Kanan Bala Nayak

Classics

4.9  

Kanan Bala Nayak

Classics

~~~ରଙ୍ଗ~~~

~~~ରଙ୍ଗ~~~

8 mins
179


   ଦୀର୍ଘ ଚାଳିଶ ବର୍ଷ ପରେ ଯେ ରମାକାନ୍ତ ଙ୍କୁ ଏମିତି ଅଚେତ ଅବସ୍ଥାରେ ହସ୍ପିଟାଲ ବାରଣ୍ଡାରେ ପଡିଥିବାର ଦେଖିବେ ଏ କଥା ସ୍ବପ୍ନ ରେ ସୁଦ୍ଧା କଳ୍ପନା କରି ନଥିଲେ ସରସ୍ଵତୀ ଦିଦି. ହସ୍ପିଟାଲ ବାରଣ୍ଡାର ଗୋଟେ କୋଣରେ ଅସହାୟ ଭାବରେ ପଡି ରହିଥିବା ରୋଗୀଟିକୁ ଦେଖି, ସରସ୍ଵତୀ ଦିଦି ତାକୁ ଉଠାଇ ବସାଇବା ର ଚେଷ୍ଟା କରନ୍ତେ ତା ମୁହଁକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ . ଲୋକ ଟିକୁ ଦେଖି ଘୃଣା ଓ ରାଗରେ ତାଙ୍କ ଶରୀର କମ୍ପି ଉଠିଲା. ଯିଏ ନିଜର ସ୍ବାର୍ଥ ପାଇଁ ତାଙ୍କ ଜୀବନ କୁ ନେଇ ଏତେ ବଡ଼ ଖେଳ ଖେଳିଲା ତାକୁ ବା ସେ ଭୁଲିବେ କେମିତି? କେମିତି ଭୁଲି ବେ ସେ ଦେଇ ଥିବା ଧୋକା କୁ. କେମିତି ଭୁଲି ଯିବେ ଭଲ ପାଇବା ର ଦ୍ଵାହି ଦେଇ ତାଙ୍କ ସହିତ କରିଥିବା ଛଳନା କୁ. କେମିତି ଭୁଲିବେ ନିଜ ର ଫାଇଦା ପାଇଁ ତାଙ୍କ ସହ କରିଥିବା ବିଶ୍ୱାସ ଘାତକତା କୁ.


    ଦୀର୍ଘ ଚାଳିଶ ବର୍ଷ ତଳେ ରମାକାନ୍ତ ଙ୍କର କଟୁ ଓ କର୍କଶ ଶବ୍ଦ ତାଙ୍କ ଛାତି ଭିତରେ ଯେଉଁ କ୍ଷତ ସୃଷ୍ଟି କରିଥିଲା ତାହା ଆଜିବି ଶୁଖି ନାହିଁ. କି ସେ ବଞ୍ଚିଥିଲା ଭିତରେ ଶୁଖିବ ନାହିଁ. ଶରୀର ଉପରେ ଯେଉଁ କ୍ଷତ ସୃଷ୍ଟି ହୋଇଥାଏ ତାହା ସିନା ଔଷଧ ଇଞ୍ଜେକ୍ସନ ରେ ଶୁଖିଯାଏ କିନ୍ତୁ ମନ ଭିତରେ ସୃଷ୍ଟି ହୋଇଥିବା କ୍ଷତ କଣ ସହଜରେ ଶୁଖେ. କିଛି କ୍ଷତ ଉପରୁ ଶୁଖି ଗଲେ ବି ଭିତରେ କଞ୍ଚା ଥାଏ. ସରସ୍ବତୀ ଦିଦି ଙ୍କ କ୍ଷତ ଟା ଠିକ୍ ସେମିତି. ଉପରୁ ଶୁଖି ଯାଇଛି କିନ୍ତୁ ଭିତରୁ କଞ୍ଚା ଅଛି. ଚାଳିଶ ବର୍ଷ ତଳେ ଅଗ୍ନି କୁ ସାକ୍ଷୀ ରଖି ବୈଦିକ ରୀତିରେ ରମାକାନ୍ତ ଙ୍କୁ ବିବାହ କରିଥିଲେ ସରସ୍ଵତୀ . ସରସ୍ବତୀ ସବୁ ଗୁଣରେ ପରିପୂର୍ଣ୍ଣ ଥିଲେ ମଧ୍ୟ ତାଙ୍କ ରଙ୍ଗ କଳା ଥିବା ହେତୁ ତାଙ୍କ ବାପା ଙ୍କୁ ତାଙ୍କ ବିବାହ ପାଇଁ ପାତ୍ର ଟେ ପାଇବା ପାଇଁ ଭାରି କଷ୍ଟ ହେଉଥାଏ.


