ଦ୍ରୋହକାଳ
ଦ୍ରୋହକାଳ
ସବୁ ଝିଅମାନଙ୍କର ବାପା ଭଳି ଲକ୍ଷ୍ମୀର ବାପା ହୁଏତ ଭାବିଥିଲା ଯେ,ତା ଝିଅର ଏକମାତ୍ର ରକ୍ଷାକର୍ତ୍ତା ହେଉଛି ତା'ର ସ୍ବାମୀ ଏବଂ ସ୍ବାମୀର ଘର ହେଉଛି ତା'ପାଇଁ ନିରାପଦ ଆଶ୍ରୟସ୍ଥଳୀ...!
ସେଇଥିପାଇଁ କୁମାରୀ ମନର ଅସୁମାରୀ ଓରମାନକୁ ସେଇ ଗାଁ ମାଟିରେ ପୋତିଦେଇ ଲକ୍ଷ୍ମୀ ଦିଲୀପ ଦାସ ସାଥିରେ ସୁଦୂର ନବରଙ୍ଗପୁର ରୁ ଆସିଥିଲା ବଡବିଲ କୁ। ହେଲେ ସ୍ବାମୀ ସଂସାର ର ଯେଉଁ କଳ୍ପିତ ଛବିଟା ସେ ତା କୁମାରୀ ଜୀବନରେ ଆଙ୍କିଥିଲା , ବାହାଘର ପରେ ସେଇଟା ଧୀରେ ଭାଙ୍ଗି ଚୁରମାର ହୋଇଗଲା। ସ୍ବାମୀ ଠାରୁ ସ୍ନେହ ପ୍ରେମ ବଦଳରେ ସେ ଜିଇଁଲା ଏକ କ୍ରୀତଦାସର ଜୀବନ...!
ସ୍ବାମୀର ନିର୍ଦ୍ଦେଶକୁ ପ୍ରତି ମୁହୂର୍ତ୍ତରେ ପାଳନ କରିବା ତା'ର ଏକମାତ୍ର ଧର୍ମ।ବିନା ଅନୁମତିରେ କାହା ସହିତ କଥା ହେବା ତାକୁ ମନା । ତା ପାଇଁ ହସିବା ମନା..., ବସିବା ମନା...। କେବେ କୌଣସି ଆଦେଶର ଉଲ୍ଲଂଘନ ଅର୍ଥାତ୍ ଗୋଇଠା କିମ୍ବା କାଠ ଫାଳିଆରେ ମାଡ଼ ତା'ର ପ୍ରାପ୍ୟ। ଲକ୍ଷ୍ମୀ ବୁଝି ପାରେନା ତା'ର ଭୁଲ୍ କେଉଁଠି...???
ଏଭଳି ଯନ୍ତ୍ରଣା ଦଗ୍ଧ ସାଂସାରିକ ଜୀବନକୁ ଦେହରେ ମନରେ ମାଖିନେଲା ବେଳକୁ ଲକ୍ଷ୍ମୀ କୋଳକୁ ଆସିଥିଲା ଝିଅଟିଏ। ଝିଅ ର ମାଆ ବୋଲି ଦିଲୀପ ଦାସ ର ତା'ପ୍ରତି ଘୃଣାଭାବ ଆହୁରି ବଢିଗଲା। ସେଇ ଅନୁସାରେ ବି ବଢିଗଲା ତା ପ୍ରତି ଅତ୍ୟାଚାର।
ସ୍ବାମୀ ର ନିର୍ଯ୍ୟାତନା ସହି ନପାରି ଲକ୍ଷ୍ମୀ ଝିଅକୁ ଧରି କେତେଥର ବାପଘରେ ପହଞ୍ଚିଛି। ହେଲେ ଭାଇ ଭାଉଜଙ୍କ ବ୍ୟବହାର ତାକୁ ଆହତ କରେ।ମନ ଛଟପଟ ହୁଏ ସେଠାରୁ ବାହାରି ଆସିବା ପାଇଁ । ନିଜ ଲୁହ ନିଜେ ପିଇ ଅପେକ୍ଷା କରେ ଦିଲୀପ ଦାସଠୁ ମିଛ ଆଶ୍ୱାସନାଟିଏ ପାଇବାକୁ। ପୁଣି ସ୍ବାମୀର ସ୍ତ୍ରୀ ହୋଇ ଫେରିଆସେ ସେଇ ଆକ୍ତାମାକ୍ତାର ଜୀବନକୁ...!
