ପୁସ୍ତକ ସମୀକ୍ଷା - ୦୩
ପୁସ୍ତକ ସମୀକ୍ଷା - ୦୩




.
ଆଜି ପଢା ସରିଲା ଷ୍ଟୋରି ମିରର ର ଗୋଟେ ପ୍ରତିଯୋଗିତା ରେ ଉପହାର ସ୍ବରୂପ ପାଇଥିବା ଏହି ସୁନ୍ଦର ପୁସ୍ତକ ଟି ।
ଉମାକାନ୍ତ ରାଉତ ( ଅରୂପ ) ସାର୍ ଙ୍କ ଗଳ୍ପ ସଂକଳନ
' ଷ୍ଟାଫ୍ '
୧୫ ଟି ଗଳ୍ପ କୁ ନେଇ ଏ ସଂକଳନ ଟି ପ୍ରସ୍ତୁତ ।
ପ୍ରଚ୍ଛଦ ସଜେଇଛନ୍ତି - ଅତୁଲ ବଳ ସାର୍
ଅଳଙ୍କରଣ ଓ ଅକ୍ଷର ସଜେଇଛନ୍ତି - ମାନସ ପଢିହାରୀ ସାର୍
ଉମାକାନ୍ତ ସାର୍ ଙ୍କ ଲେଖା ଓ ମାନସ ପଢିହାରୀ ସାର୍ ଙ୍କ ଶବ୍ଦ ସଂଯୋଜନା ବହୁତ ସୁନ୍ଦର ଏଥିରେ । ଗଳ୍ପ ର ଚରିତ୍ର ପରିବେଶ ପରିସ୍ଥିତି ଖୁବ୍ ଜୀବନ୍ତ ଲାଗୁଛନ୍ତି , ଲେଖା ଗୁଡ଼ିକରେ ଯେତିକି ଆବେଗ ସେତିକି ଆକର୍ଷଣ ଭରିକି ଅଛି । ଯାହାକି ପାଠକ ପାଠିକା ଙ୍କୁ ଗପରେ ବାନ୍ଧି ରଖିବାର କ୍ଷମତା ରଖେ ।
ପ୍ରଥମ ଗଳ୍ପ - ଷ୍ଟାଫ୍ -
ପ୍ରଭୁ ରାମଚନ୍ଦ୍ର ଓ ଧିବର ଙ୍କ ନଦୀ ପାରି ଶେଷରେ ରାମଚନ୍ଦ୍ର ପାଉଣା ଦେବାକୁ ଚାହିଁବାରୁ ଧିବର ଯେମିତି ରାମଚନ୍ଦ୍ର ଙ୍କୁ କହିଥିଲା ' ମୋ ପରି ଏଇ ସମାନ ବେଉସା କରୁଥିବା ବ୍ୟକ୍ତି ଠୁ ମୁଁ କେମିତି ବା ପାଉଣା ନେଇ ପାରିବି ?
ମୁଁ ଛୋଟ ନଦୀ ପାରି କରୁଥିଲେ ଆପଣ ପରା ଭବ ସାଗର ପାରି କରୁଛନ୍ତି ?