    ସେଇ ସମୟରେ ତାଙ୍କର ଜଣେ ମଉସା ତାଙ୍କ ଘରକୁ ବୁଲିବାକୁ ଆସି ଥାଆନ୍ତି. କଥା ଛଳରେ ତାଙ୍କ ବାପା ତାଙ୍କ ମଉସା ଙ୍କୁ କହିଲେ ସର ପାଇଁ ଏତେ ପ୍ରସ୍ତାବ ଆସୁଛି, ହେଲେ ତା ଶରୀର ର ରଙ୍ଗ ଦେଖି ତାକୁ କେହି ପସନ୍ଦ କରୁନାହାଁନ୍ତି. ସବୁ ନାକଚ କରି ଚାଲି ଯାଉଛନ୍ତି. ଏଣେ ଝିଅର ବୟସ ହୋଇ ଯାଉଛି. କଣ କରିବି କିଛି ବୁଦ୍ଧି ବାଟ ଦିଶୁନି. ମୋ ଝିଅ କଣ ଏମିତି ଅବିବାହିତା ରହିଯିବ? ଈଶ୍ବର କଣ ତା ଭାଗ୍ୟ ରେ ବର ଟେ ଲେଖି ନାହାଁନ୍ତି? ତାଙ୍କ ବାପା ଙ୍କ କଥା ଶୁଣି ତାଙ୍କ ମଉସା କହିଲେ ଭଗବାନ ଝିଅ ଟେ ଦେଇଛନ୍ତି ମାନେ, ତା ପାଇଁ ପୁଅଟେ ମଧ୍ୟ ସୃଷ୍ଟି କରିଥିବେ. ତୁମେ ମୋତେ ଟିକେ ସମୟ ଦିଅ. ମୁଁ ଟିକେ ଚାରିଆଡ଼େ ଦୃଷ୍ଟି ପକାଏ.


    କିଛି ଦିନ ପରେ ତାଙ୍କ ମଉସା ପୁଣିଥରେ ଆସିଲେ. ସେ ତାଙ୍କ ବାପାଙ୍କୁ କହିଲେ ସର ପାଇଁ ଭଲ ପ୍ରସ୍ତାବ ଟେ ମିଳିଛି. ସେଇ ଖବର ଟା ନେଇ ଆସିଛି. ଆମ ଗାଁ ଦିନବନ୍ଧୁ କୁ ତ ତୁମେ ଜାଣିଛ. ତାର ଦୁଇ ପୁଅ. ତା ବଡ଼ ପୁଅ ରମାକାନ୍ତ. ଭାରି ଶାନ୍ତଶିଷ୍ଟ ସ୍ବଭାବର . ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର. ପାଠ ମଧ୍ୟ ଭଲ ପଢୁଛି. ତାର ଇଚ୍ଛା ସେ ବହୁତ ପାଠ ପଢ଼ିବ ଆଉ ବଡ଼ ଚାକିରୀ ଟିଏ କରିବ. ଦିନବନ୍ଧୁ ର ଆର୍ଥିକ ସ୍ଥିତି ଭାରି ଖରାପ. ତେଣୁ ସେ ପୁଅଟିକୁ ପାଠ ପଢ଼ା ଖର୍ଚ୍ଚ ଦେଇ ପାରୁନି. ତାକୁ ଆମ ସର କଥା କହିବାରୁ କହିଲା, ଝିଅ ଘର ଯଦି ମୋ ପୁଅ ର ପାଠ ପଢ଼ା ଖର୍ଚ୍ଚ ତୁଲାଇବେ ତେବେ ମୋର ଏ ପ୍ରସ୍ତାବ ରେ କିଛି ଆପତ୍ତି ନାହିଁ. ତୁମେ ଯଦି ହଁ କହିବ ମୁଁ ଏ ପ୍ରସ୍ତାବ ରେ ଆଗକୁ ଆଗେଇ ବି. ସରସ୍ବତୀ ଙ୍କ ବାପା କହିଲେ ମୁଁ ରାଜି. ତୁମେ ତାଙ୍କୁ ଝିଅ କୁ କେବେ ଦେଖିବାକୁ ଆସିବେ ପଚାର. ହେଲେ ତାଙ୍କ ପୁଅ ଏତେ ସୁନ୍ଦର. ସେ କଣ ଆମ ସର କୁ ପସନ୍ଦ କରିବ?


