STORYMIRROR

sudarsan mahapatra

Inspirational

4  

sudarsan mahapatra

Inspirational

ଝିଅ

ଝିଅ

3 mins
368


     ମୁଁ ବୁଝି ପାରୁଥିଲି ଝିଅର ଦ୍ବିଧା।ସେ ହୁଏତ ଠିକ୍ କରି ପାରୁନଥିବ ଏବେ , ତା'ର କ'ଣ କରିବା ଉଚିତ..! ସେ ପୁଣି ମୋ କାରଣରୁ...!


   ମନେ ପଡୁଛି ମୋର ଚାରି ବର୍ଷ ତଳର କଥା। ଝିଅ ପ୍ଲସ ଟୁ ପରେ ଏମ. ବି. ବି .ଏସ୍ ପଢ଼ିବା ପାଇଁ ଲକ୍ଷ ରଖିଥିଲା। ଯଦିଓ ସେ ନିଟ୍ ପରୀକ୍ଷା ଦେଇଥିଲା, ମାତ୍ର କୃତକାର୍ଯ୍ୟ ହୋଇପାରି ନଥିଲା ପ୍ରଥମ ଥର। ତା' ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣ ସଫଳତା ପାଇ ଥିବାରୁ ମୁଁ ତା' ଉପରେ ବିରକ୍ତି ପ୍ରକାଶ କରିଥିଲି। ପରେ ଜାଣିଲି ସେଇ ସାଙ୍ଗମାନେ ପ୍ଲସ ଟୁ ପଢିବା ସମୟରେ ହିଁ ମେଡିକାଲ ପାଇଁ କୋଚିଂ ନେଉଥିଲେ। 


    ସେଥିପାଇଁ ଆଉ ଗୋଟିଏ ବର୍ଷ ପ୍ରସ୍ତୁତି କରିବାକୁ ସେ ଇଛା ପ୍ରକାଶ କରିଥିଲା। ତାକୁ କୋଚିଂ ସେଣ୍ଟରରେ ଦାଖଲ ବି କରାଇଥିଲି। ହେଲେ ଦୁର୍ଭାଗ୍ୟବଶତଃ ପରୀକ୍ଷା ପୂର୍ବଦିନ ତା'ର ଦେଖ ଖରାପ ହେଲା। ପ୍ରବଳ ବାନ୍ତି ସାଙ୍ଗକୁ ପେଟ ସମସ୍ୟା। ସେ ସେଇ ବର୍ଷ ମାତ୍ର ଦୁଇ ନମ୍ବର ପଛରେ ରହି ସରକାରୀ ମେଡିକାଲ କଲେଜରେ ପଢିବାରୁ ବଞ୍ଚିତ ହେଲା। ମୁଁ ଭୀଷଣ ଅଶାନ୍ତି ହେଲି। ତାକୁ ଆଉଥରେ ନିଟ୍ ପାଇଁ ପ୍ରସ୍ତୁତି ପାଇଁ ଅନୁମତି ଦେଲି ନାହିଁ।ପାରୁପର୍ଯ୍ୟନ୍ତ ସେ ମୋତେ ବୁଝାଇବାକୁ ଚେଷ୍ଟା କରିଥିଲା। ତା'ର ଅସୁବିଧା କେଉଁଠି ହେଲା କହି,ମୋ ମନରେ ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରିଥିଲା।ଶେଷରେ ବହୁତ ମନଦୁଃଖରେ ନୀରବ ରହିଲା। 


   ବି ଏସ ସି ରେ ନାଁ ଲେଖାଇବାକୁ ମୁଁ ଜୋର ଦେଲି। କାରଣ ପଢିବା ପାଇଁ ଟଙ୍କା କମ୍ ଖର୍ଚ୍ଚ ହେବ। ହେଲେ ସେ ବି.ଫାର୍ମ ପଢ଼ିଲେ ଶୀଘ୍ର ରୋଜଗାର କ୍ଷମ ହେବ ଏବଂ ଭବିଷ୍ୟତ ଭଲ ହେବ ବୋଲି ମୋତେ ଆଶ୍ଵାସନା ଦେଲା।ତଥାପି ଅଶାନ୍ତିର ସହ ତାକୁ "ଯାହା ଇଚ୍ଛା ତା କର" ବୋଲି ରାଗରେ କହିଥିଲି।


