STORYMIRROR

Kanan Bala Nayak

Drama Others

5.0  

Kanan Bala Nayak

Drama Others

ରକ୍ତ ସମ୍ପର୍କ

ରକ୍ତ ସମ୍ପର୍କ

8 mins
532



 ବାପା ଯିବା ପରେ ପ୍ରଥମ ଥର ପାଇଁ ନିଜକୁ ଏତେ ଅସହାୟ ମନେ କରୁଥିଲା ମହେନ୍ଦ୍ର । ବାପା ଯିବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ରକୁ ଡାକି କହିଥିଲେ ବାପା ,ମନୁ କହିଲୁ ଏ ସଂସାରର ସବୁଠାରୁ ମୂଲ୍ୟବାନ ଜିନିଷ କେଉଁଟା? ମହେନ୍ଦ୍ର ସେତେବେଳେ ୧୩ ବର୍ଷର ପିଲା ।ନୂଆ ନୂଆ ହାଇସ୍କୁଲ ଯାଇଥାଏ । ବାପାଙ୍କ ପ୍ରଶ୍ନର କୌଣସି ସନ୍ତୋଷ ଜନକ ଉତ୍ତର ସେ ଦେଇ ପାରି ନଥିଲା । ସେଇଠୁ ବାପା ତାକୁ ବୁଝାଇ କହିଥିଲେ । ଏ ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି 'ବିଶ୍ବାସ' । 


 ବିଶ୍ବାସ ଗୋଟିଏ ପୋଲ ବା ସେତୁ ସଦୃଶ ହୋଇଥାଏ । ସେତୁ ଯେମିତି ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନ ସହିତ ଯୋଡିଥାଏ, ବିଶ୍ବାସ ସେମିତି ଗୋଟିଏ ହୃଦୟକୁ ଅନ୍ୟ ହୃଦୟ ସହିତ ଯୋଡିଥାଏ ।ବିଶ୍ବାସ ଗୋଟିଏ ଏମିତି ସେତୁ ଯାହା ଦୁଇଟି ଅଚିହ୍ନା ମଣିଷକୁ ନିଜର କରିଦିଏ । ଦୁଇଟି ଅଚିହ୍ନା ହୃଦୟକୁ ଗୋଟିଏ ସୂତ୍ରରେ ବାନ୍ଧି ଦିଏ । ଗୋଟିଏ ଆତ୍ମାକୁ ଅନ୍ୟ ଆତ୍ମା ସହିତ ଯୋଡିଥାଏ । କଥାରେ ଅଛି ପରା ଦୃଢ଼ ବିଶ୍ବାସ ଥିଲେ ଆମେ ଈଶ୍ବରଙ୍କୁ ମଧ୍ୟ ପାଇ ପାରିବା । ଆଉ ଥରେ ଯଦି କାହା ଉପରୁ ବିଶ୍ବାସ ତୁଟି ଯାଏ ଯେତେ ମୂଲ୍ୟ ଦେଲେ ମଧ୍ୟ ତାକୁ ଫେରାଇ ହୁଏନା । ହୃଦୟ ଭାଙ୍ଗି ଯାଏ,ଆଉ ଆତ୍ମାରୁ ଲୁହ ଝରେ । ତେଣୁ ତୁ ମୋତେ କଥା ଦେ ଥରେ ଯଦି ତୋତେ ଜଣେ ବିଶ୍ବାସ କଲା, ତେବେ ଯେତେ କଷ୍ଟ ହେଲେ ମଧ୍ୟ ତା ବିଶ୍ବାସକୁ ଭାଙ୍ଗିବୁ ନାହିଁ ।