    ସରସ୍ଵତୀ ଙ୍କ ମଉସା କହିଲେ ସେ ତ କହୁଛି ତା ବାପା ମାଆ ଯେଉଁଠି ଠିକ୍ କରିବେ ତାର କିଛି ଆପତ୍ତି ନାହିଁ. ଖାଲି ଝିଅ ଘର ତାକୁ ଆଗକୁ ପାଠ ପଢି ଚାକିରୀ କରିବା ପାଇଁ ଆର୍ଥିକ ସାହାଯ୍ୟ କରିବେ. ଆଉ ସତରେ ବି ରମାକାନ୍ତ ସରସ୍ଵତୀ ଙ୍କୁ ଦେଖିବାକୁ ଆସି ନଥିଲେ. ଖାଲି ତାଙ୍କ ବାପା ମାଆ ଓ ଅନ୍ୟ କିଛି ଗୁରୁଜନ ଯାହା ଆସିଥିଲେ. କିଛି ଦିନ ମଧ୍ୟରେ ରମାକାନ୍ତ ଙ୍କ ସହ ସରସ୍ଵତୀ ଙ୍କ ବିବାହ ସମ୍ପନ୍ନ ହୋଇଗଲା. ଦେଇଥିବା କଥା ମୁତାବକ ସରସ୍ଵତୀ ଙ୍କ ବାପା ରମାକାନ୍ତ ଙ୍କ ପାଠ ପଢ଼ିବାର ସମସ୍ତ ଖର୍ଚ୍ଚ ବହନ କଲେ. ସରସ୍ବତୀ ମଧ୍ୟ ନିଜ ର ଆଚାର ବ୍ୟବହାର ରେ ସମସ୍ତ ଙ୍କୁ ଆପଣାର କରିବା ର ଚେଷ୍ଟା କଲେ. ଏ ମଧ୍ୟରେ ଦୁଇ ବର୍ଷ ବିତି ଗଲା. ରମାକାନ୍ତ ପାଠ ପଢ଼ା ସାରି ଓଡ଼ିଶା ସରକାର ଙ୍କ ଅଧୀନ ରେ ବଡ଼ ଚାକିରୀ ଟିଏ ପାଇଁ ପରୀକ୍ଷା ଦେଇ ସଫଳତା ର ସହ ଉତ୍ତୀର୍ଣ୍ଣ ହେଲେ. 


    ଯେଉଁ ଦିନ ରେଜଲ୍ଟ ବାହାରିଲା ରମାକାନ୍ତ ସରସ୍ଵତୀ ଙ୍କୁ କହିଲେ,ସର ଏସବୁ କେବଳ ତୁମ ପାଇଁ ସମ୍ଭବ ହୋଇଛି. ତୁମ ବାପା ଙ୍କ ଆର୍ଥିକ ସାହାଯ୍ୟ ଓ ତୁମ ‌ ପ୍ରାର୍ଥନା ଯୋଗୁଁ ମୁଁ ଆଜି ଏଇ ସଫଳତା ପାଇଛି. ସର ମୁଁ ତୁମ ରଙ୍ଗ କୁ ନୁହଁ ତୁମ ହୃଦୟ କୁ ଭଲପାଏ.‌ ମୋର ପାଠ ପଢିବା ରୁ ଧ୍ୟାନ ହଟିଯିବ ବୋଲି ତୁମେ କେବେ ବି ତୁମ ପତ୍ନୀତ୍ବ ର ଅଧିକାର ଜାହିର କରିନ କି ମାଆ ହେବା ପାଇଁ ଚେଷ୍ଟା କରିନ। ହେଲେ ଏବେ ସବୁ ଠିକ୍ ହୋଇଯିବ. ମୋତେ ଆଉ ତୁମ ବାପାଙ୍କ ଠାରୁ ଆର୍ଥିକ ସାହାଯ୍ୟ ମଧ୍ୟ ନେବାକୁ ପଡିବ ନାହିଁ. କିଛି ଦିନ ପରେ ରମାକାନ୍ତ ଟ୍ରେନିଂ ନେବା ପାଇଁ ଟ୍ରେନିଂ ହଷ୍ଟେଲରେ ରହିଲେ ଓ ତାର କିଛି ଦିନ ପରେ ଅନ୍ୟ ଗୋଟିଏ ସହର ରେ ଚାକିରୀ ରେ ଯୋଗ ଦେଲେ. କିଛି ଦିନ ପର୍ଯ୍ୟନ୍ତ ରମାକାନ୍ତ ନିୟମିତ ଭାବରେ ଘରକୁ ଆସୁଥିଲେ. ହେଲେ ଆସ୍ତେ ଆସ୍ତେ ତାଙ୍କର ଘରକୁ ଆସିବା କମିଗଲା. 


