STORYMIRROR

Priyadarshini Mishra

Drama Inspirational

4  

Priyadarshini Mishra

Drama Inspirational

ପୁଷ୍ପା

ପୁଷ୍ପା

2 mins
419


   ପୁଷ୍ପା ଫିଲ୍ମ ଦେଖିଲା ପରେ ରାମବାବୁ ଫିଲ୍ମର ଘଟଣାଟି ତାଙ୍କ ଜୀବନ ର ଘଟଣା ସହ କିଛି ମାତ୍ରାରେ ମେଳ ଖାଉଥିବା ଅନୁଭବ କରିପାରିଥିଲେ। ବିକାଶର ଅନୁରୋଧ ଏଡାଇ ନପାରି ରାମବାବୁ ସିନେମା ଦେଖିବାକୁ ଯାଇଥିଲେ। ଏକମାତ୍ର ନାତି ବିକାଶ ରାମବାବୁଙ୍କ ଗଳାର ମାଳି ଅଟେ। ଭଲ ପଢେ। ବଡ଼ମାନଙ୍କୁ ସମ୍ମାନ ଓ ଭକ୍ତି କରେ। ତା'ର ଶିକ୍ଷକମାନେ ମଧ୍ୟ ତା'ର ପାଠପଢ଼ା ଓ ଗୁଣର ଭୁରି ଭୁରି ପ୍ରଶଂସା କରନ୍ତି । ମୋଟ ଉପରେ କହିଲେ ବିକାଶ ଏକ ସର୍ବଗୁଣରେ ପାରଙ୍ଗମ ସୁପୁତ୍ର କହିଲେ ଠିକ ହେବ। ଜେଜେ ରାମବାବୁ ତା'ର ଅତି ନିକଟତର। ତେଣୁ ସାଙ୍ଗମାନେ ପୁଷ୍ପା ଫିଲ୍ମ ଦେଖିବା ପାଇଁ କହିବାରୁ ସେ ଜେଜେଙ୍କୁ ଅନୁରୋଧ କରି ତାଙ୍କ ସହ ସିନେମା ଦେଖି ଯାଇଥିଲା। ସମସ୍ତଙ୍କ ପରି ସିନେମାର ଡାଇଲଗ ତାକୁ ଭାରି ପସନ୍ଦ ଆସିଥିଲା। ସିନେମା ହଲରୁ ଫେରିବା ପରଠାରୁ ସେ ଜେଜେଙ୍କୁ ପୁଷ୍ପା ଫିଲ୍ମର ଡାଇଲଗ ହିଁ ଶୁଣଉଥିଲା। "ବିକାଶ, ମାଏ ଝୁକେଗା ନେହିଁ"। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାତି ମୁହଁରୁ ଏହିକଥା ଶୁଣି ରାମବାବୁ ଅତୀତକୁ ଫେରିଯାଉଥିଲେ। ସେ ବିକାଶ ବୟସରୁ ମନରେ ଭାବିନେଇଥିଲେ ଯେ, "ମୁଁ ରାମ, ମୁଁ ହାର ମାନିବିନି, ମୁଁ ନଇଁବିନି, ମାଟି ହାଣିବି ପଛେ ପାଠ ପଢ଼ିବି"।

