STORYMIRROR

sudarsan mahapatra

Classics

4  

sudarsan mahapatra

Classics

ବର୍ଷା ବସନ୍ତ ବୈଶାଖ

ବର୍ଷା ବସନ୍ତ ବୈଶାଖ

7 mins
314


     ହଠାତ୍ ଦିନେ ପ୍ରତୀଚି ଜୀବନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେଲା। ସନ୍ଧ୍ୟାରେ ବିନୟ ଯେତେବେଳେ ଅଫିସରୁ ଫେରି ଡୋର ବେଲ୍ ବଜେଇଲା , ପ୍ରତୀଚି କବାଟ ଖୋଲି ବିନୟଙ୍କ ସହିତ ଆଗନ୍ତୁକଙ୍କୁ ଦେଖି ଭିତରେ ଭିତରେ ଜଡସଡ ହୋଇ ପଡିଲା।


-" ପ୍ରତ୍ୟୁଷ ମୋର ଘନିଷ୍ଠ ବନ୍ଧୁ। ଦୁହେଁ ଦୁହିଁଙ୍କୁ ପିଲାଦିନରୁ ଜାଣିଛୁ।ଏକା କଲେଜରୁ ଏମ୍.ଏ. ପାଶ କରିଛୁ। ସେ ଏବେ ଆମ ଏଠିକା କଲେଜରେ ଜଏନ କରିଛି। ଭଡା ଘର ପାଇନାହିଁ ବୋଲି ହୋଟେଲରେ ର‌ହୁଛି।ଘର ପାଇବା ପର୍ଯ୍ୟନ୍ତ ସେ ଆମ ଘରେ ରହିଯିବାକୁ ମୁଁ ତାକୁ କହୁଛି। ତୁମେ ହିଁ ତାକୁ ବୁଝାଅ।" ବିନୟ ପ୍ରତ୍ୟୁଷ ଙ୍କ ହାତ ଧରି ସୋଫା ଉପରେ ବସେଇଦେଲା। ସେତେବେଳକୁ ପ୍ରତୀଚିର ସାରାଟା ଦେହ ଝାଳରେ ଏକରକମ ବୁଡି ସାରିଥିଲା ।


    " ତୁମେ ବସ, ମୁଁ ଚା' କରି ଆଣୁଚି" କହି ପ୍ରତୀଚି ପଳାଇ ଆସିଲା କିଚେନ କୁ ।ଗ୍ୟସରେ ଚା' ବସେଇ ଭାବିଲା କ'ଣ କରିବ ଏବେ। ପ୍ରତ୍ୟୁଷ ଘରେ ରହିବା ମାନେ ଯେ କ'ଣ ହେବ ତାହା ସେ ନିଜେ ବୁଝି ପାରୁଥିଲା। କିନ୍ତୁ ଏବେ ବିନୟକୁ ସେ କ'ଣ କହିବ ?


   ଚା' ଖାଇ ପ୍ରତ୍ୟୁଷ ଫେରିଗଲେ। ହେଲେ ଯିବାବେଳକୁ ନିଜଆଡୁ କହିଲେ " ନା,ବିନୟ ! ମୋର ଏଠାରେ ଅସୁବିଧା ହେବ। କାରଣ ତୋ ଘରଠାରୁ ମୋ କଲେଜ ଅନେକ ଦୂର। ହଁ,ତୋ ମିସେସ୍ ଙ୍କର ଆପତ୍ତି ନଥିଲେ ମଝିରେ ମଝିରେ ଆସି ଏମିତି ସୁନ୍ଦର ଚା' ଟିକେ ପିଇଯିବି।"


   ପ୍ରତ୍ୟୁଷ ଙ୍କ କଥାରେ ସ୍ଵସ୍ତିରେ ନିଃଶ୍ବାସ ମାରିଲା ପ୍ରତୀଚି।

-" ଆପଣ ଏମିତି କ'ଣ କହୁଛନ୍ତି? ଆପଣଙ୍କ ବନ୍ଧୁଙ୍କ ଘରକୁ ଆପଣ ଯେତେବେଳେ ଇଛା ଆସି ପାରନ୍ତି।" ମନ ରଖିବାକୁ ମୁହଁରେ ହସ ଫୁଟାଇ କହିଲା ପ୍ରତୀଚି।