    ସରସ୍ଵତୀ ପଚାରିଲେ କହନ୍ତି ଅଫିସ୍ ର ଏତେ ପ୍ରେସର୍. ଘରକୁ ଆସିବା କୁ ସମୟ ମିଳୁନି. ହେଲେ ଫୋନ୍ ରେ ତ ତୁମ ଭଲ ମନ୍ଦ ବୁଝୁଛି. କିଛି ଦିନ ପରେ ଫୋନ୍ ଆସିବା ବି କମି ଗଲା. ଆଉ ପଚାରିଲେ କହନ୍ତି ମିଟିଂ ସରୁ ସରୁ ଅନେକ ଡେରି ହୋଇ ଗଲା. ଟାୟାର୍ଡ ହୋଇ ଶୋଇ ଗଲି. ତୁମେ ମୋ ଫୋନ୍ କୁ ଆଉ ଅପେକ୍ଷା କରିବ ନାହିଁ. ମୁଁ ଫ୍ରି ହେଲେ ଫୋନ୍ କରିବି. ହେଲେ ଆସ୍ତେ ଆସ୍ତେ ନାଁ ରମାକାନ୍ତ ଆସିଲେ ନାଁ ତାଙ୍କ ଫୋନ୍. ସରସ୍ଵତୀ ଙ୍କ ଶାଶୁ ତାଙ୍କୁ ‌କହିଲେ ଆଲୋ ବୋହୂ ଛଅ ମାସ ହେଲାଣି ରମା ଟା ଘରକୁ ଆସୁନି. କଣ ହୋଇଛି? ତୁମ ଦୁଇ ଜଣ ଙ୍କ ଭିତରେ କଣ ପାଟି ତୁଣ୍ଡ ହୋଇଛି କି ? ସରସ୍ଵତୀ କହିଲେ ନାଁ ମାଆ. ନୂଆ ନୂଆ ଚାକିରୀ ତ ବହୁତ କାମ. ତାଙ୍କ ଶାଶୁ କହିଲେ ଏମିତି କି କାମ ଯେ ଗୋଟେ ଦିନ ପାଇଁ ବି‌ ଘରକୁ ଆସିବା କୁ ସମୟ ପାଉନି. ସେ ଯଦି ନ ଆସି ପାରୁଛି ତୁ ଯାଆ. କିଛି ଦିନ ତା ପାଖରେ ରହି ଆସିବୁ. ପୁରୁଷ ପିଲା କେଜାଣି ତା ମନ କେତେ ବେଳେ କଣ ହେବ. ତା ଛଡ଼ା ସେ ସହରୀ ଝିଅ ଗୁଡା ପରା ସୁନ୍ଦର ଓ ରୋଜଗାରିଆ ପୁଅ କୁ ପାଲରେ ପକାଇବାରେ ଓସ୍ତାଦ. ମୁଁ ତୋ ଶଶୁରଙ୍କୁ କହୁଛି ସେ ତୋର ରମା ପାଖକୁ ଯିବା ର ବ୍ୟବସ୍ଥା କରିଦେବେ.


