ପୁର୍ବରଙ୍ଗ
ପୁର୍ବରଙ୍ଗ


ସକାଳୁ ସକାଳୁ ହସ୍ପିଟାଲରେ ପହଞ୍ଚି ଗଲେ ଶଶାଙ୍କ,ହାତରେ ଥିଲା ଦୁଇକପ ଚା ତା ସହିତ ଖବର କାଗଜ।
ଶଶାଙ୍କ ଭଲ ଭାବରେ ଜାଣିଛନ୍ତି ନିଶାର ସକାଳୁ ଖବର କାଗଜ ପଢିବା ଅଭ୍ୟାସ। ଚା ପିଇପିଇ ଖବର କାଗଜ ପଢା ନ ହେଲେ ଦିନଟି ଅଧା ଅଧା ଲାଗେ ତାକୁ।
କେବିନ ଭିତରକୁ ପଶୁ ପଶୁ ଶଶାଙ୍କ ଡାକିଲେ, ନିଶା ଉଠିଲଣି? ମୁଁ ପରା ଚା ନେଇ ଆସିଲିଣି। ଥଣ୍ଡା ହେଇଯିବ, ଆସ ସାଙ୍ଗ ହୋଇ ପିଇବା ।
ନିଶା ଉଠି ମୁହଁଧୋଇ ବସିଗଲେ ଚୌକି ଉପରେ , ଦୁଇ ଜଣ ମିଶି ଚା ପିଇଲେ। ଶଶାଙ୍କ ପଚାରିଲେ- ଗତକାଲି ରାତିରେ ନିଦ ହେଲା ତ ନିଶା ?
“ ହଁ, କାଲି ଟିକେ ଶୋଇଛି।ତେଣୁ ଆଜି ମୋତେ ଟିକେ ଭଲ ଲାଗୁଛି”।
“ଆଚ୍ଛା ଶଶାଙ୍କ ତୁମେ ଡକ୍ଟରଙ୍କ ସହ କଥା ହୋଇ ମୋର ଡିସ୍ଚାର୍ଜ ପେପର୍ ଠିକ୍ କର ଆଜି ଘରକୁ ଫେରିଯିବି ।
“କେତେ ଦିନ ତୁମେ ମୋ ପାଇଁ ଘର ଛାଡ଼ି ଆସି ଏଠାରେ ରହିବ !!"
" ସେମିତି କିଛି ନାହିଁ ନିଶା ମୋର କଣ ଅସୁବିଧା ହେଉଛି ।”
ଯଦି ଡକ୍ଟର କହିବେ ତ ତୁମର ଆଉ କିଛି ଦିନ ଏଠାରେ ରହିବା ଦରକାର, ତେବେ ରହିଯିବା ।ମୁଁ ତ ଗେଷ୍ଟ ହାଉସରେ ଅଛି।
" ନାଇଁ ନାଇଁ ମୁଁ ଏଠାରେ ଆଉ ରହି ପାରିବିନି,ଶଶାଙ୍କ । ଆଜି ମୋତେ ବହୁତ ଭଲ ଲାଗୁଛି; ମୁଁ ଘରେ ରହିଲେ ମୋର ଦେହ ଭଲ ହୋଇଯିବ । ନିଶା ଅତି ବ୍ୟଗ୍ରତା ର ସହ କହି ପକେଇଲା ।
“ହଉ ତାହେଲେ ମୁଁ ଡିସ୍ଚାର୍ଜ ପେପର୍ ରେଡ଼ି କରିବାକୁ ଚେଷ୍ଟା କରିବି ।”ଏହା କହି ଶଶାଙ୍କ ହସ୍ପିଟାଲ କାଉଁଟର୍ ଆଡେ ଚାଲିଗଲେ ।
ନିଶା ତାର ବ୍ୟାଗରେ ମେଡିସିନ ଏବଂ ଅନ୍ୟାନ୍ୟ ଜିନିଷ ଗୁଡିକୁ ସଜାଡି ରଖି ଦେଲା । ତାପରେ ନିଜେ ପ୍ରସ୍ତୁତ ହୋଇ ଶଶାଙ୍କ ଙ୍କୁ ଅପେକ୍ଷା କରି ରହିଲା। ଏତିକି ବେଳେ ଫୋନ ରିଂ ହେଲା ।
ନିଶା ତମ ଦେହ କେମିତି ଅଛି ଏବେ?? ହଁ ଭଲ ଅଛି । ତମେ ବ୍ୟସ୍ତ ହୁଅନି !! ମୁଁ ଆଜି ଘରକୁ ଫେରିବି । " ନା ନା ଆଜି ମୁଁ ବାହାରୁଛି ଦିନ ଏଗାରଟାରେ ଫ୍ଲାଇଟ୍,ମୁଁ ଦୁଇଟା ସୁଦ୍ଧା ପହଞ୍ଚି ଯିବି। ବିଜନ କହିଲେ ଅତି ବ୍ୟସ୍ତତାର ସହିତ ।
କଣ ଦରକାର ଥିଲା ଏତେ ହଇରାଣ ହେଇ ଆସିବା ମୋର ସେତେ ଵି ଅସୁବିଧା ହେଇନି ଶଶାଙ୍କ ତ ଅଛନ୍ତି।ତୁମେ କାମ ପୁରା କରି ଆସ ।
ନାଇଁ ମୁଁ ଆସି ଟିକେ ବୁଲି ଗଲେ ମୋତେ ଭଲ ଲାଗିଵ ଆଉ ତୁମକୁ ଵି.....
