ସେଇ ହସ ଧାରେ
ସେଇ ହସ ଧାରେ
ଦିନ ଥିଲା ମାନସୀ ଟିକିଏ କଥାରେ ବେଶୀ ହସେ। ସର୍ବଦା ହସ ଆଉ ହସ। ସେଥିପାଇଁ ବୋଉ ଭାରି ବିରକ୍ତ ହେଉଥିଲା।ଆକଟ କରୁଥିଲା। କହୁଥିଲା -"ଝିଅ ପିଲା ଏମିତି ହସନ୍ତିନି।" ସତକୁ ସତ ଏବେ ସେଇ ମଞ୍ଜୁଳ, ମଧୁର ହସ ଟିକକ ତା ପାଖରୁ ଅନ୍ତର୍ଦ୍ଧାନ ହୋଇ ସାରିଛି। ହସକୁରୀ ପ୍ରଫୁଲ୍ଲିତ ମୁହଁ ଟିକକ ଏବେ ନିସ୍ତେଜ... ନିର୍ବାକ..!
ଶ୍ରଦ୍ଧା ନାହିଁ। ସହାନୁଭୂତି ନାହିଁ। ଅହରହ ତିକ୍ତତା ପୂର୍ଣ୍ଣ କଥା। ଯେତେ ସବୁ ରାଗ ଆଉ ଆକ୍ରୋଶ।ତା'ରି ଭିତରୁ ଉଠେ ପୁଣି ଝଡ଼। ଯେମିତି ସେଦିନ ସନ୍ଧ୍ୟାରେ ଅତି ସାମାନ୍ୟ କଥାକୁ ନେଇ କେଡେ ବଡ କରି ଯେମିତି ଉଛୁଳି ପଡୁଥିଲେ ସୁନନ୍ଦ।
ସେଦିନ ସୁନନ୍ଦଙ୍କ ସହକର୍ମୀ ଚିନ୍ମୟ ହିଁ ସପତ୍ନୀକ ସୌଜନ୍ୟମୂଳକ ସାକ୍ଷାତ ପାଇଁ ସନ୍ଧ୍ୟାରେ ଘରକୁ ଆସିଥିଲେ। କଥା ଛଳରେ ମାନସୀ ପାଟିରୁ ଚିନ୍ମୟ ଙ୍କ ପ୍ରତି କିଛି ପ୍ରଶଂସା ବାହାରି ଯାଇଥିଲା। ସେମାନେ ଗଲାପରେ ସେସବୁ ଅଯଥା କଥା ଥିଲା ବୋଲି ଆରମ୍ଭ ହୋଇ ଯାଇଥିଲା ବାକବିତଣ୍ଡା ଏବଂ ଚିତ୍କାର। ଶେଷରେ ପରାକ୍ରମ ଦେଖାଇବାକୁ ଜିନିଷ ପତ୍ର ଫୋପଡା ଫୋପଡି...!
ସବୁଥର ପରି ଶେଷରେ ସୁନନ୍ଦଙ୍କ ଠାରୁ ଭୁଲ ମାଗିବାକୁ ବାଧ୍ୟ ହୋଇଥିଲା ମାନସୀ। ସୁନନ୍ଦଙ୍କ ପତ୍ନୀ ହେବାର ସୌଭାଗ୍ୟ ପାଇବା ପରଠାରୁ ମାନସୀ ଏମିତି ନିଜକୁ ପରିସ୍ଥିତି ସହିତ ଖାପ ଖୁଆଇ ଖିନଭିନ ହୋଇ ଜିଇଁଛି ଯାହା !
ସମୟର ସହିତ ଦେହ ଓ ବୟସର ପରିବର୍ତ୍ତନ ଘଟିଛି ହେଲେ ମନର ପରିବର୍ତ୍ତନ ହୋଇ ପାରିନି। ପୁଅ ଝିଅ ଦୁହେଁ ଧିରେ ଧିରେ ବଡ଼ ହେଉଥିଲେ। କେବେ ଏକତ୍ର ବସି ଦୁଃଖ ସୁଖ ହେବା,ପିଲାଙ୍କ ଭବିଷ୍ୟତ ନେଇ ବିଚାର ଆଲୋଚନା କରିବା ଅବା ପରସ୍ପରର ମତକୁ ସହୃଦୟତାର ସହିତ ସମ୍ମାନ ଦେବା, ଏସବୁ ବୋଧହୁଏ ମାନସୀ ପାଇଁ କଳ୍ପନାରେ ବାହାରେ ଥିଲା।ପାଟି ଫିଟିଲେ ହିଁ ମହାଭାରତ ସୃଷ୍ଟି...!
