Sanjaya Ananda Kumar Tripathy

Comedy


3.4  

Sanjaya Ananda Kumar Tripathy

Comedy


ସ୍ୱାମୀ ଉପାଖ୍ୟାନ

ସ୍ୱାମୀ ଉପାଖ୍ୟାନ

4 mins 128 4 mins 128

ସ୍ୱାମୀ ଉପାଖ୍ୟାନ ଏଠାରେ ବିଭିନ୍ନ ଧର୍ମ ତଥା ଅନୁଷ୍ଠାନ ଗଢ଼ି ନିଜର ପ୍ରଭୁତ୍ୱ ପ୍ରଚାର ତଥା ଭଗବାନଙ୍କ ପାଖରେ ପହଂଚିବା ପାଇଁ ଠିକା ନେଇଥିବା ସ୍ୱାମୀ ନାମଧାରୀ ବ୍ୟକ୍ତିଙ୍କର ବିଷୟରେ ଆଲୋଚନା କରିବାକୁ ମୁଁ ଚାହୁଁନାହିଁ । ନିଜେ ଦଳେ ଭକ୍ତ ସୃଷ୍ଟି କରି, ଚାନ୍ଦା ସଂଗ୍ରହ କରି, ସବୁଆଡ଼େ ନିଜର ପିତୃ ପ୍ରଦତ୍ତ ନାମ ବଦଳାଇ ବିଭିନ୍ନ ସ୍ୱାମୀ ହୋଇଥିବା ଲୋକଙ୍କର ବାବଦରେ ମୋର ଗବେଷଣା ନାହିଁ । କାରଣ ସେମିତି ସ୍ୱାମୀ ପାଖରେ ମୋର ଭାବ ଆଦାନପ୍ରଦାନ କି ମିଳାମିଶା କରିବାର ସୁଯୋଗ / ସମୟ ମୁଁ ପାଇପାରିନାହିଁ ।