   ପ୍ରତ୍ୟୁଷ ବିଦାୟ ନେଲାପରେ ପ୍ରତିଚୀ ଯେମିତି ରାଗରେ ଫାଟି ପଡିଲା ଭଳି ବ୍ୟବହାର କଲା। "ତୁମର କ'ଣ କାଣ୍ଡଜ୍ଞାନ ନାହିଁ। ତାଙ୍କୁ ତୁମେ କେଉଁ ଅକଲରେ ଏଠି ର‌ହିବାକୁ କହୁଥିଲ ଶୁଣେ ? ସେ ରହିଲେ ମୁଁ ଏ ଘରେ ସ୍ୱଚ୍ଛନ୍ଦରେ ରହି ପାରିବି ?"


-" ଆମେ ପିଲାଦିନୁ ପରସ୍ପରକୁ ଜାଣିଛୁ। ଦୁହେଁ ଉତ୍ତମ ବନ୍ଧୁ। ସେ ରହିଥିଲେ ବି ତୁମ ପ୍ରତି କିଛି ବିପଦ ନଥିଲା। ତା' ବିଷୟରେ , ମାନେ ତାକୁ ମୁଁ ଭଲଭାବରେ ଜାଣେ। ସେଥିପାଇଁ ମୁଁ...। ହେଲେ ଛାଡଃ...! " ଯେମିତି କିଛି କଥା ଉହ୍ୟ ରଖି ପ୍ରତୀଚି କୁ ବୁଝାଇବାକୁ ଚେଷ୍ଟା କରିଥିଲା ବିନୟ ।


     ବିଗତ ଦିନର କଥା ସ୍ମୃତି ହୋଇ ଫେରିଆସିଲା।କଲେଜରେ ନୂଆ ଯୋଗ ଦେଇଥିବା ଅଧ୍ୟାପକ ପ୍ରତ୍ୟୁଷଙ୍କ ପ୍ରଥମ କ୍ଲାସରେ ହିଁ ପ୍ରତିଚୀ ତାଙ୍କ ପ୍ରତି ଢଳିଥିଲା।ପ୍ରତ୍ୟୁଷ ମଧ୍ୟ ମନକୁ ଟାଣିଲା ଭଳି ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ଏକଦା ସମସ୍ତଙ୍କ ଆଢୁଆଳରେ ପ୍ରତ୍ୟୁଷ ମଧ୍ୟ ତା'ପାଇଁ କ୍ରମେ ଦୁର୍ବଳ ହୋଇ ପଡୁଛନ୍ତି ବୋଲି ସ୍ବୀକାର କରିଥିଲେ।ମନର ମଣିଷକୁ କେବେ କେବେ ଏକାନ୍ତରେ ପାଇ ନିଜର ଭଲପାଇବାକୁ ଜାହିର କରିବାକୁ ପଛେଇ ନଥିଲା ପ୍ରତୀଚି ।

     ଆଜି ବିବାହର ପାଞ୍ଚବର୍ଷ ପରେ ମଧ୍ୟ ପ୍ରତିଚୀ ସନ୍ତାନର ଜନନୀ ହୋଇ ପାରିନି। ପ୍ରତ୍ୟୁଷ ଙ୍କ ପ୍ରଶ୍ନରେ ଆଜି ବିନୟ ମଧ୍ୟ କେମିତି ଅସହଜ ଭଳି ଲାଗିଲେ। ହେଲେ ବିନୟ କଥାକୁ ହାଲକା କରିବାକୁ "ଏତେ ଶୀଘ୍ର ପିଲାଛୁଆଙ୍କ ଜଞ୍ଜାଳରେ ଘାଣ୍ଟି ହେଲେ, ଜୀବନକୁ କ'ଣ ଉପଭୋଗ କରି ହେବ ?" ଚଟାପଟ ଉତ୍ତର ଫେରେଇ ଥିଲେ ପ୍ରତ୍ୟୁଷଙ୍କୁ। ପ୍ରତ୍ୟୁଷଙ୍କୁ ଏ ଉତ୍ତର ବୋଧହୁଏ ସନ୍ତୁଷ୍ଟ କରି ପାରି ନଥିଲା।ତାଙ୍କ ଭାବଭଙ୍ଗୀରେ ସେଇ ଭାବ ନିରୀକ୍ଷଣ କଲା ପ୍ରତୀଚି।