" ହଉ ରହୁଛି ...ନିଜର ଯତ୍ନନଉଥିବ..ମୁଁ ଆସୁଛି ।"
ସେପଟୁ ଫୋନ କାଟି ଦେଲେ ବିଜନ, ନିଶା ଭାବିବାକୁ ଲାଗିଲା କହଲେ କଣ ସିଏ ବୁଝିବେ,
କାହିଁକି ଆସିବେ ଏତେ ତର ତର ହୋଇ।
ଶଶାଙ୍କ ଆସି କହିଲେ ନିଶା ଆଉଟିକେ ପରେ ଡାକ୍ତର ଆସିବେ ତା ପରେ ସେମାନେ ଡିସ୍ଚାର୍ଜ କରିବେ ତେଣୁ ଆମେ ଦୁହେଁ ଟିକେ ଟିଫିନ କରିନେବା ,ମୁଁ ଯାଉଛି କ୍ୟାଟିଂନ ରୁ କିଛି ନେଇ ଆସେ ,।ତୁମେ ଟିକେ ରେଷ୍ଟ ନେଉଥାଅ ।
ନିଶା ବସି ବସି ଶଶାଙ୍କ ଆସିବାକୁ ଅପେକ୍ଷା କରି ରହିଲା । ମନେ ପକେଇଲା ତିନିଦିନ ତଳର ଘଟଣା ହଟାତ କାହିଁକି ମୁଣ୍ଡ ବୁଲେଇହେଲା ତାର, ଶେଯରେ ପଡ଼ି ରହିଥାଏ ଚାଲିବାକୁ ଭାବି ଉଠି ଠିଆ ହେଲେ ପଡ଼ିଗଲା ଭଳି ଲାଗିଲା। ଏଇ କେତେ ଦିନ ହେଲା ଦେହ ଭଲ ଲାଗୁନଥିଲା ।ବିଜନଙ୍କର ମିଟିଂ ଅଛି ସେଥି ପାଇଁ ସେ ଦିଲ୍ଲୀ ଯାଇଛନ୍ତି। କଣ କରିବ ଚିନ୍ତାକରୁଛି ,ଏହି ସମୟରେ ଶଶାଙ୍କର ଫୋନ ଆସିଲା ,ସେ ତାର ଭଲମନ୍ଦବୁଝି ବାକୁ ଫୋନ କରିଥିଲେ।
ନିଶା ଯେମିତି କହିଛି ତା ଦେହ ଭଲ ଲାଗୁନି ବୋଲି, ଆଉ ଘରେ ବିଜନ ନାହାଁନ୍ତି ସାଙ୍ଗେ ସାଙ୍ଗେ ଆସି ତାକୁ ହସ୍ପିଟାଲ ନେଇ ଡାକ୍ତରଙ୍କୁ ଦେଖାଇଲେ । ଡାକ୍ତର ସବୁ ଟେଷ୍ଟକରିକହିଲେ weakness ଯୋଗୁ ଏମିତି ହୋଇଛି ଠିକ୍ ରେ ନିଦ ହେଉନି ଆଉ କିଛି ଅସୁବିଧା ନାହିଁ ଟିକେ ଯଦି ହସ୍ପିଟାଲରେ ରହି ଯିବେ ତେବେ ଭଲ ହେବ ଆଜି ଟିକେ observation ରଖି ଦେଲେ ଠିକ୍ ଲାଗିବ ବୋଲି ମୁଁ ଭାବୁଛି ।
ସବୁ test ହେଲା କିଛି ଅସୁବିଧା ନାହିଁ ଏବେ ଘରକୁ ଫେରିଯିବ ତା ଯୋଗୁଁ ଶଶାଙ୍କ ମଧ୍ୟ ହଇରାଣ ହେଉଛନ୍ତି । ସିଏ ଏମିତି ଗୋଟେ ଲୋକ ଯେ ନିଜ ପାଇଁ କେବେ ହେଲେ ଚିନ୍ତା କରିବେନି ।ଅନ୍ୟ ପାଇଁ ଅତି ଯତ୍ନଶୀଳ । କାହାର କଷ୍ଟକୁ ସହି ପାରିବେନି ସେଇ ଗୁଣଟି ତ ତାଙ୍କୁ ପ୍ରଭାବିତ କରିଥିଲା । ଯେଉଁଥିପାଇଁ ସେ ସାରା ଜୀବନ ତାଙ୍କ ସହିତ କାଟିବା ପାଇଁ ଦୃଢ ନିଷ୍ପତି ନେଇଥିଲେ ।
ହେଲେ ମଣିଷ ଯାହା ଭାବେ ସେଇଟା ସବୁବେଳେ ତ ପୂରଣହୁଏ ନାହିଁ ନା...........
