STORYMIRROR

Priyadarshini Mishra

Drama

4  

Priyadarshini Mishra

Drama

ସତ୍ୟତା

ସତ୍ୟତା

3 mins
452


    ସୁକାନ୍ତ ତା' ବାପାମାଆଙ୍କ ଏକମାତ୍ର ପୁଅ।ପିଲାଦିନରୁ ମେଧାବୀ ଛାତ୍ର।ଭଲ ପଢୁଥିଲା।ତାକୁ ଜାଣିଥିବା ସମସ୍ତେ ନିଶ୍ଚିନ୍ତ ଥିଲେ ସେ ଜୀବନରେ ନିଶ୍ଚୟ କିଛି ବଡ଼ କାମ କରିବ।ନାଁ କରିବ ।କିନ୍ତୁ ଏମିତି ନାଁ କରିବ ବୋଲି କେହି କଳ୍ପନା ସୁଦ୍ଧା କରିନଥିଲେ।ଖବର କାଗଜ ଟେଲିଭିଜନ ସବୁଥିରେ ସୁକାନ୍ତର କାରନାମା ବର୍ଣ୍ଣିତ ହେଉଛି।ସପ୍ତାହେ ହେଲାଣି ସୁକାନ୍ତ ବିଷୟରେ ଖବର ଦେଖି ଦେଖି ସମସ୍ତେ ହତବାକ।କିନ୍ତୁ ସୁକାନ୍ତ କେଉଁଠି କେହି କିଛି ଜାଣିନାହାନ୍ତି।ଏମିତି ଅନେକ କଥା ଚିନ୍ତା କରୁ କରୁ ରବି ଅତୀତକୁ ଫେରିଯାଉଥିଲା।ସୁକାନ୍ତ ଓ ରବି ପିଲାଦିନରୁ ଭଲ ସାଙ୍ଗ ଥିଲେ।ସୁକାନ୍ତର ଜୀବନର ଲକ୍ଷ୍ୟ ଥିଲା ସେ ଭବିଷ୍ୟତରେ ଭଲ ଡାକ୍ତର ହେବ।ଭଲ ପାଠ ପଢ଼ୁଥିବା ସୁକାନ୍ତ ନିଜ ଜୀବନର ଲକ୍ଷ୍ୟ ହାସଲ କରିପାରିଥିଲା।ଡାକ୍ତର ହିସାବରେ ସରକାରୀ ଡାକ୍ତରଖାନାରେ ଚାକିରୀ କରିଥିଲେ ମଧ୍ୟ ଅଵଶ୍ୟକତା ବେଳେ ମାଗଣା ରୋଗୀ ସେବା କରି ବହୁ ସୁନାମ ଅର୍ଜନ କରିପାରିଥିଲା।ପିଲାଟିଦିନରୁ ସ୍ୱଳ୍ପଭାଷୀ ଅଥଚ ମିଷ୍ଟଭାଷୀ ସୁକାନ୍ତ ପରୋପକାରୀ ବୋଲି ରବି ଜାଣିଥିଲା।ଯୁବାବସ୍ଥାରେ ତା'ର ସେହି ଗୁଣ ପାଇଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲା।ହଠାତ କବାଟରେ କାହାର କରାଘାତରେ ଭାବନା ରାଜ୍ୟରୁ ଫେରି ରବି କବାଟ ଖୋଲିଲା। ସାମ୍ନାରେ ସୁକାନ୍ତକୁ ଦେଖି ତା' ଆଶ୍ଚର୍ଯ୍ୟର ସୀମା ରହିଲାନି।ସୁକାନ୍ତ ତରବରରେ ଘର ଭିତରକୁ ପଶି ଆସି କବାଟ ବନ୍ଦ କରିଦେଲା।କିଛି ବୁଝିବା ଆଗରୁ ସୁକାନ୍ତ ଖାଇବାକୁ ମାଗିଲା।ରବି ଅବିବାହିତ ଥିବାରୁ ଘରେ ଯାହା ଥିଲା ସୁକାନ୍ତକୁ ଖାଇବାକୁ ଦେଲା।ସୁକାନ୍ତ ଏମିତି ଖାଉଥିଲା ଯେମିତି ଅନେକ ଦିନ ଧରି କିଛି ଖାଇନି।ଖାଇସାରିବା ପରେ ସୁକାନ୍ତ ସାଷ୍ଟାମ ହେଲା ।ରବି ତା' ପାଖରେ ବସି ତାକୁ ସବୁ ଘଟଣା ପଚାରିଥିଲା।ସୁକାନ୍ତର ଉତ୍ତର ଶୁଣି ରବିର ମୁଣ୍ଡ ଗୋଳମାଳ ହୋଇଯାଇଥିଲା।ସୁକାନ୍ତ କଥା ଅନୁସାରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡକେଇବାର ସମସ୍ତ ବନ୍ଦୋବସ୍ତ କରିବାରେ ଲାଗିପଡ଼ିଲା।