    ସରସ୍ବତୀ ରମାକାନ୍ତ ଙ୍କ କ୍ବାର୍ଟର ପାଖରେ ପହଞ୍ଚିଲା ବେଳକୁ କ୍ବାର୍ଟର ବାହାର ପାଖରୁ ବନ୍ଦ ଥିବାର ଦେଖିଲେ. ଏ ଛୁଟି ଦିନଟା ରେ ରମାକାନ୍ତ କୁଆଡେ ଗଲେ? କିଛି ମିଟିଂ ଥିବ ଭାବି ସେ ବାହାରେ ଅପେକ୍ଷା କଲେ. ହେଲେ ଦିନ ଯାଇ ସନ୍ଧ୍ୟା ହେଲା ପଛେ ରମାକାନ୍ତ ଫେରିଲେ ନାହିଁ. ସରସ୍ବତୀ ଭାବିଲେ ଏ ଛୁଟି ଦିନରେ ବି ଏତେ କାମ. ଏତେ ବଡ଼ ଚାକିରୀ କାମ ନହେବ କେମିତି ଯେ? ସରସ୍ଵତୀଙ୍କୁ ଏତେ ସମୟ ରମାକାନ୍ତଙ୍କ କ୍ବାଟର ଆଗରେ ବସିଥିବା ର ଦେଖି ଜଣେ ବ୍ୟକ୍ତି ଆସି କହିଲେ, ମାଡାମ୍ ଆପଣ ଏତେ ସମୟ ଧରି ଏ କ୍ବାର୍ଟର ଆଗରେ କାହାକୁ ଅପେକ୍ଷା କରିଛନ୍ତି? ସାର୍ ଙ୍କ ପାଖରେ କିଛି କାମ ଥିଲା? ସାର୍ ଲିପିକା ମାଡାମ ଙ୍କୁ ନେଇ ବାହାରକୁ ଯାଇଛନ୍ତି. ଫେରୁ ଫେରୁ ରାତି ହେବ ବୋଧେ! ମୁଁ ତାଙ୍କର କେୟାର ଟେକର. ମୋ ନାଁ ସୁରେନ୍ଦ୍ର. ସରସ୍ଵତୀ କହିଲେ ଆପଣ କେଉଁ ସାର୍ ଙ୍କ କଥା କହୁଛନ୍ତି? ମୁଁ ରମାକାନ୍ତ ବାବୁ ମାନେ ରମାକାନ୍ତ ଦାସ ଙ୍କ ପାଖକୁ ଆସିଛି. ସୁରେନ୍ଦ୍ର ବାବୁ କହିଲେ ମୁଁ ମଧ୍ୟ ରମାକାନ୍ତ ଦାସ ଙ୍କ କଥା କହୁଛି. ସେ ପରା ଆମ ସାର୍.


     ସରସ୍ବତୀ କହିଲେ ଆଉ ଲିପିକା ମାଡାମ୍ କିଏ? ସୁରେନ୍ଦ୍ର ବାବୁ କହିଲେ ଲିପିକା ମାଡାମ୍ ଆମ ସାର୍ ଙ୍କ ସାଙ୍ଗ.ଆମ ସାର୍ ଙ୍କ ଭଳି ଚାକିରୀ କରିଛନ୍ତି. ଦୁଇ ଜଣ ସାଙ୍ଗ ହୋଇ ଟ୍ରେନିଂ ନେଉଥିଲେ. ଦୁଇ ଜଣ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଶୁଣା ଯାଉଛି. ପ୍ରାୟ ପ୍ରତ୍ୟେକ ଛୁଟି ରେ ଲିପିକା ମାଡାମ୍ ଏଠାକୁ ଆସନ୍ତି. ତା ପରେ ଆମ ସାର୍ ଓ ମାଡାମ୍ କୁଆଡେ ବାହାରି ଯାଆନ୍ତି. ଅନେକ ରାତିରେ ଫେରନ୍ତି. ମାଡାମ୍ ସେ ଦିନ ରାତିରେ ଏଇଠି ରହନ୍ତି ଓ ତା ପର ଦିନ ତାଙ୍କ ଚାକିରୀ ଯାଗାକୁ ଚାଲି ଯାଆନ୍ତି. ସୁରେନ୍ଦ୍ର ଠାରୁ ଏତେ କଥା ଶୁଣି ସରସ୍ଵତୀ ନିଜ କାନକୁ ବିଶ୍ୱାସ କରି ପାରୁ ନଥାନ୍ତି. ସୁରେନ୍ଦ୍ର ସରସ୍ଵତୀ ଙ୍କୁ କହିଲେ ହେଲେ ଆପଣ କିଏ? ଆପଣ କ'ଣ ସାର୍ ଙ୍କ ଗାଁ ରୁ ଆସିଛନ୍ତି. ସରସ୍ବତୀ କଣ ଉତ୍ତର ଦେବେ କିଛି ଭାବି ନ ପାରି ଖାଲି ମୁଣ୍ଡ ଟୁଙ୍ଗାରିଲେ. ସୁରେନ୍ଦ୍ର କହିଲେ କେତେ ସମୟ ଏଠି ଏକୁଟିଆ ବସିବେ? ଆପଣଙ୍କ ର ଯଦି କିଛି ଆପତ୍ତି ନଥାଏ ତେବେ ସାର୍ ଆସିବା ପର୍ଯ୍ୟନ୍ତ ଆପଣ ଆମ ଘରେ ରହି ପାରିବେ. ମୁଁ ମୋ ସ୍ତ୍ରୀ କୁ ଡାକି ଦେଉଛି. ସରସ୍ବତୀ କହିଲେ ନାଁ ମୁଁ ଏଇଠି ଠିକ୍ ଅଛି. ଆପଣ ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ. ସୁରେନ୍ଦ୍ର କହିଲେ ହଉ ଆପଣଙ୍କ ଇଚ୍ଛା.