କଲେଜ ରେ ପଢୁଥିବା ବେଳେ ସେମାନେ ପରସ୍ପରକୁ ବହୁତ ଭଲ ପାଉଥିଲେ । ଶଶାଙ୍କଙ୍କ ବ୍ୟକ୍ତିତ୍ୱ, ପରିବାର ପ୍ରତି ଦାୟିତ୍ବ କର୍ତ୍ତବ୍ୟନିଷ୍ଠା,ସବୁ କିଛି ନିଶାକୁ ବିମୋହିତ କରି ଥିଲା।ଦୁଇଜଣଙ୍କ ପରିବାରଙ୍କ ସହମତି ଥିଲା ଉଭୟଙ୍କ ସମ୍ପର୍କରେ ।କିଛି ଦିନ ମଧ୍ୟରେ ସେମାନଙ୍କର ବିବାହ ହୋଇଥାନ୍ତା......
ହଟାତ ସବୁ କିଛି ଓଲଟ ପାଲଟ ହୋଇଗଲା । ଆକାଶଟା ଯେମିତି ଛିଣ୍ଡି ପଡ଼ିଲା ମୁଣ୍ଡ ଉପରେ। ଶଶାଙ୍କଙ୍କ ବଡ଼ଭାଇନା ଦୁଇତିନି ଦିନ ଜରରେ ପଡ଼ି ମୃତ୍ୟୁ ବରଣ କଲେ। ଆଉ ସବୁଠାରୁ ଦୁଃଖ ଦାୟକ ଘଟଣା ହେଲା ମାତ୍ର କିଛି ମାସ ତଳେ ସିଏ ବିବାହ କରିଥିଲେ।
ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଲେ ଶଶାଙ୍କ। ଘରର ସବୁ ଦାୟିତ୍ବ ପଡ଼ିଲା ତାଙ୍କ ଉପରେ ,ନନା ବୋଉଙ୍କୁ ସମ୍ଭାଳି ନେଲେ କୌଣସି ମତେ । ସବୁ ଠାରୁ ଅସଂମ୍ଭାଳ ଥିଲା ନୁଆ ବାହା ହୋଇ ଥିବା ବୋହୂ ଟିର ଅବସ୍ଥା । ଭଗବାନ ମଧ୍ୟ ଏ ଦୁଃଖ ସମୟରେ ଆଉ ଗୋଟିଏ ଜୀବନକୁ ଯୋଡ଼ି ଦେଲେ, ଭାଇନାଙ୍କର ସନ୍ତକଟିଏ ପୃଥିବୀର ଆଲୋକ ଦେଖିବାକୁ ଭାଉଜଙ୍କ କୋଳରେ ଅପେକ୍ଷା କରି ସାରିଥିଲା। କଣ ହେବ ସେମାନଙ୍କ ଅବସ୍ଥା । ଥଳକୂଳ ମିଳୁ ନ ଥିଲା ଶଶାଙ୍କଙ୍କୁ । ଯେଉଁ ଭାଇ ତାକୁ ଜୀବନଠାରୁ ଅଧିକ ଭଲ ପାଉଥିଲା ଯାହାର ସହଯୋଗ ଆଉ ପ୍ରେରଣାରେ ଆଜି ସେ ଗୋଟିଏ ଉଚ୍ଚପଦସ୍ଥ ଅଫିସର ହୋଇପାରିଛନ୍ତି,ସେଇ ଭାଇର ଅବର୍ତ୍ତମାନରେ ତାଙ୍କରି ସ୍ବପ୍ନର ପରିବାରକୁ ଅନ୍ଧାର ଭିତରେହଜି ଯିବାକୁ ଛାଡ଼ି ଦେଇ କଣ ଶାନ୍ତିରେ ରହି ପାରିବେ ସିଏ ?? କଣ କରିବ କାହାକୁ କହିବ,ଭାଉଜଙ୍କର ଏପରି ଅବସ୍ଥା ଦେଖି ତାଙ୍କ ଘର ଲୋକ ଆସି ତାଙ୍କୁ ନେଇ ଗଲେ ।ହେଲେ ସବୁ ବେଳେ କଣ ସେ ସେଠାରେ ରହିବା ଉଚିତ ହେବ ! ଏଠାକୁ ଆସିଲେ କଣ ପାଇଁ ଆସିବେ କିଏ ତାଙ୍କର ଦାୟିତ୍ଵ ନେବ କାଲି ପିଲାଟିଏ ହେବା ପରେକେମିତି ପାଳିବେ ତାକୁ । ଏମିତି ଭାବି ଚାଲିଥିଲେ ଶଶାଙ୍କ ,ବାପା ବୋଉଙ୍କର ଉଦାସୀନ ଚେହେରାକୁ ଦେଖି ତାଙ୍କୁ ଏବିଷୟରେ ପଚାରି ବାର ସାହାସ କୁଳଉ ନ ଥିଲା ।
ଥରେ ଭାଉଜଙ୍କୁ ଦେଖିବାକୁ ତାଙ୍କ ବାପ ଘରକୁ ଯାଇ ଥିଲେ ଶଶାଙ୍କ। ବିଚାରି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ନିଜ ପାଇଁ ନୁହେଁ ପେଟରେ ଥିବା ଛୁଆଟି ପାଇଁ । ତାଙ୍କୁ ଦେଖି ବହୁତ କାନ୍ଦିଲେ ,ଶଶାଙ୍କଙ୍କର ଇଚ୍ଛା ହେଉଥିଲା ଭାଉଜଙ୍କୁ ପଚାରିବେ ସେ କଣ ଚାହୁଁଛନ୍ତି ,ପିଲା ଜନ୍ମ ଗ୍ରହଣ କରିବା ପରେ ସେ କେଉଁଠି ରହିବେ ? କିନ୍ତୁ ସାହସ କରିପାରିଲେ ନାହିଁ।ଏତେ ଅଳ୍ପ ବୟସର ଝିଅଟିଏ ସାରାଜୀବନ କିପରି ବିତେଇବ ।ଭାଉଜଙ୍କର ବଡ଼ଭାଇନା ତାଙ୍କୁ ବୁଝେଇ ଦେଲେ ,ସିଏ ଆଉ କାହିଁକି ତୁମ ଘରକୁ ଯିବ ।ସେଠିକି ତାକୁ ଆଉ ଆମେ ଛାଡିବୁ ନାହିଁ। ଶଶାଙ୍କ ଭିତରେ ଭିତରେ ଭାଙ୍ଗିପଡ଼ିଲେ, ତାଙ୍କର ଏପରି ଅବସ୍ଥା ଦେଖି ନିଶାକୁ ମଧ୍ୟ ବହୁତ ଖରାପ ଲାଗୁଥାଏ ।
