ପୂଜାର ଫଳ
ପୂଜାର ଫଳ
ପୁଅ ବୋହୂ ଯିବାକୁ ତରତର ହେଲେଣି । କିନ୍ତୁ ଶ୍ରୀମତୀଙ୍କର ପୂଜା ସରୁନି । କେତେ ମୁଣ୍ଡିଆ ମାରୁଛନ୍ତି, ତାଙ୍କୁ ହିଁ ଜଣା । ମାରିବେନି କେମିତି ? ପୁଅ ବୋହୁ ଯେ ସାତ ଦରିଆ ପାରି ଜାପାନ ଯିବେ । ଏଠୁ ଯିବେ ଚେନ୍ନାଇ । ଚେନ୍ନାଇରୁ ଜାପାନ୍ । ପରଦେଶରେ କିଏ ସାହା ହେବ ? ସେଇ କାଳିଆକୁ ଗୁହାରୀ କରୁଥିଲେ । ହେଲେ ଗୋଟେ ଦୁଇଟା ମୁଣ୍ଡିଆ ମାରିଲେ ହୁଅନ୍ତାନି ? ହଜାରେ କି ଦି ହଜାର କେଜାଣି କେତେ ? ବିରକ୍ତ ହୋଇ ଡାକିଲେ –
: ଆରେ ବାବା ! ସେତିକି ମୁଣ୍ଡିଆ ମାର । ସେମାନେ ବାହାରିଗଲେଣି । ଡେରି ହୋଇଯିବ । ଘଣ୍ଟାଏ ପୂର୍ବରୁ ଏଆର୍ ପୋର୍ଟରେ ଚେକ୍ ଇନ୍ କରିବାର ଅଛି ।
ତରବର ହୋଇ ଛୋଟେଇ ଛୋଟେଇ ପୂଜା ଘରୁ ବାହାରି ପୁଅ ଆଉ ବୋହୂ ମୁଣ୍ଡରେ ସିନ୍ଦୂର ଚନ୍ଦନ ଲଗାଇ ଦେଲେ ।
ବୋହୂ ମାଆ ମନେ ମନେ ବିରକ୍ତ ହେଉଥାଆନ୍ତି । ଆଉ ଧୈର୍ଯ୍ୟ ନ ଥାଏ । ସେତେବେଳକୁ ଟାକ୍ସିରେ ସବୁ ସାମାନ ଗିରିଧର ବାବୁ ରଖି ସାରିଲେଣି । ଖାଲି ପୁଅ ବୋହୂ ବସିବାର ଅଛି । ଶ୍ରୀମତୀ ଯିବେନି । ଏଆରପୋର୍ଟରେ କନ୍ଦା କନ୍ଦି କରନ୍ତି ବୋଲି ପୁଅ ମନା କରିଛି । ଏତେ ଲୋକଙ୍କ ଆଗେ କନ୍ଦା କନ୍ଦି କଲେ ବଡ ଅକୱାର୍ଡ୍ ଲାଗେ । ଗିରିଧର ବାବୁ କିନ୍ତୁ ଏ ବାବଦରେ ବେଶ୍ ମଜବୁତ୍ । ମନ ଦୁଃଖ କରିବେ କାହିଁକି ? ପୁଅ ତାଙ୍କର ଜାପାନରେ ଚାକିରି କରିଛି । ଗର୍ବରେ ଛାତି ଫୁଲିଯାଏ ତାଙ୍କର । ଦରକାର ନଥିଲେ ବି କଥା କଥାରେ ପୁଅର ଦରମାଟା କହିପକାନ୍ତି ବନ୍ଧୁ ମହଲରେ । ତାଙ୍କ ହିସାବରେ ଏଠିକାର ଗୋଟେ ଅଫିସର ଦରମା ଏକା ସେ ପାଉଛି ସେଠି । ସେଇଥିପାଇଁ ତ ଏକଜିକ୍ୟୁଟିଭ୍ ଇଞ୍ଜିନିୟର୍ ରାଖାଲ୍ ରାୟ ତାଙ୍କ ଘରେ ଝିଅ ଦେଉଛନ୍ତି । ନ ହେଲେ ରାଖାଲ୍ ରାୟ କିଏ ଆଉ ଗିରିଧର ନାୟକ କିଏ ?