      ସୁରେନ୍ଦ୍ର ଗଲା ପରେ ସରସ୍ଵତୀ ଗଭୀର ଚିନ୍ତା ରେ ପଡି ଗଲେ. ସତରେ କ'ଣ ରମାକାନ୍ତ ଆଉ ଜଣଙ୍କୁ ଭଲ ପାଉଛନ୍ତି? ଆଉ ତାକୁ ବିବାହ କରିବାକୁ ଚାହୁଁଛନ୍ତି? ଏମିତି ଅନେକ ପ୍ରଶ୍ନ ସରସ୍ଵତୀ ଙ୍କ ମନଟାକୁ ଅସ୍ଥିର କରି ପକାଇଲା. ଠିକ୍ ସେଇ ସମୟରେ ବାହାରେ ଗାଡ଼ି ଶବ୍ଦ ହେଲା. ସରସ୍ବତୀ ଦେଖିଲେ ଜଣେ ସୁନ୍ଦରୀ ଯୁବତୀ ର ହାତ ଧରି ରମାକାନ୍ତ ଗାଡ଼ି ରୁ ଓହ୍ଲାଉଛନ୍ତି. ସରସ୍ଵତୀ ଙ୍କୁ ହଠାତ୍ ଘର ସମ୍ମୁଖ ରେ ଦେଖି ରମାକାନ୍ତ ଭୁତ ଦେଖିବା ଭଳି ଚମକି ପଡ଼ିଲେ. କହିଲେ ତୁମେ ହଠାତ୍ ଏଠି? ମୋତେ କିଛି ଖବର ନ ଦେଇ. ତା ପରେ ଆରମ୍ଭ ହୋଇଗଲା ଯୁକ୍ତିତର୍କ. ରମାକାନ୍ତ କହିଲେ ଇଏ ଲିପିକା. ୟାଙ୍କୁ ମୁଁ ଭଲ ପାଉଛି. ମୁଁ ଖୁବ୍ ଶୀଘ୍ର ତୁମକୁ ଛାଡ ପତ୍ର ଦେଇ ୟାଙ୍କୁ ବିବାହ କରିବାକୁ ଚାହେଁ. ତୁମ ସହ ମୋର କିଛି ସମ୍ପର୍କ ରଖିବାର ନାହିଁ. ମୁଁ ଏସବୁ କେମିତି ତୁମ କୁ କହିବି ସେ କଥା‌ ଭାବୁଥିଲି? ଯାହା ହେଉ ଭଲ ହେଲା ତୁମେ ସବୁ ନିଜ ଆଖିରେ ଦେଖିନେଲ.