ମାତ୍ର ମୋ ଭଳି ବିବାହପରେ ସ୍ୱାମୀ ହୋଇଥିବା କୋଟି କୋଟି ସାଥୀଙ୍କ ସମ୍ବନ୍ଧରେ ଚର୍ଚ୍ଚା କରିବାର ଦୁଃସାହସ କରୁଛି । ବିବାହ ପରେ ହିଁ ସ୍ୱାମୀ ଜୀବନ ଆରମ୍ଭ ହୁଏ । ଆଗରୁ ଏମାନେ ଯୁବକ ନାମରେ ପରିଚିତ ଥାଆନ୍ତି । କହିବା ବାହୁଲ୍ୟ ଏମାନେ ପୁରୁଷ ଅଟନ୍ତି । କାରଣ ପୁରୁଷ ହିଁ ସ୍ତ୍ରୀ ଲୋକଙ୍କୁ ବିବାହ କରନ୍ତି । ଅବଶ୍ୟ ଏବେ ସମଲିଙ୍ଗୀ ବିବାହକୁ ମଧ୍ୟ ଅନୁମତି ମିଳିସାରିଛି । କିନ୍ତୁ ଏଠି ଯେଉଁ ସ୍ୱାମୀମାନେ ପୁରୁଷ ତାଙ୍କ ସମ୍ବନ୍ଧରେ ଆଲୋଚନା କରାଯାଇଛି । ସ୍ୱାମୀର ଦୁଇଟି ଗୋଡ଼, ଦୁଇଟି ହାତ, ଦୁଇଟି କାନ, ଦୁଇଟି ଆଖି ଓ ଗୋଟିଏ ନାକ ଥାଏ । କିନ୍ତୁ ଏମାନଙ୍କ ଭିତରେ ଶ୍ରେଣୀ ବିଭାଗ ଥାଏ । ଯେମିତି ଦହି, ଘୋଳ ଦହି, ରସଗୋଲା, ଛେନାପୋଡ଼ ଇତ୍ୟାଦି କ୍ଷୀରରୁ ତିଆରି ହେଲେ ମଧ୍ୟ ସ୍ୱାଦ ଅଲଗା ଥାଏ ସେହିଭଳି ଏହି ସ୍ୱାମୀମାନେ ସମସ୍ତେ ପୁରୁଷ ହେଲେ ମଧ୍ୟ ପ୍ରକୃତି ଅଲଗା ଥାଏ । ହିନ୍ଦୀରେ କଥା ଅଛି ଶାଦୀ କା ଲଡୁ - ଖାଏଗା ଭି ପ୍ରସ୍ତାଏଗା, ନହିଁ ଖାଏଗା ତୋ ପ୍ରସ୍ତାଏଗା । ଯୁକ୍ତି କଲେ ସମସ୍ତେ କହନ୍ତି ଯଦି ନଖାଇ ପସ୍ତାଇବାକୁ ପଡ଼ିବ ତେବେ ଖାଇ କି କାହିଁକି ପସ୍ତାଇବ ନାହିଁ । କାରଣ ଯିଏ ବିବାହ ନକରେ ସେ ଅବିବାହିତ ରହେ । ବିବାହ ହୋଇ ସ୍ୱାମୀ ହୋଇଗଲେ ସମାଜରେ ପ୍ରତିଷ୍ଠିତ ହୋଇ ରହେ । ମୋ କହିବା ଏଇଆ ଅର୍ଥ ନୁହେଁ ଯେ ଯିଏ ବିବାହ କରେ ନାହିଁ ସେ ସମାଜରେ ପ୍ରତିଷ୍ଠା ଲାଭ କରେ ନାହିଁ । ଏମିତି ଅନେକ ଲୋକ ବି ଥିଲେ, ଏବେ ମଧ୍ୟ ଅଛନ୍ତି ଯେଉଁମାନେ ବିବାହ ନକରି ମଧ୍ୟ ସମାଜରେ, ଦେଶରେ, ପୃଥିବୀରେ ପ୍ରତିଷ୍ଠା ଲାଭ କରିଛନ୍ତି । ଅବିବାହିତ ପୁରୁଷ ଶୋଇବା ଖଟରୁ ଯେଉଁ ପାଶ୍ୱର୍ରୁ ଚାହାନ୍ତି ଓହ୍ଲାଇପାରନ୍ତି । କିନ୍ତୁ ସମାଜରେ ସବୁବେଳେ ରହସ୍ୟମୟ ଜୀବ ବୋଲି ଗଣାଯାନ୍ତି । ସମସ୍ତେ ସନ୍ଦେହ କରନ୍ତି, ଗତିବିଧି ଲକ୍ଷ୍ୟ କରନ୍ତି । ଆମେ ତାଙ୍କ ବିଷୟ ଆଲୋଚନା