ମରୁଝର
ମରୁଝର
ଅଗ୍ନିବୀର ଚାକିରୀରେ ଯୋଗ ଦେବାକୁ ଯାଇ ଅସଫଳ ହୋଇଥିଲା ସୁଶାନ୍ତ ଏବଂ ଉଦାସ ମନରେ ଫେରୁଥିଲା ଟ୍ରେନରେ। ଏଇ ଚାକିରୀ ପାଇଁ ଯୋଗ୍ୟତା ହାସଲ କରିବାକୁ ଥିବା ପରୀକ୍ଷା ଦେବା ପାଇଁ ତା'ର ସହରକୁ ଯିବାର ଥିଲା। ହେଲେ ଆବଶ୍ୟକୀୟ ଟଙ୍କା ତା' ବାପାଙ୍କ ପାଖରେ ନଥିଲା ବୋଲି ଶେଷକୁ ଦୁଇଟି ଛେଳି ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଯୋଗାଡିଥିବା ପଇସା ବାଟେ ବାଟେ ଖର୍ଚ୍ଚ ହୋଇ ଯାଇଥିଲା ସିନା, ଚାକିରୀ ଖଣ୍ଡିକ ସୁଶାନ୍ତର ହାତଛଡ଼ା ହୋଇ ଯାଇଥିଲା।
ପାଖ ସିଟ୍ ରେ ବସିଥିବା ସୁକୁମାର ବାବୁ ଏସବୁ କଥା ସୁଶାନ୍ତ ଠାରୁ ଶୁଣି ନିଜେ ଦୀର୍ଘଶ୍ୱାସ ପକେଇଥିଲେ ଏବଂ ତାକୁ ପ୍ରବୋଧନା ଦେଇଥିଲେ।-" ଆଛା, ମୋର ଜଣେ ବନ୍ଧୁ ରେଲୱେରେ ଉଚ୍ଚ ପଦବୀରେ ଅଛନ୍ତି। ସେ ଚାହିଁଲେ ତୁମ ଚାକିରି ନିଶ୍ଚୟ ହୋଇଯିବ। ହେଲେ ଚାକିରୀ କରାଇଦେବା ପାଇଁ, ସେ କିଛି ଟଙ୍କା ନିଅନ୍ତି। ଏଣେ ତୁମର ତ ପଇସା ଅଭାବ। ତଥାପି ଦେଖ। ଯଦି ପଚାଶ ହଜାର ଖଣ୍ଡ ଅନ୍ତତଃ ଯୋଗାଡ କରି ପାରିବ, ମୋତେ କଣ୍ଟାକ୍ଟ କରିବ । ମୁଁ ନିଶ୍ଚୟ ତୁମ ପାଇଁ ଚେଷ୍ଟା କରିବି।
ଆଶାର ଝଲକଟିଏ ଖେଳିଗଲା ସୁଶାନ୍ତ ମନରେ। ଘରକୁ ଫେରି ବାପା ମା ଙ୍କୁ ବୁଝାଇ ସୁଝାଇ, ଜମି ଖଣ୍ଡିକ ବନ୍ଧା ପକାଇ ପଚାଶ ହଜାର ଟଙ୍କା ଯୋଗାଡ କଲା।
ସୁକୁମାର ବାବୁ ଙ୍କ କହିବା ମୁତାବକ ସୁଶାନ୍ତ ପହଞ୍ଚିଲା କୋଲକାତାରେ। ସେଇଠୁ ଯାଇ ରହିଲା ନିର୍ଦ୍ଦେଶିତ ହୋଟେଲ ରେ। ସନ୍ଧ୍ୟା କୁ ଯାଇଁ ଆସିଲେ ସୁକୁମାର ବାବୁ। ପରଦିନ ରେଲୱେ ଅଫିସରଙ୍କ ସହିତ ସାକ୍ଷାତ ପାଇଁ ଅପେକ୍ଷାରେ ରହିଲା ସୁଶାନ୍ତ।
ସେଇ ଶୁଭ ମୁହୂର୍ତ୍ତ ଆସିଲା। ଅଫିସରଙ୍କ ସହିତ ଦେଖା ହେଲା ସୁଶାନ୍ତର । ସୁକୁମାର ବାବୁ ବଙ୍ଗଳା ଭାଷାରେ କ'ଣ ସବୁ କଥାବାର୍ତ୍ତା ହେଲେ ତାଙ୍କ ସହିତ। ଟଙ୍କା ନେଇ କିଛି ଆଲୋଚନା ହେଉଥିଲା ବୋଲି ସୁଶାନ୍ତ ବୁଝି ପାରୁଥିଲା। ସୁକୁମାର ବାବୁ ଟଙ୍କାତକ ତା' ହାତରୁ ନେଇ ତାକୁ ବାହାରେ ବସିବାକୁ କହିଲେ।ଏତେ କମ୍ ଟଙ୍କାରେ ଅଫିସର କାଳେ ରାଜି ହେବେନି ବୋଲି ଆଶଙ୍କା ମନରେ ଥିଲା ସୁଶାନ୍ତ। ହେଲେ ଚାମ୍ବର ଭିତରୁ ହସହସ ମୁହଁରେ ବାହାରିଲେ ସୁକୁମାର ବାବୁ।
