ବାପାଙ୍କ ଆଖିରେ ଲୁହ
ବାପାଙ୍କ ଆଖିରେ ଲୁହ
ତୁମେ କ'ଣ କେବେ କାନ୍ଦି ନାହଁ ବାପା? କାହିଁ ମୁଁ ତ କେବେ ଦେଖିନାହିଁ। ଯଦି କେବେ ଦେଖି ବି ଥିବି ମୋର ମନେ ନାହିଁ।" ପୁଅ ଦିନେ ତା' ବାପାଙ୍କୁ ପଚାରିଲା ଅନୁସନ୍ଧିତ୍ସୁ ହୋଇ।
ବାପା ମୁରୁକି ହସିଲେ ପୁଅର ଏକଥା ଶୁଣି। କେମିତି ଏକ ରହସ୍ୟମୟ ହସ। ସେଇ ହସରୁ ବୁଝି ହେଉଥିଲା ଯେମିତି କେଉଁ ଦୂର ଅତୀତରେ ଘଟି ଯାଇଥିବା ଘଟଣାଟି ମନେ ପଡିଯିବାରୁ, ବାପାଙ୍କ ମୁହଁରେ ହସ ଫୁଟି ଉଠିଛି। ଘଟଣାଟି ଜାଣିବା ପାଇଁ ପୁଅର ଜିଗର ବଢିଯିବା ସ୍ବାଭାବିକ।
ସତକୁ ସତ ବାପା ଯେଉଁ କାହାଣୀ ଆରମ୍ଭ କଲେ ସେଇଟା କେଇ ବର୍ଷ ତଳର, ଅର୍ଥାତ୍ ପୁଅ ଯେତେବେଳେ ଖୁବ୍ ଛୋଟ ଥିଲା।
ନିଜର ସେଇ ଅବୋଧ ପୁଅଟି ବଡହେଲେ କେଉଁ ପ୍ରକୃତିର ହେବ ଜାଣିବାକୁ ବାପା ପୁଅ ଆଗରେ ତିନୋଟି ଜିନିଷ ରଖିଲେ। ଗୋଟିଏ କଲମ, ଗୋଟିଏ କଏନ୍ ଏବଂ ଅନ୍ୟଟି ହେଲା ସୁନ୍ଦର ଖେଳନା ଟିଏ। ପ୍ରକୃତରେ ଏ ପଦ୍ଧତି ଚାଇନିଜ ମାନେ ହିଁ ଆପଣେଇଥାନ୍ତି କୌତୁହଳବଶତଃ । ସେଇ ପ୍ରକାର କୌତୁହଳ ବାପାଙ୍କ ମନରେ ସୃଷ୍ଟି ହୋଇଥିଲା କହିଲେ ଠିକ୍ ହେବ।
ଗେଲବସର ପୁଅଟି ସାମ୍ନାରେ ଥିଲା ତିନୋଟି ଜିନିଷ, ଯାହା ଯଥାକ୍ରମେ ଜ୍ଞାନ ସୂଚକ, ଐଶ୍ୱର୍ଯ୍ୟ ସୂଚକ ଏବଂ ଖେଳ କୌତୁକ ସୂଚକ।
ଗୋଟିଏ ପଟେ ପୁଅ, ଆରପଟେ ବାପା ଏବଂ ମଝିରେ ଏକ ସଂଶୟ ଭିତ୍ତିକ ପରୀକ୍ଷା। ବାପାଙ୍କ ପାଇଁ ଏ କୌତୁହଳଟି କିନ୍ତୁ କ୍ରମେ ଉଦବିଗ୍ନତାର କାରଣ ହେଉଥିଲା।ପୁଅ କିଛି ଦୂରରେ ବସି ସବୁ ଜିନିଷ ଗୁଡ଼ିକ ଦେଖୁଥିଲା। ସେଇ ସମୟରେ ବାପାଙ୍କର ନଜର ମଧ୍ୟ ଘୁରି ବୁଲୁଥିଲା ନିଜେ ରଖିଥିବା ପୁଅର ଦୃଷ୍ଟି ଆକର୍ଷଣର ମାଧ୍ୟମ ମାନଙ୍କ ଉପରେ ଆଉ ପୁଅ ଉପରେ।
ଧିରେ ଧିରେ ପୁଅ ଆଗକୁ ବଢୁଥିଲା। ପ୍ରାୟ ପରୀକ୍ଷା ମୁହୂର୍ତ୍ତ ନିକଟତର। ବାପାଙ୍କ ନିଃଶ୍ବାସ ଯେମିତି ସ୍ଥିର !
ସବୁତକ ଜିନିଷ ଗୋଟିଏ ପଟକୁ ଆଡେଇ ଦେଇ ନିଜ ପାଇଁ ସିଧା ରାସ୍ତାଟିଏ ତିଆରି କଲା ପୁଅ ଏବଂ ଚାହିଁଲା ବାପାଙ୍କ ମୁହଁକୁ। ଓଠରେ ତା'ର ନିଟୋଳ ହସ। ହଠାତ୍ ଧାଇଁ ଆସି ଏକରକମ ଜାବୁଡି ଧରିଲା ବାପାଙ୍କୁ..! ତା'ର ଶ୍ରେଷ୍ଠ ଇପ୍ସିତ କୁ.!
ବାପା କେବେ ଭାବିନଥିଲେ ଯେ ପୁଅର ଚତୁର୍ଥ ଏବଂ ଶ୍ରେଷ୍ଠ ବିକଳ୍ପ ସେ ନିଜେ ବୋଲି। ବାପାଙ୍କ ଆଖିରେ ଲୁହର ପ୍ଳାବନ, ଯାହା କୋଳାଗ୍ରତ ପୁଅ ଦେଖି ପାରୁନଥିଲା...!
ସେଇ ପୁଅ ଏବେ ବଡ଼ ହୋଇଛି। କିଛି ସମୟ ପୂର୍ବରୁ ବାପାଙ୍କ ହସିଲା ମୁହଁର ଚିକମିକ ଆଖିରେ ଲୁହ ଜମାଟ ବାନ୍ଧୁଥିବାର ସେ ଦେଖୁଥିଲା। ସେ ଲୁହ ଥିଲା ଖୁସିର..! ସ୍ନିଗ୍ଧ..,ସତେଜ..!!
ପୁଅ କୁଣ୍ଢେଇ ଧରିଥିଲା ବାପାଙ୍କୁ...!!!