ଏଇ କଥାକୁ ଆଧୁନିକ ତାର ଛାପ ଦେଇ ବସ୍ ଯାତ୍ରା ଭିତରେ ଜଣେ କଣ୍ଡକ୍ଟର ଆଉ ଜଣେ କଣ୍ଡକ୍ଟର ଯାତ୍ରୀ ଙ୍କ ବିଷୟବସ୍ତୁ କୁ ନେଇ ବେଶ୍ ସୁନ୍ଦର ଭାବରେ ସଜେଇଛନ୍ତି ଗାଳ୍ପିକ ।
ଗଳ୍ପ - ବୁମେରାଂ -
ଜଣେ ଅଯୋଗ୍ୟ କୁଳାଙ୍ଗାର ବାପ ପାଜୁନି ମଦ ପିଇ ବେକାର ହେଲା ପରେ ନିଜ ସ୍ତ୍ରୀ କୁ ପିଲା ଛୁଆ କୁ ବାଡେଇ ଅଶାନ୍ତି ରେ ରଖିଥାଏ ତ ନିଜେ ଅଶାନ୍ତି ସୃଷ୍ଟି କରି ସମସ୍ତ ଙ୍କୁ ଘାଣ୍ଟି ଚକଟୁଥାଏ । ଶେଷରେ ସ୍ତ୍ରୀ ପାଖରେ ଭଲ ମଣିଷ ହୋଇ ଯିବାର ବାହାନା କରି ନିଜ ଝିଅ କୁ ଦଲାଲ ହାତରେ ବିକି ଦିଏ ମଦ ପାଇଁ କେଇଟା ଟଙ୍କା ପାଇଁ ।
ଶେଷରେ ରାତି କଟେଇବାକୁ ଯେବେ ହୋଟେଲ କୁ ଯାଏ ସେଇଟି ରୁମ୍ ଭିତରେ ସାମ୍ନା ହୁଏ ନିଜ ଝିଅ ସହ ।
ଖୁବ୍ ଦରଦୀ ଗପଟେ ଏଇଟା
ଗପ - ସାର୍ ଙ୍କ ସ୍କୁଟର -
କେମିତି ଜଣେ ପୁରାତନ ଛାତ୍ର ସାର୍ ଙ୍କ ସ୍କୁଟର କୁ ତାଙ୍କ ବିନା ଅନୁମତିରେ ଗୋଟେ ନିଛାଟିଆ ଯାଗାରେ ନେଇ ରଖିଦିଏ । ଭଦ୍ରତା ଦେଖାଇ ଦୁଇଟି ସିନେମା ଟିକଟ ସହ ଗୋଟେ ଚିଠି ଛାଡିଯାଏ ଯେଉଁଥିରେ ସେ ସ୍ବୀକାର କରିଥାଏ ମୋ ଗାଡ଼ି ହଠାତ୍ ଖରାପ ହୋଇଯିବାରୁ ଆପଣଙ୍କ ସ୍କୁଟର ମୋ ଚାବି ରେ ଖୋଲି ନେଇଯାଇଥିଲି ନିତ୍ୟାନ୍ତ ଜରୁରୀ ଯୋଗୁଁ । ତା ପରେ ଆପଣଙ୍କୁ ସାମ୍ନା କରିବାର ମୋର ସାହସ ନଥିବାରୁ ଗାଡ଼ିଟି ଏଇଟି ଛାଡିଲି । ଆପଣ ଯଦି ଏଇ ସିନେମା ଟିକେଟ ଦୁଇ ରେ ମାଡାମ୍ ଙ୍କ ସହ ସିନେମା ଦେଖି ଆସନ୍ତି ମୁଁ ଭାବିବି ଆପଣ ମୋ ଭୁଲ୍ ପାଇଁ ମୋତେ କ୍ଷମା କରି ଦେଇଛନ୍ତି । ଶେଷରେ ସାର୍ ଛାତ୍ର ର ସ୍ପଷ୍ଟ ବାଦିତାରେ ଆତ୍ମହରା ହୋଇ ସଂଧ୍ୟା ରେ ଯେତେବେଳେ ସିନେମା ଦେଖି ଫେରନ୍ତି ସେତେବେଳେ ଦେଖନ୍ତି ତାଙ୍କ ଘର କଳାକନା ବୁଲା ସରିଥାଏ ।
ନିରୀହ ସାର୍ ଙ୍କୁ ବୋକା ବନେଇ ତାଙ୍କୁ ଠକିଥିବା ଜଣେ ଛାତ୍ର ର କାହାଣୀ ।
ଗପ - ମାତୃତ୍ବ -
ବୁଢ଼ୀ ମାଆ ଟି ଉପରେ ଭେଣ୍ଡିଆ ପୁଅଟି ଅତ୍ୟାଚାର କରୁଥାଏ । ମାରପିଟ୍ କରି ଲହୁଲୁହାଣ କରି ପକାଉଥାଏ । ନିରୁପାୟ ହୋଇ ସବୁ ସହିଯାଏ ମାଆଟି । ଶେଷରେ ଦିନେ ମାଆ କୁ ପିଟୁଥିବା ବେଳେ ଗାଁ ଲୋକ ଆଉ ସହି ପାରନ୍ତିନି ମାରି କି ସାବାଡ୍ କରିଦେବାକୁ ଯେତେବେଳେ ଆଗେଇ ଆସି ଗୋଟେ ଦୁଇଟି ଉତ୍ତମ ମଧ୍ୟମ ଛେଚି ଦିଅନ୍ତି ସେତେବେଳେ ମା ପ୍ରତିବାଦ କରି କହେ " ମୋ ଛୁଆ ମୋତେ ମାରିଲା ନ ମାରିଲା ତମର କଣ ଯାଏ ?"
