Priyadarshini Mishra

Drama

3  

Priyadarshini Mishra

Drama

ବ୍ୟାକ ଡୋର

ବ୍ୟାକ ଡୋର

3 mins
152



     ବ୍ୟାକ ଡୋର ଦେଇ ପ୍ରବେଶ ବହୁତ ସହଜ । କିନ୍ତୁ ପ୍ରବେଶ ପରର ପରିସ୍ଥିତିକୁ ସାମ୍ନା କରିବା ଅତି ଜଟିଳ । ଏଇ କଥାକୁ ମର୍ମେ ମର୍ମେ ଅନୁଭବି ସାରିଥିଲା ବିକାଶ । ବାପାଙ୍କ ଇଚ୍ଛା ଥିଲା ସେ ଡାକ୍ତର ହେଉ ତେଣୁ ସେ ଡାକ୍ତର ହେଲା ସେ ପୁଣି ବାପାଙ୍କ ପ୍ରଚେଷ୍ଟାରେ । ସେଥିରେ ତା'ର ନିଜର କିଛି ଯୋଗଦାନ ନଥିଲା । ବାପା ନିଜ ଅର୍ଥବଳରେ ତା'କୁ ମେଡିକାଲ କଲେଜରେ ବ୍ୟାକ ଡୋର ଦେଇ ପ୍ରବେଶ କରାଇଦେଇଥିଲେ । ସେଠାରୁ କିନ୍ତୁ ସେ ପାସ ହୋଇ ବାହାରିଲା ବେଳକୁ ଦଶବର୍ଷ ବିତିଯାଇଥିଲେ । ବହୁତ କଷ୍ଟରେ କାନ୍ଦି କୁନ୍ଥେଇ ସେ ପାସ କରିଗଲା । କିନ୍ତୁ ଡାକ୍ତର ହେଲା ପରେ ବାପାଙ୍କ ତା' ଉପରେ ଭରସା ନଥିଲା । ବାପା ସେ ଦେଇଥିବା କୌଣସି ଔଷଧ ଖାଉନଥିଲେ । ତା'ମନ କଷ୍ଟ ନହେବା ପାଇଁ ତା' ହାତରୁ ଔଷଧ ନେଉଥିଲେ କିନ୍ତୁ ଚାହାଁ ଚାହାଁ କରି ଫୋପାଡ଼ିଦେଉଥିଲେ । ସେ ଏସବୁ ଲକ୍ଷ୍ୟ କରିଥିଲେ ମଧ୍ୟ ବାପାଙ୍କ ମନ କାଳେ କଷ୍ଟ ହେବ ସେଥିପାଇଁ କିଛି କୁହେନି । ବାପା ପୁଅ ପରସ୍ପରର ମନ କଷ୍ଟ ହେବ ବୋଲି କିଛି ନକହିଲେ ମଧ୍ୟ ପରସ୍ପରର କାର୍ଯ୍ୟକଳାପ ସହ ଭଲ ଭାବେ ଅବଗତ ଥିଲେ ।


