STORYMIRROR

sudarsan mahapatra

Action

4  

sudarsan mahapatra

Action

ଏନକାଉଣ୍ଟର

ଏନକାଉଣ୍ଟର

3 mins
324


- ଘଟଣା କ'ଣ ଆଗ କୁହ ।

- ଥାନାକୁ ଗଲେ ସବୁ କଥା ଜାଣି ପାରିବ। କହିଲେ ପୋଲିସ ସବଇନ୍ସପେକ୍ଟର ।

         ସଂଗ୍ରାମ ଥାନାରେ ପହଞ୍ଚିବା ପରେ ତାକୁ ଶଶାଙ୍କର ଫଟୋ ଦେଖାଇ ପଚରାଗଲା - ଚିହ୍ନିଛନ୍ତି ଏଇ ଲୋକଟିକୁ ?

     ସଂଗ୍ରାମ କିଛି ସମୟ ଚିନ୍ତା କଲା କ'ଣ କହିବ । ତା'ପରେ କହିଲା -" ନା ଚିହ୍ନିନି।"

- ଆପଣ କେବେ ଠାରୁ ଘର ଛାଡିଛନ୍ତି ?"

- ଘର ତ ଛାଡି ନାହିଁ। ସଂଗ୍ରାମ କହିଲା।

- କେବେ ଫେରିଲେ ?

- ଦୁଇ ଦିନ ହେବ।

- ଏ ଲୋକକୁ ଗତକାଲି ସେଇ ଘରୁ ଗିରଫ କରାଯାଇଛି। ସେ ଜଣେ..ମର୍ଡରର..ହତ୍ୟାକାରୀ। କହିବାକୁ ଗଲେ ନକ୍ସଲବାଦୀ। ସେ ଲୋକକୁ ପ୍ରୋତ୍ସାହନ ଏବଂ ଆଶ୍ରୟ ଦେବା ଅଭିଯୋଗରେ ଆପଣଙ୍କୁ ଗିରଫ କରା ଯାଇଛି। ଆପଣଙ୍କର ନକ୍ସଲ ଙ୍କ ସହିତ ସମ୍ପର୍କ ବିଷୟରେ ବି ପୋଲିସ ଛାନଭିନ କରୁଛି।ଏଥର ସବୁ ବୁଝିଲେ ତ !

    ଏହି ସମୟରେ ଆଉ ଜଣେ ପୋଲିସ ପହଞ୍ଚି କହିଲେ - ସାର୍ ଏ ଦୁହିଁଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ ହୋଇଗଲା। ଏମାନେ ବୋଧହୁଏ ବିରାଟ କିଛି ଷଡଯନ୍ତ୍ରରେ ଲିପ୍ତ ଥିଲେ।

   ସଂଗ୍ରାମ ଆଶ୍ଚର୍ଯ୍ୟ ହୋଇ କେବଳ ଶୁଣୁଥିଲା- କ'ଣ ସବୁ ଏମାନେ କହି ଯାଉଛନ୍ତି।

  ସଂଗ୍ରାମ କୁ ଶୁଣାଇ ଦିଆଗଲା ସେ ବର୍ତ୍ତମାନ ଜୁଡିସିଆଲ୍ କଷ୍ଟୋଡିରେ ରହିବ ଏବଂ ଦୁଇ ଜଣଙ୍କୁ ଏକା ସମୟରେ ଜେରା କରାଯିବ।

      ଖବରକାଗଜ ପୃଷ୍ଠାରେ ଏଥର ବାହାରୁଥିଲା ରୋଚକ ଖବରମାନ। ଦୁଇଜଣ ଯୁବକଙ୍କ ନକ୍ସଲବାଦ ଲିଙ୍କ୍। ସେମାନଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ମନ୍ତ୍ରୀ ମହୋଦୟଙ୍କ ପୁଅ। ବହୁ ଶ୍ରମ ସ୍ୱୀକାର କରି ପୋଲିସ ଉକ୍ତ ଦୁଇ ଆସାମୀଙ୍କୁ ଗିରଫ କରିବାକୁ ସମର୍ଥ ହୋଇଛନ୍ତି ଏବଂ ତାଙ୍କ ପଛରେ କାର୍ଯ୍ୟ କରୁଥିବା ଶକ୍ତିଙ୍କୁ ଚିହ୍ନଟ କରିବାର ଉଦ୍ୟମ ଜାରି ରଖିଛନ୍ତି।

