STORYMIRROR

Priyadarshini Mishra

Drama

4  

Priyadarshini Mishra

Drama

ଅନ୍ତର୍ବେଦନା

ଅନ୍ତର୍ବେଦନା

3 mins
319

ଝୁନା ମାଉସୀ କଥା ଶୁଣି ମାନିନୀ ବହୁତ କଷ୍ଟ ପାଇଥିଲା।କିନ୍ତୁ କୌଣସି ପ୍ରତ୍ୟୁତ୍ତର ଦେଇନଥିଲା।ସେ ଜାଣିସାରିଥିଲା ଯେତେ ମୁହଁ ସେତେ କଥା।ଆଜି ଚାଲିଆସିଛନ୍ତି ମଧ୍ୟସ୍ଥତା କରିବାକୁ।ଆଜି ମାନିନୀକୁ ବୁଝେଇଦେଉଛନ୍ତି ଶାଶୁ ଘରକୁ ଫେରିଯିବାକୁ।"ଝିଅର ଭାଗ୍ୟ ପଥର ତଳେ।କେତେଦିନ ବାପଘରେ ପଡିରହିବୁ।ବୁଢ଼ି ବୟସରେ ତ ବାହା ହେଲୁ,ପୁଣି ଦିନ କେଇଟାରେ ଶାଶୁଘରୁ ରାତିରେ ଲୁଚି ଲୁଚି ପଳେଇଆସିଲୁ।ଏମିତି କଣ ହେଇଗଲା ଯେ ତୁ ସହିପାରିଲୁନି।ତୋ ଭାଇ ତ ବିଦେଶରେ।ବଡ଼ ଭଉଣୀ ତା' ଘର ସଂସାରରେ ବ୍ୟସ୍ତ।ବୁଢା ବାପାମାଆଦୁଇଜଣଙ୍କୁ ମାନସିକ ଯନ୍ତ୍ରଣା ଦେଇ ଦେଇ ଏଇଠି ପଡିରହିଲେ ତୋତେ କଣ ମିଳିବ?ଆଉ କୋଉଠି କାହାକୁ ଭଲ ପାଇଛୁ କି?ସେଥିପାଇଁ ଶାଶୁଘରେ ନରହି ପଳେଇଆସିଲୁ।ତୋ ବାପାମାଆ କଣ ଏଇ ଶିକ୍ଷା ଏଇ ସଂସ୍କାର ଦେଇଥିଲେ?ଏଥର ମାନିନୀର ଧୈର୍ଯ୍ୟ ନଥିଲା, ଆଉ ଶୁଣିବାକୁ। ନିଜ ଚରିତ୍ର ନିଜ ବାପାମାଆଙ୍କ ସଂସ୍କାର ଉପରେ କୁଠାରାଘାତ ତା'ର ସହିବାର ସବୁ ସୀମା ଟପିସାରିଥିଲା।ଶାଶୁଘରୁ ଆସିବା ପରେ ସେ ନିଜ ବାପାମାଆଙ୍କୁ ମଧ୍ୟ ତା' ଆସିବାର କାରଣ କହିନଥିଲା।କିନ୍ତୁ ଝୁନାମାଉସୀଙ୍କ କଥାଗୁଡିକ ତା' ହୃଦୟରେ ତୀର ଭଳି ଫୁଟିଯାଇଥିଲା।ତା' ହୃଦୟର ଅନ୍ତର୍ବେଦନା ବାହାରିଆସିଥିଲା।