ଏହି ଭିତରେ ନିଶା ଗୋଟିଏ କଲେଜରେ ଅଧ୍ୟାପିକା ଭାବରେ ନିଯୁକ୍ତି ପାଇଲା । ନୁଆ ଚାକିରିରେ ଯୋଗ ଦେବାପୁର୍ବରୁ ନିଶା ଶଶାଙ୍କଙ୍କ ବାପା ବୋଉଙ୍କୁ ଦେଖା କରି, ତାଙ୍କ ଠାରୁ ଆଶୀର୍ବାଦ ନେବାକୁ ଯାଇଥାଏ । ସେଠାରୁ ଶଶାଙ୍କ ସହିତ ସାଙ୍ଗ ହୋଇ ଭାଉଜଙ୍କୁ ମଧ୍ୟ ଦେଖା କରିବାକୁ ତାଙ୍କ ଘରକୁ ଗଲେ। ନିଶାଙ୍କୁ ଦେଖି ଭାଉଜ ନିଜ ଦୁଃଖକୁ ପ୍ରକାଶ ନକରି ଖୁସିରେ ଆଶୀର୍ବାଦ କରି ଥିଲେ ସେମାନଙ୍କୁ। ନିଶା କିନ୍ତୁ ଦେଖି ପାରୁଥିଲା ତାଙ୍କ ମନର ଦୁଃଖକୁ ହତାସକୁ। ଭାଉଜଙ୍କର ସେଇ ବିଧବା ବେଶ ତା ପାଇଁ ଅସହ୍ୟ ହେଉଥିଲା ।
ଭାଉଜଙ୍କର ବଡ଼ ଭାଉଜଙ୍କୁ ଶଶାଙ୍କ କହିଥିଲେ କାହିଁକି ତାଙ୍କୁ ଏମିତି ଧଳାଶାଢ଼ୀ ପିନ୍ଧିବାକୁ ଦିଆଯାଇଛି।ସେ ପୂର୍ବ ଭଳି ଚୁଡ଼ି କିମ୍ବା ଶାଢ଼ୀ ପିନ୍ଧିବାରେ ଅସୁବିଧା କଣ ? ଏମିତି ରୂପରେ ତାଙ୍କୁ ଦେଖି ବାକୁ ଭଲ ଲାଗୁନାହିଁ । ତାଙ୍କ ବଡ଼ ଭାଉଜ କହିଲେ ଆଉ ସିଏ ସେମିତି ପିନ୍ଧି ପାରିବ ନାହିଁ, ହଁ ଯଦି କେହି ଆଉ ଥରେ ଚୁଡ଼ି ସିନ୍ଦୂର ପିନ୍ଧାଇ ଦିଏ ତା ହେଲେ ସିଏ ପୁଣି ଥରେ ପିନ୍ଧିବ । ଏଇ କଥା ଶୁଣି ଶଶାଙ୍କ ଚୁପ୍ ରହିଲେ କିନ୍ତୁ, ନିଶା ମନରେ ସେଇ କଥାଟା ଯେମିତି କିଛି ଗୋଟେ ହଲଚଲ ସୃଷ୍ଟି କରିଦେଲା।
ନିଶା ସେଠାରୁ ଫେରି ଆସିବା ପରେ ଶଶାଙ୍କଙ୍କୁ ଭାଉଜଙ୍କର ଦିତୀୟ ବିବାହ ବିଷୟରେ ଭାବିବା ଉଚିତ ବୋଲି କହିଲା। ଶଶାଙ୍କ କହିଲେ” ମୁଁ କଣ ସେ ବିଷୟରେ ଚିନ୍ତା କରିନି ନିଶା ,ହେଲେ ଏଇଟା ଅସମ୍ଭବ ।ଏ ପ୍ରସ୍ତାବରେ କେହି ଜଣେ ମଧ୍ୟ ରାଜି ହେବେ ନାହିଁ । ଆଉ କିଏ ଅଛି ଯେ ଜାଣି ଜାଣି ଗୋଟିଏ ବିଧବାକୁ ବିବାହ କରିଵ ସିଏ ପୁଣି ପୁର୍ବରୁ ଅନ୍ତଃସତ୍ଵା । ତା ପରେ ଯଦି ବା ଜଣେ ଭାଉଜଙ୍କୁ ବିବାହ କରିଲା ସିଏ ତାଙ୍କ ସହିତ ଗଲା ପରେ ଆମେ ଭାଇନାଙ୍କର ସନ୍ତକକୁ ହରାଇବୁ। ସେମିତି କିଛି ମାନେ ନାହିଁ ସେଠାରେ ଭାଉଜଙ୍କ ସହିତ ପିଲାଟିକୁ ସେମାନେ ଭଲ ଭାବରେ ଗ୍ରହଣ କରିବେ । ଏସବୁ ଶୁଣି ନିଶା ଚୁପ୍ ରହିଲା।କିନ୍ତୁ ତା ମନ ଭିତରେ ଯେମିତି ଭାଉଜଙ୍କ ସେଇ ବିବର୍ଣ୍ଣ ରୂପ ବାରମ୍ବାର ଭାସି ଆସି ତାକୁ ବ୍ୟତିବ୍ୟସ୍ତ କରି ପକାଉଥିଲା ।
କଣ କରିବ ସିଏ, କାହାକୁ ପଚାରିବ ଏହାର ସମାଧାନର ସୂତ୍ର କଣ........