ପ୍ରଥମେ ପ୍ରଥେ ଏ ବୁଢା ବୁଢୀ ଦୁଇଟାକୁ ଶାଶୁ ଶ୍ୱଶୁର ମାନିବାକୁ ସ୍ମିତାକୁ ବହୁତ ଅଡୁଆ ଲାଗିଥିଲା । ହେଲେ ଆଗରୁ ମାଆ ବୁଝେଇ ଦେଇଥିଲେ । ‘କେତେଟା ଦିନ ସେଠି ତୁ ରହିବୁ – ବେଶି ହେଲେ ଆଠ/ଦଶ ଦିନ । ଟିକିଏ ମ୍ୟାନେଜ୍ କରିଦେଲେ ଗଲା । ଥରେ ଘରୁ ଗଲେ କି ଶାଶୁ କି ଶ୍ୱଶୁର । ତୁ ଭଲ ତ ତୋ ଜ୍ୱାଇଁ ଭଲ । ଜାପାନରେ ରହିବୁ । ଅଏସ୍ କରିବୁ ।’
କିନ୍ତୁ ନିଜ ପରିବାରର ଷ୍ଟାଟସ୍ ଠାରୁ କମ୍ ଷ୍ଟାଟସର ଲୋକଙ୍କୁ ରିଗାର୍ଡ୍ ଦେବାଟା ଏତେ ସହଜ ନୁହେଁ । ଯେତେ ଅଭିନୟ କଲେ ବି ସରଳା ଦେବୀଙ୍କ ପୋଖତ ଆଖିରେ ଧରା ପଡିଯାଏ । ହେଲେ କିଛି ମନେ କରନ୍ତିନି । ସାଇ ପଡିଶାରେ ବୋହୂମାନଙ୍କର ହାବଭାବ ଦେଖି ଏସବୁ ତାଙ୍କୁ ଆଉ ନୂଆ ଲାଗୁନି । ଯାହାହେଲେ ବି ବଡ ବୋହୂ । ଆଜି ସିନା ବୟସ ଅଛି । କାଲି ଅଚଳ ହେଲେ ଏଇମାନଙ୍କର ଉପରେ ନିର୍ଭର କରିବାକୁ ପଡିବ ।
ବୋହୂ ମୁଣ୍ଡିଆଟେ ମାରି ଟାକ୍ସି ଆଡେ ମୁହାଁଇଲେ । ହେଲେ ମାଆ ମନ । ପୁଅ ମୁଣ୍ଡିଆ ମାରିଲାବେଳକୁ କୁଣ୍ଢେଇ ପକେଇ କଇଁ କଇଁ ହୋଇ କାନ୍ଦି ପକାଇଲେ । ନିଜ ଲୁହକୁ ନିଜେ ପୋଛି ପୁଅ ମୁଣ୍ଡରେ ହାତ ବୁଲେଇଦେଲେ ।
: ଆରେ ଆଉ ଡେରି କରନା ।
ବାହାରୁ ପାଟି କଲେ ଗିରିଧର ବାବୁ ।
ପୁଅୁକ ବିଦାୟ ଦେଲେ ସରଳା ଦେବୀ । ଗେଟ୍ ପାଖରେ ଲୁହଭରା ଆଖିରେ ତାଙ୍କ ଟ୍ୟାକ୍ସିକୁ ଚାହିଁ ରହିଲେ । ମନେ ମନେ ଭାବୁଥାନ୍ତି, ଆଉ କେତେ ଦିନ ପରେ ଫେରିବ ???
