STORYMIRROR

sudarsan mahapatra

Classics

4  

sudarsan mahapatra

Classics

ବିଲେଇ ଉପାଖ୍ୟାନ

ବିଲେଇ ଉପାଖ୍ୟାନ

4 mins
5


  ହ୍ବାଟସ ଆପ୍ ରେ ଝିଅ ଫଟୋ ପରିବର୍ତ୍ତେ ପୁଷି ବିଲେଇର ଚିତ୍ର ଦେଖି ମୁଁ ଯେତିକି ଆମୋଦିତ ହେଲି ସେତିକି ଚିନ୍ତାରେ ପଡିଲି। ହେଲେ ଏତିକି ଜାଣି ପାରିଲି ଯେ ନିଜ ଫଟୋ ହଟେଇ ଏଇ କ୍ୟୁଟ ବିଲେଇ ର ଫଟୋ ଝିଅ ହିଁ ଅପଲୋଡ଼ କରିଛି।

   ଘରେ ବିଲେଇଟିଏ ପାଳିବ ବୋଲି କେତେ ଦିନ ଧରି ମୋ ସାଙ୍ଗରେ ଲଗେଇଥିଲା ସେ। ତା ଆଗରୁ ମାମାକୁ ଫୁସୁଲେଇ କାମ ଆଦାୟ କରିବ ବୋଲି ଚେଷ୍ଟା କରି ବିଫଳ ହୋଇଥିଲା ବିଚାରି ।ବିଲେଇ ସଂକ୍ରାନ୍ତୀୟ କେତେ ସବୁ ଭଲ କଥା,ଯଥା-

ଆମ ଘରେ କେବେ ବି ମୂଷା ଅସରପା ହେବେନି, କୁକୁର ଭଳି ଅଯଥାରେ ଭୋ ଭୋ ହେବନି,କାହାର କିଛି କ୍ଷତି କରିବନି, ସେ ସ୍ବାଧୀନ ଭାବରେ ବୁଲି ପାରିବ, ଆଲାସ୍କା ସହରରେ ଗୋଟିଏ ବିଲେଇ କୋଡ଼ିଏ ବର୍ଷ ଧରି ମେୟର ଥିଲା ଇତ୍ୟାଦି ଇତ୍ୟାଦି.. ବିଷୟରେ ବଡ ଆଗ୍ରହରେ ମୋ ଆଗରେ ବଖାଣି ଥିଲା।


-" ଆରେ, ଆମ ଘରେ ତ ଗୋଟିଏ ଲଭଲି ପୁଷି ତୁ ଅଛୁ।ଆଉ ଗୋଟିଏ କ'ଣ ଦରକାର?" 

-" ତୁମର ସିନା ଅଛି, ମୋର ଗୋଟିଏ ଦରକାର।" ରାଗିକି କହିଲା ଝିଅ।

  ଏଥର ମୁଁ ତାକୁ ପ୍ରସିଦ୍ଧ ଗାଳ୍ପିକ ବାମା ଚରଣ ମିତ୍ର ଙ୍କ ଗଳ୍ପ "ମିମିର ସାହିତ୍ୟ ଶିକ୍ଷା" କହିବା ଛଳରେ ସେଇ ବିଲେଇ ପାଇଁ ମିମି ର ପାଠ ହେଉନଥିଲା ବୋଲି ମଜାରେ କହିଲି। ସେ କିନ୍ତୁ ଥିଲା ନଛୋଡବନ୍ଧା। କିଛି ବୁଝିବା ମୁଡ଼ରେ ହିଁ ନଥିଲା।

-" ମୁଁ ତା ପଛରେ ଜମା ପାଠପଢ଼ା ସମୟ ନଷ୍ଟ କରିବିନି।ପ୍ରମିଶ୍ ବାବା ପ୍ରମିଶ୍।" ମୋତେ ମନେଇବାକୁ ଚେଷ୍ଟା କରୁଥିଲା ମୋ ଅଲିଅଳି ଝିଅ ମାମୁନି।

-" ଆଛା ହେଉ। ଆଗକୁ ପରୀକ୍ଷା ଅଛି।ତୁ ମନଦେଇ ପଢ଼ାପଢ଼ି କର।ଯଦି ଭଲ ନମ୍ବର ଆଣିବୁ, ମୁଁ ବି ପ୍ରମିଶ୍ କରୁଛି ତୋ କଥା ରଖିବି। ଆମ ଦି' ଜଣ ଯାଇଁ ଭଲ ପୁଷିଟିଏ ଆଣିବା ,ହେଲା।"

