ରକ୍ତ ଗୋଲାପର ଅନୁରକ୍ତି
ରକ୍ତ ଗୋଲାପର ଅନୁରକ୍ତି
ଏବେ କାହାର ସୁଗନ୍ଧ ଖୋଜୁଛ ତୁମେ?ମଲ୍ଲୀ ନା ମଧୁମାଳତୀର?
କେଉଁଠି ଖୋଜୁଛ?ବ୍ରହ୍ମପୁରରେ ନା ଭୁବନେଶ୍ୱରରେ?
ହେଲେ ତୁମେ ତ ମୋତେ ରଜନୀଗନ୍ଧା ବୋଲି କହୁଥିଲ।କହୁଥିଲ ମୁଁ କୁଆଡ଼େ ତୁମ ପାଇଁ ସ୍ଵର୍ଗର ପାରିଜାତ।ମୋ ସୁଗନ୍ଧ ତୁମକୁ ବିଭୋର କରୁଥିବା କଥା କେତେଥର ବି କହିଛ ତୁମେ ମୋତେ।
ମୋତେ କହିଥିବା କଥା କ'ଣ ଭୁଲିଯାଇଛ ତୁମେ?ମୁଁ ଶୁଣୁଛି ତୁମେ କୁଆଡ଼େ ଏବେ ନୂଆ ଫୁଲର ସୁଗନ୍ଧ ଖୋଜୁଛ!କ'ଣ ସତ?
ଭୁଲିଯାଇନି ତୁମ କୁହାକଥା।ତୁମେ ଯେଉଁ କେତୋଟି ଶଦ୍ଦ ମୋ ପାଖରେ ଥିଲାବେଳେ ଶ୍ରଦ୍ଧାରେ ମୋତେ କହିଥିଲ ମୁଁ ପରା ସେସବୁକୁ ଘୋଷି ଦେଇଥିଲି।ମଧୁର ଶଦ୍ଦ।ଘୋଷିବିନି କେମିତି କୁହ?
ତୁମକୁ ଯାହା ମାଗିଥିଲି ତୁମେ ତାହା ଦେଇଥିଲ ମତେ।ଆଉ କିଛି ନ ମାଗି ମଧ୍ୟ ମୁଁ ତୁମ ଠାରୁ ପାଇଥିଲି।ସବୁ ଆଜି ବି ମୋ ଛାତି ଭିତରେ ମୁଁ ଧରିରଖିଛି।ତୁମେ ଦେଖିବାକୁ ଇଚ୍ଛା କଲେ ମୁଁ ତୁମକୁ ଦେଖାଇପାରନ୍ତି।ହେଲେ ତୁମେ କ'ଣ ଆଉ ସେସବୁକୁ ମୋ ପାଖରୁ ଦେଖିବାକୁ ଇଚ୍ଛା କରିବ?
ସେଦିନ ତୁମକୁ ପାଇ ଭାବିଥିଲି ଯେମିତି ସାତ ସମୁଦ୍ର ଭିତରୁ ମୁଁ ମୁକ୍ତାଟିଏ ସାଉଁଟିଛି।ମୋ ଆଖିରେ ଆଖିଏ ଖୁସି ଥିଲା।ସେ ଖୁସି ହଜାଇବାକୁ ଚାହୁଁ ନ ଥିଲି ମୁଁ।ସବୁ ସମୟରେ ତାକୁ ଆଖି ଆଗରେ ଧରି ରଖିବାକୁ ଚାହୁଁଥିଲି।ମନଭରି ଦେଖିବାକୁ ଇଚ୍ଛା କରୁଥିଲି।
ଆହାଃ!କେତେ ଶାନ୍ତି ମିଳୁଥିଲା ମୋ ଆତ୍ମାକୁ ସେତେବେଳେ!ଅସୀମ ତୃପ୍ତି ମୋ ସହିତ ଥିଲା ଯାହାକୁ ମୁଁ ନିଃଶଦ୍ଦରେ ତୁମ ଆଗରେ ପ୍ରକାଶ କରି ଦେଉଥିଲି।ମୋର ସମସ୍ତ ସମୟକୁ ତୁମ ହାତରେ ସମର୍ପି ଦେଉଥିଲି।
ମୁଁ ଦେଖୁଥିଲି ସ୍ବପ୍ନ।ତୁମକୁ ତାହା ବାଢି ଦେଉଥିଲି।ତୁମେ ଦେଖୁଥିଲ ସ୍ବପ୍ନ।ମୋତେ ବାଢି ଦେଉଥିଲ।ରତି ସୁଖରେ ପୂର୍ଣ୍ଣ ହେଉଥିଲା ରାତି।ତୁମ ବାହୁର ଉଷ୍ମ ଆଲିଙ୍ଗନରେ ଶିହରିତ ଓ ପୁଲକିତ ହେଉଥିଲା ମୋ ଦେହ ଓ ମନ।
ହେଲେ ଏବେ ସବୁ ଅତୀତ।ସବୁ ଆଜି କୁଆଡ଼େ ହଜିଗଲା ପରି ହଜିଯାଇଛି।ଆଉ କେଉଁ ଫୁଲର ସୁଗନ୍ଧ ସନ୍ଧାନରେ ଏବେ ତୁମେ। ଏବେ ଅନେକ ପ୍ରଶ୍ନରେ ଭାରାକ୍ରାନ୍ତ ମୋ ହୃଦୟ।ସତରେ କ'ଣ ଏଠି ପୁରୁଷ ଜଣେ ନାରୀର ମନକଥା ବୁଝେନି,ଯଦିଓ ଦେହର ଛାଇ ହୋଇ ରହିବାକୁ ପ୍ରତିଶ୍ରୁତି ଦେଇଥାଏ ନାରୀ ଜଣେ?
