ରଜ ଝଡ
ରଜ ଝଡ
ସାମୁଦ୍ରିକ ଝଡ଼ ବା ପ୍ରାକୃତିକ ଝଡ଼ ମଣିଷର ମେରୁଦଣ୍ଡ ଭାଙ୍ଗି ଦେଲାପରେ, ସ୍ଵାମୀ ସ୍ତ୍ରୀ ପୁଣି ସଜାଡନ୍ତି ବାସସ୍ଥାନ ଓ ପାରିପାର୍ଶ୍ବିକ ଅବସ୍ଥାର ସନ୍ତୁଳନ ରକ୍ଷା ପାଇଁ ଅଣ୍ଟା ଭିଡନ୍ତି। ପଛକୁ ଥାନ୍ତି ପାରିବାର ର ଅନ୍ୟ ସଦସ୍ୟ ତଥା ପଡ଼ୋଶୀ, ଦାତବ୍ୟ ସଂଗଠନ ତଥା ସରକାରୀ ସାହାଯ୍ୟ।
ପରିବାର କହିଲେ ପ୍ରଥମେ ବାପା ଓ ମାଆ ବା ସ୍ଵାମୀ ଓ ସ୍ତ୍ରୀ, ସେମାନଙ୍କ ମନରେ ପରସ୍ପର ପ୍ରତି ଅଗାଧ ବିଶ୍ୱାସ ଓ ଭରସା। ଶୃଙ୍ଖଳିତ ଜୀବନ ଯାପନ ପାଇଁ ଦୁହେଁ ଯତ୍ନବାନ। ପରବର୍ତ୍ତୀ ପିଢ଼ି ବା ସନ୍ତାନ ପାଳନ ପାଇଁ ଦୁହିଁଙ୍କର ଅବଦାନ ଅବିସ୍ମରଣୀୟ। ପିତା ମାତାଙ୍କ ତ୍ୟାଗ, ବଳିଦାନ, ଆତ୍ମବିଶ୍ବାସ, ପରମ୍ପରା, ପ୍ରଥା ଓ ଐତିହ୍ୟ କୁ ସମ୍ମାନ ଦେବା ଉତ୍ତରୋତ୍ତର ପିଢ଼ି ଶିଖିଥାଏ।
ଅବାଟରେ ଗୋଡ ଦେବା ପୁର୍ବରୁ ପୁରୁଷ ଓ ସ୍ତ୍ରୀ ଶହେ ଥର ଭାବେ, ଡର ଥାଏ, ଭୟ ଥାଏ, ସାଂସାରିକ ସମ୍ବନ୍ଧ ଭାଙ୍ଗିଯିବାର ଡର, ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେଇଥିବାର ଡର ଘାରେ । ପୁରୁଷ ହେଉ ବା ସ୍ତ୍ରୀ , ନିଜ ଚରିତ୍ରକୁ ସବୁବେଳେ ମହନୀୟ କରି ରଖିଥାଏ, ବିଶ୍ୱାସ, ଭରସାର ସଂସାର ନାବ ଗଡିଚାଲେ ଆଗକୁ।
ବିଭୂତିବାବୁ ମଧ୍ୟ ସଂସ୍କାର ଭିତରେ ବଢାଇ ଥିଲେ ସାରା କୁ, ତ ବିବାହର ଦୁଇବର୍ଷ ପରେ କନ୍ୟା ସନ୍ତାନର ଜନନୀ ହେଲା ପରେ ସାରାର ସ୍ଵାମୀ ସହ ସବୁବେଳେ ଝଗଡ଼ାର କାରଣ ଥିଲା ସ୍ୱାମୀର ଗୋପନ ପ୍ରଣୟ, ନିଜ ଅଫିସ ର ସହକର୍ମୀ ସହ। ଝିଅ କିଛି କରିଦେବା ପୁର୍ବରୁ ସାରାକୁ ନିଜ ପାଖକୁ ନେଇଆସିଥିଲେ ବିଭୂତିବାବୁ। ଝିଅ ପୁଅ ଭିତରେ ପ୍ରଭେଦ ନରଖି ଅତି ଯତ୍ନ ରେ ବଢ଼ାଇଥିଲେ ଝିଅକୁ, ସ୍ଵାମୀ ବିପଥଗାମୀ ହେବା ସହିନପାରି ଝିଅ ଯଦି କିଛି କରିବସେ ବାପା ମାଆ ସହିବେ କିପରି, ତା ଛଡା ସାରା ମଧ୍ୟ ସୁନ୍ଦରୀ, ଶିକ୍ଷିତା ଓ ଉପାର୍ଜନକ୍ଷମ। ତା ଜୀବନରେ ବୋହିଥିବା ଝଡ଼କୁ ସେ ନିଜେ ସମାଧାନ କରିବେ ଭାବି କୋର୍ଟର ଦ୍ଵାରସ୍ଥ ହେବାକୁ ଚିନ୍ତା କଲାବେଳେ ସାରା ନିଜେ ମନାକରି ବୁଝେଇଥିଲା ବାପାଙ୍କୁ।
