ସମୀକ୍ଷା
ସମୀକ୍ଷା
ଆତ୍ମସମୀକ୍ଷା ବିନା ମଣିଷ ନିଜ ଦୋଷ ଦୁର୍ବଳତା ଜାଣିପାରେନା।ଯେଉଁ ମଣିଷ ଆତ୍ମସମୀକ୍ଷା ନକରି କେବଳ ଅନ୍ୟର ଦୋଷ ଦୁର୍ବଳତା ଦେଖେ ତା' ଜୀବନ ଦୁର୍ବିସହ ହୋଇପଡିବା ଅଵଶ୍ୟମ୍ଭାବୀ।ଆଜି ନିରୂପମା ଏହି କଥାଟି ଭଲ ଭାବରେ ଅନୁଭବ କରିପାରିଛି।ନିରୂପମା ବାର ବର୍ଷ ତଳେ ଏକ ସରକାରୀ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ଭାବେ ଚାକିରୀରେ ଯୋଗ ଦେଇଥିଲା।ଯୋଗ ଦେବା ଦିନ ଠାରୁ କାର୍ଯ୍ୟରେ ଅବହେଳା କରିବା ଠକିବା ନିରୂପମାର ଅଭ୍ୟାସରେ ପରିଣତ ହୋଇସାରିଥିଲା।ବିଦ୍ୟାଳୟ ର କୌଣସି ଦାୟିତ୍ୱ ନେବା ପାଇଁ ତାଙ୍କର ଇଛା ନଥିଲା। କିନ୍ତୁ କେଉଁ ବାଟରେ ବିଦ୍ୟାଳୟରୁ ସମୟ ପୂର୍ବରୁ ଘରକୁ ଯାଇହେବ ସେ ଭଲଭାବେ ଜାଣିଥିଲେ।ଧୀରେ ଧୀରେ ପୁରୁଣା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବସର ଗ୍ରହଣ କଲେ।ନିରୂପମା ଦିଦିଙ୍କ ସମସାମୟିକ ମାନେ ବିଦ୍ୟାଳୟରେ ରହିଲେ।ପୁରୁଣା ଅଭ୍ୟାସ ଅନୁସାରେ ନିରୂପମା ଦିଦି ସ୍କୁଲରେ କୌଣସି ଦାୟିତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଦ୍ୟାଳୟ ସମ୍ବନ୍ଧୀୟ ଯେକୌଣସି କାର୍ଯ୍ୟ ଦେଲେ ସେ ତାଙ୍କ ସହ ଝଗଡା କରିବାକୁ ଲାଗିଲେ।କିନ୍ତୁ କଥା ଉଠିଲେ କହିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି।ବିଦ୍ୟାଳୟ ଭଳି ପବିତ୍ର ସ୍ଥାନରେ ଠକିବା ଏକ ଧର୍ତ୍ତବ୍ୟ ଅପରାଧ।ସେକଥା ନିରୂପମା ଦିଦି ହୃଦୟଙ୍ଗମ କରିପାରୁନଥିଲେ।ନିଜର କ୍ଷଣିକ ସ୍ୱାର୍ଥ ପାଇଁ ବିଦ୍ୟାଳୟରେ ପଢ଼ୁଥିବା ଆଠ ଶହ ପିଲାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଉନଥିଲେ।ମାସରେ ଅଧିକାଂଶ ଦିନ ଅଧାଦିନ ଛୁଟି ଦରଖାସ୍ତ ଦେଇ ଘରକୁ ଚାଲିଯାଉଥିଲେ।ତା'ପରଦିନ ଆସି କିନ୍ତୁ ବିଦ୍ୟାଳୟରେ ସମ୍ପୂର୍ଣ ସମୟ ରହିଥିଲା ଭଳି ଦସ୍ତଖତ କରିଦେଉଥିଲେ।
ଏପରି ସମୟ ଆସିଲା ସେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବାକୁ ଲାଗିଲେ।ଓଲଟି ତାଙ୍କର ଅଭଦ୍ରୋଚିତ ବ୍ୟବହାର ଯୋଗୁଁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମାନସିକ ନିର୍ଯାତନା ଭୋଗିବାକୁ ଲାଗିଲେ।ଯେପରି ଗୋଟିଏ ପଚା ଫଳ ସମ୍ପୂର୍ଣ୍ଣ ଫଳ ଝୁଡ଼ିକୁ ନଷ୍ଟ କରିଦିଏ।