 ବାପାଙ୍କୁ ଇହଧ୍ୟାମ ତ୍ଯାଗ କରିବାର ଆଜିକୁ ୩୨ ବର୍ଷ ହେଲାଣି । କିନ୍ତୁ ବାପାଙ୍କୁ ଦେଇଥିବା କଥାକୁ ଆଜିବି ଅକ୍ଷରେ ଅକ୍ଷରେ ପାଳନ କରେ ମହେନ୍ଦ୍ର ।ବାପା ଯିବାର କିଛି ଦିନ ମଧ୍ୟରେ ସବୁ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ମହେନ୍ଦ୍ର ପରିବାର କୁ କାଳେ କିଛି ଆର୍ଥିକ ସାହାଯ୍ୟ କରିବା ପାଇଁ ପଡିବ ସେଥିପାଇଁ ବିଭିନ୍ନ ବାହାନା ଦେଖାଇ ତାଙ୍କ ଠାରୁ ଧିରେ ଧିରେ ଦୂରେଇ ଯାଇଥିଲେ । ପରିବାର ଚଳାଇବା ପାଇଁ ମହେନ୍ଦ୍ରର ମାଆ, ଗାଁ ର ଛୋଟ ଛୋଟ ପିଲାମାନଙ୍କୁ ଟ୍ୟୁସନ କରିବା ସହ କିଛିଟା ସିଲେଇ କାମ ମଧ୍ୟ କରୁଥିଲେ ।ସେଥିରୁ ଯାହା ଆୟ ହେଉଥିଲା ସେଥିରେ ପରିବାରର ନିତିଦିନିଆ ଖର୍ଚ୍ଚ ମେଣ୍ଟାଇବା କଷ୍ଟ ହୋଇ ପଡୁଥିଲା । ତା ସହ ମହେନ୍ଦ୍ର ଓ ତା ଭଉଣୀର ପାଠ ପଢିବା ଖର୍ଚ୍ଚ । 


 ଏଇ ସମୟରେ ମହେନ୍ଦ୍ରର ସହପାଠୀ ଅମର ଦେବଦୂତ ସାଜି ତା ଜୀବନରେ ପ୍ରବେଶ କରିଥିଲା । ଆଉ ପ୍ରତ୍ୟେକଟି ବିପଦ ଆପଦରେ ତାକୁ ସାହାଯ୍ୟର ହାତ ବଢାଇ ଦେଉଥିଲା । ମହେନ୍ଦ୍ରର ସ୍କୁଲ ତାଙ୍କ ଘର ଠାରୁ ଅନେକ ଦୂର ଥିଲା । ଘରର ଖରାପ ଆର୍ଥିକ ପରିସ୍ଥିତି ଯୋଗୁଁ ତା ମାଆ ତା ପାଇଁ ଅନେକ ସମୟରେ ପାଠ ପଢା ବହି ଖାତା ତ କିଣି ପାରୁ ନଥିଲେ, ଆଉ ସାଇକେଲଟିଏ କିଣି ବା ତ ଦୂରର କଥା । ମହେନ୍ଦ୍ରର ସାଙ୍ଗ ହିସାବରେ ଅମର ତା ଘରର ପରିସ୍ଥିତିକୁ ଠିକ୍ ଭାବରେ ବୁଝେ । ତେଣୁ ସବୁ ଦିନ ମହେନ୍ଦ୍ରକୁ ତା ସାଇକେଲରେ ବସାଇ ସ୍କୁଲ ନିଏ । ଆଉ ମହେନ୍ଦ୍ର ମନା କଲେ କହେ ତୋର ଏଇ ସାଙ୍ଗ ଥାଉ ଥାଉ ତୁ ଚାଲି ଚାଲି ସ୍କୁଲ ଯିବୁ ଏଇଟା କଣ ଭଲ ହେବ? ତା ଛଡ଼ା ତୁମ ଘର ତ ଆମ ସ୍କୁଲ ଯିବା ରାସ୍ତାରେ ପଡୁଛି । ବହି ଖାତା ଠାରୁ ଆରମ୍ଭ କରି ଖାଇବା ଟିଫିନ୍ ସବୁକୁ ଦୁଇ ଭାଗରେ ଭାଗ କରେ ଅମର । 