      ତା' ପରଦିନ ସାମ୍ବାଦିକ ସମ୍ମିଳନୀରେ ସୁକାନ୍ତ ଦୁନିଆ ର ସମ୍ମୁଖୀନ ହେଲା। ସାମ୍ବାଦିକ ବନ୍ଧୁମାନେ ସୁକାନ୍ତକୁ ଦେଖି ଫେରିଯିବା ପାଇଁ ବାହାରିଲେ।କାରଣ ଦୁନିଆ ଆଖିରେ ସୁକାନ୍ତ ଜଣେ ଫେରାର ଆସାମୀ।ତେବେ ସୁକାନ୍ତ ସମସ୍ତଙ୍କୁ ବସିବା ପାଇଁ କହି ତା' କଥା ଶୁଣିବା ପାଇଁ ଅନୁରୋଧ କରିଥିଲା।ଯେଉଁ ସୁନାମଧନ୍ୟ ଡାକ୍ତର ସୁକାନ୍ତର ସାକ୍ଷାତକାର ନେବା ପାଇଁ ଦିନେ ସାମ୍ବାଦିକମାନଙ୍କର ଲମ୍ବା ଧାଡି ଲାଗୁଥିଲା ସେମାନେ ଆଜି ତା' କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ।ଏହାକୁ ଭାଗ୍ୟର ବିଡ଼ମ୍ବନା କୁହାଯିବ।କିନ୍ତୁ ସୁକାନ୍ତର ଜୀବନରେ ଯାହା ଘଟିଥିଲା ତା' ଆଗରେ ଏଇ ବିଡ଼ମ୍ବନା କିଛି ନଥିଲା। ମୁଁ ମଧ୍ୟ ସାମ୍ବାଦିକ ବନ୍ଧୁମାନଙ୍କୁ ଅନୁରୋଧ କରି ସୁକାନ୍ତର କଥା ଥରୁଟିଏ ଶୁଣିବା ପାଇଁ କହିଥିଲି ।କାରଣ ଏହି ସାମ୍ବାଦିକ ସମ୍ମିଳନୀ ପରେ ସୁକାନ୍ତ ଆତ୍ମସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲା।ଆମ ଦୁହିଁଙ୍କର ଅନୁରୋଧ ରକ୍ଷା କରି ସାମ୍ବାଦିକ ବନ୍ଧୁମାନେ ସୁକାନ୍ତକୁ ଗୋଟିଏ ସୁଯୋଗ ଦେବା ପାଇଁ ସମ୍ମତ ହୋଇଥିଲେ।