     କିନ୍ତୁ ଏଇ ପାଞ୍ଚ ବର୍ଷ ଭିତରେ ବିନୟ କେବେହେଲେ ସ୍ନେହ ପ୍ରେମ ରୁ ବଞ୍ଚିତ କରିନି ପ୍ରତୀଚି କୁ। କୌଣସି ସମୟରେ ସେ ଦୁଃଖ ଓ ଅଭାବ ଅନୁଭବ କରିପାରିନି। ମଝିରେ ମଝିରେ ତା ମନରେ ପିଲାଛୁଆଙ୍କ କଥା ଉଦୟ ହୁଏନା ଏମିତି ନୁହେଁ। ହେଲେ ସେ ନିଜେ ଜାଣିନି ତା'ର ଏ ବନ୍ଧ୍ୟାଦୋଷ ପାଇଁ କିଏ ଦାୟୀ ? ସେ ନିଜେ ନା ବିନୟ ?

    ପ୍ରତୀଚି ଭାବିଲା କେବେ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଠିକ୍ ହେବ।ହେଲେ ପର ମୁହୂର୍ତରେ ତା ମନକୁ ପାପ ଛୁଇଁଲା। ଯଦି ତା'ର କିଛି ଦୋଷ ନଥାଏ , ତେବେ ବିନୟଙ୍କ ଅସାମର୍ଥତା କୁ ନେଇ ସାରା ଜୀବନ ବଞ୍ଚିପାରିବ ତ !ଆଉ ଯଦି ତା'ର ଦୋଷ ଥାଏ, ତେବେ ବିନୟଙ୍କର ତା' ପ୍ରତି ଥିବା ପ୍ରେମ ଆକର୍ଷଣ ଆଉ ରହିବ ତ ? ପ୍ରତୀଚି ମୁଣ୍ଡଟା ଭାରି ହୋଇ ଉଠିଲା।ମନଟା ହାହାକାର ରେ ଭରିଗଲା।ଉଚ୍ଛଳ ନଦୀ ଭଳି ବିନୟ ପ୍ରେମରେ ଅବଗାହନ କରୁଥିବା ପ୍ରତୀଚି କେତେ ଦିନ ଭିତରେ ଶୁଷ୍କ ନଦୀ ଶଯ୍ୟା ଭଳି ହୋଇଗଲା।ମନ ଭିତରେ ତା'ର ନାନା ପ୍ରକାର ଦ୍ଵନ୍ଦ ଦେଖାଗଲା।

     ବିବାହର ପାଞ୍ଚବର୍ଷ ଭିତରେ ଯେଉଁ ପ୍ରଶ୍ନ ଥରେ ମାତ୍ର ଉଠିନଥିଲା , ଆଜି ହଠାତ୍ ସେଇ ପ୍ରଶ୍ନ ତାକୁ ଆନ୍ଦୋଳିତ କରୁଛି। ତା'ର ଉତ୍ତର ସେ ଖୋଜି ପାଉନି। ନିଜକୁ ନିଜେ ପ୍ରବୋଧନା ଦେବାକୁ ଚେଷ୍ଟା କଲା ପ୍ରତୀଚି। ପ୍ରତ୍ୟୁଷ ଗଲାପରେ ମଧ୍ୟ ଏସବୁ ବିଷୟରେ ବିନୟ କେବେହେଲେ କଥା ହେଲେ ନାହିଁ। ଆଗପରି ଗତାନୁଗତିକ ଜୀବନ ବହି ଚାଲିଲା।ପ୍ରେମରେ କାଣିଚାଏ ବି ଭଟ୍ଟା ଅନୁଭବ କରି ପାରିଲାନି ପ୍ରତୀଚି। 


   ଦିନ ଗଡି ଚାଲିଲା। ପ୍ରତ୍ୟୁଷ ର ଯିବା ଆସିବା ଓ ମିଳାମିଶା ଭିତରେ ପ୍ରତୀଚି କ୍ରମେ ସ୍ବାଭାବିକ ହୋଇଗଲା। ଦିନେ ବିନୟଙ୍କ ଅନୁପସ୍ଥିତିରେ କଥା ପ୍ରସଙ୍ଗରେ ପ୍ରତ୍ୟୁଷଙ୍କୁ ତାଙ୍କର ଅନ୍ତର୍ଦ୍ଧାନର କାରଣ ପଚାରି ବସିଲା ସେ।