 ମହେନ୍ଦ୍ର ଓ ଅମର କ୍ରମେ ଦୁଇଟି ଶରୀର ଓ ଗୋଟିଏ ଆତ୍ମା ହୋଇ ଯାଇଥିଲେ ।ସମୟ କ୍ରମେ ଉଭୟ ବଡ଼ ହୋଇଥିଲେ । ହାଇସ୍କୁଲ ଓ କଲେଜ ପଢା ସାରି ଗୋଟିଏ ସହରରେ ଭଲ ଚାକିରି କରି ବାହା ହୋଇ ଘର ସଂସାର ମଧ୍ୟ କଲେ । ହେଲେ ତାଙ୍କ ବନ୍ଧୁତା ସେଇଭଳି ଥାଏ । ମହେନ୍ଦ୍ର ସବୁ ବେଳେ କହେ ଭାଇ ଯାହା କହ ମୁଁ ଆଜି ଯାହାବି ହୋଇଛି ସବୁ ତୋ ପାଇଁ । ନିଜର ଲୋକମାନେ ଯେତେବେଳେ ହାତ ଛାଡି ଚାଲି ଯାଇଥିଲେ, ତୁ ସେତେବେଳେ ମୋ ଅନ୍ଧାର ଜୀବନରେ ଆଲୋକ ସାଜି ଆସିଥିଲୁ । ତୁ ନଥିଲେ ମୁଁ ଆଜି ଗାଁ ରେ ପର ଘରେ କାମ କରୁ ଥାଆନ୍ତି । ଚାକିରୀ କରିବା ତ ଦୂରର କଥା । ତା ପାଇଁ ସ୍ବପ୍ନ ଦେଖିବା ମଧ୍ୟ ମୋ ପାଇଁ ଅସମ୍ଭବ ହୋଇ ଯାଇଥାଆନ୍ତା । 


 ମୋର ଆଜିବି ମନେ ଅଛି ତୁ କେମିତି ତୋ ପକେଟ୍ ମନିରୁ ଟଙ୍କା ସଞ୍ଚୟ କରି ମୋ ମେଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ପାଇଁ ଟଙ୍କା ଦେଇଥିଲୁ । ଅମୁ ମୁଁ ଆଜି ଯାହାବି ହୋଇଛି ସବୁ ତୋ ପାଇଁ । ତୋ ଋଣ ମୁଁ ସାତ ଜନ୍ମରେ ମଧ୍ୟ ଶୁଝି ପାରିବିନି ।ଅମର କହେ ତୁ ଏପରି କହି ଆମ ବନ୍ଧୁତା କୁ ଅପମାନିତ କରନା । ତୁ ଯେଉଁ ମୋର ଟିକେ ଦେହ ଖରାପ ହେଲେ ଘରକୁ ନ ଯାଇ ମୋତେ ଜଗି ବସୁ ଥିଲୁ ତାର କଣ କିଛି ମୂଲ୍ଯ ନାହିଁ । ତୋର ନିଚ୍ଛକ ଭଲପାଇବା ଆଗରେ ଦୁନିଆର ସବୁ ସମ୍ପଦ ତୁଚ୍ଛ ବୁଝିଲୁ । ଆଉ ଦିନେବି ତୁ ଏମିତି କଥା କହିବୁନି କହିଦେଉଛି । ପ୍ରକୃତ ବନ୍ଧୁ ପାଖରେ ପରା ଈଶ୍ବର ବି ହାର ମାନିଛନ୍ତି । ଏମିତି ଭାବରେ ସମୟ ଗଡିବା ସହିତ ଉଭୟଙ୍କ ବନ୍ଧୁତା ଆହୁରି ସୁଦୃଢ ହୋଇ ଥିଲା । 