ହେଲେ ସବୁ କଥା କେମିତି କେମିତି ଚାଲିଛି। ବାହାରକୁ ତ ପୁଣି ନିଜ ମାନସମ୍ମାନକୁ ଜଗିବାକୁ ପଡିବ। ଅନେକ ସମୟରେ ମାନସୀ ଭିତରେ ଭିତରେ ନିଜର କ୍ରୋଧକୁ ଚାପି ରଖେ। ଚଳନ୍ତି ଦୁନିଆ ଚଳନ୍ତି ସମାଜରେ ନିଜର ସ୍ଥିତି ବଜାୟ ରଖିବାକୁ ପଡିବ ଯେ!
ଆଗେ ମାନସୀ ସବୁବେଳେ ଆସନ୍ତାକାଲିର ସ୍ବପ୍ନ ଦେଖୁଥିଲା। ଆଜି ନହେଲେ ସୁନନ୍ଦ କାଲି ବୁଝିବେ। ଦିନେ ସବୁକଥା ସହଜ ହୋଇଯିବ,ଏଇ ପ୍ରତ୍ୟୟ ହିଁ ତାକୁ ଏତେ ବାଟ ଆଣିଥିଲା। ସ୍ବାମୀଙ୍କ ସମ୍ମାନକୁ ମୁଖ୍ୟ କରି ନିଜକୁ ଗୌଣ କରି ରଖିଥିଲା।
କ୍ରମେ ତା'ର ପ୍ରତ୍ୟୟ ହେଲା,ଅସୂୟା ଭାବ ବ୍ୟତିରେକ ଆଉ କିଛି ନୁହେଁ।ମନର ଯୋଗାଯୋଗ ତ ଲୁଚକାଳି ଖେଳ ଭଳି।ଏଇ ଅଛି ଏଇ ନାହିଁ।ତା' ମନରୁ ହଜିଯାଇଛି ତା'ର ଆଜନ୍ମ ପରିଚିତ ସ୍ନେହର ପୃଥିବୀଟିଏ। ଛାତି ଭିତରେ ସେ ସର୍ବଦା ଅନୁଭବ କରୁଛି ଏକ ଅଭାବବୋଧ। ଖାଲି ନାହିଁ ନାହିଁ ରେ ଅସୁମାରୀ ଭାବ...! କେତେ ଅସ୍ଥିର, ବିଧ୍ବସ୍ତ ମନ ଭିତରେ ସବୁବେଳେ ହାହାକାର ର ପ୍ରତିଧ୍ଵନି...!