ଝିଅ ତିନି ବର୍ଷ ର ହେଲାବେଳକୁ ଲକ୍ଷ୍ମୀ ଗୋଟିଏ ପୁଅର ମାଆ ହେଲା।ଏଥର ଆଗଭଳି କେତେ ଦିନ ପାଇଁ ଅତ୍ୟାଚାରିତ ହେଉନଥିଲା ଲକ୍ଷ୍ମୀ। ହେଲେ ତା ଝିଅ ତୁଳସୀ ପ୍ରତି ହିଂସୁକ ହୋଇ ଉଠୁଥିଲା ଦିଲୀପ ଦାସ। ତୁଳସୀ ସାମାନ୍ୟ ଭୁଲ କଲେ, ଏମିତି କି କୌଣସି ଜିନିଷ ପାଇଁ ଅଳି କଲେ, ନିଜ କ୍ରୋଧ କୁ ଆୟତ୍ତରେ ରଖିପାରେ ନାହିଁ ସେ।ଏଡେ ଟିକେ ପିଲା ଉପରେ ବର୍ଷିଯାଏ ବିଧା, ଚାପୁଡା। ଲକ୍ଷ୍ମୀ ସହି ପାରେନା। ଦିଲୀପ ଦାସର ଗୋଡ ତଳେ ପଡି, ନିଉଛାଳି ହୋଇ ଝିଅର ଭୁଲକୁ କ୍ଷମା ଦେବାକୁ ମିନତି କରେ।ଏଥର ଝିଅ ବଦଳରେ ମାଆ ଉପରେ ବର୍ଷିଯାଏ ଦିଲୀପ ଦାସ।
ଲକ୍ଷ୍ମୀ ପ୍ରଦୀପର ସଳିତା ଭଳି ନିଜକୁ ତିଳ ତିଳ କରି ଜାଳି ସ୍ବାମୀ ସନ୍ତାନ ପରିବାର ପାଇଁ ଯାହା କିଛି ସମ୍ଭବ କରୁଥିଲା। ତଥାପି ଖୁସି ନଥିଲା ଦିଲୀପ ଦାସ।"ମୋ ସ୍ତ୍ରୀ ହୋଇ ରହିବାକୁ ହେଲେ, ମୋ ଦାୟିତ୍ଵ, ମୋ ପୁଅ ଦାୟିତ୍ଵ ତୋତେ ସମ୍ଭାଳିବାକୁ ପଡିବ।" ଅର୍ଥାତ ବଢତି ସଂସାର ପାଇଁ ଲକ୍ଷ୍ମୀ ଅବିଳମ୍ବେ କିଛି ରୋଜଗାର କରିବାକୁ ଆଦେଶ ପାଇଲା।
ଯେଉଁ ଚାକିରିଆ ଜୋଇଁ ମୋହରେ ବାପା ଲକ୍ଷ୍ମୀକୁ ଦିଲୀପ ଦାସର ଦ୍ବିତୀୟ ସ୍ତ୍ରୀ ହେବାକୁ ବାଧ୍ୟ କରିଥିଲା, ଝିଅ ଖୁସିରେ ରହିବ ବୋଲି ଖୁସି ହେଉଥିଲା, ଏବେ ଝିଅର ବିକଳ ଅବସ୍ଥା ଦେଖିବାକୁ ଆଉ ସେ ବଞ୍ଚିନଥିଲା। ହେଲେ ନିଜ ଝିଅକୁ ପାଠ ପଢେଇ ଭଲ ଭବିଷ୍ୟତ ଦେବାକୁ ସ୍ବପ୍ନ ଦେଖୁଥିଲା ଲକ୍ଷ୍ମୀ। ସେଇଥିପାଇଁ ତ ସେ ଏଥର ଲାଗି ପଡିଥିଲା କାମର ଅନ୍ବେଷଣ ରେ। ଯୋଗାଡ ବି କରିନେଲା ଘର ପୋଛା,ବାସନ ମଜା ଭଳି କେତୋଟି କାମ। ଘରର ସବୁ କାମ ସାରି ସେ ବାହାରି ପଡୁଥିଲା ନିଜ ସାମର୍ଥ୍ୟକୁ ବାବୁ ଘରମାନଙ୍କରେ ପ୍ରଦର୍ଶିତ କରିବାକୁ।
ଯେଉଁଦିନ ତା'ର ମାସକ ପରିଶ୍ରମର ପାଉଣା ଧରି ଲକ୍ଷ୍ମୀ ଫେରିଲା, ଦିଲୀପ ଦାସ ଠାରୁ ଖାଇଲା କାଠ ଫାଳିଆର ପାହାର। ପଚାଶ ଟଙ୍କା ବିନିମୟରେ ଝିଅ ପାଇଁ ଖାତା, କଲମ ଆଣିବା ଥିଲା ତା'ର ଭୁଲ୍। ଦିଲୀପ ଦାସ ଗର୍ଜି ଉଠିଲା। -"ମୋ ଘରେ ରହିବୁ ତ ମୋ ହିସାବରେ ରହ। ମୁରବିପଣିଆ ଜାହିର କଲେ ମୁଁ ବରଦାସ୍ତ କରିବି ନାହିଁ।ମୋ ମୁହଁରେ ଜବାବ ଦେବୁ ତ ତୋ ମୁହଁକୁ ଛେଚି ଦେବି। ବୁଝି ଖବରଦାର...!"