    ମାନିନୀ ଆରମ୍ଭ କରିଥିଲା,"ମାଉସୀ କଣ ମୁଁ ମରିଯିବା ସମସ୍ତେ ଚାହୁଁଥିଲେ। ରାତିର ଅନ୍ଧକାର ଓ ନିର୍ଜନତାକୁ ଡ୍ରାଇଥିଲେ ମୋର ପିଣ୍ଡରେ ପ୍ରାଣ ରହିନଥା'ନ୍ତା।ଲୁଚି ଲୁଚି ନ ଆସିଥିଲେ ମୋ ଶାଶୁଘରେ ମୁଁ କେମିତି ମରିଯାଇଥା'ନ୍ତି କେହି ଜାଣିପାରିନଥାନ୍ତେ।ମୁଁ କହି ନଥିଲି ମୋତେ ବୁଢ଼ି ବୟସରେ ବାହା କରାଅ।ଲୋକନିନ୍ଦା ଭୟରେ ଝିଅ ବିଦା କରିଦିଆଗଲା।ବଡ଼ଘର।ବଡ଼ ବ୍ୟାପାର।ଗୋଟିଏ ପୁଅ।ରାଜା ଭଳି ଚେହେରା।ଧନ ସମ୍ପତ୍ତିରେ ଉଛୁଳା ଘର।କେହି ଜାଣିବାକୁ ଚେଷ୍ଟା କଲେନି, ସେ କାହିଁକି ବୁଢ଼ାବୟସ ପର୍ଯ୍ୟନ୍ତ ବାହା ହୋଇନଥିଲେ।ମୋତେ କୁହାଗଲା ପୁଅପିଲା ଲଡୁପିଠା।ତାଙ୍କର କିଛି ଅବଗୁଣ ନାହିଁ।ମନଲାଖି ଝିଅ ମିଳିନଥିବାରୁ ବାହା ହୋଇନଥିଲେ।ମୋର ଭାଗ୍ୟ ଭଲ ମୋତେ ଏମିତି ଘର ବର ମିଳିଛି।ଏପରି ଅନେକ କଥା।ବାପାମାଆଙ୍କ ସେବା କରି ଜୀବନ କାଟିଦେବା ପାଇଁ ମୁଁ ଯେଉଁ ନିଷ୍ପତ୍ତି ନେଇଥିଲି କେହି ଶୁଣିନଥିଲେ।ଏକରକମ ବାଧ୍ୟ କରି ବିବାହ କରେଇଦିଆଗଲା।ବିବାହ ପରେ ମୋର ପାଦ ତଳୁ ମାଟି ଖସିଗଲା ଭଳି ଅନେକ ସତ୍ୟତାର ସାମ୍ନା କରିବା ମୋ ପାଇଁ ବାକି ଥିଲା।ବଡ଼ଘର ବଡ଼ ଗୁମର କଥା।ବିବାହର ପ୍ରଥମ ରାତିରେ ମୋ ସ୍ବାମୀ ମୋତେ ଜଣେଇଥିଲେ ସେ ତାଙ୍କ ପି.ଏ ବିଶାଳକୁ ଭଲ ପାଆନ୍ତି।ସାମାଜିକ ନିନ୍ଦା ଭୟରେ ମୋତେ ବିବାହ କରିଛନ୍ତି।ତାଙ୍କଠାରୁ ମୁଁ ଯେପରି କିଛି ଆଶା ନକରେ।ମୁଁ ମୋ ମନକୁ ବୁଝେଇ ଏହି ସତ୍ୟତାକୁ ଗ୍ରହଣ କରିଥିଲି କି ନାହିଁ ଶାଶୁଙ୍କ ଅଜବ ତଥା ବିଚିତ୍ର ପ୍ରସ୍ତାବ।ମୁଁ ଭାବିପାରୁନଥିଲି ଜଣେ ନାରୀ ହୋଇ କିଭଳି ଏକଥା କହିପାରିଲେ! ସାମାଜିକ କର୍ତ୍ତବ୍ୟ ଓ ସାମାଜିକ ନିନ୍ଦାର ଦ୍ୱାହି ଦେଇ ଘର କଥା ଘରେ ରଖି ଘରକୁ କୂଳଦ୍ବୀପଟିଏ ସେ ଚାହୁଁଥିଲେ।ଏଥିପାଇଁ ସହଜ ଉପାୟଟିଏ ସେ ଚିନ୍ତା କରିଥିଲେ।ଯାହା ମୋ ପାଇଁ ଆଦୌ ଗ୍ରହଣୀୟ ନଥିଲା। ମୋ ଭାବନା ବାହାରର କଥା ଥିଲା।ମୁଁ କାଳେ ମୋ ଶ୍ୱଶୁରଙ୍କ ଠାରୁ ଗର୍ଭବତୀ ହୋଇଥା'ନ୍ତି।ତାଙ୍କ କଥାକୁ ମୁଁ ଦୃଢ଼ ସ୍ୱରରେ ପ୍ରତିବାଦ କରିଥିଲି।ସେମାନେ ମୋ ଠାରୁ ଏଭଳି ବ୍ୟବହାର ଆଶା କରିନଥିଲେ।ମୋର ଉଗ୍ର ରୂପ ଦେଖି ସେମାନେ ଭୟଭୀତ ହେବା ମୁଁ ସ୍ପଷ୍ଟ ଅନୁଭବ କରିପାରୁଥିଲି।ସେମାନଙ୍କ ସଂଖ୍ୟା ଅଧିକ ଥିଲା। ବଳ ଅଧିକ ଥିଲା।କାଳେ ସେମାନଙ୍କ ଘର କଥା ବାହାରେ ପଡିଯିବ ତେଣୁ ମୋତେ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରାଗଲା।ମୋତେ ନଜରବନ୍ଦୀ କରି ରଖାଗଲା।ସେମାନଙ୍କ କଥା ମୁଁ ଶୁଣିଦେଇଥିଲି।ସେମାନଙ୍କ ଉଦ୍ଦ୍ୟେଶ ମୋତେ ଅଛପା ନଥିଲା।କିନ୍ତୁ ନଜରବନ୍ଦୀ ଥିବାରୁ ମୁଁ କିଛି କରିପାରୁନଥିଲି।ମୋ ମୃତ୍ୟୁକୁ ଦୁର୍ଘଟଣା ଦେଖାଇବା ପାଇଁ ସମସ୍ତ ଯୋଜନା ସରିବା ପରେ ମୋତେ ମାରିବା ସେମାନଙ୍କ ଯୋଜନା ଥିଲା।ଦିନେ ମୁଁ ଏକ ଅଜବ ତଥା ଉଦ୍ଭଟ ଚିନ୍ତାର ବଶବର୍ତ୍ତୀ ହୋଇ ଖଟ ତଳେ ଲୁଚିଗଲି।ମୁଁ ଘର ଛାଡ଼ି ପଳେଇଯାଇଛି ଭାବି ସେମାନେ ମୋତେ ଖୋଜାଖୋଜି କରୁଥିଲା ବେଳେ ମୁଁ ରାତି ଅନ୍ଧକାରର ସୁଯୋଗ ନେଇ ସେଠାରୁ ଖସିଆସିଲି।ଏବେ କୁହ ମୋର ଦୋଷ କଣ ?ସେଠାରେ ରହିଥିଲେ ମୁଁ ଜୀବନ ପାଇନଥା'ନ୍ତି।ଏସବୁ ପରେ ଯଦି ତୁମେ ମୋତେ ଦୋଷୀ ଭାବୁଛ ତେବେ ମୋର କିଛି କହିବାର ନାହିଁ।ଯାହାର ଚିନ୍ତାଧାରା ଯେମିତି।ମୁଁ ମୋ ସ୍ବାମୀଙ୍କ ସହ କଥା ହୋଇସାରିଛି।ମୋର କିଛି ଦରକାର ନାହିଁ।ସେ ମୋତେ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ।ତାଙ୍କ କଥା ମୁଁ କେଉଁଠି ପ୍ରଘଟ କରିବିନାହିଁ ବୋଲି ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଛି।ତେଣୁ ଆଶା କରୁଛି ତୁମେ ମୋ ମାଉସୀ ହିସାବରେ ମୁଁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ମୋତେ ସାହାଯ୍ୟ କରିବ।"ମାନିନୀ ଝୁନାମାଉସୀଙ୍କ ଆଖିରେ ଲୁହ ସ୍ପଷ୍ଟ ଦେଖିପାରୁଥିଲା। ସେ ଭାବୁଥିଲା,ସ୍ୱାର୍ଥପର ଦୁନିଆରେ ଜଣକର ଅନ୍ତର୍ବେଦନା କ'ଣ ଆଉଜଣେ ସତରେ ବୁଝିପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Drama