 କିନ୍ତୁ ହଠାତ୍ ଏମିତି ଏକ ଘଟଣା ଘଟିଲା ଯାହା ଉଭୟଙ୍କ ବନ୍ଧୁତାରେ ଗ୍ରହଣ ଲଗାଇ ଦେଲା । କିଛି ଦିନ ହେବ ମହେନ୍ଦ୍ର ଅଫିସ ଯିବା ସମୟରେ ସହର ଉପକଣ୍ଠରେ ଥିବା ପାର୍କ ପାଖରେ ଅମରର ନବମ ଶ୍ରେଣୀରେ ପଢୁଥିବା ଝିଅ ସ୍ନେହାକୁ ଗୋଟେ ପୁଅ ସହିତ ଅତି ନିବିଡ଼ ଭାବରେ ବସି କଥା ହେବାର ଦେଖିଲା । ସ୍କୁଲ ଟାଇମ୍ ରେ ସ୍ନେହା ସ୍କୁଲ ନ ଯାଇ ଏଠି କଣ କରୁଛି?ପୁଣି ଏ ଲୋକଟି କିଏ? ବର୍ତ୍ତମାନ ଯାହା ସମୟ, ସ୍ନେହା ଆଉ କାହା ପ୍ରେମରେ ପଡି ଯାଇନି ତ? ହେଲେ ଏବେ ତ ସ୍ନେହା ଠିକ୍ ରେ ବଡ ମଧ୍ୟ ହୋଇନି କି ନିଜର ଭଲ ମନ୍ଦ ବୁଝିବାର ବୟସ ମଧ୍ୟ ହୋଇ ନି । ଏ ବୟସରେ ପିଲା ମାନେ ଭୁଲ୍ ଲୋକ ଙ୍କ ହାବୁଡରେ ପଡି ନାନା ଠକାମୀର ଶୀକାର ହେଉଛନ୍ତି । ଆଉ ନିଜ ଭବିଷ୍ୟତ ବରବାଦ କରୁଛନ୍ତି । ତା ଛଡ଼ା ଏ ଲୋକଟି ତ ସ୍ନେହା ଠାରୁ ଅନେକ ବଡ଼ ଦେଖା ଯାଉଛି । 


   ଅମର କୁ ଏ ବିଷୟରେ କିଛି କହିବା ପୁର୍ବରୁ ମହେନ୍ଦ୍ର ସେ ଲୋକଟି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିବା ପାଇଁ ଠିକ୍ କଲା । ଆଉ ଜାଣିବା ପାଇଁ ପାଇଲା ଏ ଲୋକଟି ଗୋଟେ ଠକ । ସ୍ନେହା ବୟସର ଝିଅମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଦେଇ ତା ପ୍ରେମ ଜାଲରେ ଫସାଇ ତାଙ୍କୁ ବିଦେଶ ପଠାଇବା ହେଉଛି ତା ବ୍ୟବସାୟ ।ଲୋକଟି ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରବା ପରେ ମହେନ୍ଦ୍ର ଦିନେ ଅମର ଘରକୁ ଯାଇ

ଏ ବିଷୟରେ ସବୁ କଥା କହିଲା । ଅମର ଏ କଥା ଶୁଣି ରାଗରେ ସ୍ନେହାକୁ ଡାକି ଏ ବିଷୟରେ ପଚାରିଲା । ହେଲେ ସ୍ନେହା କିଛି ମାନିବା ପରିବର୍ତ୍ତେ, କାନ୍ଦି କାନ୍ଦି କହିଲା ବାପା ତୁମର କଣ ତୁମ ରକ୍ତ ଉପରେ ବିଶ୍ୱାସ ନାହିଁ? ତୁମ ଝିଅ କଣ ଏମିତି କାମ କରି ପାରିବ? ଅଙ୍କଲ ଆଉ କାହାକୁ ଦେଖିଥିବେ ।  