        ଯେଉଁଦିନ ସେମାନଙ୍କର ବିଚାର ହେବ ସେଦିନ କୋର୍ଟ ଥିଲା ଅସମ୍ଭବ ଭାବରେ ଭିଡ।ଏ ରାଜ୍ୟ ପାଇଁ ଏଇଟା ଥିଲା ନୂଆ ଧରଣର କେସ୍। ଯଥେଷ୍ଟ ସତର୍କତା ଏବଂ କଡା ପୋଲିସ ପ୍ରହରା ମଧ୍ୟରେ ତାଙ୍କୁ କୋର୍ଟରେ ହାଜର କରାଗଲା ।

          ଆଶ୍ଚର୍ଯ୍ୟର ବିଷୟ ଓକିଲଙ୍କ ସହାୟତା ନେବା ପାଇଁ ଦୁଇଜଣ ଯାକ ମନାକରିଦେଇଥିଲେ । ପ୍ରଥମେ ଶଶାଙ୍କ କୁ ଯେତେବେଳେ ପ୍ରଶ୍ନ ପଚରାଗଲା, ସେ କହିଲା - କୌଣସି ସମସ୍ୟାର ମୂଳକୁ ନଯାଇ କିଛି ଆରୋପିତ ଅଭିଯୋଗ ଓ ସନ୍ଦେହରେ ଆମକୁ ଏତେ ବଡ ଆସାମୀ ହିସାବରେ ଚିତ୍ରଣ କରା ଯାଇସାରିଲାଣି ଯେ ଏଠାରୁ ମୁକ୍ତି ପାଇ ଯିବା ପରେ ମଧ୍ୟ ଆମେ ସ୍ବାଭାବିକ ଜୀବନଯାପନ ପାଇଁ ଆଉ ଯୋଗ୍ୟ ରହିବୁ ନାହିଁ। ବରଂ ଏଇଠି ରହିବାକୁ ମୁଁ ଶ୍ରେୟସ୍କର ମନେ କରୁଛି। ଏମିତି ତ ଗାଁ ରୁ ଆସି ଜୀବିକା ଉପାର୍ଜନ ଅନ୍ବେଷଣରେ ମୁଁ ସାଙ୍ଗ ପାଖରେ ଆଶ୍ରୟ ନେଇଥିଲି।ତେଣୁ ମୁଁ ନିଜ ବିଷୟରେ କିଛି କୈଫତ ଦେବାକୁ ଆଉ ଉଚିତ୍ ମନେ କରୁନାହିଁ।

   ସଂଗ୍ରାମ କହିଲା- "ମନ୍ତ୍ରୀ ମହୋଦୟଙ୍କ ପୁଅ ସହିତ ମିଶି ଯିଏ ଡ୍ରଗସ କାରବାର ଚଲାଉଥିଲା ଏବଂ ନାନାଦି ସନ୍ତ୍ରାସ କାର୍ଯ୍ୟରେ ଲିପ୍ତ ଥିଲା ସେ ଆଉ ଏ ଦୁନିଆରେ ନାହିଁ। ସେଇ ବିନୟ ଥରକ ପାଇଁ କଲେଜ ଜୀବନର ବନ୍ଧୁ ହିସାବରେ ମୋର ସହଯୋଗ ଲୋଡିଥିଲା। ଜୀବନ ବଞ୍ଚାଇବାକୁ ସେଦିନ ସେ ଆସିଥିଲା। କହୁଥିଲା ମନ୍ତ୍ରୀ ଙ୍କ ପୁଅ ତାକୁ ମାରିବାକୁ ଲୋକ ଲଗେଇଛି।ଆମ ସହିତ ଗୋଟିଏ ରାତିର ରହଣି ବି ତା'ର ସଂପୂର୍ଣ୍ଣ ହୋଇ ପାରିନଥିଲା। ତା'ପଛେ ପଛେ ଆସି ଯାଇଥିଲେ ପୋଲିସ।