   ବି. ଫାର୍ମ ରେ ଇନଷ୍ଟିଚ୍ୟୁଟରେ ସବୁଠୁ ଭଲ ନମ୍ବର ରଖି ଗୋଲ୍ଡ ମେଡାଲ ହାସଲ କରିଲା ଝିଅ। ସତ କହିବାକୁ ଗଲେ ମୁଁ ଅବାକ୍ ହୋଇଗଲି, ତା'ର ଏ ସଫଳତାରେ। ଏବେ ନିଜର କୃତକର୍ମ ପାଇଁ ପସ୍ତେଇବାକୁ ମୁଁ ବାଧ୍ୟ ହେଲି। ଭାବୁଥିଲି ଯଦି ଆଉ ଗୋଟିଏ ସୁଯୋଗ ତାକୁ ଦେଇଥାନ୍ତି, ତା' ଉପରେ ବିଶ୍ବାସ ରଖିଥାନ୍ତି, ସେ ହୁଏତ ଡାକ୍ତରଟିଏ ହୋଇ ବାହାରି ପାରିଥାନ୍ତା।


     ପାଠ ପଢା ଠିକ୍ ସରିଲା ବେଳକୁ ଦିନେ ମୋତେ କାଗଜ ଟିଏ ଧରେଇ ଚମତ୍କୃତ କରିଦେଲା ସେ। " ସ୍ବାତୀ ମିଶ୍ର" ନାଁ ଉପରେ ମୋର ପ୍ରଥମେ ନଜର ପଡିଲା। ଆପଏଣ୍ଟମେଣ୍ଟ ଲେଟର...!! ହିମାଚଳ ପ୍ରଦେଶର ଗୋଟିଏ ମଲ୍ଟି ନେସନାଲ କମ୍ପାନୀରେ ଯୋଗ ଦେବ ମୋ ଝିଅ। ମୁଁ ଖୁସିରେ ଉତଫୁଲ୍ଲିତ ହୋଇ ପଡିଥିଲି। ତା'ରି କଥା ଅନୁସାରେ ପାଠ ପଢା ସରୁ ସରୁ ଚାକିରି ଟିଏ ହାତେଇ ନେଇଛି। ସେ ରୋଜଗାରକ୍ଷମ ହୋଇଛି।


   ସ୍ବାତୀ କିନ୍ତୁ ସେମିତି କିଛି ଖାସ୍ ଖୁସି ହେବାର ପ୍ରତିକ୍ରିୟା ଦେଖଉ ନଥିଲା। 


-" ମୁଁ ଏମ୍.ଫାର୍ମ କରିବାକୁ ଚାହୁଁଥିଲି। ଥରେ ଚାକିରୀରେ ଯୋଗ ଦେଲେ ଆଉ କିଛି ପଢ଼ିବା ଅସମ୍ଭବ ହୋଇ ପଡିବ।" ଧୀର ସ୍ବରରେ କହିଲା ଝିଅ।


-" ସେ ଦେଖାଯିବ। ଏତେ ଭଲ ଚାକିରୀ ମିଳିଛି। ହାତଛଡ଼ା କରିବା ଅନୁଚିତ୍। ତୋର ତ ଏଣ୍ଟ୍ରାନ୍ସ ରେଜେଲ୍ଟ ବାହାରି ନାହିଁ। ମୋ ମତରେ ଜଏନ୍ କରାଯିବା ଭଲ।" ମୁଁ ତାକୁ ବୁଝାଇବାକୁ ଚେଷ୍ଟା କରିଥିଲି।


   ହେଲେ କାଲି ତା'ର ରେଜେଲ୍ଟ ବାହାରିଲା। ଏନ୍.ଟି.ଏ ର ସ୍କୋର କାର୍ଡ ମୋତେ ପଠାଇଥିଲା ସ୍ବାତୀ। ମୁଁ ଖୁସିରେ ଆତ୍ମହରା ହୋଇ ଉଠିଲି।ତାଙ୍କ ଇନଷ୍ଟିଚ୍ୟୁଟର ତିନି ଜଣ କ୍ବାଲିଫାୟରଙ୍କ ଭିତରେ ଝିଅ ର ନାଁ ଥିଲା। ସେ ପୁଣି ଟପ୍ ସ୍କୋରର।ସେ ନିଶ୍ଚୟ ଏମ୍.ଫାର୍ମ କରିବା ଉଚିତ, ମୁଁ ପୁରା ମାତ୍ରାରେ ପ୍ରଭାବିତ ଏବଂ ପ୍ରସ୍ତୁତ ହୋଇ ସାରିଥିଲି। ତା'ର ଇଛା ପୂରଣ ହେବା ଉଚିତ।