   ଆଉ ଶୁଣ କାଲି ଅଫିସ୍ ଖୋଲିବା ପୂର୍ବରୁ ତୁମେ ଯେମିତି ଏଠାରୁ ପଳାଅ. ତୁମର ଅସୁନ୍ଦର ଚେହେରା ନେଇ ଆଉ ଥରେ ଯେମିତି ଏଠାକୁ ନ ଆସ. ତୁମ ଭଳି ଗୋଟେ କାଳି ଅସୁନ୍ଦରୀ କୁ ମୋ ସାଙ୍ଗ ଓ ସହକର୍ମୀ ମାନଙ୍କ ଆଗରେ ମୋ ସ୍ତ୍ରୀ ବୋଲି ପରିଚିତ କରାଇଲେ ମୋ ସମ୍ମାନ ତଳେ ପଡି ଯିବନି. ତାଙ୍କ ସ୍ତ୍ରୀ ମାନେ ଏକେ କୁ ଆରେକେ ସୁନ୍ଦର. ଆଉ ତୁମେ କେବେ ନିଜ ଚେହେରା କୁ ଆଇନାରେ ଦେଖିଛ? ମୁଁ ଲିପିକା କୁ ନେଇ ଖୁବ୍ ଖୁସି ରେ ଅଛି. ଖୁବ୍ ଶୀଘ୍ର ଛାଡ ପତ୍ର କାଗଜ ତୁମ ପାଖରେ ପହଞ୍ଚି ଯିବ. ରମାକାନ୍ତ ଙ୍କ କଥା ଶୁଣି ସରସ୍ଵତୀ ଙ୍କ ଛାତି ଭିତରଟା କଣ ହୋଇଗଲା. ସେ ନିଜ କାନକୁ ବିଶ୍ୱାସ କରି ପାରିଲେ ନାହିଁ. ସତରେ ରମାକାନ୍ତ ତାଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି? ସତରେ ତାଙ୍କ ରଙ୍ଗ କଳା ବୋଲି ରମାକାନ୍ତ ତାଙ୍କୁ ଛାଡି ଆଉ ଜଣଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି? ସତରେ ତାଙ୍କୁ ସ୍ତ୍ରୀ ର ପରିଚୟ ଦେଲେ ରମାକାନ୍ତ ଙ୍କ ପଦବୀ ର ମର୍ଯ୍ୟାଦା ହାନି ହେବ? ଏ କଥାକୁ ବିଶ୍ବାସ କରି ପାରୁ ନ ଥିଲେ ସରସ୍ଵତୀ. ହେଲେ ନିଜ ଆଖିରେ ଦେଖିଲା ଓ କାନରେ ଶୁଣିବା ପରେ ବିଶ୍ୱାସ କରିବାକୁ ଇଚ୍ଛା ହେଉ ନଥିବା କଥାକୁ ବିଶ୍ବାସ କରିବା କୁ ପଡେ. 


   ତଥାପି ଛାତି ଭିତର ର କୋହ କୁ ଚାପି ରଖି ସରସ୍ଵତୀ କହିଲେ ଆଉ ଅଗ୍ନି କୁ ସାକ୍ଷୀ ରଖି ମୋତେ ଯେଉଁ ବିବାହ କରିଥିଲ? ତୁମେ ପରା କହୁଥିଲ ତୁମେ ମୋ ରଙ୍ଗ କୁ ନୁହଁ ମୋ ମନ କୁ ଭଲ ପାଅ . ରମାକାନ୍ତ କହିଲେ ସେ ସବୁ କେବଳ ମୁଁ ମୋ ଫାଇଦା ପାଇଁ କହୁଥିଲି. ତୁମ ବାପା ଙ୍କ ଟଙ୍କା ରେ ପାଠ ପଢିବି ବୋଲି ତୁମକୁ ବିବାହ କରିଥିଲି. ସେମିତି ନ କହିଥିଲେ ତୁମ ବାପା କ'ଣ ମୋ ପଛରେ ଏତେ ଟଙ୍କା ଖର୍ଚ୍ଚ କରି ଥାଆନ୍ତେ. ବିନା ସ୍ବାର୍ଥ ରେ କେବେ ତୁମ ଭଳି ଗୋଟେ କାଳି ଅସୁନ୍ଦରୀ ଝିଅକୁ ମୋ ଭଳି ସୁନ୍ଦର ଟୋକା ବିବାହ କରି ଥାଆନ୍ତା? ଏବେ ମୋର ତୁମ ସହ କିଛି ସମ୍ପର୍କ ରଖିବାର ନାହିଁ. ସେଇଥି ପାଇଁ ତ ମୁଁ ଅଫିସ କାମ ଓ ମିଟିଂ ର ବାହାନା ଦେଖାଇ ଏତେ ଦିନ ଧରି ଘରକୁ ଯାଉନି. ହେଲେ ତୁମେ ଏତିକି ମୁର୍ଖ ଯେ ମୁଁ ତୁମକୁ ଏଭଏଡ୍ କରୁଛି ବୋଲି ବି ଜାଣି ପାରୁନ.


