sudarsan mahapatra

Classics

4  

sudarsan mahapatra

Classics

ରୁଟି: ତିନୋଟି ଅଣୁଗଳ୍ପ

ରୁଟି: ତିନୋଟି ଅଣୁଗଳ୍ପ

2 mins
246



                               (୧)

-" ନାନୀ, ଆଜି ରାତି ପାଇଁ ତୁ ଖାଲି ରୁଟି କରି ହଟ୍ କେଶରେ ରଖି ଦେଇଥିବୁ।ଆମେ ତରକାରୀ ଏବଂ କାଲି ସକାଳ ପାଇଁ ପରଟା କରି ନଉଛୁ।ତୁ ବ୍ୟସ୍ତ ହେବୁ ନାହିଁ।" ସାନଭାଇ ଶୁଭର ଫୋନ୍ ପାଇଲା ପରେ ସ୍ବାତୀ ତରବର ହୋଇ ରୁଟି କରି ବସିଲା । ଆଜି ଟ୍ରେନ ରେ ଭାଇ ଭଉଣୀ ସପରିବାରେ ଗୟାରେ ବାପା ବୋଉ ଙ୍କ ଅସ୍ଥି ବିସର୍ଜନ କରିବାକୁ ଯିବେ।


         ସ୍ବାତୀର ମନେ ପଡିଲା ବାପାଙ୍କ କଥା। ଡାଇବେଟିସ ରୋଗୀ ସେ। ଗାଁରୁ ସକାଳୁ ଖାଲି ପେଟରେ ଆସି କଟକରେ ଡାକ୍ତର ଦେଖା ସରିଲା ବେଳକୁ ତାଙ୍କୁ ପ୍ରବଳ ଭୋକ।ପରୀକ୍ଷା ପାଇଁ ରକ୍ତ ଦେଇ ସାରି ଖୋଜି ବସନ୍ତି ଝିଅ ପଠେଇ ଥିବା ଟିଫିନ୍ କ୍ୟାରିୟରକୁ । ରୁଟି ଆଉ ସନ୍ତୁଳା ଟିକେ ଖାଇ ଦୁଇ ଘଣ୍ଟା ପରେ ପୁଣି ଥରେ ପରୀକ୍ଷା ପାଇଁ ରକ୍ତ ଦେଇ ସାରି ସିଧା ଆସି ପହଞ୍ଚିନ୍ତି ଏଇଠି। ତରକାରୀ ର ପ୍ରଶଂସା କରନ୍ତୁ ନ କରନ୍ତୁ ରୁଟିର ଭୁରି ଭୁରି ପ୍ରଶଂସା କରନ୍ତି । -" ମୋ ଝିଅ ଭଳି ଏତେ ନରମ ରୁଟି ସଂସାର ରେ କେହି କରିପାରିବେ ନାହିଁ" ବୋଲି ଘରକୁ ଯାଇ କହନ୍ତି ବୋଉକୁ।


-" ମୋ ଦେହ ଭଲ ଥାଉ କି ନ ଥାଉ ଖାସ୍ ଏଇ ରୁଟି ଖାଇବାକୁ ମୁଁ ଗାଁ ରୁ କଟକ ଆସୁଛି ପରା" - ବାପାଙ୍କର ଏଇ କଥା ପଦକ ସ୍ବାତୀର ପୁଣି ମନେ ପଡିଲା। ଆଖିରେ ଲୁହ ଟଳମଳ କରୁଥିଲା ସେତେବେଳକୁ...!!!

                                (୨)

        ସ୍ବାତୀର ଦିଅର ଦୀପକ ଏବଂ ତା ମିସେସ୍ ଦୀପା କଟକ ଆସିଥିଲେ ବାଲିଯାତ୍ରା ବୁଲିବାକୁ। -" ଭାଉଜ,ଏତେ ସୁନ୍ଦର ରୁଟି

କେମିତି ତିଆରି କରୁଛ? ଏମିତି ରୁଟି ତ ମୁଁ କେବେ ଖାଇନାହିଁ।ଦୀପାକୁ ଟିକିଏ ଶିଖେଇ ଦିଅ ତ !" ଖାଇବା ଭିତରେ ଅତି ଖୁସି ହୋଇ କହି ପକେଇଲା ଦୀପକ। ଏତିକି କଥାରେ ଦୀପାର ମୁହଁ ଶୁଖି ଯିବାର ଦେଖିଲା ସ୍ବାତୀ ।