     ସୁକାନ୍ତ ଆରମ୍ଭ କରିଥିଲା,"ମୁଁ ଡକ୍ଟର ସୁକାନ୍ତ ମିଶ୍ର।ମୁଁ ମୋର ବାପାମାଆଙ୍କୁ ନେଇ ମୋର ସୁଖୀ ସଂସାରରେ ବହୁତ ଖୁସିରେ ଥିଲେ। ମୋ କର୍ତ୍ତବ୍ୟ ସୁଚାରୁରୂପେ ନିର୍ବାହ କରୁଥିଲି।ଆବଶ୍ୟକତା ସମୟରେ ମୋ ସାଧ୍ୟମତେ ନରନାରାୟଣଙ୍କ ସେବା କରୁଥିଲି। ଟଙ୍କା ପଛରେ ମୁଁ କେବେ ଗୋଡେଇନଥିଲି।ଯେଉଁମାନେ ମୋ ପାଖରେ ଚିକିତ୍ସିତ ହେଉଥିଲେ ମୋ ପ୍ରଶଂସାରେ ଶତମୁଖ ଥିଲେ।ଗୋଟିଏ ଫୋଟୋ ଦେଖି ଫୋଟୋ ପଛର ସତ୍ୟତା ନ ଜାଣି ମୋତେ ସମାଜ ଦୋଷାରୋପ କରିବାରେ ଲାଗିଲା।ଏଠାରେ ଉପସ୍ଥିତ ଅନେକ ସାମ୍ବାଦିକ ବନ୍ଧୁଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣେ ।ସେମାନେ ମଧ୍ୟ ମୋତେ ଭଲ ଭାବରେ ଜାଣନ୍ତି।କେବେବି ଆପଣ ଅନୁଭବ କରିଛନ୍ତି ମୋ ଉପରେ ଯେଉଁ ଦୋଷାରୋପ କରାଯାଇଛି ସେଭଳି ଭୁଲ ମୁଁ କରିଥିବି!ମୋ ଧର୍ମପତ୍ନୀ ବିବାହର ସପ୍ତାହେ ନ ଯାଉଣୁ ଗୋଟିଏ ଫୋଟୋ ଆଧାରରେ ମୋ ଉପରେ ଘରୋଇ ହିଂସା କରୁଥିବାର ଆରୋପ ଲଗାଇଥିଲେ।ଏପରିକି ମୁଁ କାଳେ ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଛି।ସେ ଯେଉଁ ଫୋଟୋ ଦେଖାଇଥିଲେ ତା' ପଛର ସତ୍ୟତା ଆପଣ ଜାଣିଛନ୍ତି କି?ସେ ପୀଡିତା କି ମୁଁ ପୀଡିତ କେବେ ବୁଝିବା ପାଇଁ ଚେଷ୍ଟା କରିଛନ୍ତି କି?ଆପଣମାନେ ଭାବୁଥିବେ ମୁଁ କାହିଁକି ଫେରାର ଥିଲି, ମୁଁ ମୋ ବାପାମାଆଙ୍କ ସୁରକ୍ଷା ନେଇ ଚିନ୍ତିତ ଥିଲି।ସେମାନଙ୍କୁ ସୁରକ୍ଷିତ କରିବା ପରେ ମୁଁ ଆଜି ଆପଣଙ୍କ ସାମ୍ନାରେ।ମୋ ଧର୍ମପତ୍ନୀ ନିଜ ସତ ଲୁଚେଇବା ପାଇଁ ଏସବୁ ଖେଳ ଖେଳିଥିଲେ।ଏପରିକି ମୋ ବାପାମାଆଙ୍କ ପ୍ରତି ବିପଦ ସୃଷ୍ଟି କରିଥିଲେ।ସେ ଜଣେ ନାରୀ ନୁହଁନ୍ତି।ସେ ତୃତୀୟ ଲିଙ୍ଗ।ବିବାହ ପରେ ଏକଥା ମୁଁ ଜାଣିପାରିଲି।ତାଙ୍କୁ ମୁଁ ବହୁତ ବୁଝେଇଲି।ପୁରା ଜୀବନ ଆମେ ମିଶିକି ରହିପାରିବାନି କାରଣ ମୋର ସାମାଜିକ ଦାୟିତ୍ୱ ରହିଛି ମୋ ବାପାମାଆ ମୋ ଠାରୁ କିଛି ଆଶା ରଖିଛନ୍ତି।ତେଣୁ ଆମେ ଦୁହେଁ ଅଲଗା ହୋଇଯିବା ଉଚିତ।କିନ୍ତୁ ସେ କିଛି ବୁଝିନଥିଲେ।ମୋତେ ବର୍ବାଦ କରିବା ପାଇଁ ଏସବୁ ଷଡ଼ଯନ୍ତ୍ର କରିଥିଲେ।ମୋ ବାପାମାଆଙ୍କ ପାଇଁ ମୁଁ ଚିନ୍ତିତ ଥିବାରୁ ସେ କେସ କଲା ପରେ ମୁଁ ଫେରାର ହୋଇଯାଇଥିଲି। ଵର୍ତ୍ତମାନ ସେମାନଙ୍କ ସୁରକ୍ଷାକୁ ନେଇ ମୁଁ ନିଶ୍ଚିନ୍ତ।ମୁଁ ମୋ ସହିତ ଯାହା ଘଟିଛି ସବୁ କଥା ଦୁନିଆ ଆଗରେ ରଖିବି।ତାପରେ ନିଷ୍ପତ୍ତି ଆପଣମାନଙ୍କର ମୁଁ ଦୋଷୀ ଅବା ନିର୍ଦୋଷ"।ଏତିକିବେଳକୁ ପୋଲିସ ଆସି ସାରିଥିଲେ।ସୁକାନ୍ତ ଆତ୍ମସମର୍ପଣ କରୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Drama