ବିଦ୍ୟାଳୟରେ ସେହିପରି ପରିସ୍ଥିତି ସୃଷ୍ଟି ହେବାକୁ ଲାଗିଲା। ତାଙ୍କ ଦେଖାଦେଖି ଅନ୍ୟମାନେ ଠକିବା ଆରମ୍ଭ କଲେ।ବିଦ୍ୟାଳୟର ସ୍ଥିତି ଜଟିଳ ହେବାକୁ ଲାଗିଲା।ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆପ୍ରାଣ ଉଦ୍ୟମ କରିଥିଲେ ପରିସ୍ଥିତିକୁ ସମ୍ଭାଳିବା ପାଇଁ।ପରିଶେଷରେ ସେ ବିଦ୍ୟାଳୟର ପରିସ୍ଥିତି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଲେ।ଉପରିସ୍ଥ ଅଧିକାରୀ ପରିସ୍ଥିତି ର ଗୁରୁତ୍ୱ ଉପଲବ୍ଧି କରି ନିଜର ଏକ ପ୍ରତିନିଧି ଦଳ ବିଦ୍ୟାଳୟକୁ ପଠେଇବା ପାଇଁ ନିଷ୍ପତ୍ତି ନେଲେ।ସେହି ଦଳରେ ନିରୂପମା ଦିଦିଙ୍କର ଜଣେ ପରିଚିତ ବ୍ୟକ୍ତି ଥିଲେ।ସେ ଏ ସମ୍ବନ୍ଧରେ ନିରୂପମା ଦିଦିଙ୍କୁ ଆଗରୁ ଅବଗତ କରେଇଦେଇଥିଲେ।ତେଣୁ ନିରୂପମା ଦିଦି ନିଜ ଖେଳ ଆରମ୍ଭ କରିଦେଲେ।ବିଦ୍ୟାଳୟରେ ବେହୋସ ହେବାର ମିଛ ଅଭିନୟ କରିବାରେ ସେ ପ୍ରଥମରୁ ପାରଙ୍ଗମ ଥିଲେ।ସେ ଯେତେବେଳେ ତାଙ୍କ ଉପରକୁ ବିପଦ ଆସୁଛି ବୋଲି ଭାବୁଥିଲେ ବେହୋସ ହେବାର ନାଟକ କରୁଥିଲେ।ଏପରି ନାଟକ ସେ ପୂର୍ବରୁ କରିସାରିଥିଲେ।ତେଣୁ ଯେତେବେଳେ ସେହି ନାଟକର ପୁନରାବୃତ୍ତି କଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅବିଚଳିତ ରହିଲେ। ନିରୂପମା ଦିଦିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଗଲା।ସେଠାରେ ସାମ୍ବାଦିକଙ୍କ ଭିଡ଼ ମଧ୍ୟ ଜମା ହେଲା।ନିରୂପମାଦିଦି କହି ବୁଲିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମାନସିକ ନିର୍ଯାତନା ଯୋଗୁଁ ସେ ବେହୋସ ହୋଇଗଲେ।ସାମ୍ବାଦିକମାନେ ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ କହିଲେ, "ଯଦି ବିଦ୍ୟାଳୟର କୌଣସି କାମ ତାଙ୍କ ପାଇଁ ମାନସିକ ନିର୍ଯାତନା ମୁଁ ସେ ବିଷୟରେ କଣ କହିପାରିବି?ଆପଣ ଡ଼କ୍ଟରଙ୍କୁ ପଚାରନ୍ତୁ ତାଙ୍କର ବେହୋସ ହେବାର ସଠିକ କାରଣ କଣ?"ଡ଼କ୍ଟରଙ୍କୁ ପଚାରିବାରୁ ସେ କହିଲେ ନିରୂପମାଦିଦି କିଛି ଖାଇନାହାନ୍ତି।ସେଥିପାଇଁ ବେହୋସ ହୋଇଯାଇଥିଲେ।ସାଲାଇନଟିଏ ଦେଇଦେଲେ ଠିକ ହୋଇଯିବେ।ଏହାପରେ ସାମ୍ବାଦିକ ଭାଇମାନେ କୌଣସି ପ୍ରଶ୍ନ ନକରି ସେଠାରୁ ଚାଲିଯାଇଥିଲେ।