ସବୁ ବେଳେ ଉଦାସ ରହୁଥିବା ଦେଖି ନିଶାକୁ ମା ତାର ବ୍ୟସ୍ତ ହୋଇ ପଚାରିଲେ "କଣ ହୋଇଛି ତୋର ?
ନିଶା ମା ଆଗରେ ସେଇ କଥା କହିଲା-କଣ କଲେ ଶଶାଙ୍କଙ୍କର ଭାଉଜ ପୁଣିଥରେ ନୂଆ ଜୀବନ ଆରମ୍ଭ କରି ପାରିବେ ?
ମା କହିଲେ ଯଦି ତାଙ୍କର ବନ୍ଧୁ ବାନ୍ଧଵରେ କେହି ପୁଅ ସ୍ଵ ଇଚ୍ଛାରେ ବିବାହ କରନ୍ତେ ତେବେ ଏଇ ସମସ୍ୟାଟି କିଛି ମାତ୍ରାରେ ସମାଧାନ ହୋଇଯାଆନ୍ତା ।
"କେତେଥର ଏମିତି ହୁଏ ଯଦିକାହାର ଦିଅରଟିଏ ଥାଏ ତେବେ ତାକୁ ବାହା ହୋଇ ଘରର ବୋହୂ ଘରେ ରହିଯାଏ।
ନିଶା ଭାବିଲା ଯଦି ଶଶାଙ୍କ ଆଉ ସିଏ ବାହା ହେବା ପାଇଁ ଠିକ୍ କରିନଥାନ୍ତେ ତେବେ.....କିଛି ନିଶ୍ଚୟ କରି ହେଇଥାନ୍ତା । ଏବେ ତ ତାହା ସମ୍ଭବ ନୁହେଁ।
ଦୀର୍ଘନିଶ୍ୱାସଟିଏ ବାହାରିଗଲା ନିଶାର, କିଛି ନ କରି ପାରିବାର ଦୁଃଖରେ । ଏଇ ଭିତରେ ନିଶା କଲେଜ୍ ରେ ଜଏନ କରି ଥାଏ। ଶଶାଙ୍କ ଘରେ ରହି ଭୁବନେଶ୍ୱରକୁ ଯିବା ଆସିବା କରି ଅଫିସ କରୁଥାନ୍ତି । ନିଶା କଲେଜରେ ଦେଖା ହେଲା ପିଲା ଦିନର ସାଙ୍ଗ ବିଜନ ସହ। ବିଜନ ତା ଭଉଣୀର ଆଡ଼ମିସନ କରିବା ପାଇଁ ଆସିଥାଏ। ଭାଇ ଭଉଣୀ ଦୁଇ ଜଣ ଖୁସି ହୋଇଗଲେ ନିଶାକୁ ଦେଖି ,କଟକରେ ନିଶାର ବାପା ଚାକିରୀ କଲା ବେଳେ ସେମାନେ ଗୋଟିଏ ସାହିରେ ରହୁଥିଲେ ।ଦୁଇ ପରିବାର ମଧ୍ୟରେ ନିବିଡ ସମ୍ପର୍କ ଥିଲା।
ତା ପରେ ତା ବାପାଙ୍କର ବଦଳି ହୋଇ ଗଲା ଅନ୍ୟ ଏକ ସହରକୁ। ଆଉ ସେଇ ଦିନଠାରୁ ଦେଖି ନଥିଲେ ମଧ୍ୟ ଚିହ୍ନି ପାରିଥିଲେ ପରସ୍ପରକୁ। ସମସ୍ତଙ୍କ ଭଲ ମନ୍ଦ ବୁଝି ନିଶା ସେମାନଙ୍କୁ ତା ଘର ,ଭୁବନେଶ୍ୱର ଆସିବା ପାଇଁ ନିମନ୍ତ୍ରଣ କଲା। ବିଜନ ସେଇ କଟକରେ ରହି ବ୍ୟବସାୟ କରୁ ଥାଏ, ପୁଣି ଥରେ ଦୁଇ ପରିବାର ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ ହୋଇ ଯାଇଥିଲା ।
ଛୁଟି ହେଲେ ନିଶା ଘରକୁ ଶଶାଙ୍କ ଆସନ୍ତି ଦେଖା କରିବାକୁ ।ଆସିଲେ ଅନେକ ସମୟ ପର୍ଯ୍ୟନ୍ତ ବସି ଗପନ୍ତି । ବ୍ୟସ୍ତ ହୋଇ କହନ୍ତି ନିଶା ଭାଉଜଙ୍କର ଡେଲିଭରୀ ହେଲା ପରେ ମୁଁ ତାଙ୍କୁ ଘରକୁ ନେଇ ଆସିବି। ନିଶା ଶଶାଙ୍କଙ୍କ ଦୁଃଖକୁ ବୁଝେ। ତାଙ୍କୁ ଆସ୍ବାଶନା ଦିଏ ।”କିଛି ତ ଗୋଟେ କରିବାକୁ ହବ ,ଭାଉଜଙ୍କ ପାଇଁ।