-" ଆରେ ନା ନା, ଅନ୍ତର୍ଦ୍ଧାନ କାହିଁକି ହେବି? ମୁଁ ସ୍କଲାରସିପ୍ ପାଇ ଲଣ୍ଡନରେ ପି ଏଚ ଡି କଲି ଏବଂ ପରେ ହାଭାର୍ଡ ୟୁନଭରସିଟିରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲି। ଏବେ ଫେରିଛି। ହଁ, ଆଜି ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ, ମୁଁ ସେତେବେଳେ ତୁମ ପ୍ରତି ଦୁର୍ବଳ ହୋଇ ପଡ଼ିଥିଲି।ଅନ୍ୟ ଅର୍ଥରେ କହିଲେ ମୁଁ ତୁମକୁ ଭଲ ପାଇ ବସିଥିଲି।"


   ପ୍ରତୀଚି ପ୍ରତ୍ୟୁଷ ଙ୍କ କଥାରେ ଟିକେ ଲାଜେଇଗଲା। ମୁହଁ ଟା ତା'ର ଲାଲ ହୋଇଗଲା। କିନ୍ତୁ କିଛି ସମୟପରେ ମୁହଁ ଉଠେଇ କହିଲା -" ଆଜି ବି ଆପଣଙ୍କ ମନରେ ମୋ ପ୍ରତି ସେଇ ଭାବ ଅଛି?"


ପ୍ରତ୍ୟୁଷ କିଛି ସମୟ ପ୍ରତୀଚି ମୁହଁକୁ ଚାହିଁଲା। ଧୀରେ ଧୀରେ କହିଲା " ଯଦି କହେ ଆଜି ବି ମୁଁ ତୁମକୁ ସେମିତି ଭଲପାଏ" । ପ୍ରତୀଚି ନୀରବ ରହିଲା। ବୁଝି ପାରିଲାନି ଏବେ କି ପ୍ରକାର ଉତ୍ତର ଦିଆଯିବା ଠିକ୍ ହେବ।


  ହଠାତ୍ ପ୍ରତୀଚି ଅନୁଭବ କଲା ପ୍ରତ୍ୟୁଷଙ୍କର ସ୍ପର୍ଶ। କେଜାଣି କାହିଁକି ନିଜକୁ ଛଡେଇ ନେଇ ପାରିଲା ନାହିଁ। ଜୀବନର ସେଇ ପ୍ରଥମ ପୁରୁଷର ସ୍ପର୍ଶକୁ ଏତେ ଦିନ ପରେ ପୁଣି ଥରେ ପାଇ ସେ ଦୁର୍ବଳ ହୋଇ ପଡିଲା। କିଛି ପ୍ରତିବାଦ କରି ପାରିଲାନି।ତା ମନଟା ଉତ୍ତାଳ ହୋଇ ପଡିଲା। ସେମାନେ ଧିରେ ଏକାକାର ହୋଇଗଲେ। ସେ ପର୍ଯ୍ୟନ୍ତ ବିନୟ ଅଫିସରୁ ଫେରି ନଥିଲା।

    ତୃପ୍ତ ମନ ଓ କ୍ଳାନ୍ତ ଶରୀରକୁ ନେଇ ପ୍ରତ୍ୟୁଷ ଘରୁ ନିଷ୍କ୍ରାନ୍ତ ହୋଇଗଲେ। ପ୍ରତ୍ୟୁଷ ଚାଲିଗଲା ପର ମୁହୂର୍ତରେ ପ୍ରତୀଚି ମନରେ ପାପବୋଧ ହେଲା।ମନ ଭିତରଟା ତା'ର ଛଟପଟ ହେଲା। ବିନୟ ତା'ର ସ୍ବାମୀ। ସବୁଠାରୁ ପ୍ରିୟ ପୁରୁଷ। କିନ୍ତୁ ଆଜି ସେ ସେଇ ପ୍ରିୟ ପୁରୁଷକୁ ପ୍ରତାରଣା କରିଛି।

     ସେଦିନ ପ୍ରାୟ ଘଣ୍ଟେ ଦୁଇ ଘଣ୍ଟା ଡେରିରେ ବିନୟ ଫେରିଲା। ଚେହେରା ଅବଶ ଅବଶ। ପ୍ରତୀଚି ସହିତ ପଦେ ଦୁଇପଦ କଥା ହୋଇ ଶୀଘ୍ର ଶୋଇ ପଡ଼ିଲା। ପ୍ରତୀଚି ମନରେ ଭୟ। ତେବେ କ'ଣ ବିନୟ କିଛି ସୁରାକ ପାଇଛି ? ଘାଣ୍ଟି ଗୋଳେଇ ହେଲା ମନ। ରାତିସାରା ଛଟପଟ ହେଲା ସେ ଉଦବିଗ୍ନତାରେ ।