-" ତୁମେ ଜମା ଆଣିବନି। ଗତବର୍ଷ ତ ସେଇଆ କହିଥିଲ । ମୁଁ ଭଲ ମାର୍କ ତ ରଖିଥିଲି। ଏଥର ବି ଚିଟିଂ କରିବ ମୁଁ ଜାଣେ।" ମୁହଁ ଫୁଲେଇ ଦ୍ରୁମ୍ ଦୁମ୍ ହୋଇ ମୋ ପାଖରୁ ଚାଲିଗଲା ଝିଅ।

    ଦୁଇ ଦିନ ଧରି ମୋ ସାଙ୍ଗରେ କଥା ହେଉନଥିଲା ସେ।ଆଉ ଆଜି ଦେଖିଲି ଫୋନରେ ତା' ମୁହଁ ବଦଳରେ ପୁଷି ବିଲେଇର ଡିପି।

   ଝିଅ କୁ ପାଖକୁ ଡାକି ବୁଝେଇବାକୁ ଚେଷ୍ଟା କଲି ଆଉଥରେ।

" ତୁମେ ପରା କହିଥିଲ ମୁଁ ତୁମ ପୁଷି। ତା'ହେଲେ ମୋ ଜାଗାରେ ସେଇ ପୁଷିର ଛବିକୁ ଦେଖ।" ଆଖି ଛଳଛଳ କରି ମୁହଁ ବୁଲେଇ ଚାଲିଗଲା ମାମୁନି।

  ଆରେ ବାପରେ! ମୁଁ ବୁଝି ପାରୁଥିଲି ଝିଅର ଅଭିମାନକୁ..! ତା'ର ବିଲେଇଟିଏ ପେଟ କରିବାର ଆଗ୍ରହକୁ...!

   ମନେ ପଡିଲା ମୋ ବୋଉ ର ପୋଷା ବିଲେଇ 'ଶଂଖି' କଥା।ଏଡିକି ବକଟେ ଛୁଆରୁ ବଡ ହେଲା ପର୍ଯ୍ୟନ୍ତ ସେ ବୋଉର ଗେହ୍ଲା ହୋଇ ରହିଥିଲା। ମାମୁନି ବୋଧହୁଏ ସେଇ ଗୁଣସୂତ୍ରରେ ବିଲେଇ ପାଳିବ ବୋଲି ଏମିତି ବାୟାଣୀ ଭଳି ହେଉଛି। ମନେ ମନେ ହସିଲି।

  ବୋଉ ତା' ପୋଷା ବିଲେଇ ଶଂଖି କଥା କହେ।

  ଯାଉଣୁ ଆସୁଣୁ ଶଂଖି ବୋଉ ପାଖକୁ ଆସି ଗୋଡରେ ଘଷି ହୁଏ। ବୋଉ କୋଳରେ ଶୋଇ ଘୁଡୁରୁ ଘୁଡୁରୁ ହୁଏ, ବୋଉ ପାଖରେ ଶୁଏ। ଖାଇବା ସମୟ ହେଲେ ପାଖକୁ ଆସି ଧୀର କଣ୍ଠରେ ମ୍ୟାଉଁ ମ୍ୟାଉଁ ହୁଏ। ଯେଉଁଦିନ ଆଇଁଷ ବାସ୍ନା ତା ନାକରେ ବାଜିବ ସେଦିନ ବେଶି ବେଶି ଫୁଲେଇ ହୁଏ।

   ଧିରେ ଧିରେ ଶଂଖି ବଡ଼ ହେଲା। ହେଲେ ବୋଉ ପିଛା ଛାଡୁ ନଥିଲା।ଘରେ କ୍ଷୀର ଭାତ ଖାଏ । ମାଛ ଆଇଁଷ ହେଲେ ସେ ତା'ର ଖୁସି ନିଜସ୍ୱ ଢଙ୍ଗରେ ବ୍ୟକ୍ତ କରେ। କେବେ କେବେ ପାଖ ପଡେ଼ାଶୀଙ୍କ ଘରକୁ ଯାଇ ମାଛ କଣ୍ଟା ଆଦି ଖାଇ ଓରିମାନା ମେଣ୍ଟାଇ ଆସେ। ମଝିରେ ମଝିରେ ଆଣ୍ଟୁ ରୁ କିମ୍ବା କେଉଁ ଗଳି କନ୍ଦିରୁ ମୂଷା ମାରେ। ମଲାମୂଷା କୁ ଧରି ବାହାରକୁ ଯାଇ,ଖାଇ ସଫା ସୁତୁରା ହୋଇ ସୁନାପିଲା ପରି ଘରକୁ ଫେରେ।