ସେଦିନ ରାତିରେ ଭାଟିରୁ ଫେରିବା ବେଳକୁ ଲକ୍ଷ୍ମୀ ରୋଜଗାର ରେ ମଉଜ କରି ଆସିଛି ବୋଲି ବୁଝି ହେଉଥିଲା। ଦିଲୀପ ଦାସ ପାଟିରୁ ବାହାରୁଥିଲା ଦେଶୀମଦର ଭୁରୁଭୁରୁ ବାସ୍ନା ଆଉ ତା ହାତରେ ଅବଶ୍ୟ ଥିଲା ପୁଅ ପାଇଁ ନୂଆ ସାର୍ଟ ଖଣ୍ଡେ।
ଝିଅର ଦଶମ ପରୀକ୍ଷା ରେଜେଲ୍ଟ ବାହାରିଲା ତ ସେଦିନ ମା ଝିଅଙ୍କ ଉପରେ ତାନେ ଉତ୍ତମ ମଧ୍ୟମ ଥୋଇଦେଲା ଦିଲୀପ ଦାସ। ରାସ୍ତାରେ ଦେଖା ହୋଇଥିଲେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ତା ଝିଅ ତୁଳସୀ ପୁରା ସ୍କୁଲରେ ପ୍ରଥମ ହୋଇଛି ବୋଲି ଜଣାଇବା ସଙ୍ଗେ ସଙ୍ଗେ ତା ପୁଅ ଆଜେ ବାଜେ ସାଙ୍ଗଙ୍କ ସାଙ୍ଗରେ ବୁଲୁଛି ବୋଲି ସାବଧାନ କରି ଦେଇଥିଲେ । ଏଥିରେ ଦିଲୀପ ଦାସ ମନ ଯେଉଁ ଆହତ ହୋଇଥିଲା ତା'ର କାରଣ ତ ଏଇ ଝିଅ ନା ! ସେଇଦିନଠାରୁ ଝିଅର ପାଠପଢ଼ାରେ ଡୋରି ବାନ୍ଧିବାକୁ ନିର୍ଦ୍ଦେଶ ଦେଲା ଦିଲୀପ ଦାସ।
ବାପା ଭୟରେ ପାଠ ଛାଡି ମାଆକୁ କାମରେ ଏଥର ସାହାଯ୍ୟ କଲା ତୁଳସୀ। କେତୋଟି ଘରର ବାସନ ମଜା କାମ ବି ସେ ନିଜେ ଯୋଗାଡିନେଲା। ବାପାର ଅବର୍ତ୍ତମାନରେ ଘରେ ବସି ପାଠପଢା ଚାଲୁ ରଖିଥିଲା ତୁଳସୀ। ହେଲେ ପୁଅ ପାଠପଢା ପାଇଁ ପଇସା ଖର୍ଚ୍ଚ କରିବାରେ କେବେ ହେଳା କରୁନଥିଲା ବିବେକବାନ ବାପା।
ଇଲେକ୍ଟ୍ରି ଅଫିସର ଗାଡ଼ିରେ ଡ୍ରାଇଭର ଥିବା ଦିଲିପ ଦାସର ସ୍ଥାୟୀ ଚାକିରୀ ହୋଇଯିବ ବୋଲି ,ତା କାନରେ ଦିନେ ଚୁପ୍ କରି ମନ୍ତ୍ର ଫୁଙ୍କି ଦେଲେ ଅଫିସର ହେଡ କ୍ଲାର୍କ ସାହାଣୀ ବାବୁ। ହେଲେ ଉପରିସ୍ଥ ବାବୁ ଙ୍କୁ ଖୁସି କରାଇବାକୁ ପଡିବ ବୋଲି ବୁଝାଇଦେଲେ ସେ। ସବୁ ବୁଝି ବି ଗଲା ଦିଲୀପ ଦାସ।