 ଝିଅ ପାଖରୁ ଏ କଥା ଶୁଣି ପାଖରେ ଉପସ୍ଥିତ ଥିବା  ଅମରଙ୍କ ସ୍ତ୍ରୀ ମାନସୀ କହିଲେ ମୋ ଝିଅ କେବେ ମୋତେ ମିଛ କହି ଏ ଭଳି କାମ କରିବନି । ଆପଣ ତା ନାଁରେ ଏତେ ବଡ଼ ମିଛ କଥା କୁହନ୍ତୁନି । ଅମର ମଧ୍ୟ କହିଲା ଜୀବନର ପ୍ରଥମ ଥର ପାଇଁ ମୁଁ କାହିଁକି ତୋ କଥାକୁ ବିଶ୍ବାସ କରି ପାରୁନି । ମୋ ଝିଅ ତା ବାପା ମାଆଙ୍କୁ ମିଛ କହି ସ୍କୁଲ ନ ଯାଇ କେଉଁ ଲୋକ ସହିତ ପାର୍କ ଯାଉ ଥିବ, ସେ କଥାକୁ ମୁଁ ମଧ୍ଯ ବିଶ୍ବାସ କରି ପାରୁନି । ମାନସୀ ଅମରଙ୍କୁ କହିଲେ ତୁମ ବନ୍ଧୁଙ୍କର ନିଜର ଝିଅଟେ ନାହିଁ ତ, ସେଥିପାଇଁ ସେ ଆମ ଝିଅ ନାଁ ରେ ଏମିତି କହୁଛନ୍ତି । ଗୋଟିଏ ପୁଅର ବାପା ହେଲେ ମଧ୍ୟ ଝିଅ ମାନଙ୍କ ସମ୍ମାନକୁ କେମିତି ଜଗିବାକୁ ପଡେ ସେ କଥା ମୁଁ ଭଲ ଭାବରେ ଜାଣେ । ସ୍ନେହାକୁ ପରା ମୁଁ ନିଜ ହାତରେ କୋଳେଇ କାଖେଇ ବଡ଼ କରିଛି । ତାକୁ ପୁଣି ମୁଁ ଚିହ୍ନି ପାରିବିନି ।ସ୍ନେହା ମିଛ କହୁଛି । ତା ଛଡ଼ା ମୁଁ କଣ କିଛି ଅନୁସନ୍ଧାନ ନ କରି ସ୍ନେହା ବିରୁଦ୍ଧରେ ଏ ଭଳି କଥା କହୁଛି ବୋଲି ଭାବୁଛ । ତୁମେ କଣ ଆଜି କାଲି ସମାଜରେ ସ୍ନେହା ବୟସର ଝିଅ ମାନଙ୍କ ସହ କଣ ଘଟୁଛି କିଛି ଜାଣିନ ।


 ମହେନ୍ଦ୍ର କଥା ଶୁଣି ଅମର କହିଲା, ତା ମାନେ ତୁ କହୁଛୁ ମୋ ଝିଅ ଆମକୁ ମିଛ କହୁଛି । ଦେଖୁଛୁ କାନ୍ଦି କାନ୍ଦି କେମିତି ତା ମୁହଁ ଫୁଲି ଗଲାଣି । ସେ ଯଦି ମିଛ କହୁ ଥାଆନ୍ତା ତେବେ ଏମିତି କାନ୍ଦୁ ନ ଥାଆନ୍ତା । ମହେନ୍ଦ୍ର କହିଲା ମାଆ ସ୍ନେହା ତୁ କାନ୍ଦ ବନ୍ଦ କରି ସତ କଥା ମାନି ଯାଆ । ସ୍ନେହା କିନ୍ତୁ କିଛି ମାନିବା ପରିବର୍ତ୍ତେ ଆହୁରି ଯୋରରେ କାନ୍ଦିଲା । ଝିଅ ଆଖିର ଲୁହ ଦେଖି ଅମର ମହେନ୍ଦ୍ର କୁ କହିଲା ମୋ ଝିଅ କଣ କରୁଛି ନ କରୁଛି ସେ କଥା ମୁଁ ବୁଝିବି । ତୋର ସେ ବିଷୟରେ ମୁଣ୍ଡ ପୁରାଇବା ଦରକାର ନାହିଁ । ତୁ ମୋ ସାଙ୍ଗ ହୋଇ ମୋ ଝିଅର ଚରିତ୍ର ଉପରେ ସନ୍ଦେହ କେମିତି କରି ପାରୁଛୁ?ମୋ ଝିଅର ଚରିତ୍ର ଉପରେ କିଛି କହିବା ପୂର୍ବରୁ ତୋତେ ହଜାରେ ଥର ଚିନ୍ତା କରିବାର ଥିଲା । ମୁଁ ସବୁ ସହିବି କିନ୍ତୁ ମୋ ଝିଅର ଚରିତ୍ର ଉପରେ ଯିଏବି ଆକ୍ଷେପ କଲେ ତାହା ବରଦାସ୍ତ କରିବି ନାହିଁ । ସେ ତୁ ହ ନାଁ କାହିଁକି ।  