    ହଠାତ୍ ଦିନେ ଆଶ୍ଚର୍ଯ୍ୟ ଘଟଣା ଟିଏ ଘଟାଇଥିଲା ଶଂଖି।

ବୋଉ ପାଖରେ ସେଦିନ ଲସର ପସର ହୋଇ ମିଆଁଉ ମିଆଁଉ ହୋଇ ଯେମିତି କିଛି କହିବାକୁ ଚାହୁଁଥିଲା। ବୋଉ ତା'ଭାଷା ଯେମିତି ବୁଝି ପାରିଥିଲା।ବସିବା ଜାଗାରୁ ଉଠିଲା ମାତ୍ରେ, ସେ ଆଗେ ଆଗେ ଚାଲି ବାଟ କଢ଼େଇ ନେଲା ଗୁହାଳ ଆଡକୁ। ଶଂଖି ପଛେ ପଛେ ବୋଉ।

   ମାଗୁର ମାଛଟିଏ ଛଟପଟ ହେଉଥିଲା ଗୁହାଳେ।ଆଉ ନିସ୍ତାର ନାହିଁ। ତା' ଅଳି ବୋଉକୁ ଛୁଇଁ ସାରିଥିଲା। ଅଗତ୍ୟା ମାଛ କାଟି, ଭାଜି ତାକୁ ଦେଲାପରେ ଯାଇ ସେ ଶାନ୍ତ ପଡିଲା। ହେଲେ ସେଦିନ ଗୁରୁବାର ଥିବାରୁ ବୋଉ ଖୁବ୍ ଗାଳି ଖାଇଥିଲା ଆଈଙ୍କ ଠାରୁ।

    କିଛି ଦିନ ଉତ୍ତାରୁ ଶଂଖି ମା ହେବାକୁ ବସିଲା। ଯେଉଁଦିନ ସେ କଷ୍ଟ ପାଇଲା ବୋଉ ହାତର ଆଉଁସା ଖୁବ୍ ପାଇଥିଲା। ଶଂଖି ନିଜେ ବୋଉ ଲୁଗାକୁ କାମୁଡି ସେ ନିରୂପଣ କରିଥିବା ଏନ୍ତୁଡି ସ୍ଥାନ ଦେଖାଇଦେଲା।ଅଖା, ଛିଣ୍ଡା ଲୁଗା ପାରି ବୋଉ ତା ପାଇଁ ଆରାମଦାୟକ ବିଛଣାଟିଏ ତିଆରି କରିଦେଇଥିଲା। ହେଲେ ଦିନେ ଦୁଇ ଦିନ ଭିତରେ ଶଂଖି ବିପଦଟିଏ ସାମ୍ନା କଲା ତା ଜୀବନରେ। ତା'ର ଓ ବୋଉର ଶତ ସତର୍କତା ସତ୍ତ୍ୱେ ଚାରୋଟି ଛୁଆରୁ ଗୋଟିଏ କୁ ନିପାତ କରି ଦେଇଥିଲା ଭୂଆଁ ବିରାଡିଟିଏ। ସେଇ ଛୁଆଟି ଅଣ୍ଡିରା ଥିଲା ବୋଲି ସମସ୍ତେ କହିଲେ। ସେଦିନ ଶଂଖି ର ଦୁଃଖ ସହିନପାରି ବୋଉ ବି କାନ୍ଦି ପକେଇଥିଲା।