ବିକାଶ ଭଲଭାବେ ଜାଣିଥିଲା ଯେ ଘରେ ବାପାମାଆ ଦେହ ଖରାପ ହେଲେ ସେ ଦେଇଥିବା ଔଷଧ ଖାଉନଥିଲେ କାରଣ ବାପା ତା'ର ଯୋଗ୍ୟତା ସମ୍ପର୍କରେ ଅବଗତ ଥିଲେ । କିନ୍ତୁ ବୁଝିପାରୁନଥିଲା ବାପା ଗାଁରେ ନିଜେ ତିଆରି କରାଉଥିବା ଦାତବ୍ୟ ଚିକିତ୍ସାଳୟରେ ତା'କୁ କାହିଁକି ଡାକ୍ତର ନିଯୁକ୍ତ କରିବାକୁ ଚାହୁଁଛନ୍ତି । ନିଜେ ଯଦି ପୁଅ ଉପରେ ବିଶ୍ୱାସ କରିପାରୁନାହାନ୍ତି ଗାଁଲୋକଙ୍କ ଚିକିତ୍ସା ପାଇଁ କିପରି ତା'କୁ ପ୍ରୋତ୍ସାହିତ କରିପାରୁଛନ୍ତି । ବିକାଶ ମନରେ ଅଭିମାନ ଆସେ ଯେମିତି ହେଉ ପଛେ ସେ ମେଡିକାଲ ପାଠ ପଢ଼ିଛି ଓ ପାସ ମଧ୍ୟ କରିଛି କିନ୍ତୁ ବାପା ତା'କୁ ହୀନଚକ୍ଷୁରେ ଦେଖୁଛନ୍ତି । ଏମିତି ଯଦି କରିବାର ଥିଲା ତା'କୁ କାହିଁକି ମେଡିକାଲ ପଢଉଥିଲେ?ସେ ଏତେ ବର୍ଷ ମେଡିକାଲ କଲେଜରେ ପଢ଼ିନଥାନ୍ତା କି ଜୀବନର ବହୁମୂଲ୍ୟ ସମୟ ଏମିତି କାମରେ ନଷ୍ଟ କରିନଥା'ନ୍ତା ଯେଉଁଥିରେ ତା'ର ଆଗ୍ରହ କି ସ୍ପୃହା ନଥିଲା ।


ତେବେ ସୁନାପୁଅ ଭଳି ବାପାଙ୍କ ସବୁକଥାକୁ ମାନୁଥିବା ବିକାଶ ବାପାଙ୍କୁ କୌଣସି କଥା ପଚାରିବାକୁ ସାହସ କରେନି କି ପଚାରେନି । ବାପାଙ୍କ ଦାତବ୍ୟ ଚିକିତ୍ସାଳୟର କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାପରେ ଉଦଘାଟନ ଉତ୍ସବରେ ବାପା ବିକାଶକୁ ଚିକିତ୍ସାଳୟର ଡାକ୍ତର ଘୋଷଣା କରିଥିଲେ । ଗାଁଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଗଲା । ବିକାଶ କିନ୍ତୁ ମନେ ମନେ ଭୟଭୀତ ହୋଇଗଲା । କେମିତି ସେ ଡାକ୍ତରଖାନା ସମ୍ଭାଳିବ । ବାପାଙ୍କ ଟଙ୍କାରେ ପାଠ ପଢି ବାପା କରିଥିବା ଚିକିତ୍ସାଳୟରେ ଡାକ୍ତର ହୋଇଗଲା ସତ କିନ୍ତୁ ସେ କଣ ଜଣେ ଶତ ପ୍ରତିଶତ ସଫଳ ଡାକ୍ତର ହୋଇପାରିବ!ଉଦଘାଟନ ଉତ୍ସବରୁ ଭାରି ମନରେ ସେ ଘରକୁ ଫେରିଲା । ସେଦିନ ରାତିରେ ତା'କୁ ନିଦ ହେଲାନି । ସକାଳୁ ଉଠି ବାପାଙ୍କ ସହ କଥା ହେବାକୁ ମନସ୍ଥ କରି ସେ ରାତି ପାହିବାକୁ ଅପେକ୍ଷା କରି ରହିଲା ।