  ମହେନ୍ଦ୍ର କହିଲେ ତୁ କେମିତି ଭାବି ପାରୁଛୁ ମୁଁ ତୋ ଝିଅର ଚରିତ୍ର ଉପରେ ଆକ୍ଷେପ କରୁଛି ବୋଲି । ମୁଁ ଖାଲି ତାକୁ ସେ ଠକ ହାବୁଡରୁ ବଞ୍ଚାଇବାକୁ ଚାହୁଁଛି । ଅମର କହିଲା ବହୁତ କହିଲୁ ଆଉ ପଦେ ନୁହଁ । ମାନସୀ ମଧ୍ୟ କହିଲେ ଖାଲି ଆପଣ ବୋଲି ଏତେ କଥା ଶୁଣିଲି । ଆଉ କିଏ ହୋଇଥିଲେ କେତେ ବେଳୁ ବାହାରର ରାସ୍ତା ଦେଖାଇ ଦେଇ ଥାଆନ୍ତି ।ମୋ ଘରେ ଠିଆ ହୋଇ ମୋ ଝିଅ ନାଁ ରେ କହୁଛୁ । ବାହାରି ଯାଆ କହୁଛି ମୋ ଘରୁ ଓ ମୋ ଜୀବନରୁ । ବହୁତ ହେଲା ଏ ବନ୍ଧୁତା ।


 ସ୍ନେହାକୁ ଠକ କବଳରୁ ମୁକ୍ତ କରିବାକୁ ଯାଇ ମହେନ୍ଦ୍ର ଯେ ଅମର ପାଖରୁ ଏମିତି କଥା ଶୁଣିବ, ଏ କଥା ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା । ଅମର ତା କଥାକୁ ବିଶ୍ବାସ ନ କରି ତା ଜୀବନରୁ ଦୂରେଇ ଯିବା କୁ କହିବ ଏ କଥାକୁ ସହଜରେ ଗ୍ରହଣ କରି ପାରୁ ନଥିଲା ମହେନ୍ଦ୍ର । ତାକୁ ଏମିତି କହିବା ଆଗରୁ ଅମର ତ ଏ ବିଷୟରେ ସ୍ନେହା ର ସ୍କୁଲରୁ ଓ ତା ସାଙ୍ଗ ମାନଙ୍କ ଠାରୁ କିଛି ବୁଝିବାକୁ ଚେଷ୍ଟା କରି ଥାଆନ୍ତା ।ମହେନ୍ଦ୍ର ଭାବୁଥିଲା ସତରେ କଣ ରକ୍ତର ନାଲି ରଙ୍ଗ ଆଗରେ ବିଶ୍ବାସର ବତିଶ ବର୍ଷର ସମ୍ପର୍କଟା ମୂଲ୍ୟହୀନ । ସତରେ କଣ ବାପା କହିଥିବା କଥାର କିଛି ମୂଲ୍ଯ ନାହିଁ ଏ ସମୟରେ । 


 ଯେଉଁ ଅମର ବତିଶ ବର୍ଷ ଧରି ତାର ସବୁ ଦୁଃଖ ସୁଖରେ ଠିଆ ହୋଇ ତାକୁ ନୂଆ ଜୀବନଟେ ଦେଇଥିଲା, ସେ ପୁଣି ତାକୁ ଅବିଶ୍ବାସ କଲା । ତା ଝିଅ ନାଁ ରେ ମିଛ କହୁଛି ବୋଲି କହି ପାରିଲା । ଏମିତି ଭାବି ଭାବି ଅନେକ ରାତି ମହେନ୍ଦ୍ରକୁ ନିଦ ହେଲାନି । ବଞ୍ଚିବା ପାଇଁ ନୂଆ ରାସ୍ତା ଦେଖାଇ ଥିବା ଲୋକଟା ଯଦି ବଞ୍ଚି ଥାଉ ଥାଉ ଦୂରେଇ ଯାଏ ତେବେ ଜୀବନ ମରଣ ସହ ସମାନ ହୋଇଯାଏ । ଯାହା ଘଟି ଥିଲା ମହେନ୍ଦ୍ର ସହିତ । ମହେନ୍ଦ୍ର ବଞ୍ଚିଥିଲା ସିନା ହେଲେ ତା ଶରୀରରେ ଆତ୍ମା ନଥିଲା । ସେ ସବୁ ବେଳେ ଅମରକୁ ଅପେକ୍ଷା କରୁଥିଲା । କେତେବେଳେ ଅମର ଆସିବ ଆଉ କହିବ ବହୁତ ହେଲା ଏ ରାଗ ଋଷା । ଚାଲ୍ ନଦୀ କୂଳ ଆଡେ ଟିକେ ବୁଲି ଆସିବା । ହେଲେ ପନ୍ଦର ଦିନ ଗଲା ପଛେ ଅମର ଆସିଲାନି । 