   ବୋଉ ର ବାହାଘର ପରେ ଶଂଖି ରହିଗଲା ତା' ଜାଗାରେ। ଗୋଟିଏ ଗାଁ ଛାଡି ଆମ ମାମୁଘର। ବୋଉ ଯେବେ ବାପଘରକୁ ଯାଏ ଶଂଖି ତା'ର ଆନୁଗତ୍ୟ ଦେଖାଇବାକୁ ଭୁଲେନା। ବୋଉର ଅବର୍ତ୍ତମାନରେ,ଶଂଖି ଉପରେ ସବୁବେଳେ ଗରଗର ହେଉଥିବା ଆଈ କିନ୍ତୁ ତା କଥା ବୁଝିବାରେ ଲାଗିଥିଲେ।

   ବୋଉ ଆମ ଘରେ ଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଦିନେ ଶଂଖି ଉଭା ହେଲା। କେମିତି ଆସିଲା ଏତେ ବାଟ ? ଘର ଚିହ୍ନିଲା କେମିତି? ସେ ଯାହା ହେଉ ତା'ର ଆସିବାର କାରଣ ବୋଉ ବୁଝି ପାରିଲା ତା ହାବଭାବରୁ। ଆଈଙ୍କ ଦେହ ଖରାପ ଥିଲା ବୋଲି ବୋଉ ଜାଣିଥିଲା। ମନରେ ଛନକା ପଶିଲା। କିଛି ଅଘଟଣ ଘଟିଲା କି? ଖବର ମିଳିଲା ଟିକିଏ ପରେ। ବୋଉ ଯାହା ଅନୁମାନ କରୁଥିଲା ସେଇଟା ସତ। ଶଂଖି ସହ ବୋଉ ଏକା ନିଃଶ୍ବାସକେ ପହଞ୍ଚି ଯାଇଥିଲା ମାମୁଘରେ।

    ସମସ୍ତଙ୍କ ସହ ଶଂଖି ବି ପାଳନ କରିଥିଲା ବିଧି ବିଧାନକୁ।ଆମିଷ ଆଦୌ ଛୁଇଁ ନଥିଲା ଏବଂ ସର୍ବୋପରି ଦୀପ ଜଳୁଥିବା ଘରେ ଅନବରତ ପହରା ଦେଉଥିଲା ଶଂଖି ।

    ଆଉଥରେ ବି ଶଂଖି ଆସିଥିଲା ଆମ ଘରକୁ। ଏଥର କିନ୍ତୁ ସାଙ୍ଗରେ ଆଣିଥିଲା ତା'ର ଗୋଟିଏ ଛୁଆକୁ।ଆସନ୍ନ ବିପଦରୁ ବଞ୍ଚାଇବାକୁ ଯେମିତି ଶରଣ ପଶିଛି ସେ। ଅଣ୍ଡିରା ଛୁଆଟିକୁ ବୋଉ ପାଖରେ ଥୋଇଦେଇ, ସେ ଫେରି ଯାଇଥିଲା ତା ବାକି ଛୁଆଙ୍କ ପାଖକୁ। ଶଂଖିର ବୋଉ ଉପରେ ଅଗାଧ ବିଶ୍ବାସ ସେ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଯେ ଗଲା ଆଉ ଦିନେ ବି ସେଇ ଛୁଆକୁ ଦେଖିବାକୁ ଆସି ନଥିଲା ସେ।ସେ ଛୁଆଟି ବୋଉ ମାର୍ଫତରେ ବଡ ହେଲା ପରେ ହଠାତ୍ ଦିନେ କେଉଁଆଡେ ଚାଲିଗଲା। ସେଇଦିନୁ ଆମଘରେ ଆଉ ବିଲେଇ ନାହାନ୍ତି।

  ଶଂଖି କଥା ବୋଉ କହିଲେ ଖୁସିରେ ଯେମିତି କୁରୁଳି ଉଠେ। ଆମ ଆଖି ଆଗରେ ଅଶୀତିପର ମୋ ବୋଉ କୁନି ଝିଅଟିଏ ହୋଇଯାଏ।

   ଝିଅର ଏଥର ପରୀକ୍ଷା ସରିବାପରେ ବିଲେଇଟେ ଆଣି ପାଳିବାକୁ ଇତି ମଧ୍ୟରେ ମୁଁ ପତ୍ନୀ ଙ୍କୁ ମନେଇଲି। ସେଇ ଖୁସିରେ ଝିଅ ବି ଖୁବ୍ ମନଦେଇ ପଢ଼ାପଢ଼ି କରୁଛି !


Rate this content
Log in

Similar oriya story from Classics