 ରମାକାନ୍ତ ଙ୍କ କଥା ଶୁଣି ସରସ୍ଵତୀ ଏକ ମୁହାଁ ହୋଇ ତାଙ୍କ କ୍ୱାର୍ଟର ଛାଡି ଦୌଡି ପଳାଇ ଆସିଲେ. ସେଇ ଆସିଛନ୍ତି ଯେ ଆସିଛନ୍ତି. ଆଉ ତାଙ୍କ ର ଅସୁନ୍ଦର ମୁହଁ କେବେ ରମାକାନ୍ତ ଙ୍କୁ ଦେଖାଇ ନାହାଁନ୍ତି. ସରସ୍ଵତୀ ରୁ ସରସ୍ଵତୀ ଦିଦି ହୋଇ ଯାଇଛନ୍ତି. କଟକ ବଡ଼ ଡ଼ାକ୍ତରଖାନାର ହେଡ୍ ନର୍ସ. ଯେଉଁଠି ସେ ସିଦ୍ଧ କରି ଦେଇଛନ୍ତି ଚେହେରା ନୁହଁ ବ୍ୟକ୍ତି ର ଆଚାର ବ୍ୟବହାର ଓ ତାର ବ୍ୟକ୍ତିତ୍ଵ ହିଁ ତା'ର ପରିଚୟ. ଦିଦି ଏ ଲୋକ ଟି କିଏ? ତୁମେ ତାକୁ ଦେଖିବା ପର ଠାରୁ କଣ ଭାବୁଛ? ସହକର୍ମୀ ନିଶା କହିଲା. ୟା କୁ କଣ ତୁମେ ଜାଣିଛ? ସରସ୍ଵତୀ ଦିଦି କହିଲେ ନାଁରେ ମୁଁ ୟାକୁ ଚିହ୍ନିନି. ହେଲେ ୟାର ଚେହେରା ଦେଖି କିଛି କଥା ମନେ ପଡିଗଲା. 


    ତା ପରେ କହିଲେ ନିଶା ଆମେ ନର୍ସ ଚାକିରୀ କରିଛୁ. ସେବା କରିବା ଆମ ଧର୍ମ. ସେ ଚିହ୍ନା ହେଉ କି ଅଚିହ୍ନା, ଶତ୍ରୁ ହେଉ କି ମିତ୍ର. ଆଉ ନିଶାର ସହାୟତା ରେ ତାକୁ ବେଡ଼ କୁ ନେଲେ. ତାଙ୍କ ସେବା ଶୁଶ୍ରୁଷା ରୁ ରମାକାନ୍ତ ଙ୍କ ହୋସ ଫେରିଲା. ଆଖି ସାମ୍ନା ରେ ସରସ୍ଵତୀ ଙ୍କୁ ଦେଖି ତାଙ୍କ ଆଖିରୁ ଲୁହ ଝରିବାରେ ଲାଗିଲା. କହିଲେ ସର ତୁମ ପ୍ରତି କରିଥିବା ଦୋଷର ଦଣ୍ଡ ଈଶ୍ୱର ମୋତେ ଦେଇ ଦେଇଛନ୍ତି. ମୁଁ ଏବେ ବ୍ଲଡ଼ କ୍ୟାନ୍ସର ର ଶେଷ ଷ୍ଟେଜରେ. ମୋତେ କ୍ୟାନ୍ସର ହୋଇଛି ଜାଣିବା ପରେ ଲିପିକା ଓ ମୋ ପିଲା ମାନେ ମୋତେ ହସ୍ପିଟାଲ ବାରଣ୍ଡାରେ ମରିବା ପାଇଁ ଛାଡି ଯାଇଛନ୍ତି.


    ସର ମୁଁ ବୁଝି ପାରିଛି ଯେ ମଣିଷ ର ପ୍ରକୃତ ସୁନ୍ଦରତା ତା ରଙ୍ଗ ରେ ନଥାଏ. ଥାଏ ତା ମନ ରେ,ତା ହୃଦୟ ରେ,ତା ବ୍ୟକ୍ତିତ୍ଵ ରେ. ଈଶ୍ୱର ଙ୍କ ଲୀଳା କେଡେ ବିଚିତ୍ର ଦେଖ. ଯାହାକୁ ମୁଁ ଅସୁନ୍ଦରୀ କାଳି କହି ମୁହଁ ଦେଖାଇବାକୁ ମନା କରିଥଲି,ଆଜି ଜୀବନ ର ଶେଷ ସମୟ ରେ ମୁଁ ତାହାରି ପାଖରୁ ସେବା ପାଉଛି. କେଉଁ ମୁହଁ ରେ ତୁମ କୁ କ୍ଷମା ମାଗିବି ଜାଣି ପାରୁନି. ପାରିବ ଯଦି ମୋତେ କ୍ଷମା କରିଦେବ.


Rate this content
Log in

Similar oriya story from Classics