*** *** ***
ଏଇ ଭିତରେ ଦୁଇ ବର୍ଷ ବିତିଗଲାଣି । ମଝିରେ ଥରେ ପୁଅ ଆସିଥିଲା ବାପା ବୋଉଙ୍କୁ ଦେଖିବା ପାଇଁ । କାହିଁକି କେଜାଣି ସେ ଦିନ ରାଗ ଉପରେ ଆଉ ଅଙ୍କୁଶ ଲଗେଇପାରିଲେନି ଗିରିଧର ବାବୁ । ମନ ଇଚ୍ଛା ଗାଆଁ ହଳିଆ ଭଳିଆ ଗାଳି କରି ଚାଲିଲେ ପୁଅକୁ । କାନକୁ ଶୃତିକଟୁ ହେବାରୁ ବିନୟ ବାବୁ ଗିରିଧର ବାବୁଙ୍କୁ ଚୁପ୍ କରାଇଲେ ।
: ଆରେ ପୁଅକୁ ଏମିତି ଭାବରେ କାହିଁକି ଗାଳି ଦେଉଛନ୍ତି ?
: ଆରେ ତାକୁ କହିଲି ଘରକୁ କିଛି ପଠେଇବୁ । ଉପର ମହଲା ଛାତଟା କରିବା । ହେଲେ କ’ଣ ଶୁଣିଲା ? ବାହାଘର ପରେ ମୁଣ୍ଡ ଉପରକୁ ହାତ ପାଇଗଲା । ବାଙ୍ଗାଲୋରରେ ଘର କିଣିଛି ।
: ଆରେ ଭଲ କଥା ।
: ଭଲ କଥା କ’ଣ ? ଏ ଘର କାହାର ? ଏ ଘରଟା ଦୁଇ ମହଲା କଲେ ମୁଁ କ’ଣ ସ୍ୱର୍ଗକୁ ନେଇଯିବି ? ନାଁ... ଏଇଠି ଗଲେ ଭାଇମାନେ ଭାଗ ନେଇଯିବେ ।
କ’ଣ ଉତ୍ତର ଦେବେ ବିନୟ ବାବୁ ଚିନ୍ତା କରୁଛନ୍ତି ।
: ମାଆ ତ ମୁଣ୍ଡରେ ବସେଇଛି । କାହାକୁ କ’ଣ କହିବା ?
: ଆରେ ତାଙ୍କୁ ଦୋଷ ଦେଇ ଲାଭ କ’ଣ ?
: ଆପଣ ଜାଣନ୍ତିନି ଏ ଦୁଇ ବର୍ଷ ଭିତରେ କ’ଣ ସେ ଆମକୁ ଦେଇଛି । ଆଗେ ପାଞ୍ଚ ଲକ୍ଷ ପାଉଥିଲା । ହୁଏତ ଏବେ ତାଠୁ ବେଶି ପାଉଥିବ । ଶୁଣିଲି ଜାପାନରେ ବି ଗୋଟେ ଘର ଅଲରେଡି କିଣି ସାରିଛି ।
: ସତେ ନା କ’ଣ ?