ଶେଷକୁ ସଂଧ୍ୟା ରେ ମା , ପୁଅ ଦେହ ହାତ ରେ ଓୗଷଧ ମାରି ଯେତେବେଳେ ମୋଡିଘସି ଦେଉଥାଏ ସେତେବେଳେ ପୁଅ ପ୍ରଶ୍ନ କରେ - ମୁଁ ତତେ ଏତେ ମା'ର ଧର କରୁଛି ଅମଣିଷ ପରି ତଥାପି ତୁ ମୋତେ ସେମାନଙ୍କଠାରୁ ବଞ୍ଚେଇଲୁ କେମିତି ?
ମା ଉତ୍ତର ଦିଏ - " ତୋର ବିଧା ଗୋଇଠା କ'ଣ ଏବେର , ଯେତେବେଳେ ପେଟରେ ଥିଲୁ ହଜାର ବିଧା ଗୋଇଠା ମାରୁଥିଲୁ ସେତେବେଳେ କୋଉ ସାହି ପଡିଶା କୁ ଡ଼ାକି ଥାନ୍ତି ମୋ ପାଇଁ ? ତୁ କାହୁଁ ବୁଝିବୁରେ ମୁଁ ପରା ତୋ ବୋଉ "
ଗପ - ଶିକାର -
ପୁରୁଖା ମଣିଷ ସ୍ଥିତକର୍ମା ବଡ ପୂଜା ଟିଏ କରିବାକୁ ମନ ବଳାନ୍ତି । ଏବେକା ଖର୍ଚ୍ଚ ସାମଗ୍ରୀ ସବୁ ମୂଲ୍ୟ ଦେଖି ତାଙ୍କ ହୋସ ଉଡିଯାଏ । ସେବେକାର ଖର୍ଚ୍ଚ ଏବେକା ଖର୍ଚ୍ଚ ଭିତରେ ସେ ଅନ୍ତର ବୁଝି ପାରନ୍ତିନି ଶେଷରେ ଚାରଣା ବଦଳରେ ଯେତେବେଳେ ବାରଣ ଖର୍ଚ୍ଚ ହୋଇଚାଲେ , ଏତେ ଖର୍ଚ୍ଚ ଦେଖି ଭିତରେ ଭିତରେ ଖାଣ୍ଟି ଚକଟି ହୁଅନ୍ତି ସ୍ଥିତକର୍ମା ।
ଗପ - ମୁଠାଏ ଦୀର୍ଘ ଶ୍ବାସ -
ନିଜର ସ୍ତ୍ରୀ ପିଲା ଭରପୁର ସୁଖର ସଂସାର ପରେ ମଧ୍ୟ ନିଜ ଅତୀତ ବାରମ୍ବାର ନାୟକ କୁ ବ୍ୟତିବ୍ୟସ୍ତ କରିପକାଏ
କୌଣସି ପାଗିଳୀ ଏକଲା ସ୍ତ୍ରୀ ଲୋକ ଟେ ଦେଖିଲେ ।
ଅତୀତ
ନିଜର ଡାକ୍ତରୀ ସମୟରେ ମାଉସୀ ଙ୍କ ଘରେ ରୁହନ୍ତି ନାୟକ ତାଙ୍କ ସହ ଏକତରଫା ପ୍ରେମ କରିବସେ ମାଉସୀ ଙ୍କ ଝିଅ ପ୍ରତିମା । ମାଉସୀ ଉପରେ ନା ଭାବ ରଖୁଥିଲେ ବି ଭିତରେ ନାୟକ କୁ ଝିଅ କୁ ବାହାଦେବାର ମନ ବଳେଇ ଥାଆନ୍ତି । ସେପଟେ ପ୍ରତିମା ର ମାମୁଁ ଗୁଣ୍ଡା ଶ୍ରେଣୀୟ ଲୋକଟେ ତେଣୁ ମାଉସୀ ଙ୍କୁ ସମସ୍ତେ ସମ୍ମାନ ଦିଅନ୍ତି ଭୟରେ । ଦିନେ ପ୍ରତିମା ନିଜକୁ ନିୟନ୍ତ୍ରଣରେ ନରଖି ନାୟକ କୁ କୁଣ୍ଢେଇ ଧରେ । ଏ କଥା ଧରା ପଡ଼ିଯାଏ ପ୍ରତିମା ମାମୁଁ ଙ୍କ ଆଖିରେ , ସେ ଛାଡ଼ିବା ଲୋକ ନୁହଁ ତେଣୁ ବାଧ୍ୟ ହୋଇ ପ୍ରତିମା କୁ ବିବାହ କରନ୍ତି ନାୟକ । କିନ୍ତୁ କେବେ ବି ସ୍ବାମୀ ସ୍ତ୍ରୀ ର ସଂପର୍କ ତାଙ୍କ ଭିତରେ ନଥାଏ । ଶେଷରେ ଅଧିକ ପାଠ ପଢିବା ପାଇଁ ପ୍ରତିମା ଠୁଁ ଦୂରେଇ ଯାଇ ହଷ୍ଟେଲ ରେ ରୁହେ ନାୟକ ।