     ସକାଳୁ ସକାଳୁ କିନ୍ତୁ ବିନୟ ତାକୁ ଭିଡି ଧରିଲା ନିବିଡ ଆଶ୍ଳେଷରେ।ପ୍ରତୀଚି ବି ନିଜକୁ ଅକାତରେ ସମର୍ପି ଦେଲା ବିନୟ ପାଖରେ। ତାପରେ ଉଠି ଚା' କରିବାକୁ ଗଲା। ଚା' ଦୁଇ କପ୍ ନେଇ ଆସିଲା ବେଳକୁ ବିନୟ ତାକୁ ଏକ ଖବର ଦେଇ ଚମତ୍କୃତ କରିଦେଲା। ସେଇଦିନ ହିଁ ସେ ଓ ପ୍ରତୀଚି ସାତଦିନ ପାଇଁ ଉଟି ବୁଲିଯିବେ ବୋଲି କହିଲା। ସେଥିପାଇଁ ସବୁ ବୁଝାବୁଝି କରି ଆସିଛି ବୋଲି କହି ପ୍ରତୀଚି କୁ ସଶ୍ରଦ୍ଧ ଚୁମାଟିଏ ଦେଲା। ପ୍ରତୀଚି ଆଶ୍ବସ୍ତ ହେଲା, ଖୁସି ବ୍ୟକ୍ତ କଲା, ବିନୟକୁ ନିବିଡ ଚୁମାଟିଏ ଫେରେଇଲା ମଧ୍ୟ।


   ବିନୟ ଓ ପ୍ରତୀଚି ବୁଲାବୁଲି କରି କେତେ ଦିନର ସୁନ୍ଦର ମୁହୂର୍ତ୍ତକୁ ଉପଭୋଗ କରି ଫେରି ଆସିଲେ। ଗୋଟିଏ ଦିନର ବିଶ୍ରାମ ପରେ ବିନୟ ଅଫିସରେ ଯୋଗ ଦେଲା। ପ୍ରତ୍ୟୁଷ ଆଜି ନିଶ୍ଚୟ ଆସିବେ- ଏମିତି ଭାବନା ଭିତରେ ପ୍ରତୀଚି ପ୍ରତୀକ୍ଷାରେ ରହିଲା।ମାତ୍ର ନିରାଶ ହେଲା। ପରଦିନ ବିନୟ ଅଫିସ ଗଲାପରେ ପ୍ରତ୍ୟୁଷ ଙ୍କୁ ଫୋନ୍ ଲଗାଇଲା। କି ଆଶ୍ଚର୍ଯ୍ୟ..! ଫୋନ୍ ବି ଲାଗୁନାହିଁ। ଦ୍ବିଧାରେ ପଡିଲା। 


  ଡୋରବେଲ୍ ବାଜିଲା। ପ୍ରତ୍ୟୁଷ ଆସିଛନ୍ତି ନିଶ୍ଚୟ! 


     କବାଟ ଖୋଲିଲା ପ୍ରତୀଚି। ଭିତରକୁ ପଶି ଆସିଲା ବିନୟ। ସମୟ ପୂର୍ବରୁ ଆଜି ଫେରି ଆସିଛି ସେ। ପ୍ରତୀଚି ମନରେ ସଂଶୟ ଜାତ ହେଲା। ବିନୟ ମୁହଁରେ ଚିନ୍ତାର ରେଖା। କିଛି ନକହି ଯାଇ ଡ୍ରେସ୍ ବଦଳାଇଲା । ପ୍ରତୀଚି ଚା'କରିବାକୁ ଚୁପଚାପ୍ କିଚେନ କୁ ଗଲା। ଚା' ନେଇ ଫେରିଲା ବେଳକୁ ବିନୟ ଟିଭି ଦେଖୁଥିଲା। 