: ଆମକୁ କ’ଣ ଜଣେଇଥିଲା । ଏମିତି କାହା ସାଙ୍ଗରେ ଫୋନରେ କଥା ହେଉଥିଲା । ଆଉ କହୁ କହୁ ଏସବୁ କହିପକେଇଲା । ସେଇଟା ତା ମାଆ କାନରେ ପଡିଗଲା ।
: ଆରେ ହାତୀ ବନସ୍ତରେ ବୁଲିଲେ ବି ରାଜାଙ୍କର । ସେ ବାଙ୍ଗାଲୋରରେ କିଣୁ କି ଜାପାନରେ । ସବୁ ତ ଆପଣଙ୍କର ।
: ମୋର ନୁହେଁ, ସେଇ ତାଙ୍କର । ମୋର ହେଲେ ଅନ୍ୟ ଭାଇମାନଙ୍କର ଭାଗ ରହିଯିବ ।
ତାଙ୍କ ଘର କଥାରେ କିଛି ମତ ଦେବାକୁ ଉଚିତ ମନେ କଲେନି ବିନୟ ।
: ଏବେ ତା ମାଆ ହସ୍ପିଟାଲାଇଜଡ୍ ହୋଇଥିଲା । ଟିକିଏ ଖବର ରଖିଛି ? କେତେ ଖର୍ଚ୍ଚ ହେଲା ପଚାରିଛି ? ଗଲା ବେଳକୁ ତା’ ମାଆ କାନେ କାନେ କହିଥିଲା, ‘ଏତେ ପଇସା ପାଉଛୁ । ବାପାଙ୍କ ପାଖକୁ ପଠୋଉନୁ ।’ କ’ଣ କଲା ଜାଣିଛନ୍ତି ? ଦଶହଜାର ପଠାଇଥିଲା ।
ଚୁପ୍ କରି କହିଲେ - ତା’ ମାଆକୁ କହିଲି ତାକୁ କହିଦେବୁ ଦଶ ହଜାର ଦେବା ଦରକାର ନାହିଁ ।
: ତା’ପରେ କ’ଣ ବେଶି ପଠାଇଲା ?
: ବେଶି ?? କଙ୍କଡାକୁ ଗୋଳିପାଣି । ଆଉ ଟଙ୍କାଟେ ବି ପଠେଇଲାନି । ଆଉ ମାଆର ପ୍ରେମ ଯେ କୁହନ୍ତୁନି ।
ଦୁଇ ବନ୍ଧୁ କଥା ହେଉଥିବାବେଳେ ସରଳା ଦେବୀ ଘର ଭିତରକୁ ପଶି ଆସିଲେ । ହାତରେ ଭୋଗଥାଳି । ଯିବେ ମନ୍ଦିର । ଆଜି ପରା ତାଙ୍କ ବଡ ପୁଅର ଜନ୍ମଦିନ । ସବୁ ବର୍ଷ ଭଳି ଏଥର ମଧ୍ୟ ପୁଅର ଶୁଭକାମନା କରି ମନ୍ଦିରରେ ଦୀପ ଜଳାଇବାକୁ ।
: ହଉ ଚାଲ ଚାଲ । ବହୁତ ପାଟି କଲଣି । ଆଉ ବେଶି ଗାଳି କରନା ଆଜିକା ଦିନରେ ।
ବିନୟ ବାବୁ ଦେଖିଲେ ସବୁ ରାଗ ଭୁଲି ସ୍ତ୍ରୀଙ୍କ ସାଥିରେ ମନ୍ଦିର ଯିବାକୁ ବସିଲେ । ମନେ ମନେ ଟିକିଏ ହସି ବିଦାୟ ନେବାକୁ ଚାହିଁଲେ । ତା’ପରେ ଭାବିଲେ ମନ୍ଦିର ରାସ୍ତାରେ ସେ ବି ତ ଯିବେ । ତେଣୁ ଏକା ସାଙ୍ଗେ ଗଲେ କିଛି ବାର୍ତ୍ତାଳାପ ବି ହୋଇଯିବ ।