-" ନା ମ, ଏଠି ତୁମ ନନା ଅଟାକଳରୁ ଫ୍ରେସ ଅଟା ଆଣି ଆସନ୍ତି ତ, ସେଇଥିପାଇଁ ରୁଟି ଟିକେ ନରମ ହୁଏ।" ସ୍ବାତୀ ର କଥା ଶୁଣି ଦୀପା ମୁହଁରେ ହସ ଟିକେ ଖେଳିଗଲା।


      ଗଲା ଛୁଟିରେ ସମସ୍ତେ ଗାଁକୁ ଯାଇଥିଲୁ।

-" ନାନୀ ଆଜି ତୁମେ ଟିକିଏ ରୁଟି କରିଦିଅ ଆଉ ମୁଁ ପରିବା କାଟି ତରକାରୀ ବସେଇଦେଉଛି। ମିଠା ତ ଫ୍ରିଜ ରେ ଅଛି, ଆଜି ଚଳିଯିବ।" ଦୀପାର କଥାରେ ସ୍ବାତୀ ଲାଗିପଡିଲା ନିଜ କର୍ତ୍ତବ୍ୟ ନିର୍ବାହ କରିବାକୁ। ପରଦିନ ରାତିରେ ବି ଦୀପାର ଅନୁରୋଧରେ ସ୍ବାତୀ ରୁଟି ତିଆରିର ଦାୟିତ୍ଵ ନେଲା।


-" ନାନୀ,ତୁମ ହାତ ତିଆରି ରୁଟି ସତରେ ନିଆରା। ମୁଁ ସେମିତି ରୁଟି କରି ପାରୁନାହିଁ। ତଥାପି ଏଥର ଚେଷ୍ଟା କରିବି।" ପରଦିନ ସକାଳେ ଘରୁ ବାହାରିବା ବେଳକୁ ସ୍ବାତୀର ପ୍ରଶଂସାରେ ଦୀପା ଥିଲା ଶତମୁଖ...!!!

                                  (୩)

       ଆଜି ସକାଳୁ ସ୍ବାତୀର ଦେହ ଟିକେ ଖରାପ ଲାଗୁଥିଲା। " ଏଇ ଟିକିଏ ଦେହ ଖରାପ ରେ ତୁମେ ଛୁଟି ନେଲେ, ଆଗକୁ ଦରକାର ସମୟରେ ଆଉ ଛୁଟି ନଥିବ ଯେ..!" ସ୍ବାତୀର ଏ କଥାରେ ସ୍ଵସ୍ତିକ ସହଜ ହୋଇ ଯାଇଥିଲେ ଏବଂ ଜରୁରୀ ଥିବାରୁ ଟୁରରେ ବାହାରି ଯାଇଥିଲେ । ଫେରିବା ବେଳକୁ ରାତି ପ୍ରାୟ ନଅଟା।ଫ୍ରେସ୍ ହୋଇ ଏକାଥରକେ ଡିନର କରି ନେବାକୁ କହିଲା ସ୍ବାତୀ।ତା କଥାରୁ ଏବଂ ରୂପ ଭେକ ଦେଖି ସ୍ଵସ୍ତିକ ଆଉ ଚା' ପିଇବାକୁ ଜିଦି କରି ପାରିଲେ ନାହିଁ।


-" ଦେହ ଭଲ ଲାଗୁନଥିଲା। ଯାହା ଯେମିତି ତରକାରୀ ଲାଗୁ ପଛକେ ଖାଇଦିଅ ସବୁ।" ସ୍ବାତୀ ଅନୁରୋଧ କଲା ଭଳି କହିଲା।"

-" ତରକାରୀ ଯାହା ଲାଗୁ, ତୁମ ହାତ ତିଆରି ରୁଟି ମଣିଷ ପରା ତୁଚ୍ଛା ଖାଇଦେବ। " ଖାଇବା ଭିତରେ ସାବଲୀଳ ଭାବରେ କହିଲେ ସ୍ଵସ୍ତିକ।

-" ଓ ହୋ, ଆଜି ରୁଟି କିନ୍ତୁ ମୁଁ କରିନାହିଁ। ତୁମ ଝିଅ ସବୁତକ କରିଛି।" ଅଳ୍ପ ହସି କହିଲା ସ୍ବାତୀ।

-" ଆରେ, ସେଇଥିପାଇଁ ତ ଆଜି ରୁଟି ସବୁଦିନ ଠାରୁ ଭଲ ଲାଗୁଛି। ସେ ମୋ ଝିଅଟି.." ହସି ହସି କହିଲେ ସ୍ଵସ୍ତିକ ।

     ସ୍ବାତୀର ମନେ ପଡିଯାଉଥିଲା ବାପାଙ୍କ ପ୍ରଶଂସା...।।


Rate this content
Log in

Similar oriya story from Classics