-" କେବେ ହିମାଚଳରୁ ଫେରିବାକୁ ଠିକ୍ କରିଛୁ?" ଫୋନ୍ କରି ପଚାରିଲି।


-" ଏ ଯାଏଁ ଭାବିନି।" କିଛି କ୍ଷଣ ନୀରବ ରହି ଉତ୍ତର ଦେଲା ଝିଅ।


-" ଭଲରେ ଅଛୁ ତ ? " 


ମୋର ଗତାନୁଗତିକ ପ୍ରଶ୍ନର ଉତ୍ତର କେବଳ " ହଁ" ରେ ଦେଇ ଫୋନ୍ କାଟିଲା ସେ। ମୋତେ ଭଲ ଲାଗିଲା ନାହିଁ।


-" ମୁଁ ଭାବୁଛି ତୁ ପାଠପଢ଼ା ଜାରି ରଖିଲେ ଭଲ ହେବ।" ସେଦିନ ରାତିରେ ମୁଁ ପୁଣି ଫୋନ୍ କରି କହିଲି।


-" ହେଲେ ଚାକିରି ହାତରୁ ଚାଲିଯିବ ଯେ।" ସଂକ୍ଷେପରେ ଉତ୍ତର ଦେଲା ସ୍ବାତୀ।


-" ମା , ଥରେ ତୋ ଉପରେ ବିଶ୍ୱାସ ନକରି ମୁଁ ମନସ୍ତାପ ରେ ଅଛି। ମୋର ତୋ ଉପରେ ବହୁତ ବିଶ୍ବାସ ଅଛି। ଏମିତି କେତେ ଚାକିରି, ତୁ ଯେବେ ଚାହିଁବୁ କରି ପାରିବୁ।ତୁ ଏବେ ଏମ୍.ଫାର୍ମ କରିବା ଠିକ୍ ହେବ।"


-" ହେଲେ ବାପା, ଅସୁବିଧା ଟେ ଅଛି। ମୁଁ ସିନା ଷ୍ଟାଇପେଣ୍ଡ ପାଇବି, ହେଲେ ବାହାରେ ରହି ପଢିଲେ ତୁମକୁ ମୋ ପାଇଁ ଆଉ କିଛି ଦିନ ହଇରାଣ ହେବାକୁ ପଡିବ...। ସେଥିପାଇଁ ମୋର ଇଚ୍ଛା ନାହିଁ ଚାକିରି ଛାଡିବାକୁ ।"


-"ମୁଁ ତୋତେ ଆଶ୍ଵାସନା ଦେଉଛି ମା'। ପଇସା କଥା ଚିନ୍ତା କରିବା ତୋର ଦରକାର ନାହିଁ। ଭଗବାନ ଆମକୁ ଭଲରେ ରଖିବେ ବୋଲି ମୋର ବିଶ୍ବାସ ଅଛି।" ଝିଅକୁ ବୁଝାଇବାକୁ ଚେଷ୍ଟା କଲି। ସେ ତଥାପି ଚୁପ୍ ରହିଲା। ମନହେଲା ଝିଅର ଅଭିମାନ, ତା' ବଦରାଗୀ ବାପାଙ୍କ ଉପରେ ସରିନି।


    " ଅପେକ୍ଷା କରୁଛି ମା ତୋ ଉତ୍ତର କୁ..। ଅପେକ୍ଷା କରୁଛି ତୋର ଆସିବା ବାଟକୁ..ଏଇଥରକ ତୁ ତୋ ବାପାଙ୍କ କଥା ମାନିନେ" ହ୍ବାଟସ୍ଆପ ରେ ମେସେଜ ପଠାଇ ତା' ମଙ୍ଗଳ କାମନା କରି ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲି....!!!


Rate this content
Log in

Similar oriya story from Inspirational