ଖୁସିର କଥା ପଦେ ହେଉ ଅବା ଦୁଃଖର ପଦେ ହେଉ, ପ୍ରତିକ୍ରିୟା ଟିକକୁ ପ୍ରକାଶ କରିବା ପାଇଁ ନିର୍ଭରଶୀଳ ଲୋକଟିଏ ଖୋଜି ପାଇନଥିଲା। ପ୍ରତି ମୁହୂର୍ତ୍ତରେ ମନ ତା'ର ଆଶା କରୁଥିଲା ପଦେ କଅଁଳିଆ କଥା…ଟିକିଏ ସମବେଦନା... ଟିକିଏ ସମ୍ମାନ..! ତା' ତ କେବେ ପାଏନା। ପାଏ ଅନେକ କଟୁକ୍ତି..., ଅନେକ ଆକ୍ଷେପ... ଅନେକ ହୀନମନ୍ୟତା..! ଜୀବନରେ କେବେ ଶୁଣି ନଥିବା କୁତ୍ସିତ ଶବ୍ଦ ସବୁ ଶୁଣି ଶୁଣି ମାନସୀର ମାନସିକ କୋମଳତା ନଷ୍ଟ ହୋଇ ଗଲାଣି।
କେବେ କେବେ ସେ ଭାବେ, ଏମିତି ନୀରବରେ କୁହୁଳିବା ଠାରୁ ବରଂ ଭଲ ହେବ ଜଳିପୋଡି ମରିଯାନ୍ତା। ମହମବତୀ ଭଳି ନିଃଶବ୍ଦରେ ଜଳି ଜଳି ଜୀବନକୁ ସାରିବା ଅପେକ୍ଷା ସେ ଚାହୁଁଥିଲା ମୃତ୍ୟୁ।
ମାନସୀ ପାଇଁ ମୃତ୍ୟୁଟା ଯଦିଓ ଭୟଙ୍କର ନଥିଲା ତେବେ ଅତୀବ ଦୁଖଃପୂର୍ଣ୍ଣ ହୋଇଥାନ୍ତା। ତା'ର କାରଣ ଥିଲା ପୁଅ ଝିଅ। ତାଙ୍କର କ'ଣ ହେବ? ତାଙ୍କର ଖାଇବା ପିଇବା କଥା କିଏ ବୁଝିବ ? ସେମାନଙ୍କର ମନକଥା କିଏ ବୁଝିବ? ଏମିତି ଭାବନା ଭିତରେ କେତେ ବର୍ଷ କଟି ଯାଇଥିଲା। ପିଲାଦୁହେଁ ଏବେ ବଡ ହୋଇ ଗଲେଣି। ଦୁହେଁ ବାହାରେ ହଷ୍ଟେଲରେ ରହି ପଢୁଛନ୍ତି।
ଆଜିର ଘଟଣା ମାନସୀ କୁ ସମ୍ପୁର୍ଣ୍ଣ ଭାବରେ ନିଜ ଜୀବନ ପ୍ରତି ବୀତସ୍ପୃହ କରାଇବାକୁ ବାଧ୍ୟ କଲା। କାଲି ଠୁ ତା' ଦେହ ଭଲ ଲାଗୁନଥିଲା । ସାମାନ୍ୟ ଜ୍ବର ଜ୍ଵର ବି ଲାଗୁଥିଲା। ସୁନନ୍ଦ ଙ୍କୁ ସବୁ କଥା ଜଣାଇଲେ ବି ସେ ଯେମିତି ଥିଲେ ବେଫିକର। ରବିବାର ଅଫିସ ଛୁଟି ମାନେ ଯେତେ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଇଚ୍ଛା କରିବେ ତ ସ୍ତ୍ରୀକୁ ସବୁ କରିବାକୁ ବାଧ୍ୟ। ଆଜି ସକାଳୁ ଦେହ ଭର୍ତ୍ତି ଜ୍ଵର। ଦୁର୍ବଳ ଲାଗୁଥିଲା। ହେଲେ ଖାଇପିଇ ଦେଇ ସୁନନ୍ଦ ଚାଲି ଯାଇଥିଲେ ଅଫିସ।