ଶୁଣ ବାପା କିଛି ଲାଭ ହେବନାହିଁ କୋର୍ଟ କୁ ଗଲେ କାରଣ ସୁପ୍ରିମ କୋର୍ଟ ରାୟ ଦେଇସାରିଛି ଦୁହିଁଙ୍କର ସହମତିରେ ଦୈହିକ ସମ୍ପର୍କ ଅପରାଧ ନୁହେଁ। ଦ୍ଵିତୀୟରେ ଏଇ ଏଇ କୋର୍ଟ ରାୟ ଦେଇଛି ଦେହଜୀବୀ ମାନେ ବି ଅପରାଧୀ ନୁହଁନ୍ତି। ଝିଆଠାରୁ ଏମିତି ଦୁଇଟି ପ୍ରସଙ୍ଗ ଉତ୍ତରରେ ବିଭୂତି ବବୁଙ୍କର ପାଟି ଖନି ମାରିଯାଉଥିଲା। ଖୁବ୍ ଶୀଘ୍ର ଭାରତୀୟ ପରମ୍ପରା ଲୋପ ପାଇଯିବାର ଝଡ଼ ରେ ସଂସ୍କୃତି ପରମ୍ପରା ପର୍ବ ପର୍ବାଣୀ ଓ ଐତିହ୍ୟ ଯେ ଧୂଳିସାତ ହେବ ଆଉ ପାଶ୍ଚାତ୍ୟ ସଭ୍ୟତା କୁ ସମସ୍ତେ ଆପଣେଇ ନେବାର ଝଡ଼ର ଆବେଗରେ ନଥ କରି ସୋଫାରେ ବସିପଡିଲେ ବିଭୂତି ବାବୁ l
ଆସନ୍ତା କାଲି ରଜ ,ପହିଲି ରଜ। କୃଷିଭିତ୍ତିକ ଏହି ପର୍ବରେ କନ୍ୟା ବା ଦୁହିତା ବା ନାରୀଙ୍କୁ ଧରିତ୍ରୀ ମାଆ ର ପ୍ରତୀକ ରୂପେ ସମ୍ମାନ ଦେଇ ଏ ପର୍ବର ସ୍ୱାତନ୍ତ୍ରତା କ୍ଷୁର୍ଣ୍ଣ ହେବାର ଝଡ ରେ ଦୋହଲି ନଯାଇ ମନ ଟାଣ କରି ଚଉକିରୁ ଉଠିଲେ ବିଭୂତବାବୁ କାଲି ପାଇଁ ନାତୁଣୀ ର ନୂଆ ଡ୍ରେସ ଆଣିବା ପାଇଁ l
ବାରଣ କରି ସାରା କହୁଥିଲା ତୁମେ କଷ୍ଟ କରନାହିଁ ବାପା କାଲି ଆମ ଅଫିସର୍ ସୋମେଶ, ଯିଏ ଖୁବ୍ ଶୀଘ୍ର ମୋ ଝିଆ ଆନାର ବାପା ହେବାକୁ ଯାଉଛନ୍ତି, ସେ ସବୁ ନେଇ ଆମ ଘରକୁ ଆସିବେ, ତୁମେ କେବଳ ମାଆ ସହ ଆମକୁ ଆଶୀର୍ବାଦ ଦିଅ ବାପା, ଆମ ନୂଆ ଜୀବନରେ କିଛି ଝଡ଼ ନଆସୁ। ଝିଅ କଥା ଶୁଣି ପୁଣି ଅବଶ ବିବଶ ଓ ଆବେଗ ରେ ବସିପଡିଲେ ବିଭୂତି ବାବୁ, ଆସନ୍ତା କାଲିର ଝଡକୁ ସାମ୍ନା କରିବାକୁ ଦମ୍ଭ ସାଉଁଟୁ ଥିଲେ। ସୋମେଶ ଆସିଲେ, ଆନା ପାଇଁ ଢେର୍ ସାରା ଦାମିକା ଖେଳନା ଓ ଡ୍ରେସ ଆଣିଥିଲେ।ଆନା କିନ୍ତୁ ସୋମେଶ କୋଳକୁ ନଯାଇ ପାପା ପାପା ବୋଲି ଡାକି କାନ୍ଦୁଥିଲା ଖୁବ। ତା କାନ୍ଦ ଶବ୍ଦ ପ୍ରକୃତ ବାପ ହୃଦୟରେ ବା କାନରେ ବାଜୁଥିଲା କି ନାହିଁ କେଜାଣି କିନ୍ତୁ ବିଭୂତି ବାବୁଙ୍କୁ ଅସ୍ଥିର କରୁଥିଲା। ଅବୁଝା ନାତୁଣୀକୁ ଅଜା ଆଈ ବୁଝାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ,ସାରା ସୋମେଶ ସହ ବାହାରିଯାଇଥିଲା କୋର୍ଟ ମ୍ୟାରେଜ୍ ପାଇଁ। ବିନା ପିତା ମାତାଙ୍କ ଉପସ୍ଥିତିରେ ବି ହେଇପାରିବ କୋର୍ଟ ମ୍ୟାରେଜ ବୋଲି ବୁଝିବାକୁ ବାକି ନଥିଲା ବିଭୂତି ବାବୁଙ୍କୁ।