-" ଦେହ କ'ଣ ଖରାପ ଲାଗୁଛି?" ପ୍ରତୀଚି ପଚାରିଲା ଧୀରେ।

ବିନୟ ତା' ମୁହଁକୁ ଚାହିଁଲା କିଛି କ୍ଷଣ। ଧୀରେ ଧୀରେ କହିଲା ପ୍ରତ୍ୟୁଷ ତା' ଚାକିରୀରୁ ଇସ୍ତଫା ଦେଇ ଦେଇଛି। କାହିଁକି ସେ ଏମିତି କଲା ଏବଂ କୁଆଡେ ଗଲା କେହି ଜାଣି ନାହାଁନ୍ତି। ପ୍ରତୀଚି ହାଁ ହୋଇ ଚାହିଁ ରହିଲା ବିନୟ ମୁହଁକୁ। ଦୁଃଖରେ ଝାଉଁଳି ପଡିଲା ଅସମ୍ଭବ ଭାବରେ।


    ଦିନ ଗଡି ଚାଲିଲା। ଦୁଇ ମାସ ପରେ ପ୍ରତୀଚି ଅନୁଭବ କଲା ତା ଦେହରେ କିଛି ଅଘଟଣ ଘଟିଛି। ତାକୁ ଖାଲି ବାନ୍ତି ବାନ୍ତି ଲାଗୁଛି। ବାନ୍ଧବୀ ଡାକ୍ତର ଲିଜା ମିଶ୍ର ଙ୍କ ସହିତ ଯୋଗାଯୋଗ କଲା। ସେ ମା' ହେବାକୁ ଯାଉଥିବା ଖବର ଶୁଣି ଖୁସିରେ ଆତ୍ମହରା ହୋଇପଡିଲା। ଏତିକି ବେଳକୁ ମନେ ପଡିଲା ପ୍ରତ୍ୟୁଷଙ୍କ ସହିତ ସହବାସର କଥା। ହେଲେ ମନକୁ ବୁଝାଇଲା। ଟେଷ୍ଟ ଟ୍ୟୁବ୍ ମାଧ୍ୟମରେ ସନ୍ତାନ ଧାରଣ କରିବା ଆଜିକାଲି ଯୁଗରେ ସାଧାରଣ ଘଟଣା ହେଲାଣି। ଅଜଣା ସମର୍ଥ ପୁରୁଷର ବୀର୍ଯ୍ୟ ଗର୍ଭରେ ଧାରଣ କରିବା ଅପେକ୍ଷା ଜଣେ ସମର୍ଥ ପୁରୁଷ ସହ ସହବାସ କରି ଗର୍ଭବତୀ ହେବାରେ ଦୋଷ କେଉଁଠି! ମନ ଭିତରୁ ପାପବୋଧ କଟି ଯାଇଥିଲା।

     ନିଜ ସପକ୍ଷରେ ଅନେକ କଥା ଭାବିଲା ପ୍ରତୀଚି। କିନ୍ତୁ ତା'ର ଗର୍ଭ ଧାରଣକୁ କେମିତି ଭାବରେ ଗ୍ରହଣ କରିବ ବିନୟ! ସେ ଦିନ ବିନୟକୁ କିଛି କହିଲାନି ପ୍ରତୀଚି। ପରଦିନ ଥିଲା ରବିବାର। ବିଛଣା ଛାଡ଼ିବା ପୂର୍ବରୁ ବିନୟ ଉପରେ ଲଦି ହୋଇ ପଡ଼ି ତା କାନରେ ଫିସଫିସ ସ୍ବରରେ କହିଲା -" ତମେ ବାପା ହେବାକୁ ଯାଉଛ।" ବିନୟ ଖୁସିରେ ଯେମିତି ଆତ୍ମହରା ହୋଇ ପଡିଲା। ପ୍ରତୀଚି କୁ କୋଳାଗ୍ରତ କରିନେଲା ଗୋଟାପଣେ।


     ପ୍ରତୀଚି ବିନୟର ଖୁସି ଦେଖି ବୋକା ବନିଗଲା । ଏ ପିଲା ତା'ର ନୁହେଁ ବୋଲି କ'ଣ ଜାଣି ନଥିବ ବିନୟ ! ନିଶ୍ଚୟ ଜାଣିଥିବ ସେ ବାପା ହେବାକୁ ଅସମର୍ଥ ବୋଲି। ତଥାପି...!


