ରାକ୍ଷୀର କରାମତି
ରାକ୍ଷୀର କରାମତି
ଠେଲା ଗାଡି ଗଡେଇ ସାହିରୁ ସାହି ବୁଲିଲା ବେଳେ ଝିଅ, ବୋହୁ, ମାଆ, ମାଉସୀଏ ଡାକ ଛାଡୁଥାଆନ୍ତି ଏ ଠେଲା ଵାଲା, ଏ ଠେଲା ଵାଲା. କିଏ ପଚାରେ ନେଳି ଟିକିଲି ଅଛି ତ କିଏ ପଚାରେ ହଳଦିଆ ନେଲପଲିସ ଅଛି? କିଏ ମାଗେ ଧଳା ରିବନ ଅଗଷ୍ଟ ପନ୍ଦର ପାଇଁ ତ କିଏ ମାଗେ ଚୁମୁକି ଭିଭିର୍ନ୍ନ କଲର ଓ ଡିଜାଇନର ଦେଲ.ଗର୍ବରେ ଛାତି ଫୁଲେଇ ଠେଲା ଗାଡି ବାଲା ମୋହନ କହେ ସବୁ ଅଛି. ଦଉଛି ଦଉଛି. ଟିକେ ସମ୍ଭାଳ ପଡ଼. ସେପଟ କଣ ମୁଣ୍ଡରେ ଥିବା ଘରୁ ସ୍ତ୍ରୀ ଲୋକ ଡାକୁଥାଏ ଏ ଠେଲା ଗାଡି ଵାଲା ତ ସେମୁଣ୍ଡ ନାଲି ରଙ୍ଗ ଘରୁ ଟିକି ଝିଅ ଡାକୁଥାଏ ଏ ଠେଲା ବାଲା ଏଣିକି ଆସ. ଯାଉଛି ଯାଉଛି କହି ହସିଦେଇ ଯାଉଥିବା ମୋହନ କହେ ମୋ ଗାଡିରେ କଣ ନାହିଁ କହି ଇଂରାଜି ପଦେ ଝାଡ଼ିଦିଏ ହ୍ବାଟ ନଟ ଗାଡି ମୋର କହି କଣେଇ କଣେଇ ଚାହେଁ ମୋହନ.ଆଜି ସେହି ମୋହନର ମନ ଓ ହୃଦୟ ଦେଖି ପଢି ହେଉନଥିଲେ ବି ଉପରକୁ ମୁଁହଁ ଶୁଖିଯାଇଛି. କିଏ କିଛି ପଚାରିଲେ ଶୁଖିଲା ହସ ହସି ଦେଉଥିବା ମୋହନ କିନ୍ତୁ ଭିତରେ ଭିତରେ କୁହୁଳୁଛି. ସ୍ତ୍ରୀର ଏକାଜିଦ ଭଲ ଶାଢ଼ୀ ଚୁଡ଼ି ପିନ୍ଧି ଭଲ ରାକ୍ଷୀ ସହ ମିଠା ନେଇ ବାପାଘର ଯାଇ ଭାଇ ହାତରେ ରାକ୍ଷୀ ବାନ୍ଧିବ. କୋଉ ଶାଢ଼ୀ ମନକୁ ଆସୁନି, ତା ଠେଲା ଗାଡିରେ ଓହଳିଥିବା ଏତେ ରାକ୍ଷୀ ଲୋକେ ନେଇଯାଉଥିବା ବେଳେ ତାର ପସନ୍ଦ ହେଉନି. ପୁଣି ଏ ମିଠା ହେବନି ସେ ମିଠା ହେବନି,ଷ୍ଟିମ କେକ ଦରକାର. ଏସବୁ ଶୁଣି ମୁଣ୍ଡ ଟିଣ ଟିଣ ହେବା ବେଳକୁ ନୂଆ ନୂଆ କଲେଜ ଯାଉଥିବା ଝିଅ କହୁଛି ସବୁଠୁ ଦାମୀ ରାକ୍ଷୀ କିଣିବ ବାପା ମୋ ପାଇଁ. ପୁଣି ଗୋଟେ ନୁହେଁ ଦୁଇ ଚାରିଟା.ତୋର ନିଜର ତ ଭାଇ ନାହିଁ କାହାକୁ କାହିଁ ଧରମ ଭାଇ କରୁ କରୁ ପେରେମ କରିବୁ!ପୁଣି ସେଇଠୁ ନିଆଁ ଲଗେଇ ପୋଡି ହେବୁ କହିଲେ ଝିଅ ଧାନସିଝା ହାଣ୍ଡି ପରି ମୁଁହଁ କରିଛି. ମାଆ ମଧ୍ୟ ଝିଅ ପଟିଆ ହୋଇ ତାକୁ କଞ୍ଜୁସ କହିବାକୁ ପଛାଉ ନାହିଁ. ନାହିଁ ନାହିଁ ବୋଲି କାଲି ଯଦି ଝିଅ ମୁଁହଁରେ କଳା ବୋଳେ କୋଉ କୁଳର ହେବ ମୋହନ!ଏକମାତ୍ର ଝିଅ ଯିବ ପୁଣି ଝିଅକୁ ମାରିଦେଇ ଥାଇପାରେ ବୋଲି ଅପବାଦ ନାଗରା ବାଜୁଥିବ ବାପା ମୋହନ ନାମରେ.