ସେଦିନ ସଞ୍ଜକୁ ଝିଅ ପାଇଁ ନୂଆ ଡ୍ରେସ ନେଇ ଘରେ ପହଞ୍ଚିଲା ସେ। ବାପାର ଉଦାରତାରେ ତୁଳସୀ ଖୁବ୍ ଖୁସି ହୋଇଗଲା।ଗାଡିରେ ବସେଇ ଝିଅକୁ ବଜାର ବୁଲେଇ ନେବ ବୋଲି ବି ଜିଗର କଲା। ଲକ୍ଷ୍ମୀ ମନରେ ସନ୍ଦେହ ହେଲା। ମନକୁ ପାପ ଛୁଇଁଲା। ଲକ୍ଷ୍ମୀକୁ ତା ସାଙ୍ଗରେ କୌଣସି ମତେ ଛାଡିବ ନାହିଁ ବୋଲି ସ୍ପଷ୍ଟ କହିଦେଲା।ଉତକ୍ଷିପ୍ତ ହୋଇ ପଡିଲା ଦିଲୀପ ଦାସ। ଚିରାଚରିତ ଢଙ୍ଗରେ ଉଠାଇ ଆଣିଲା କାଠଫାଳିଆ।ଥାନଅଥାନ ନମାନି ପିଟି ଦେଇଗଲା। ମୁହଁ ମାଡି ତଳେ ପଡିଥିଲା ଲକ୍ଷ୍ମୀ।
ଦିଲୀପ ଦାସ ଝପଟି ଆସିଲା ଝିଅ ଆଡକୁ।ତା' ହାତ ଧରି ଘୋଷାରି ନେବାକୁ ଉଦ୍ୟତ ହେଲା ପାଷାଣ୍ଡ ବାପା। ଏତିକି ବେଳକୁ ଯେମିତି ତା' ମୁଣ୍ଡ ଉପରେ ବଜ୍ରପାତ ହେଲା।ତା ମୁଣ୍ଡ ଘୁରେଇ ଦେଲା। ଝୁଙ୍କି ପଡ଼ିଲା ତଳକୁ। ମୁଣ୍ଡରୁ ଝର ଝର ରକ୍ତ ଖସି ପଡିଲା। ଲକ୍ଷ୍ମୀ ତରାଟି ଚାହିଁଲା। ରକ୍ତ ଜୁଡୁବୁଡୁ କାଠ ଫାଳିଆଟେ ଧରି ଠିଆ ହୋଇଥିଲା ପୁଅ। ସତେକି ରୁଦ୍ର ରୂପ...!
ଦିଲୀପ ଦାସ ସେଇ ଯେ ପଡିଲା ଆଉ ଉଠି ପାରିଲା ନାହିଁ ଭୁଇଁ ରୁ। ପୋଲିସ ଷ୍ଟେସନରେ ନିଜକୁ ସରେଣ୍ଡର କଲା ଲକ୍ଷ୍ମୀ। ହତ୍ୟା ଅପରାଧରେ ସଜା କାଟିବାକୁ ଜେଲ ଗଲା ବେଳକୁ ଲକ୍ଷ୍ମୀ ମୁହଁରେ ଥିଲା ତେଜସ୍ଵିନୀ ହସ।
ଭଲ ବ୍ୟବହାର ପାଇଁ ସଜା କାଟିବର ଅବଧି ପୁରିବା ପୂର୍ବରୁ ଜେଲରୁ ମୁକୁଳିଲା ଲକ୍ଷ୍ମୀ। ତାକୁ ପାଛୋଟି ନେବା ପାଇଁ ବାହାରେ ଅପେକ୍ଷା କରିଥିଲେ ପୋଲିସ ଏସ୍.ଆଇ ନିର୍ମାଲ୍ୟ ଦାସ ଏବଂ ପୋଷ୍ଟାଲ ରେ ଜିଡିଏସ ରେ ଚାକିରି କରି ଭାଇକୁ ମଣିଷ କରି ଗଢି ତୋଳିଥିବା ଭଉଣୀ ତୁଳସୀ ଦାସ....!!!!