- " ଜାଣ ପ୍ରତୀଚି ! ମୁଁ ଗୋଟିଏ କଥା ତୁମକୁ ଲୁଚେଇ ଥିଲି। ସେଦିନ ପ୍ରତ୍ୟୁଷର କଥାରେ ମୁଁ ବିମର୍ଷ ହୋଇ ଯାଇଥିଲି। ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଦେହରେ ଗୋଟିଏ ଛୋଟିଆ ଅପରେସନ କରାଇ ନେଇଥିଲି। ଡାକ୍ତର ମୋତେ ଆଶ୍ଵାସନା ଦେଇଥିଲେ ମୁଁ ବାପା ହୋଇ ପାରିବି ବୋଲି। ତା'ପରେ ମନ ପରିବର୍ତ୍ତନ ପାଇଁ ତୁମକୁ ନେଇ ମୁଁ ଉଟି ବାହାରି ଯାଇଥିଲି। ଏତେ ଶୀଘ୍ର ଭଲ ଖବର ପାଇବି ବୋଲି ଆଶା କରି ନଥିଲି।"

ବିନୟର ଏ କଥା ପ୍ରତୀଚିକୁ ଆହୁରି ଦ୍ବନ୍ଦରେ ପକାଇ ଦେଲା।

    ପୁତ୍ର ସନ୍ତାନକୁ ନେଇ ଦୁହେଁ ଘରକୁ ଫେରିଲେ ତ ନୂତନ ଅତିଥିଙ୍କୁ ସ୍ବତନ୍ତ୍ର ଭାବରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଗଲା। ଏକୋଇଶିଆ ପୂଜା ଦିନ ଭୁରି ଭୋଜନରେ ଆପ୍ୟାୟିତ କରାଗଲା ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ବଜନ ଙ୍କୁ।କଥା ପ୍ରସଙ୍ଗରେ ପ୍ରତ୍ୟୁଷ ଙ୍କ କଥା ପଡିଲା। "ପ୍ରତ୍ୟୁଷ ଥିଲେ ବହୁତ ଖୁସି ହୋଇଥାନ୍ତା, ତା' ଗୋଡ଼ ତଳେ ଲାଗୁନଥାନ୍ତା" ବୋଲି ମନ୍ତବ୍ୟ ଦେଲା ବିନୟ। 

    ଏତିକି କଥାରେ ପ୍ରତିଚୀ ଛାତିଟା ଥରି ଉଠିଲା।

-" ତୁମ ପୁଅ ପାଇଁ ସେ କାହିଁକି ଏତେ ଖୁସି ହୋଇଥାନ୍ତେ?" ଛେପ ଢୋକି କହିଲା ପ୍ରତୀଚି।

   

-" ଗୋଟିଏ ଗୂଢ କଥା ତୁମକୁ କହିନାହିଁ। ପ୍ରତ୍ୟୁଷର ବାପା ହେବାର କ୍ଷମତା ନାହିଁ। ବହୁତ ଡାକ୍ତର ଦେଖାଇଛି, ଚେଷ୍ଟା କରିଛି। ମାତ୍ର ସୁଫଳ ପାଇନାହିଁ। ସେଥିପାଇଁ ସେ ବାହା ହୋଇ ନାହିଁ।ଆମ ପାଇଁ ତା'ର ମଧ୍ୟ ମନଦୁଃଖ ଥିଲା। ତା'ରି ପରାମର୍ଶରେ , ମୁଁ ନିଜର ଚିକିତ୍ସା କରାଇଥିଲି। ସେ ଆମ ପୁଅ ପାଇଁ ଖୁସି ହୋଇଥାନ୍ତା କି ନାହିଁ କୁହ ! " ବିନୟର କଥାରେ ପ୍ରତିଚୀ ଏକବାର ହତବାକ ହୋଇଗଲା ! ତେବେ କ'ଣ ପ୍ରତ୍ୟୁଷ ଧ୍ବାନ୍ତ-ଧୂସର ବୈଶାଖର ରୂପ..!


     ଦୁଇ ବର୍ଷ ପରେ ପ୍ରତୀଚି ଆଉଥରେ ମାଆ ହେବାକୁ ଯାଉଛି ଜାଣି, ତା' ମନ ଭିତରେ ସେପର୍ଯ୍ୟନ୍ତ ସମ୍ୟକ ଜାଗରିତ ଥିବା ଦ୍ବିଧାଭାବ ସଂପୂର୍ଣ୍ଣ କଟି ଯାଇଥିଲା ।


Rate this content
Log in

Similar oriya story from Classics