମରେ ଧୁରନ୍ଧର।
ଘର କଥାରେ କେହି ମୁଣ୍ଡ ପୁରଉନଥିଲେ। ନା ବିବେକ ଭାଇ ନା ମଉସା ମାଉସୀ।ରୀନା ଭାଉଜ ଯାହା ଯେମିତି କରୁଥିଲେ ସେଥିରେ ସମସ୍ତେ ସହମତ ହେଉଥିଲେ କାରଣ ରୀନା ଭାଉଜଙ୍କ ଉପରେ ସମସ୍ତଙ୍କ ଅଖଣ୍ଡ ବିଶ୍ୱାସ ଥିଲା।ସମସ୍ତେ ଜାଣିଥିଲେ ରୀନା ଭାଉଜ କେବେ କିଛି ଭୁଲ କରିବେନି।ୟା ଭିତରେ ପାଞ୍ଚ ବର୍ଷ ବିତିଗଲା। ସବୁ ଠିକ ଠାକ ଚାଲିଥିଲା।କିନ୍ତୁ ଉପରକୁ ଯାହା ଦେଖାଯାଏ ସବୁବେଳେ ତାହା ସତ ହୋଇନପାରେ।ଉପରକୁ ଖୁସିରେ ରହୁଥିବା ଭଳି ଦେଖାଗଲେ ମଧ୍ୟ ପରିବାରରେ ଧୀରେ ଧୀରେ ଅଶାନ୍ତି କୁରୁଳିଥିଲା କାରଣ ଥିଲା ରୀନା ଭାଉଜଙ୍କ ଶୂନ୍ୟ କୋଳ।କେତେ ଦିଅଁ ଦେବତା ହାକିମ ବୈଦ୍ୟ ଡାକ୍ତର ସବୁ ସରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ଅଶାନ୍ତି ଆହୁରି ଅଧିକ ହେଉଥିଲା ଯେତେବେଳେ ସର ଅପା ତା' ପିଲାଙ୍କୁ ନେଇ ଘରକୁ ଆସୁଥିଲା।
ରୀନା ଭାଉଜଙ୍କୁ ସେ ଦେଖେଇ ଶିଖେଇ ଅନେକ କଥା କହୁଥିଲା।ତା' ସାଙ୍ଗରେ ମାଉସୀ ମଧ୍ୟ ତାଳ ଦେବାକୁ ପିଛଉନଥିଲେ।ରୀନା ଭାଉଜଙ୍କ ସବୁ ସୁଗୁଣର ଯେପରି କୌଣସି ମୂଲ୍ୟ ନଥିଲା।ଭାଉଜ ଚୁପଚାପ ଲୁହ ଗଡାନ୍ତି କିନ୍ତୁ କାହାକୁ କିଛି ପ୍ରତ୍ୟୁତ୍ତର ଦିଅନ୍ତି ନାହିଁ।ଭାଗ୍ୟ ସବୁବେଳେ ସମାନ ନଥାଏ।ସକାଳୁ ସକାଳୁ ଗାଁ ରେ ହୁରି ପଡିଲା ନଇ ବଢ଼ିଲାଣି ।ବନ୍ୟାପାଣି ଘରେ ପଶିବ। ପାଣି ଘରେ ପଶିଲାନି ସତ କିନ୍ତୁ ରୀନା ଭାଉଜଙ୍କ ଭାଗ୍ୟ ଖୋଲିଦେଇଗଲା।ବଢ଼ିପାଣିରେ ଭାସିଆସିଥିଲା କଅଁଳା ଛୁଆଟିଏ। ଏତେ ପାଣିରେ ଭାସିଆସିଥିଲେ ସୁଦ୍ଧା ଝିଅଟି ବଞ୍ଚିଥିଲା।ଗାଁଲୋକେ ଝିଅଟିକୁ ପାଣିରୁ ଛାଣି ଆଣିଲେ ସିନା ଘରକୁ ନେବାକୁ କେହି ରାଜି ହେଲେନାହିଁ।ସେଠାରେ ଥିବା ବିବେକ ଭାଇ ଝିଅଟିକୁ ଘରକୁ ନେଇଆସିଲେ।ବନ୍ୟା ପାଣିରୁ ଝିଅକୁ ପାଇଥିବାରୁ ବିବେକ ଭାଇ ତାକୁ ବନ୍ୟା ନାଁରେ ହିଁ ଡାକିଲେ।ଝିଅଟି ବିଷୟରେ ନିକଟସ୍ଥ ପୁଲିସ ଷ୍ଟେସନରେ ଖବର ଦିଆଗଲେ ମଧ୍ୟ କେହି ଛୁଆଟିକୁ ନେବାକୁ ଆସିଲେ ନାହିଁ।ଛୁଆଟି ଘରେ ଥିଲା ବେଳେ ରୀନା ଭାଉଜ ମାଆ ଭଳି ତାକୁ ପାଳିଲେ।ଛୁଆକୁ କେହି ନେବାକୁ ନଆସିବାରୁ ସେ ତା'ର ମାଆ ହେବେ ବୋଲି ପ୍ରସ୍ତାବ ଦେଇଥିଲେ।ମଉସା ମାଉସୀ ଓ ସରଅପା ଘୋର ବିରୋଧ କରିଥିଲେ।ମାଉସୀ କହିଥିଲେ କାହାଘର ନାଇଁ କାହାଘର ଛୁଆକୁ ମୋ ଘରେ ରଖିବିନି।ସରଅପା କହିଥିଲା ଏଇଟା ବନ୍ୟପାଣିରେ ଭାସିଆସିଥିଲା,ତା' ନିଜ ଜନ୍ମ ହୋଇଥିବା ଘରେ ରହିପାରିଲାନି ତାକୁ ଘରେ କାହିଁକି ରଖିବା?କିନ୍ତୁ ରୀନା ଭାଉଜଙ୍କ ଏଇଥରର ଜିଦ ଆଗରେ ସମସ୍ତେ ନୀରବ ହୋଇଯାଇଥିଲେ।ବନ୍ୟା ବିବେକ ଭାଇ ଓ ରୀନାଭାଉଜଙ୍କ ଝିଅ ହୋଇ ରହିଥିଲା।
ଏହି ଘଟଣାର ଦୁଇମାସ ପରେ ମଉସା ପକ୍ଷାଘାତରେ ପୀଡିତ ହେଲେ।ସେଥିପାଇଁ ବନ୍ୟା ହୋଇଗଲା ଦୋଷୀ।ବନ୍ୟାର ଆଗମନ ଯୋଗୁଁ ହିଁ ମଉସାଙ୍କ ପକ୍ଷାଘାତ ହେଲା ବୋଲି ସରଅପାର ଦୃଢ଼ ଯୁକ୍ତି ଥିଲା। ସରଅପା ଏତେ କଥା କହିବା ପରେ କେହି କିଛି ପାଟି ଖୋଲୁନଥିଲେ। କିନ୍ତୁ ଅତି ନୀରିହ ବିବେକ ଭାଇ ଗର୍ଜିଉଠିଲା।ବନ୍ୟା ମୋ ଝିଅ।ଆମ ଘରେ ରହିବ।ବିବେକ ଭାଇର ଏମିତି ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ବନ୍ୟାର ଭାଗ୍ୟ ସେହିଦିନ ଲେଖା ହୋଇଗଲା ଓ ସେ ହୋଇଗଲା ରୀନାଭାଉଜ ଓ ବିବେକଭାଇଙ୍କ ଝିଅ।