     ପୁରୀ ଜିଲ୍ଲା ର ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ। ତାଙ୍କ ମାଆ ସମସ୍ତଙ୍କ ଠାରୁ ଅଲଗା ହୋଇ ଚଳୁଥିଲେ। ଯୌଥ ପରିବାରରେ ସମସ୍ତଙ୍କ ପାଇଁ ଗୋଟେ ନିୟମ ମାଆ ପାଇଁ ଆଉ ଗୋଟେ ନିୟମ। କାରଣ ମାଆ ତାଙ୍କର ବାଲ୍ୟ ବିଧବା। ଅଶୁଭ ସ୍ତ୍ରୀ ଲୋକଟିଏ । ରାମବାବୁଙ୍କ ପିଲା ମସ୍ତିଷ୍କର ତନ୍ତ୍ରି ଗୁଡିକ ଏସବୁ ଶୁଣି ଶୁଣି ଧୀରେ ଧୀରେ ମଜବୁତ ହୋଇସାରିଥିଲା। ମାଆ ର ବାଳବିବାହ ହୋଇଥିଲା ବାପାଙ୍କ ସାଙ୍ଗରେ। ସେତେବେଳେ ସମାଜରେ ଏସବୁ ଚଳୁଥିଲା । ବାପାଙ୍କର ମୁଣ୍ଡଦୋଷ ଥିଲା। ବିବାହର ବର୍ଷେ ପରେ ରାମବାବୁଙ୍କ ଜନ୍ମ ଓ ବାପାଙ୍କ ମୃତ୍ୟୁ ଗୋଟିଏ ମାସ ଅନ୍ତରାଳରେ ହୋଇଥିଲା। ତେର ବର୍ଷ ବୟସରେ ମାଆ ପାଲଟିଗଲା ବାଲ୍ୟବିଧବା। ମା ପୁଅ ପାଲଟିଗଲେ କକେଇମାନଙ୍କ ଦୟାର ପାତ୍ର। ରାମବାବୁଙ୍କୁ ବେଶୀ ଖରାପ ଲାଗୁଥିଲା ମାଆ ପାଇଁ। ସେ ଚିନ୍ତା କରୁଥିଲେ କେମିତି ମାଆ ର ଦୁଃଖ ଦୂର କରିପାରିବେ। ତାଙ୍କ ମାଆ ଅପାଠୋଇ ହେଲେ ମଧ୍ୟ ରାମବାବୁଙ୍କ ପାଠପଢ଼ା ପ୍ରତି ଯତ୍ନଶୀଳ ଥିଲେ। ରାମବାବୁ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେଲା ପରେ କକେଇମାନେ ତାଙ୍କ ପାଠପଢ଼ା ବନ୍ଦ କରିଦେବାକୁ ଚାହିଁଥିଲେ। ସେମାନଙ୍କ ଇଚ୍ଛାଥିଲା ରାମ ଚାକିରୀ କରୁ । ଘର ଚଳିବାରେ ସହଯୋଗ କରୁ।ସେମାନଙ୍କ ଇଚ୍ଛାକୁ ସମ୍ମାନ କରି ରାମବାବୁ ଚାକିରୀ ପାଇଁ ଆବେଦନ କରିଥିଲେ। ଭଲ ନମ୍ବର ଥିବାରୁ ତାଙ୍କୁ ସରକାରୀ କିରାଣୀ ଭାବେ ନିଯୁକ୍ତି ମିଳିଥିଲା। ନିଯୁକ୍ତିପତ୍ର ନେଇ ମାଆ କୁ ଦେଖେଇଲା ପରେ ମାଆ ର ପ୍ରତିକ୍ରିୟା ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିଥିଲା। ତାଙ୍କ ନିଯୁକ୍ତିପତ୍ର ହାତରେ ଧରି ମାଆ କହିଥିଲା, "ମୁଁ ଚାହୁଁଛି ତୁ ଆହୁରି ପାଠ ପଢେ ଆହୁରି ଉନ୍ନତି କରେ"। ମାଆ ର ଏଇ ଦୁଇଧାଡ଼ି କଥା ଶୁଣି ସେ ନିଜ ନିଯୁକ୍ତିପତ୍ର ଟିକୁ ଚିରି ଦେଇଥିଲେ। କକେଇମାନେ ତାଙ୍କୁ ଆଗକୁ ପଢ଼ାଇବା ପାଇଁ ନିଜ ଅସାମର୍ଥ୍ୟ ପ୍ରକାଶ କରିଥିଲେ। ସେତେବେଳେ ରାମବାବୁ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ, ଯାହା ହୋଇଯାଉ ପଛେ ସେ ପାଠ ପଢିବେ। ସେ ଗୋଟିଏ ନିଷ୍ପତ୍ତି ତାଙ୍କ ଜୀବନ ବଦଳାଇବାକୁ ଯଥେଷ୍ଟ ଥିଲା।ସରକାରୀ କିରାଣୀ ଚାକିରୀ ପାଇ ଖୁସି ଥିବା ରାମବାବୁ ସେତେବେଳେ ମାଆ ର ଇଚ୍ଛା କୁ ସମ୍ମାନ ଦେଇଥିଲେ ଫଳସ୍ଵରୂପ ସରକାରଙ୍କ ପଦସ୍ଥ ଅଧିକାରୀ ହୋଇପାରିଥିଲେ। 

  ବିକାଶର ଜେଜେ ଡାକରେ ରାମବାବୁ ପ୍ରକୃତିସ୍ଥ ହେଲେ। ସେତେବେଳ ପର୍ଯ୍ୟନ୍ତ ବିକାଶ ଫିଲ୍ମର ଡାଇଲଗ ଶୁଣେଇ ଚାଲିଥିଲା। ରାମବାବୁ ମୁରୁକି ହସି ତା କଥାରେ ତାଳ ଦେଇଥିଲେ ଓ କହିଥିଲେ,"ରାମ, ରାମମିଶ୍ର, ମାଏ ଝୁକେଗା ନେହିଁ"।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Priyadarshini Mishra

Similar oriya story from Drama