କରି ମୁଖ୍ୟ ପ୍ରସଙ୍ଗରୁ ଦୂରେଇ ଯିବା ଅନୁଚିତ । ମୋ ମତରେ ସ୍ୱାମୀ ଗୋଟାଏ ବଳଦ । ବଳଦର ଯେମିତି ପ୍ରକାର ଭେଦ ଅଛି ସେମିତି ସ୍ୱାମୀମାନଙ୍କର ପ୍ରକାର ଭେଦ ଅଛି । କେନାଲ ଅଞ୍ଚଳର ବଳଦ ଭଳି ସ୍ୱାମୀ ହେଲେ ପ୍ରଥମ ଶ୍ରେଣୀର । ଏମାନେ ଖୁଣ୍ଟିରେ ସବୁବେଳେ ବନ୍ଧା ଥାଆନ୍ତି । ଯାହା ଦେଲେ ଖାଆନ୍ତି ଓ କଥାମାନି ଥାଆନ୍ତି । କେନାଲ ଅଞ୍ଚଳରେ ସବୁଆଡ଼େ ଚାଷ ହେଉଥିବାରୁ ମାଲିକ ଖୁଣ୍ଟିରେ ବାନ୍ଧି ବଳଦକୁ ରଖିଥାଆନ୍ତି ତେଣୁ ସଂଯତ ମଧ୍ୟ । ଅଣଜଳସେଚିତ ଅଞ୍ଚଳରେ ଥିବା ଗାଁର ବଳଦ ଭଳି ସ୍ୱାମୀ ହେଲେ ଦ୍ୱିତୀୟ ଶ୍ରେଣୀର । ଏମାନେ ସକାଳେ ଚରିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିଆସନ୍ତି । ସେହିପରି ସହରରେ ଥିବା ବଳଦମାନଙ୍କ ଭଳି ସ୍ୱାମୀ ହେଲେ ତୃତୀୟ ଶ୍ରେଣୀର । ଏମାନେ ଥରେ ଘରୁ ଗଲେ କେତେବେଳେ ଯେ ଆସନ୍ତି ତାହାର ଗ୍ୟାରେଣ୍ଟି ନଥାଏ । ଦିନ/ସପ୍ତାହ/ମାସେ ମଧ୍ୟ ଲାଗିଯାଏ । ତେଣୁ ଉପଯୁକ୍ତ ସ୍ୱାମୀଟିଏ ପୁରୁଷମାନଙ୍କ ମଧ୍ୟରୁ ଖୋଜିବା କେଡ଼େ କଷ୍ଟସାଧ୍ୟ ଆପଣ ଅନୁଭବ କରୁଥିବେ । ଜଣେ ସ୍ୱାମୀଙ୍କ ଭାଷାରେ ପୁରୁଷମାନେ ହିଁ ସାହସୀ । ସେମାନେ ଯୁଦ୍ଧ କରିବା ପାଇଁ ସ୍ଥିର କରନ୍ତି । କେତେକ ଲୋକ ସୈନ୍ୟବାହିନୀରେ ଯୋଗ ଦିଅନ୍ତି । ଆଉ କେତେକ ବାହାହୋଇ ପଡ଼ନ୍ତି । ତେବେ ଅନେଶତ ଭାଗ ସ୍ୱାମୀ ଯେ ସ୍ତ୍ରୀ ପାଖରେ ହାରନ୍ତି ଏକଥା ସତ । ସ୍ତ୍ରୀଲୋକମାନଙ୍କର ଆଲୋଚନାରୁ ମଧ୍ୟ ଆମେ ସ୍ୱାମୀ ରୂପକ ଜୀବ ସମ୍ବନ୍ଧରେ କିଛି ଧାରଣା କରିପାରିବା । ଆପଣମାନେ ଜାଣିଥିବେ ସ୍ୱାମୀମାନେ ଅଫିସ୍ ଗଲାପରେ ଖାଇପିଇ ରାଜଧାନୀରେ ଥିବା ବିଭିନ୍ନ କଲୋନୀରେ ସ୍ତ୍ରୀଲୋକମାନେ ତାଙ୍କର ଅଧିବେଶନ ବସାନ୍ତି । ଏଠାରେ ଢିଙ୍କିଶାଳରୁ ଢେଙ୍କାନାଳ, ମାଓବାଦୀଠୁ ବିନ୍ ଲାଦେନ୍ ପର୍ଯ୍ୟନ୍ତ ବିଷୟ ଆଲୋଚନା ହୋଇଥାଏ । ତେବେ ସ୍ୱାମୀମାନଙ୍କର ଚର୍ଚ୍ଚା ମଧ୍ୟ କରି ଥାଆନ୍ତି । ବେଳେବେଳେ ଭଲ ଗୁଣ ତ ବେଳେବେଳେ ଖରାପ ଗୁଣ । ତେବେ ଅସୁସ୍ଥତା ବଶତଃ ମଣିଷ ଛୁଟିରେ ଥିଲେ ଏପରି ଆଲୋଚନାର ସିଧା ପ୍ରସାରଣ ଶୁଣିବାକୁ ପାଇଥାଏ । ସୌଭାଗ୍ୟବଶତଃ ଏହି ଲେଖା ପ୍ରସ୍ତୁତ କଲାବେଳେ ହିଁ ଦିନେ ସ୍ୱାମୀମାନଙ୍କ ସମ୍ବନ୍ଧରେ ଆଲୋଚନା ଶୁଣିବାକୁ ପାଇଥିଲି । ପ୍ରସଙ୍ଗକୁ ଲକ୍ଷ୍ୟ ରଖି ଯାହା ଦରକାର ତାହା ଏଠାରେ ଉଦ୍ଧାର କରୁଛି । ଜଣେ ସ୍ତ୍ରୀ ଲୋକ କହିଲେ “ଯଦି ସ୍ତ୍ରୀ ସବୁବେଳେ ଭଲ ବେଶପୋଷାକରେ ସଜେଇ ହୋଇ ରହିବ, ତେବେ ସ୍ୱାମୀ ସନ୍ଦେହ ଚକ୍ଷୁରେ ଦେଖିବ, ଆଉ ଯଦି ସଜେଇ ନହେଲା କୁଆଡ଼େ ବୁଲିବାକୁ ଗଲେ ଅନ୍ୟ ସ୍ତ୍ରୀ ଲୋକଙ୍କ ଉପରେ ନଜର ପକାଇବ । ଆଉ ଜଣେ କହିଲେ “ଯଦି ସ୍ତ୍ରୀ ସବୁ କଥାରେ ସ୍ୱାମୀକୁ ବିଶ୍ୱାସ କରିବ, ସେ ଭାବୁଛି ୟା ମୁଣ୍ଡଟାରେ କିଛି ବୁଦ୍ଧି ନାହିଁ, ବିଚାର ନାହିଁ । ପରୋକ୍ଷରେ କଥାକୁ କଟାକଟି କଲେ, ଅବିଶ୍ୱାସ କଲେ ସେ କହିବ ହୃଦୟହୀନା । ନାରୀ ପରମ୍ପରା ନେଇ ରକ୍ଷଣଶୀଳା ହେଲେ କହିବ ମରହଟ୍ଟୀ ଜମାନାର, ଆଉ ଆଧୁନିକା ହେଲେ ଭାବିବ ସେ ସର୍ବନାଶ ବାଟରେ ଯାଉଛି ।” କଥା ସରୁ ସରୁ ଆଉ ଜଣେ ମାଡ଼ି ବସି କହିଲେ “ଯଦି ନାରୀ ସରଳା ହେବ, ସ୍ୱାମୀ ଭାବିବ ୟାଠାରୁ ଚତୁରୀଟିଏ ହୋଇଥାନ୍ତା କି ? ଆଉ ଚତୁରୀ, ବୁଦ୍ଧିମତୀ ସ୍ତ୍ରୀ ମିଳିଲେ ଭାବିବ ଏଇତ ସବୁ କଥାରେ ମୁଣ୍ଡ ପୁରାଉଛି, ଏହାଠୁ କମ୍ ବୁଦ୍ଧିମତୀ ହେଲେ ଭଲ । ଯଦି ଭୋଗ ବିଳାସରେ ମାତିବ ସେ ଭାବିବ ବିପଥଗାମୀ କରାଉଛି । ଆଉ ଭୋଗ ବିଳାସରୁ ଦୂରେଇ ନେଲେ ଭାବିବ ଇଏ ନୀଚମନା । କଥା ଗୁଡ଼ାକ ସିଧା ଆସି ମୋ କାନରେ ପଶି ଛାତିରେ ବାଜୁଥିଲା ଓ ମସ୍ତକରେ ରେକଡିଂ ହୋଇଗଲା । ଏଇ ସ୍ତ୍ରୀ ଲୋକମାନଙ୍କର ଉପସଂହାର ଥିଲା ସ୍ୱାମୀ ରୂପକ ପୁରୁଷ ପ୍ରକୃତରେ ବିଚିତ୍ର ଜୀବ ।


Rate this content
Log in

More oriya story from Sanjaya Ananda Kumar Tripathy

Similar oriya story from Comedy