ଶେଷରେ ପ୍ରତିମା ଠୁଁ ଗୋଟେ ଚିଠି ଆସେ , ଯେଉଁଥିରେ ସେ ସ୍ବୀକାର କରିଥାଏ ଯେ ତା ମା ସହିତ ତା'ର ବି ଅନେକ ଭୁଲ୍ ଅଛି , ସେ ଚାହିଁଥିଲେ ଏ ବାହାଘର ପାଇଁ ନା କରି ପାରିଥାନ୍ତା ହେଲେ ନିଜ ପ୍ରେମ ହାତ ଛଡା ହୋଇଯିବ ବୋଲି ଭୟରେ ମୁହଁ ଖୋଲି ଲାନି । ପାଖରେ ଥାଇ ବି ଦୂରେଇ ରହିବା ଅପେକ୍ଷା ସବୁଦିନ ପାଇଁ ଦୁରେଇ ଯିବା ଯଥେଷ୍ଟ ଭଲ । ଏହା ଭାବି ପ୍ରତିମା ନାୟକ ଠୁ ଦୁରେଇ ଯାଏ । ଶେଷରେ ନାୟକ ପ୍ରତିମା ର କିଛି ଖବର ରଖନ୍ତିନି ।
ପରେ ଘନିଷ୍ଠ ସୂତ୍ରରୁ ଖବର ପାଆନ୍ତି ଯେ ପ୍ରତିମା ଏମିତି କରିବା ପରେ , ନିଜ ମା ଆଉ ମାମୁଁ କୁ ଦୋଷୀ ଠଉରାଏ । ମାମୁଁ ନାୟକ ନାଁ ରେ କେସ୍ କରିବାକୁ ଆଗେଇଲା ବେଳକୁ , ପ୍ରତିମା ପ୍ରତିବାଦ କରେ , ନାୟକ ବିପକ୍ଷରେ ମୁହଁ ଖୋଲିବାକୁ ସେ ମନା କରିଦିଏ । ଯାହା ଫଳରେ ମା ମାମୁ ଉଭୟେ ତାକୁ ଘୃଣା କରନ୍ତି ତା ସହିତ ଅଣଦେଖା ବି କରନ୍ତି ।
ଶେଷରେ ସେ ଆପଣା ମାନଙ୍କ ପାଖରେ ଏକଲା ରହି ରହି ବିନା କାହାର ଭଲପାଇବା ରେ ପାଗିଳୀ ଭଳି ବରତାବ୍ ଦେଖାଏ । ବାସ୍ ନାୟକ କିନ୍ତୁ ନିଜକୁ ସୁରକ୍ଷିତ ଭାବି ଆଉ ଗୋଟେ ଝିଅ କୁ ବିବାହ କରି ସୁଖରେ ସଂସାର କରନ୍ତି ।
କିନ୍ତୁ କୈାଣସି ପାଗିଳୀ ଝିଅ ଏକଲା ସ୍ତ୍ରୀ ଲୋକ ଦେଖିଲେ ତାଙ୍କ ମୁଣ୍ଡ କ'ଣ ହୋଇଯାଏ । ଭାବନ୍ତି , ସେ କଣ ପ୍ରତିମା ପ୍ରତି ଠିକ୍ କଲେ । କଣ ବା ତାର ଭୁଲ୍ ଥିଲା । କଣ ବା ତାଠି ଅଭାବ ଥିଲା । ରୂପରେ ଗୁଣରେ କୋଉଥିରେ ତ କମ୍ ନଥିଲା ସେ । ବାସ୍ ନିରୋଳା ନିର୍ଭେଜାଲ ପ୍ରେମ କରୁଥିଲା ଯାହା ହେଲେ ତା ପାଇଁ କ'ଣ ଏତେବଡ଼ ଦଣ୍ଡ ସେ ଦେଇଦେଲା ତାକୁ । ସେ କ'ଣ ଠିକ୍ କଲା ?