ଏମିତି ସବୁ ଭାବନା ଓ ଦୁର୍ଭାବନା ଭିତରେ ଚଳଚଞ୍ଚଳ ହାତ ମୋହନର ଶିଥିଳ ହୋଇଆସୁଥିଲା ବେଳେ ନେତି ନାନୀ, କୁରେଇ ବୋଉ, ସୁବାସିନୀ ମାଉସୀ, ଟିକି ଅପା ଇତ୍ୟାଦିଙ୍କ ହାତ ସବୁ ନଇଁ ଆସିଥିଲା ତା ହାତ ପାଖକୁ. ସମସ୍ତେ ତା ହାତରେ ରାକ୍ଷୀ ବାନ୍ଧି କହୁଥିଲେ ହାପି ରାକ୍ଷୀ ମୋହନ ଭାଇ. ସତରେ ହୃଦୟ ଭିତରେ ଦିଲ ତାର ଗାର୍ଡେନ ଗାର୍ଡେନ ହୋଇଗଲା. ଭଉଣୀଟିଏ ନଥିବାର ଦୁଃଖ ତାର ଆଜି ଏତେ ଭଉଣୀ ପୁରଣ କରିଥିବାରୁ କାହାକୁ ନେଲପଲିସ ତ କାହାକୁ ଟିକିଲି, କାହାକୁ ଚୁମୁକି ତ କାହାକୁ ରିବନ ଫିତା ଦେଉ ଦେଉ କିଏ ତା ପାଟିରେ ମିଠା ତ କିଏ ତା ପାଟିକୁ ବଢ଼େଇ ଦେଉଥିଲା ପିଠା. ଘରେ ପହଁଚିଲା ବେଳକୁ ଏକମାତ୍ର ଶାଳକ ଢେର ସାରା ପିଠା ମିଠା ସହ ଭଉଣୀ ଓ ଭାଣିଜୀ ପାଇଁ ନେଇଆସିଥିଲା ଭଲ ଶାଢ଼ୀ, ଚୁଡ଼ି, ଡ୍ରେସ ଇତ୍ୟାଦି ସହ ଦାମୀ ରାକ୍ଷୀସବୁ.ସେଇଥିରୁ ଗୋଟେ ଦିଟା ରାକ୍ଷୀ ବାଛି ରଖି ଝିଅ ଯିବାକୁ ବାହାରୁଥିଲା ତ ମୋହନ ଝିଅକୁ ରୋକିବାରୁ ଝିଅ ବାପା ହାତରେ ଦଶରୁ ଉର୍ଦ୍ଧ ରାକ୍ଷୀ ଦେଖାଇ କହୁଥିଲା ତୁମର ଏତେ ଧରମ ଭଉଣୀ ବୋଲି ବୋଉ ତ କିଛି ଭାବିନି କି ମୁଁ ବି କିଛି ଭାବିନି. ମୁଁ ଝିଅ ବୋଲି ମତେ ସମ୍ପର୍କ ରଖିବାକୁ ଦିଆନଯିବା ପଛରେ କାରଣ କଣ ବାପା? ତୁମ ସଂସ୍କାର ଓ ମାଆର ଶିକ୍ଷା ମତେ ଅବାଟକୁ ନୁହେଁ ବରଂ ବାଟରେ ଥାଇ ସମ୍ପର୍କର ମାନେ ବୁଝିବାକୁ ଶିଖେଇଦେଇଛି. ହଉ ତୁମେ ଯଦି ନାହିଁ କରି ଆଶଙ୍କିତ ହେଉଛ ତେବେ ଥାଉ. ଦେଖିଲା ବେଳକୁ ନେତି ନାନୀ ପୁଅ ବାଇକ ଲାଗିଲା ଦୁଆରେ. ତା ପଛକୁ ପଛ ଟିକି ଅପା, ସୁବାସିନୀ ମାଉସୀଙ୍କ ପୁଅ ସବୁ ପହଁଞ୍ଚି କହୁଥିଲେ ଆମକୁ ରାକ୍ଷୀ ଆଉ କିଏ ବାନ୍ଧିବ ତୁ ନବାନ୍ଧିଲେ ଅନୁ! ତ ମୋହନ କହୁଥିଲେ ହଁ ହଁ ଅନୁ ଭଉଣୀ ନଥିବା ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ତୁ ମୋ ଝିଅ ଅନୁ ନୁଁହଁ ବରଂ ସୁଭଦ୍ରା ମାଆ.ସେଦିନ ପରଠୁ ସାହିରେ ଆଉ କେହି ଏ ଠେଲା ଗାଡି ଵାଲା ନଡାକି କିଏ ଡାକୁଥିଲା ଭାଇ ତ କିଏ ଡାକୁଥିଲା ମାମୁଁ. ଠେଲା ଗାଡି ଵାଲା ମୋହନ ଭାବୁଥିଲା ରାକ୍ଷୀର ବଡ଼ କରାମତି.