 ଏଣେ ମହେନ୍ଦ୍ର ସ୍ନେହା କୁ ପ୍ରତ୍ୟେକ ଦିନ ସେ ଠକ ବ୍ୟକ୍ତିର ନିକଟତର ହେବା ଦେଖିଲା । ମହେନ୍ଦ୍ର ଭାବିଲା ଅମର ପଛେ ତାକୁ ବିଶ୍ବାସ ନ କରୁ ସେ କିନ୍ତୁ ସ୍ନେହାକୁ ଯେମିତି ହେଉ ଏ ଠକ କବଳରୁ ଉଦ୍ଧାର କରିବ । ତେଣୁ ଦିନେ ଅଫିସରୁ ଛୁଟି ନେଇ ସ୍ନେହା ଓ ସେ ଠକ ବ୍ଯକ୍ତିର ସବୁ ଅନ୍ତରଙ୍ଗ ମୂହୁର୍ତ୍ତକୁ ମୋବାଇଲରେ ରେକର୍ଡିଂ କଲା ଓ ଅମର ନିକଟକୁ ପଠାଇ ଦେଲା । ଆଉ ତଳେ ଲେଖିଲା ତୁ ପଛେ ମୋତେ ତୋ ଜୀବନରୁ କାଢ଼ି ଦେ କିନ୍ତୁ ଥର ଟିଏ ପାଇଁ ଏ ଭିଡିଓ ନିହାତି ଦେଖିବୁ । ଭିଡିଓ ଦେଖି ଅମର ସବୁ ବୁଝି ଯାଇଥିଲା । ଆଉ ନିଜ ରକ୍ତକୁ ବିଶ୍ବାସ କରି ମହେନ୍ଦ୍ର ପ୍ରତି କରିଥିବା ବ୍ୟବହାର ପାଇଁ ପ୍ରାୟଶ୍ଚିତ କରୁଥିଲା ।


 ସେଦିନ ସ୍ନେହା ଘରକୁ ଫେରିବା ପରେ ତାକୁ ସେ ଭିଡିଓ ଦେଖାଇ ତାଠୁ ସବୁ ସତ କଥା ଆଦାୟ କରିବା ପରେ, ଏକା ମୁହାଁ ହୋଇ ମହେନ୍ଦ୍ର ପାଖକୁ ଦୌଡ଼ି ଥିଲା ଓ ମହେନ୍ଦ୍ରକୁ କହିଥିଲା ମୁଁ ମୋତେ କ୍ଷମା କରିଦେ ମନୁ ।ମୋ ରକ୍ତ ଆଜି ମୋତେ ଧୋକା ଦେଇଛି ମୋ ସହ ବିଶ୍ବାସ ଘାତକତା କରିଛି । ମୁଁ ଆଜି ବୁଝି ପାରିଛି ଦୃଢ ବିଶ୍ବାସ ହିଁ ହେଉଛି ସବୁ ସମ୍ପର୍କର ମୂଳ । ଆଉ ବିଶ୍ବାସ ନଥିଲେ ସବୁ ସମ୍ପର୍କ ମୂଲ୍ୟହୀନ । ଆଉ ତୋ ଭଳି ଗୋଟିଏ ପ୍ରକୃତ ବନ୍ଧୁ ହଜାରେ ରକ୍ତ ସମ୍ପର୍କ ଠୁ ମଧ୍ୟ ବଡ଼ । ମହେନ୍ଦ୍ର କହିଲା ତୁ ପରା ନିଜେ କହୁ ରାଗ ରୋଷ ନ ଥିଲେ ବନ୍ଧୁତା ଭଲ ଲାଗେନି । ଆଉ ବନ୍ଧୁତାରେ କ୍ଷମା ଭଳି ଶବ୍ଦର ଜାଗା ନାହିଁ, ପୁଣି କ୍ଷମା ମାଗୁଛୁ କଣ? ଆଉ ତାକୁ କୁଣ୍ଢାଇ ଧରିଥିଲା ।


Rate this content
Log in

Similar oriya story from Drama