(ବାନ୍ଧି ରଖିଲା ପରି ଗୋଟେ ସୁନ୍ଦର ଗପ ଏଇଟା )
ଗପ - ସୁନାମି -
ଜଣେ ଯୁବତୀ ଯୁବକ କୁ ଲିପ୍ଟ ମାଗି ତା ବାଇକ ପଛରେ ବସେ । କିଛି ବାଟ ଗଲାପରେ , ନିଛାଟିଆ ଯାଗାରେ ହଠାତ୍ ଓହ୍ଲେଇପଡି ତାକୁ ତା ପର୍ସ ମାଗିବା ସହ ଆଉ ଯାହା ପାଖରେ ମୂଲ୍ୟବାନ ଜିନିଷ ଅଛି ତାକୁ ଦେଇ ଦେବାକୁ କହେ , ନହେଲେ ସେ ଚିଲେଇକି ଲୋକ ମାନଙ୍କୁ ଡାକିଦେଇ କହିବ ଏଇ ଯୁବକ ଟି ତାକୁ ଏକଲା ପାଇ ତା ସହ ଜବରଦସ୍ତି କରୁଛି ବୋଲି ।
ଶେଷରେ କାନମୁଣ୍ଡ ଆଉଁସି ଯୁବକ ଟି ସବୁ ଦେଇଦିଏ ।
ଗପ - ସଁବାଳୁଆ -
ଦିପ୍ତମାନ ଆଜୀବନ ସନ୍ୟାସ ଧର୍ମରେ ବର୍ତ୍ତି ହୋଇ ସନ୍ୟାସୀ ମାନଙ୍କ ଗହଣ ରେ ରହିଥାଏ । ସେ ଅଞ୍ଚଳର ରୂପସୀ ନିସ୍ତେଜା ସହ ତାଙ୍କର ପ୍ରେମ ହୋଇଯାଏ । ବିଭିନ୍ନ ବାହାନା ଆଳରେ ତାକୁ ଦେଖିବାକୁ ଯାଆନ୍ତି । ତାର ପିଛା କରି ନିତି ତା କଥା ଭାବି ବସନ୍ତି । ଏ କଥା ନିସ୍ତେଜା ବି ଜାଣିପାରେ ।
ଦୂରରେ ବଡ ଉତ୍ସବ ହେତୁ ସମସ୍ତେ ଯାଆନ୍ତି । ସମସ୍ତଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦିପ୍ତମାନ ନିସ୍ତେଜା କୁ ନିଜ କୁଟିର ଆମନ୍ତ୍ରଣ କରନ୍ତି । ତାଙ୍କ ଆମନ୍ତ୍ରଣ କୁ ଏଡାଇ ନପାରି ନିସ୍ତେଜା ଚାଲି ଯାଆନ୍ତି ତାଙ୍କ କୁଟିର କୁ । ଦିପ୍ତମାନ ପ୍ରେମ ଭିକ୍ଷା କରନ୍ତି ରୂପସୀ କୁ , ଆଜୀବନ ସାଥି ହୋଇ ରହିବାର ସଂକଳ୍ପ ନିଅନ୍ତି । ରୂପସୀ ତାଙ୍କ କଥା ଶୁଣି ହସିବା ସହ ଏହା କେବେ ସମ୍ଭବ ନୁହେଁ ବୋଲି କହନ୍ତି -" ଯଦି ଏମିତି ହୋଇ ଥାନ୍ତା ତେବେ ମୋତେ ଏଠି ସନ୍ୟାସିନୀ ହୋଇ ଜୀବନ ବିତେଇବାକୁ ପଡ଼ିନଥାନ୍ତା । କାରଣ ମୁଁ ଆଜନ୍ମ ବନ୍ଧ୍ୟା ".