ଉପରିସ୍ଥ ଅଧିକାରୀଙ୍କ ପ୍ରତିନିଧିମାନେ ନିର୍ଦ୍ଧାରିତ ଦିନ ବିଦ୍ୟାଳୟରେ ପହଁଚିଲେ।ସେହିଦିନ ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ,ଶିକ୍ଷାକର୍ମୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ।ସମସ୍ତଙ୍କୁ ବିଦ୍ୟାଳୟର ପରିସ୍ଥିତି ସମ୍ପର୍କରେ ପଚରାଯାଇଥିଲା।ନିରୂପମା ଦିଦି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତାଙ୍କୁ ଖରାପ ବ୍ୟବହାର କରୁଥିବା କଥା କହିଥିଲେ।କିନ୍ତୁ ଏସବୁର କୌଣସି ପ୍ରମାଣ ନଥିଲା।କାରଣ ସେ ନିଜ ଅଭ୍ୟାସ ବଶତଃ ମିଛ କଥା ଗୁଡିଏ କହୁଥିଲେ।ଉପରିସ୍ଥ ଅଧିକାରୀଙ୍କ ପ୍ରତିନିଧିମାନେ ସବୁକଥା ଜାଣିପାରିଲେ।ସେମାନେ ଦିଦିଙ୍କୁ ତାଗିଦ କରି ଭବିଷ୍ୟତ ରେ ଏପରି ନକରିବାକୁ କହିଥିଲେ।ସେମାନଙ୍କ ସବୁକଥାରେ ସମ୍ମତ ହୋଇଥିବା ନିରୂପମାଦିଦିଙ୍କର କିନ୍ତୁ କୌଣସି ପରିବର୍ତ୍ତନ ହୋଇନଥିଲା।ବିଦ୍ୟାଳୟ କାର୍ଯ୍ୟରେ ଅସହଯୋଗ କରି ବିଦ୍ୟାଳୟରେ ବିଶୃଙ୍ଖଳା କରିବା ସେ ଜାରି ରଖିଥିଲେ।ବିଦ୍ୟାଳୟରେ ଏହିସବୁ ବିଶୃଙ୍ଖଳା ମଧ୍ୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବଦଳି ଅନ୍ୟ ଏକ ବିଦ୍ୟାଳୟକୁ ହୋଇଗଲା।ବର୍ତ୍ତମାନ ନିରୂପମାଦିଦି ବିଦ୍ୟାଳୟର ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେଲେ।ସେ ବିଦ୍ୟାଳୟରେ ଯେଉଁସବୁ ବିଶୃଙ୍ଖଳା କରି ସହକର୍ମୀ ମାନଙ୍କୁ ବିଶୃଙ୍ଖଳିତ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ ସେହି ଫଳ ଭୋଗିବା ଆରମ୍ଭ କଲେ।କେହି ତାଙ୍କୁ ସହଯୋଗ କଲେ ନାହିଁ। ବିଦ୍ୟାଳୟର କୌଣସି କାମ ହେଲା ନାହିଁ।ଛାତ୍ରଛାତ୍ରୀ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଲେ। ଏଭଳି ଯାବତୀୟ ବିଶୃଙ୍ଖଳା ସୃଷ୍ଟି ହେଲା।ଉପରିସ୍ଥ ଅଧିକାରୀଙ୍କ ପାଖରେ ନିରୂପମାଦିଦିଙ୍କ ବିରୋଧରେ ସ୍ଥାନୀୟ ଲୋକମାନେ ଅଭିଯୋଗ କଲେ।ସେମାନଙ୍କ ଅଭିଯୋଗରେ ସତ୍ୟତା ରହିଥିବାରୁ ଉପରିସ୍ଥ ଅଧିକାରୀ ଦିଦିଙ୍କୁ ନିଲମ୍ବିତ କଲେ।
ଚାକିରୀ ରୁ ନିଲମ୍ବିତ ହୋଇ ଘରେ ରହିଲା ପରେ ଦିଦି ଆତ୍ମସମୀକ୍ଷା ପାଇଁ ଯଥେଷ୍ଟ ସମୟ ପାଇଲେ।ସେ ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରକୁ ଯାଇ ନିଜ କୃତକର୍ମ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।ଆତ୍ମସମୀକ୍ଷା ପରେ ଜଣେ ନୂଆ ନିରୂପମାଦିଦିଙ୍କ ଅଭ୍ୟୁଦୟ ହୋଇଥିଲା।