     ସକାଳୁ ସକାଳୁ ବାପା ପ୍ରାତଃଭ୍ରମଣରୁ ଫେରିଲା ପରେ ସେ ତାଙ୍କ ସହ କଥା ହେବାକୁ ଗଲା । ବିକାଶ ବାପାଙ୍କୁ ସିଧା ସିଧା ପ୍ରଶ୍ନ କଲା,"ବାପା ଆପଣଙ୍କ ମୁଁ ଦେଉଥିବା ଔଷଧ ଉପରେ ଭରସା ନାହିଁ । ମୁଁ ବ୍ୟାକ ଡୋର ଦେଇ ମେଡିକାଲ କଲେଜରେ ନାଁ ଲେଖାଇଥିଲି ଆପଣଙ୍କ ପାଇଁ,ଆପଣଙ୍କ ଅର୍ଥବଳରେ । ସେଠାରେ ମୋର ପାଠ ଭଲ ହେଉନଥିଲା । ମୋତେ ପାସ କରିବାକୁ ଦଶ ବର୍ଷ ଲାଗିଗଲା । ସେଥିପାଇଁ ଆପଣ ଭାବୁଥାଇପାରୁଥାନ୍ତି ମୁଁ କାଳେ ଭୁଲ ଔଷଧ ଦେଇଦେବି । ଆପଣଙ୍କ ଭାବିବା ସ୍ୱାଭାବିକ । ତେବେ ମୋତେ କାହିଁକି ଆପଣଙ୍କ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତ କଲେ । "ବାପା ଖବରକାଗଜ ଉପରୁ ଆଖି ଉଠେଇ ବିକାଶକୁ ଚାହିଁଲେ ଏବଂ କହିଲେ,"ପୁଅ ମୁଁ ତୋ ଯୋଗ୍ୟତା ସମ୍ପର୍କରେ ପୂର୍ଣ୍ଣ ରୂପେ ଅବଗତ । ତୁ ଆମ ଚିକିତ୍ସାଳୟରେ ଡାକ୍ତର ହୋଇ ଜ୍ଵର କାଶ ଭଳି ଛୋଟମୋଟ ରୋଗର ଚିକିତ୍ସା କର । ମୁଁ ଭଲ ଡାକ୍ତର ନିଯୁକ୍ତ କରିବି ଯେଉଁମାନେ ଗାଁଲୋକଙ୍କର ଦୁଃସାଧ୍ୟ ରୋଗ ଚିକିତ୍ସା କରିବେ । ଆମ ଚିକିତ୍ସାଳୟର ନାଁ ହେବ । ତୁ ମେଡିକାଲ ପଢିଲା ବେଳେ ଯେଉଁମାନେ ଖୁଣ୍ଟା ଦେଉଥିଲେ ଯେ ବାପାର ପିଇସା ଥିବାରୁ ପୁଅ ଡାକ୍ତର ତେଣିକି ଯୋଗ୍ୟତା ଥାଉ ବା ନଥାଉ,ସେମାନଙ୍କ ମୁହଁ ଚୁପ ହୋଇଯିବ । ତୁ ସମସ୍ତଙ୍କ ଆଖିରେ ଜଣେ ମହାନ ଡାକ୍ତର ହେବୁ ଯେହେତୁ ଦାତବ୍ୟ ଚିକିତ୍ସାଳୟରେ ମାଗଣା ଚିକିତ୍ସା କରିବୁ । ଆମର ଧନର ଅଭାବ ନାହିଁ । ତେଣୁ ତୋତେ ରୋଜଗାର କରିବା ଆବଶ୍ୟକ ନାହିଁ । ଆମ ବନ୍ଧୁବାନ୍ଧବ ଯେଉଁମାନେ ମୋତେ କହିଥିଲେ ତୁମ ପୁଅର ପାଠ ତ ହେଉନି,ସେ ମଣିଷମରା ଡାକ୍ତର ହେବ ସେମାନେ ମଧ୍ୟ କଥା କହିବାକୁ ସାହସ କରିବେନି । "ବାପାଙ୍କ କଥା ଶୁଣି ବିକାଶ ଭାବୁଥିଲା ମହାପୁରୁଷମାନେ ଠିକ କଥା କହିଥିଲେ,"ବାପା ଥିବା ପୁଅ କେବେ କେଉଁଠି ହାରେନା" ।



Rate this content
Log in

Similar oriya story from Drama