ଦିନେ ଶଶାଙ୍କ ଆଉ ନିଶା ବସି କଥାହେଉ ହେଉ କହିଲେ ଜାଣିଛ ନିଶା " ମୁଁ ଗୋଟିଏ ଦିନ ରାତିରେ ସ୍ବପ୍ନ ଦେଖିଲି କି ଭାଇମୋତେ କହୁଛନ୍ତି ଯେ "ଭାଉଜକୁ ତୁ ଘରକୁ ଫେରାଇ ଆଣିବୁ ଯେମିତି ,ନ ହେଲେ ମୁଁ ଶାନ୍ତି ପାଇବିନିରେ । ଆମ ବାହାଘର ପରେ ସେ ପିଲାର ସବୁ ଦାଇତ୍ଵ ଆମେ ନବା ନା କଣ କହୁଛ?? ନିଶା ଅନ୍ୟମନଷ୍କ ଭାବେ ନିଶା ହଁ କହିଲା, କିନ୍ତୁ ତା ପରେ ଭାବେ ଖାଲି ପିଲାଟି କଥା ବୁଝି ଦେଲେ କଣ ଏଇ ସମସ୍ୟା ଦୂର ହୋଇଯିବ। ଭାଉଜ କେମିତି ଆସି ଏଇ ଘରେ ରହିବେ ଭାଇନାଙ୍କ ବିନା।
ହଟାତ ତା ପାଟିରୁ ଅସ୍ପଷ୍ଟ ଭାବରେ ବାହାରି ଗଲା “ଶଶାଙ୍କ ତୁମେ ଭାଉଜଙ୍କୁ ବାହା ହୋଇ ଯାଅ । ପର ମୁହୂର୍ତ୍ତରେ ନିଶା ଗାଲରେ ଗୋଟାଏ ଶକ୍ତ ଚଟକଣା ଆସି ବାଜିଲା ।
'ନିଶା ତୁମେ କଣ କହୁଛ ନିଜେ ଜାଣି ପାରୁଛ ତ ? ନା ପାଗଳ ହୋଇ ଯାଇଛ “ କହି ରାଗରେ ଉଠି ପଳାଇ ଗଲେ ଶଶାଙ୍କ।
ନିଶା ମନେ ମନେ କହେ ତମେ ସିନା ଏବେ ମୋ କଥା ବୁଝି ପାରୁନ ହେଲେ ଯେଉଁ କଥା ତୁମକୁ ରାତିଦିନ ଶାନ୍ତିରେ ରଖେଇ ଦଉନି ତାର ସମାଧାନ କରିବାକୁ ଏଇ ଗୋଟିଏ ଉପାୟ ଠିକ୍ ହେବ।
ଶଶାଙ୍କ ଆଉ ରାଗରେ ଆସୁନାହାନ୍ତି।ନିଶା ମନ ଭିତରେ ଦୁଃଖୀ ହେଲେବି ,ବାହାରକୁ ସ୍ଵାଭାବିକ ହେବାକୁ ଚେଷ୍ଟା କରୁଛି। କଲେଜରୁ ଫେରିଲା ବେଳେ ପ୍ରାୟ ସମୟ ଦେଖା ହୁଏ ବିଜନ ସହିତ ,ସୀମାକୁ ନେବାକୁ ଆସିଥାଏ ବେଳେ ବେଳେ ତିନି ଜଣ ମିଶି କଫି ପିଅନ୍ତି । ନିଶାକୁ ବସଷ୍ଟପ୍ ରେ ଛାଡ଼ି ସେମାନେ ଘରକୁ ଫେରନ୍ତି। ବିଜନ ର ବ୍ୟବହାର କଥାବାର୍ତ୍ତା ବହୁତ ଭଦ୍ର। ମୁହଁ ଉପରେ ନ କହିଲେ ମଧ୍ୟ ବିଜନ ଯେ ତାକୁ ପସନ୍ଦ କରେ ଏ କଥା ଲକ୍ଷ୍ୟ କରେ ନିଶା। ବେଳେ ବେଳେ ସୀମା ନିଶାକୁ ବାହାଘର ବିଷୟରେ ପଚାରେ ଦିଦି ଆଉ କେବେ ବାହା ହେଉଛ ?? ପ୍ରସ୍ତାବ ତ ଆସୁଥିବ ନା ଠିକ୍ ହେଇ ସାରିଛି !!