-" ବହୁ କଷ୍ଟରେ ରାଜି ହୋଇଗଲେ ସାହେବ। ତୁମେ ହୋଟେଲ କୁ ଚାଲ। ମୁଁ ତୁମ ପଛେ ପଛେ ଯାଉଛି।"
ଖୁସି ମନରେ ସୁଶାନ୍ତ ଫେରିଲା ହୋଟେଲ ରୁମକୁ । ଦିନ ଯାଇ ରାତି ହେଲା ପଛେ ସୁକୁମାର ବାବୁ ଫେରିଲେ ନାହିଁ । ମୋବାଇଲ ବି ସୁଇଚ୍ ଅଫ୍। ପରଦିନ ସକାଳ ସେମିତି କଟିଲା। ପୁଣି ସଞ୍ଜ ହେଲା। ସୁଶାନ୍ତ ପାଖରେ ବେଶୀ ଟଙ୍କା ବି ନାହିଁ। କାଲି ଠୁ କିଛି ଖାଇ ନଥିଲା ସେ ।
ଦେହ ହେମାଳ ହେମାଳ ହୋଇ ଯାଉଥିଲା ସୁଶାନ୍ତର। ତା'ର ସବୁ ମାଂସପେଶୀ ଆଉ ଶିରା ପ୍ରଶିରା କ୍ରମେ ଶିଥିଳ ହୋଇ ପଡୁଥିଲା। ସେ କେଉଁଠି ଅଛି, କ'ଣ କରିବାକୁ ଆସିଛି, ଏକଥାର ଆଉ ତାତ୍ପର୍ଯ୍ୟ ନଥିଲା। କେବଳ ଅନୁଭବ କରୁଥିଲା ଯେ ସେ ଗୋଟିଏ ଯନ୍ତ୍ରଣା ଦଗ୍ଧ ସ୍ରୋତରେ ଭାସୁଛି ।ହାତଗୋଡ ଛାଟୁଛି, ବେସାହାରା ପାଲଟି ଯାଇଛି ।
ତାଲା ପଡିନଥିବା ସୁକୁମାର ବାବୁଙ୍କ ସୁଟକେଶକୁ ଉଠାଇ ଆଣି ଖୋଲିଲା ସୁଶାନ୍ତ।ହଳେ ପୁରୁଣା ପଞ୍ଜାବୀ,ଟୁଥ ବ୍ରସ,ପେଷ୍ଟ, ଗାମୁଛା ଖଣ୍ଡେ ଏବଂ ବୟସ୍କ ଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳା ଭାଷାର ବହିଟିଏ।
ନିରୁପାୟ ହୋଇ ଚଟାଣ ଉପରେ ଲଥ କରି ବସି ପଡିଲା ସୁଶାନ୍ତ। ସତେକି ଧସକି ପଡିବ ତା'ର ହୃତପିଣ୍ଡ ! ପଚାଶ ହଜାର ଟଙ୍କା! କିଛି କମ୍ କଥା ନୁହେଁ। ଅସଂଖ୍ୟ କୋହ ତାକୁ ଚିପୁଡି ପକେଇ ଆକ୍ତାମାକ୍ତା କରି ଦେଉଥିଲେ....!
ଏତିକି ବେଳକୁ କଲିଂ ବେଲ୍ ବାଜିଲା । ଝାଉଁଳି ପଡିଥିବା ଆଶାଟି କଅଁଳି ଉଠିଲା ତତ୍ କ୍ଷଣାତ।ଆସିଗଲେ କି ସୁକୁମାର ବାବୁ ?କହିବେ ଆସି ଏବେ -"ମୁଁ ଦୁଃଖିତ। ଗୋଟିଏ ଜରୁରୀ କାମରେ ଚାଲି ଯାଇଥିଲି।ଖରାପ ଭାବିବ ନାହିଁ। " ହସି ହସି ଧରାଇଦେବେ ମୋ ହାତକୁ ନିଯୁକ୍ତି ପତ୍ର...!!!