ଦିପ୍ତମାନ ନିରାଶ ହୁଅନ୍ତି ନିସ୍ତେଜା ର ଉତ୍ତର ଶୁଣି ।
ଗପ - ଆବିଷ୍କାର -
ଦୁନିଆର ସବୁଠୁ ବଡ଼ ଅଦ୍ଭୁତ ଏବଂ ବିଚିତ୍ର ପ୍ରାଣୀଙ୍କୁ ଦେଖିବାକୁ ଦୁଇ ବନ୍ଧୁ ଯୋଉ ଚିଡ଼ିଆଖାନା ରେ ଯାଇ ପହଞ୍ଚନ୍ତି । ବହୁତ ପରିଶ୍ରମ କରି ଅତି ଉତ୍ସୁକତା ର ସହ ଭିତରକୁ ପୁଣି ଭିତରକୁ ଆହୁରି ଭିତରକୁ ଯାଇ ଯାହାର ସାମ୍ନା କରନ୍ତି ସେ ଗୋଟେ ଦର୍ପଣ । ସେଠି ବହୁତ ଯୁକ୍ତି ଯୁକ୍ତ ଲେଖା ଥାଏ ଯେ ମଣିଷ ଟାରୁ ବିଚିତ୍ର ଏବଂ ଅଦ୍ଭୁତ ପ୍ରାଣୀ ଆଉ କେହି ନାହାନ୍ତି ।
ଶେଷରେ ସେଠାରେ ଏଇ କଥା ବି ମୁଦ୍ରିତ ହୋଇଥାଏ " ମୁଁ ଈଶ୍ୱର ନାମରେ ମୋ ଧର୍ମ ନାମରେ ଶପଥ କରି କହୁଛି ଏକଥା ଆଉ କାହାରିକୁ କହିବି ନାହିଁ ।
ଗପ - ଆଜି ଯଦି ବାପା ଥାଆନ୍ତେ -
ନିଜ ନିଜ କାମରେ ବ୍ୟସ୍ତ ରହି ବାପା ଙ୍କୁ ସମୟ ଦେଇ ପାରି ନାହାଁନ୍ତି ପୁଅ ମାନେ । ଭିଷଣ ଅସୁସ୍ଥ ଖବର ଶୁଣି ଦୁରରୁ ସଭିଏଁ ଝପଟି ଆସିଛନ୍ତି । ଶେଷ କୁ ବାପା ଆଖି ବୁଜିଛନ୍ତି । ବୋଉ କୁ ପାଖରେ ରଖିବାକୁ ତା ଦାୟିତ୍ଵ ନେବାକୁ ସମସ୍ତ ବୋହୂ ଙ୍କ ଭିତରେ ପ୍ରତିଯୋଗିତା ହୁଏ କାରଣ ବାପାଙ୍କ ଅନ୍ତେ ପେନସନ ର ମାଲିକାଣୀ ବୋଉ ।
ଅତୀତ ରେ ବାପା କ'ଣ ସବୁ କରିଛନ୍ତି , ବାପା ଏବେ ଥିଲେ ବର୍ତ୍ତମାନ ପରିସ୍ଥିତି କୁ କେମିତି ସୁରୁଖୁରୁରେ ଚଳେଇ ନେଇଥାନ୍ତେ , ବିନା କିଛି ଝଗଡା ଆଉ ଅଶାନ୍ତି ରେ । ଏକଥା ଭାବି ଛଳ ଛଳେଇ ଯାଆନ୍ତି ପୁଅ ।
ବାପା ବୋଉ ଉଭୟଙ୍କୁ ପ୍ରାଧାନ୍ୟ ଦିଆ ଯାଇଛି ଏଇ ଗପରେ ।
ଖୁବ୍ ସୁନ୍ଦର ଭାବରେ ଗାଳ୍ପିକ ଏଇ ଦରଦୀ ଗପ ଟିଏ ସଜେଇଛନ୍ତି । ସବୁ ଗପ ଭିତରୁ ମୋର ଏଇ ଗପଟି ପସନ୍ଦ ।
ଗପ - ଜନନୀ -