କିଛି କହି ପାରେନି ନିଶା ,ଯେଉଁ ପରିସ୍ଥିତି ଦେଇ ସେମାନେ ଗତି କରୁଛନ୍ତି ତାକୁ ସମସ୍ତଙ୍କୁ କହି ହବନି।କେବଳ ହସି ଦିଏ ସୀମା କଥାରେ।
ହଟାତ ଦିନେ ଝଡପରି ଆସି ପହଞ୍ଚିଲା ଶଶାଙ୍କ ,ଆଉ କହିଲା ମୋର ଭୁଲ ହୋଇଛି ନିଶା ସେଦିନ ରାଗରେ ମୁଁ ତୁମ ଉପରକୁ ହାତଉଠେଇ ଦେଲି ମୋତେ କ୍ଷମା କରିଦିଅ । ତମେ ଯେଉଁ କଥା କହିଲ ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ପାରୁନି।
ନିଶା କହିଲା ,ମୁଁ କିଛି ଭାବୁନି ।ତୁମ ଯାଗାରେ ମୁଁ ଥିଲେ ମଧ୍ୟ ସେଇଆ କରିଥାନ୍ତି। ହେଲେ ତୁମେ ଟିକେ ଥଣ୍ଡା ମନରେ ଭାଵ ଆମେ ବାହା ହୋଇ ସଂସାର କରିବା ।ଭାଇନାଙ୍କ ସନ୍ତକ ଭାବି ପିଲା ଟିକୁ ଆପଣେଇ ନେବା। ଏଇଟା ଗୋଟେ ସମାଧାନ ନୁହେଁ। ଭାଉଜଙ୍କ କଥା ଭାଵ ସିଏ କାହା ଭରସାରେ ଆସି ତୁମ ଘରେ ରହିବେ ।!!
କଣ ପାଇଁ ରହିବେ !!! ସିଏ ତୁମ ଘରକୁ ଆସିବେ କେଉଁ କାରଣରୁ ?
ଆଉ ଆମ କଥା ଚିନ୍ତା କର !!
ଆମେ ବାହା ହୋଇ ସେଠି ରହିବା ଆମେ ଦୁହିଁଙ୍କ ଖୁସିଟା କଣ ଏ ସାରା ଦୁଃଖକୁ ଦୂର କରିଦବ । ତୁମେ ଭାଵ ଯଦି ତୁମେ ଭାଉଜଙ୍କୁ ବିବାହ କରିବ ସେ ଖୁସି ଖୁସି ଘରକୁ ଫେରି ଆସିବେ ତେବେସେ ଖୁସି ଆଗରେ ଆମ ବୈଵାହିକ ଜୀବନର ସୁଖ ର କିଛି ମୂଲ୍ୟ ନାହିଁ...। ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଭାଉଜଙ୍କୁ ସେ ପୁର୍ବ ଅବସ୍ଥାକୁ ଫେରେଇ ଆଣି ପାରିବା କି ?? କେବଳ ତୁମେ ଯଦି ପାରିବ ତ ସବୁ ଠିକ୍ ହୋଇ ଯିବ। ଶଶାଙ୍କ ଆଖିରୁ ଲୁହ ବହି ଯାଉଥାଏ।କେମିତି ନିଶା ଏତେ ସବୁ କଥା କହି ପାରୁଛି।
ନିଶା ତମେ କେଉଁ ଧାତୁରେ ଗଢ଼ା!! ଆମର ଏତେ ଦିନର ସମ୍ପର୍କକୁ ଭୁଲିବାକୁ କହିଲା ବେଳେ ତୁମକୁ ଦୁଃଖ ହଉନି?
ଦୁଃଖ ହଉଛି...ବହୁତ ,କିନ୍ତୁ ଆମ ଦୁଃଖ ଠାରୁ ଭାଉଜଙ୍କ ଦୁଃଖର ଓଜନଟା ମୋ ମନକୁ ଶକ୍ତ କରି ଦେଇଛି ଶଶାଙ୍କ। ଖାଲି ଭଲ ପାଇ ବିବାହ କରି ଦେଲେ ତୁମର ପ୍ରେମ ସାର୍ଥକ ହୋଇ ଯାଏନି ପ୍ରେମରେ ତ୍ୟାଗ କରି ହରାଇବା ପାଇବା ଠାରୁ ଢେର ସୁଖ ଦେଇଥାଏ।
ମୁଁ ତୁମକୁ ବାହା ହେବାର ସ୍ବପ୍ନ ଦେଖିଥିଲି। କିନ୍ତୁ ସେଇ ସ୍ବପ୍ନ ମୋତେ ଏବେସୁଖ ନୁହେଁ ଦୁଃଖ ଦେଉଛି। ହେଲେ ଭାଉଜ ଆମ ସମ୍ପର୍କ ବିଷୟରେ ଜାଣିଛନ୍ତି ସେ କଣ ରାଜି ହେବେ।"କହିଲେ ଶଶାଙ୍କ - ତୁମେ ଆଗ ତୁମମନକୁ ଦୃଢ କର ତା ପରେ ଭାଉଜଙ୍କୁ ରାଜି କରେଇବାକୁ ଚେଷ୍ଟା କରିବା।"