ଦେହ ବହୁତ ଖରାପ ଲାଗିବାରୁ ମାନସୀ ବାଧ୍ୟ ହୋଇ ଚିନ୍ମୟ ଙ୍କୁ ମେଡିସିନ ଆଣିବାକୁ କହିଥିଲା।ଏ ବିଷୟରେ ବି ସୁନନ୍ଦଙ୍କୁ ଜଣାଇଥିଲା ଫୋନ୍ କରି।କାରଣ ମାନସୀ ଚିନ୍ମୟ କୁ ସାନଭାଇର ସ୍ଥାନ ଦେଉଥିବା ବେଳେ,ସୁନନ୍ଦ ତାକୁ ଦେଖନ୍ତି ସନ୍ଦେହ ଦୃଷ୍ଟିରେ। ଅଫିସ ରୁ ଫେରି ସେଇ କଥାକୁ ଖିଅ ଧରି, ଚିନ୍ମୟ ସହିତ ଖରାପ ସମ୍ପର୍କ ଅଛି ବୋଲି କି ଅଭଦ୍ର ଭାଷା ପ୍ରୟୋଗ କରି ଗାଳି ଦେଲେ ସୁନନ୍ଦ। ଶାଶ୍ଵତ ପବିତ୍ର ସମ୍ପର୍କକୁ ସେ ଅଶାଳୀନ ମନ୍ତବ୍ୟ ଦେଇଥିଲେ।ଯେଉଁ ପ୍ରକାରର ବ୍ୟବହାର ମାନସୀ କେବେ ଆଶା କରୁନଥିଲା ସେଇ ସୀମାରେଖା ଅତିକ୍ରମ କରି ଯାଇଥିଲେ ସୁନନ୍ଦ।
-" ତୁମର ଏ ଅଭଦ୍ରୋଚିତ ବ୍ୟବହାର ମୋ ନଜରରେ ତୁମକୁ ଛୋଟ କରି ଦେଇଛି । ଆଜିଠୁ ମୋ ଠାରୁ ବି ସେମିତି କିଛି ବ୍ୟବହାର ପାଇବାକୁ ପ୍ରସ୍ତୁତ ରୁହ।" ଏତିକି କଥାରେ ମାନସୀ ଉପରକୁ ସୁନନ୍ଦ ହାତ ଉଠାଇ ଦେଇଥିଲେ।
ମାନସୀ ଚୁପ୍ ରହିଲା । ତା ଅନ୍ତଃସ୍ଥଳର ଅପ୍ରଶମିତ ଭାଷା ! କାହାକୁ କହିବ କିଏ ବା ବୁଝିବ? କ୍ରମେ ସନ୍ଧ୍ୟାରୁ ରାତି ଗଡୁଥିଲା। ସବୁଦିନ ପରି ସୁନନ୍ଦ ଖାଇପିଇ ବିଛଣାକୁ ଗଲେଣି। କ୍ରମେ ଘୁଙ୍ଗୁଡ଼ି ଶବ୍ଦରୁ ତାଙ୍କ ନିଦ ଗାଢ ରୁ ଗାଢତର ହେଲାଣି। ମାନସୀ ଆଖିରେ ନିଦ ନାହିଁ। ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିନେଲା ସେଇ ମୁହୂର୍ତ୍ତରେ।
କାନ୍ଥ ଘଣ୍ଟାରେ ତିନିଟା ବାଜିଲାଣି ବୋଲି ଜାଣିଲା। ମାନସୀ ଧିରେ ଖଟରୁ ଓହ୍ଲେଇ ଆସିଲା। କବାଟ ଖୋଲି ଗ୍ରୀଲ ବାହାର ପଟୁ ବନ୍ଦ କରି ରାସ୍ତାରେ ପାଦ ଦେଲା ସେ। ଅଳ୍ପ ଦୂରରେ ଷ୍ଟେସନ। କୌଣସି ମତେ ଷ୍ଟେସନ ଏବଂ ନିଜ ସହର ଅଭିମୁଖେ ଯାଉଥିବା ଟ୍ରେନରେ ପାଦ ଥାପିଲା। ସେଇଠୁ ମେସେଜ କରିଦେଲା ସୁନନ୍ଦଙ୍କୁ।- " ତୁମ ଜୀବନରୁ ମୁଁ ଅପସରି ଯାଉଛି। ଭଲରେ ରୁହ।"
ମାନସୀ ଫେରି ଆସିଲା ନିଜ ସହରର ପ୍ରାଣପ୍ରିୟ ନୃତ୍ୟ ଅନୁଷ୍ଠାନକୁ ଏବଂ କିଛି ଦିନର ପ୍ରସ୍ତୁତି ପରେ ସୁଦୂର ଆମେରିକା ଚାଲିଗଲା ନିଜ ପ୍ରତିଭାକୁ ବିଶ୍ବସ୍ତରରେ ପରିଚିତ କରାଇବାକୁ।
ପିଲାଦିନର ସେଇ ଶାଶ୍ଵତ ସୁନ୍ଦର ହସ ପୁଣି ଥରେ ଫୁଟି ଉଠୁଥିଲା ଏବେ ମାନସୀ ର ନୃତ୍ୟରେ... ଆଖିରେ... ଓଠରେ....! ସେଇ ହସ ଧାରେ ତା'କୁ ଖୁବ୍ ମାନୁଥିଲା ବୋଲି ସାରା ଦୁନିଆରେ ଏବେ ଚର୍ଚ୍ଚିତ...!!!