ହେଲେ ସେମିତି କିଛି ହେଲାନି।
ଦୁଆର ଖୋଲିଲା ମାତ୍ରେ ଓ୍ବେଟର ଆସିଲା ଏବଂ ପାଞ୍ଚ ହଜାର କୋଡିଏ ଟଙ୍କାର ବିଲ୍ ବଢାଇଦେଲା ସଂଭ୍ରମତାର ସହିତ। ସୁଶାନ୍ତ ପକେଟରେ ଏବେ ମାତ୍ର ଶହେ ତିରିଶ ଟଙ୍କା, ଆଉ କିଛି ରେଜା ପଇସା, ହାତରେ ଘଣ୍ଟା ଆଉ ସେ ନିଜେ।
ମ୍ୟାନେଜରଙ୍କ ସାମ୍ନାରେ କାନ୍ଦି ପକେଇଲା ସୁଶାନ୍ତ। ମ୍ୟାନେଜରଙ୍କ ହୃଦୟ ତରଳିବାର ନାଁ ନେଉନଥିଲା। ଏତିକି ବେଳକୁ ମନେ ପଡିଲା ସାଙ୍ଗ ବିକାଶର କଥା।ତା ବାପା ରହନ୍ତି କଲିକତାରେ। ବିକାଶର ନମ୍ବର ଲଗାଇଲା। ନିରର୍ଥକ..! ନମ୍ବର ଭୁଲ ବୋଲି ବୁଝିପାରିଲା। ଏବେ କରେ କ'ଣ ?
ସଂଜ ହୋଇଗଲା।ପେଟରେ ଦାନା ପଡିନାହିଁ। ଅଳ୍ପ କିଛି ସମ୍ବଳ ହାତରେ। ଘରକୁ ଫେରିବାର ବାଟ ନାହିଁ।ଏ ବିପଦରୁ ଯେମିତି ନିସ୍ତାର ନାହିଁ...!!!
ମ୍ୟାନେଜର ବାବୁ ସୁଶାନ୍ତକୁ ନେଇ ଠିଆ କରେଇଲେ ହୋଟେଲ ମାଲିକଙ୍କ ସାମ୍ନାରେ। ଛାତିରୁ କୋହ ଉଠୁଥିଲା। ବହୁ କଷ୍ଟରେ କୋତୋଟି ପ୍ରଶ୍ନର ଉତ୍ତର ଦେଇପାରିଲା ସେ।ଲଥ କରି ବସି ପଡିଲା ମାଲିକଙ୍କ ପାଦତଳେ। ଚାରିଆଡ ଅନ୍ଧାର ଦିଶିଲା। ତା'ର ଆଉ କିଛି ମନେ ନାହିଁ। ପରଦିନ ସକାଳକୁ ନିଜକୁ ଆବିଷ୍କାର କଲା ହସ୍ପିଟାଲରେ।
ମ୍ୟାନେଜର ବାବୁ ଠିଆ ହୋଇଥିଲେ ତା' ସାମ୍ନାରେ।ହସ ହସ ମୁହଁ। ସୁଶାନ୍ତ ଆଖିରେ କିନ୍ତୁ ଅଜସ୍ର ଲୁହ...!
" ସୁଶାନ୍ତ ତୁମେ ଇଛାକଲେ ଏଇ ହୋଟେଲରେ ସୁପରିଭାଇଜର ଚାକିରୀରେ ଯୋଗ ଦେଇପାର।ଦରମା ମାସକୁ ତିରିଶ ହଜାର ଟଙ୍କା। ଏବେ ସବୁ ତୁମ ଉପରେ ନିର୍ଭର। ନଚେତ୍ ତୁମ ଘରକୁ ଯିବାର ବନ୍ଦୋବସ୍ତ କରିଦେବି। ମୁଁ ଓଡ଼ିଶାର ଲୋକ। ତୁମ ପାଇଁ ଏତିକି ସୁବିଧା ଯୋଗାଡ କରିପାରିଛି । ମୋ ନାଁ ଆଶୁତୋଷ ମିଶ୍ର।"
ଆଃ ! ଧ୍ବାନ୍ତ ଧୂମାଳ ମରୀଚିକାରେ ମରୁଝର ର ସନ୍ଧାନ !ସୁଶାନ୍ତ ଆଖିରେ ସେପର୍ଯ୍ୟନ୍ତ ଢଳଢଳ ହେଉଥିବା ଲୁହ ଏଥର ଥପଥପ ହୋଇ ଖସିପଡିଲା ତଳକୁv!