ବାଟରେ ଯାଉ ଯାଉ ଗିରିଧର ବାବୁ କହିଲେ।
: ଆପଣ ଜାଣନ୍ତି ? ସେଇଦିନଠୁ ଫୋନ୍ ପଦେ ବି ନାହିଁ । ବାପା ଦେହ କେମିତି ଅଛି ? ମାଆ କେମିତି ଅଛି, ଟିକିଏ ପଚାରିବାକୁ ବି ସମୟ ନାହିଁ ।
କିଛି ବାଟ ଏପରି କଥାବାର୍ତ୍ତା ହେବା ପରେ ଅନ୍ୟ ଦିଗକୁ ଚାଲିଗଲେ ବିନୟ ବାବୁ । ମନେ ମନେ ଭାବୁଥାନ୍ତି, ଏ କ’ଣ ସବୁ ଘରର କାହାଣୀ ? କେତେ ଆଉ ଶୁଣିବେ କ’ଣ ? ଏଇଟା ତା’ହେଲେ ପଇସାର ପ୍ରଭାବ ନା ନୂତନ ଯୁଗର ଇନଫ୍ଲୁଏନସ୍ । ତାଙ୍କର ପୁଅ ବି ତ ଇଞ୍ଜିନିୟରିଂ ପଢୁଛି । କାଲି ସେ ବି ଚାକିରି କରିବ । ମୁଣ୍ଡଟା ଟିକିଏ ଭାରାକ୍ରାନ୍ତ ହୋଇଗଲା ତାଙ୍କର ।
*** *** ***
ଏଇ ଭିତରେ କିଛି ଦିନ ବିତିଗଲାଣି । ବିନୟବାବୁଙ୍କର ବି ରିଟାୟାରମେଣ୍ଟ୍ ହୋଇଗଲାଣି । ଭାବିଲେ ଟିକିଏ ଗିରିଧର ବାବୁଙ୍କ ଘର ଆଡେ ବୁଲି ଆସିବେ । କିଛି ସୁଖ ଦୁଃଖ ବାଣ୍ଟିବେ । ମନଟା କିଛି ହାଲୁକା କରି ଆସିବେ । ତାଙ୍କ ଘରେ ପହଞ୍ଚି ଯାହା ଦେଖିଲେ, ଶୁଣିଲେ ମୁଣ୍ଡ ବୁଲେଇଗଲା ତାଙ୍କର ।
ପୁଅ ଶ୍ରୀତମ୍ ଗୋଟିଏ ଟିମ୍ ନେଇ ଚାଇନା ଯାଇଥିଲା । ସେଠି ସେମାନେ ଗୋଟେ ଗେଷ୍ଟ୍ ହାଉସରେ ରହୁଥିଲେ । ଦିନେ ଶ୍ରୀତମ୍ ବାଥରୁମରୁ ବାହାରିବାର ଡେରି ହେବାରୁ ବାକି ସାଥିମାନେ କବାଟ ବାଡେଇଲେ । କୌଣସି ଉତ୍ତର ନ ଆସିବାରୁ କବାଟ ଭାଙ୍ଗି ଦେଖନ୍ତି ତ ଶ୍ରୀତମ୍ ଅଚେତ ହୋଇ ପଡିଛି । ତୁରନ୍ତ ତାକୁ ହସ୍ପିଟାଲକୁ ନିଆଗଲା ।
ହସ୍ପିଟାଲରେ ଜଣା ପଡିଲା ଯେ ବ୍ରେନରେ ଦୁଇଟା ଟ୍ୟୁମର୍ । ଇମିଡିଏଟ୍ ଅପରେସନ୍ ଦରକାର ପଡିଲା । କିଛି ଅଣ୍ଡରଟେକିଙ୍ଗରେ ହସ୍ତାକ୍ଷର କରିବ କିଏ ? କେବଳ ନିଜର ଗାର୍ଡିଏନ୍ କିମ୍ବା ସ୍ପାଉସ୍ ହିଁ କରିପାରିବେ । ତେଣୁ ଜାପାନକୁ ଖବର ପଠାଗଲା । ତାଙ୍କ କମ୍ପାନୀ ତରଫରୁ ଶ୍ରୀତମର ସ୍ତ୍ରୀକୁ ଚାଇନା ଅଣାଗଲା । ଏପଟେ ସମୟ ବହୁତ କମ୍ । ଅପରେସନ୍ ସମୟ ଡେରି ହୋଇଯାଉଛି । କିନ୍ତୁ ତାଙ୍କ କମ୍ପାନୀର ତୁରନ୍ତ କାର୍ଯ୍ୟନିବାହ ଯୋଗୁ ଉପଯୁକ୍ତ ସମୟରେ ସେମାନେ ତାଙ୍କ ସ୍ତ୍ରୀଙ୍କ ଠାରୁ ହସ୍ତାକ୍ଷର ନେଇ ଅପରେସନ୍ କରାଇଲେ । ଅବସ୍ଥା ଟିକିଏ ଷ୍ଟେବୁଲ୍ ହେବାରୁ ଶ୍ରୀତମକୁ ଚାଇନାରୁ ଜାପାନ୍ ଅଣାଗଲା । ବର୍ତ୍ତମାନ ସେ ଜାପାନରେ ଟ୍ରିଟମେଣ୍ଟ୍ ହେଉଛି । ଚାଇନାରେ ପ୍ରାୟ ପଞ୍ଚାନବେ ଲକ୍ଷ ଖର୍ଚ୍ଚ ହେଲା । କିନ୍ତୁ ସବୁ କମ୍ପାନୀ ବିଅର୍ କଲା । ଏବେ ଅବସ୍ଥା ଟିକିଏ ସୁଧୁରିଲାଣି ବୋଲି ବୋହୁ ଫୋନ୍ କରି କହୁଥିଲା ।
ବହୁତ ବ୍ୟସ୍ତ ହୋଇ ଗିରିଧର ବାବୁ ଏକଥା କହିଲେ । ବିନୟ ବାବୁ ମଧ୍ୟ ନିଜକୁ ବହୁତ ଧିକ୍କାର କଲେ । ଏତେ ପାଖରେ ଥାଇ ମଧ୍ୟ ଖବରଟା ଠିକ୍ ସମୟରେ ପାଇପାରିଲେ ନାହିଁ । ଯାହା ହେଉ ଟିକିଏ ଆଶ୍ୱସ୍ତ ହେଲେ ଯେ ଶ୍ରୀତମର କଣ୍ଡିସନ୍ ଷ୍ଟେବୁଲ୍ ହୋଇ ଆସୁଛି ।
: ଆଗେ କଥାବାର୍ତ୍ତା କରୁ ନ ଥିଲା । ଏବେ ଟିକିଏ ଚିହ୍ନିଲାଣି ।
: ହଁ... ହଁ... ଆଉ କ’ଣ କହୁଥିଲେ ବୋହୁ ?
: ବୋହୁ ଏବେ ପ୍ରତି ଘଣ୍ଟାରେ ଫୋନ୍ କରି ସରଳାକୁ ଖବର ଦେଉଛି । କାଲି ଶାଶୁକୁ କହୁଥିଲା...
: କ’ଣ କହୁଥିଲା ?
: କହୁଥିଲା, ‘ବୋଉ : ଆମର ତ କିଛି କର୍ମଫଳ ନାହିଁ । ତୁମ ପାଇଁ ଯଦି ବଞ୍ଚିଛନ୍ତି କେବଳ ତୁମ ପୂଣ୍ୟ ଆଉ ପୂଜା ପାଇଁ’ ।
ଆଉ କିଛି କହିପାରିଲେନି । ବିନୟ ବାବୁଙ୍କ ହାତ ଦୁଇଟାକୁ ଚାପି ଧରିଲେ । ବିନୟ ବାବୁ ପଚାରିଲେ –
: ଭାଉଜ କୋଉଠି ?
ଠାକୁର ଘର ଆଡେ ନିରବରେ ହାତ ଦେଖାଇଦେଲେ ଗିରିଧର ।
ଭିତରକୁ ଅନାଇ ଦେଖିଲେ ସରଳା ଦେବୀ ଠାକୁରଙ୍କ ଆଗେ ଅଖଣ୍ଡ ଦୀପ ଜାଳି ଜଗି ବସିଛନ୍ତି ।