ଝଡ ତୋଫାନ ରେ ଗଛ ଉପୁଡ଼ି ପଡ଼ିଛି । ବାଇ ଚଢେଇ ପରିବାର କ୍ଷତ ବିକ୍ଷତ ହୋଇଯାଇଛନ୍ତି ଭାବି ଗାଳ୍ପିକ ମନ କଷ୍ଟ କରିଛନ୍ତି । ଶେଷରେ ମା ଚଢ଼େଈ ଟି କେମିତି ଛଡ ତୋଫାନ ସହି ସେ ଦାଉରୁ ଛୁଆ ମାନଙ୍କୁ କେମିତି ରକ୍ଷା କରିଛି ଆଡ ପକେଇ , ତାହା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଗାଳ୍ପିକ ଏଇ ଗଳ୍ପ ରେ ।
ଗପ - ବେତାଳ କଥା -
ରାଜା ବିକ୍ରମାଦିତ୍ୟ ଙ୍କ ରାଜ ଦରବାର ରେ ଏକାଧିକ ଜ୍ଞାନି ଗୁଣି ପଣ୍ଡିତ ଙ୍କ ସମାବେଶ ଯୋଗୁ ବେଶ୍ ମାନସମ୍ମାନ ପ୍ରସିଦ୍ଧି ରେ ଥାଆନ୍ତି ରାଜା । ଅଚାନକ ଦିନେ ଦରବାରରେ ବେତାଳ ର ପ୍ରବେଶ ହୁଏ ସେ ପଚାରି ଦିଏ ଜ୍ଞାନି ପଣ୍ଡିତ ମାନଙ୍କୁ ତିନୋଟି ପ୍ରଶ୍ନ ସର୍ତ୍ତ ରଖେ ସଠିକ ଉତ୍ତର ସାତ ଦିନ ଭିତରେ ମୋତେ ଦିଆଯାଉ ନଚେତ୍ ମୃତ୍ୟୁ । ଯାହା ଶୁଣି ପଣ୍ଡିତ ଙ୍କ ଗହଣରେ ଭାଳେଣି ପଡେ ରାଜ୍ୟ ସାରା ଘୁରି ବୁଲି ଖୁବ୍ ହଟହଟା ହେଲା ପରେ ଶେଷରେ ନିଜ ଜୀବନ ର ଆଶା ଛାଡି ଦେବା ବେଳକୁ ହିଁ , ସଠିକ ସନ୍ତୋଷ ଜନକ ଉତ୍ତର ଦିଅନ୍ତି ଜଣେ ବୃଦ୍ଧ । ପଣ୍ଡିତ ଗଣ ନିଶ୍ଚିନ୍ତ ହୁଅନ୍ତି ।
ଶେଷ ଗପ - ଦୁର୍ଘଟଣା -
ବାଇକ ଆରୋହୀ ଦୁଇ ଯୁବକ ଗାଡି ତଳକୁ ଛେଳି ଛୁଆ ଟି ପଶିଆସି ତାର ମୃତ୍ୟୁ ହେଲା ପରେ । ସ୍ଥାନୀୟ ଯୁବକ ମାନଙ୍କ ଆକ୍ରୋଶ ର କେମିତି ଶିକାର ହୋଇଛନ୍ତି , ଆଉ ଯୁବକ ଦ୍ବୟ ଙ୍କ ଅବସ୍ଥା ସାଙ୍ଘାତିକ ଥିଲେ ମଧ୍ୟ ସେଥି ପ୍ରତି ନିଘା ନଦେଇ କେମିତି ଧମକ ଚମକ ଦେଇ ଟଙ୍କା ଆଦାୟ କରି ଅମାନବୀୟ କାମ କରିଛନ୍ତି , ତାହା ପ୍ରକାଶ କରିଛନ୍ତି ଗାଳ୍ପିକ ଏଇ ଗଳ୍ପ ରେ ।
ଉମାକାନ୍ତ ରାଉତ ( ଅରୂପ ) ସାର୍ ଙ୍କ ଆହୁରି ସୁନ୍ଦର ସୁନ୍ଦର ଗପ ବହି ପ୍ରକାଶିତ ହେଉ । ପାଠକ ପାଠିକା ମାନେ ଖୁବ୍ ପସନ୍ଦ କରନ୍ତୁ ।
ଗାଳ୍ପିକ ଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା
ଶୁଭକାମନା .