କେମିତି କହିବି ଯେ ତୁମ ପାଦରେ କଣ୍ଟାଟିଏ ଫୁଟିଗଲେ ମୋ ଆଖିରୁ ନିଦ ହଜିଯାଏ ବୋଲି?ତୁମକୁ କାହିଁକି ଏତେ ନିଜର ଭାବେ, ନିଃସର୍ତ୍ତ ଭଲପାଏ କେମିତି କହିବି?
ଯିଏ ଘୃଣା କରୁଛି କରୁ,ଯିଏ ହତାଦର କରୁଛି କରୁ,ଯିଏ ଅଭିଶାପ ଦେଉଛି ଦେଉ,ତୁମ ଠାରୁ ମୁଁ ସେସବୁ ଆଶାକରେନି।ତୁମେ ମୋ ପାଇଁ କୋଟିଏ।ଭାବିପାରୁନି ତୁମ ବିନା ଏକା ଏକା ବଞ୍ଚିପାରିବି ବୋଲି।
ସୁନ୍ଦରୀ ହୁଏ କି ଅସୁନ୍ଦରୀ,ପାଠୋଇ ହୁଏ କି ଅପାଠୋଇ - ରାତି ଦିନ ଏକାକାର କରି ତୁମ ସଂସାରକୁ ଗଢିଦେବାର ସାହସ ମୋର ଅଛି।ତୁମ ସଂସାରକୁ ଯାବତୀୟ ପାପ ଠାରୁ ଦୂରେଇ ରଖିବାର ସାହସ ବି ମୋର ଅଛି।ଯଦି କେବେ ଇଚ୍ଛା କର,ତେବେ ତୁମେ ମୋର ପରୀକ୍ଷା ନେଇପାର।
ମୋତେ ଛାଡି କାହିଁକି କେଉଁଠି ଖୋଜୁଛ ତୁମେ ମଲ୍ଲୀ କି ମଧୁମାଳତୀର ସୁଗନ୍ଧ?କାହିଁକି ? ଆସ,ଫେରିଆସ ମୋ ପାଖକୁ।ମୁଁ ତା' ଠାରୁ ଅଧିକ ସୁଗନ୍ଧ ଦେବାର ପ୍ରତିଶ୍ରୁତି ତୁମକୁ ଦେଉଛି।ମୋର ସବୁ ଭୁଲ୍ ମୁଁ ମାନିନେଲି।ଏବେ ତ ମୋତ ଆପଣେଇ ନିଅ।ଏକାନ୍ତ ଅନୁରକ୍ତିରେ ବୁଝାଇଦେବି - ମୁଁ ତୁମକୁ କେତେ ଭଲପାଏ।
ବୁଝିବ ଗୋଟେ ରକ୍ତ ଗୋଲାପର ଅନୁରକ୍ତିର ଧାଡି ଏସବୁ।ଲେଖି ପଠାଇଲି।ଦେଖିବ ତା' ଭିତରେ ଅଛି, ମୁଁ ତୁମକୁ କେତେ ଭଲପାଏ।କେବେ ଭାବିବନି ମୁଁ ଭୁଲିଯାଇଛି ତୁମକୁ।କେବେ ବି ଭାବିବନି ।