      ତାକୁ ମାରିଦିଆଗଲା ସେଇ ରାତିରେ। ପରଦିନ ସକାଳେ ଥିଲା ଖବର କାଗଜରେ ରୋଚକ ଖବର। " ପୋଲିସକୁ ବଡ ସଫଳତା। ଏନକାଉଣ୍ଟର ରେ ମୃତ ହାର୍ଡକୋର ନକ୍ସଲବାଦୀ"।

ଏବେ ପୁଣି ଆମେ ଦୁହେଁ ନକ୍ସଲବାଦୀ ରୂପରେ ସମସ୍ତଙ୍କ ସାମ୍ନାରେ। ଦେଶର ଶାସନ ବ୍ୟବସ୍ଥାରେ ଆମକୁ କାଠଗଡାରେ ଠିଆ କରେଇ ପୋଲିସ ବାହାବା ନେବେ। ମନ୍ତ୍ରୀ ମହୋଦୟଙ୍କ ଦୟାରୁ ପ୍ରମୋଶନ ବି ମିଳିବ ସେଇ ପୋଲିସ କୁ ।ଏଠୁ ମୁକୁଳିଲେ ଆମ ଉପରେ ବେଶୀ ବିପଦ। ବରଂ ଏଇଠି ଏବେ କିଛିଦିନ ବଞ୍ଚି ରହିବାକୁ ଚାହୁଁଛୁ ଆମେ।"

       କୋର୍ଟ ପରିସରରେ ସମସ୍ତେ ତାଜୁବ। ମାନ୍ୟବର ନ୍ୟାୟାଳୟ ଆଉ ଗୋଟିଏ ଦିନକୁ ଶୁଣାଣି ତାରିଖ ଧାର୍ଯ୍ୟ କଲେ।

      ଇତ୍ୟବସରରେ ଜଣେ ଜଣାଶୁଣା ଓକିଲ ସିଦ୍ଧାର୍ଥ ଶଙ୍କର ଦାସ ବିନା ପାରିଶ୍ରମିକରେ ଶଶାଙ୍କ ଏବଂ ସଂଗ୍ରାମ ପାଇଁ ସରକାରୀ ଓକିଲଙ୍କୁ କାଉଣ୍ଟର କରିବାକୁ ପ୍ରସ୍ତୁତ ବୋଲି ଟିଭି ଚ୍ୟାନେଲ ମାନେ ବ୍ରେକିଂ ନ୍ୟୁଜରେ ପରିବେଷଣ କରୁଥିଲେ। ମନ୍ତ୍ରୀଙ୍କ ପୁଅକୁ କାଠଗଡାରେ ଠିଆ କରିବାକୁ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ ସିଦ୍ଧାନ୍ତ ଶଙ୍କର ଦାସ।

   କେଶଟି ଯେ ଏଥର ଜମିବ ଏଥିରେ ସନ୍ଦେହ ନଥିଲା। ଜନସାଧାରଣ ଥିଲେ ଉତ୍ସାହିତ।

    ଦୁଇଦିନ ପରେ ବ୍ରେକିଂ ନ୍ୟୁଜରେ ଥିଲା ତଥାକଥିତ ଓକିଲ ସିଦ୍ଧାନ୍ତ ଶଙ୍କରଙ୍କ ଦୁର୍ଘଟଣାରେ ମୃତ୍ୟୁ ଖବର ଏବଂ ଅନ୍ୟଟି ଥିଲା ମାନ୍ୟବର ମନ୍ତ୍ରୀଙ୍କ ପୁଅ ବିକ୍ରମ କେଶରୀଙ୍କର ସରକାରୀ ଦଳ ପକ୍ଷରୁ ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଖବର।

      ଜନସାଧାରଣ ଥିଲେ ନିର୍ବାକ...!!! 


Rate this content
Log in

Similar oriya story from Action