ଶଶାଙ୍କ ସେଦିନ ନିଶା ପାଖରେ ଅଧୈର୍ଯ୍ୟ ହୋଇ କାନ୍ଦିଲେ କିନ୍ତୁ ନିଶା ମନରେ ଯେମିତିକେଉଁ ଯୁଗର ଶାନ୍ତି ବିରାଜୁ ଥିଲା। ଯେମିତି ଶଶାଙ୍କ ଯାଇଛନ୍ତି ନିଶାର ଆଖିରୁ ଲୁହ ଆଉ ବାଡ଼ବତା ମାନିଲାନି ।ବହୁତ କାନ୍ଦିଲା ମନ ଭିତରେ ଥିବା ଦୁଃଖ ଲୁହ ହୋଇ ବୋହି ଗଲା ପରେ ,ପୁଣି ସ୍ଵାଭାବିକ ହେବା ପାଇଁ ଚେଷ୍ଟା କଲା।
ନିଶା ଦିନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କହିଲା, ସେ ବିଜନଙ୍କୁ ବିବାହ କରିବାକୁ ଚାହେଁ। ଶଶାଙ୍କ ସହିତ ଆଉ ତାଙ୍କର କିଛି ସମ୍ପର୍କ ନାହିଁ। ସେଇ ଅଳ୍ପ ଦିନରେ ନିଶା ସହିତ ବିଜନର ବିବାହ ହୋଇଗଲା । ଯେଉଁ ଦିନ ଶଶାଙ୍କକୁ କାର୍ଡ ଦବାକୁ ଯାଇଥିଲା ସେଦିନ ଶଶାଙ୍କ ନିଶାକୁ କହିଥିଲେ, ଆମ ଘରର ଖୁସି ପାଇଁ ତୁମେ କେତେ ବଡ଼ ତ୍ୟାଗ କରି ଦେଲ। ମୁଁ ସବୁ ଦିନ ତୁମ ପାଖରେ ୠଣୀ ହୋଇ ରହିବି ନିଶା । ଆମ ଭିତରେ ସେଇ ପୂର୍ବର ବନ୍ଧୁତା ଅତୁଟ ହୋଇ ରହିଥିଵ । ନିଶା କହିଲା ମୋର ଆଉ ଗୋଟିଏ କାମ କରିବାକୁ ଅଛି। ମୁଁ ଆସିବି । ବାହାଘର ପରେ ନିଶା ବିଜନଙ୍କୁ ନେଇ ଶଶାଙ୍କ ଘରକୁ ଯାଇ ଥିଲା। ସେଠାରୁ ସେମାନେ ଭାଉଜଙ୍କ ଘରକୁ। ଏ ଭିତରେ ଭାଉଜଙ୍କର ପୁଅ ଟିଏ ହୋଇଥାଏ।
ନିଶା ସେଠାରେ ଭାଉଜଙ୍କୁ ଆଉ ଥରେ ଶଙ୍ଖା ସିନ୍ଦୂର ପିନ୍ଧାଇ ଦେବାକୁ ଶଶାଙ୍କଙ୍କୁ କହିଥିଲା। ସାଙ୍ଗରେ ନେଇ ଥିବା ଶାଢ଼ୀ ଶଙ୍ଖା ଆଉ ସିନ୍ଦୂର ଦେଇ ପୁଣି ତୁମଘରକୁ ଫେରି ଆସବୋଲି ଭାଉଜ ଅନୁରୋଧ କଲା। ସେଇ କଥା ହେଲା ଶଶାଙ୍କ ଭାଉଜଙ୍କୁ ବିବାହ କରି ସବୁଦିନ ପାଇଁ ଭାଇଙ୍କ ସନ୍ତକକୁ ଘରକୁ ନେଇ ଆସିଲେ।
ନିଶା ବିବାହ ପୁର୍ବରୁ ନିଜେ ବିଜନକୁ ସବୁ କଥା କହିଥାଏ। ଏଥିରେ ତାର କୌଣସି ଦୁଃଖ ଵା ଅନୁଶୋଚନା ନାହିଁ ବରଂ ଗୋଟିଏ ଅସହାୟ ମା ଆଉ ପିତୃହୀନ ସନ୍ତାନର ଉତ୍ତରଦାୟିତ୍ୱକୁ ଉପଯୁକ୍ତ ନ୍ୟାୟ ଦେଇ ଥିବା ନିଶା ପ୍ରତି ବିଜନର ସମ୍ମାନ ବଢ଼ି ଯାଇଥିଲା।
ଭାଉଜ ମଧ୍ୟ ସେତେବେଳେ ଜାଣିଲେ, ହଟାତ କାହିଁକି ନିଶା ଶଶାଙ୍କ ପ୍ରଗାଢ ଭଲ ପାଇବାକୁ ଭୁଲି ବିଜନକୁ ବିବାହ କରିଥିଲେ।ଆଉ ତା ପରେ ଦୁଇଜଣଙ୍କ ପ୍ରତି ତାଙ୍କ ମନରେ ସମ୍ମାନ ଆଉ ସ୍ନେହଶ୍ରଦ୍ଧା ଦୁଇ ଗୁଣା ହୋଇଗଲା।
ନିଶା ଆଉ ଶଶାଙ୍କ ପୁର୍ବପରି ଉତ୍ତମ ବନ୍ଧୁ ହୋଇରହିଛନ୍ତି।
ଏତିକି ବେଳକୁ ଶଶାଙ୍କ ଆସି ଡାକିଲେ ନିଶା ଆସ ଟିଫିନ କର ,ତା ପରେ ଘରକୁ ଯିବା।
ତୁମକୁ ଛାଡ଼ି ଦେଲେ ମୁଁ ଅଫିସ ବାହାରିଵି।...