Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pramod Kumar Jena

Drama Tragedy

3  

Pramod Kumar Jena

Drama Tragedy

ପଥର ହୋଇଲେ କରିବ ଘର

ପଥର ହୋଇଲେ କରିବ ଘର

5 mins
499



       ଏ ସଂସାର ବଡ ବିଚିତ୍ର । ମଝିଆ ପୁଅ ଜ୍ଞାନ ସାଥିରେ ବ୍ୟାଙ୍କ୍ ଯାଇଥିଲେ ପେନସନ୍ ଆଣିବା ପାଇଁ । ଆଗ ଏ.ଟି.ଏମ୍ କାର୍ଡ୍ ନେଇ ଟଙ୍କା ଉଠୋଉଥିଲେ ।ହେଲେ ଯେଉଁ ଦିନ ଜାଣିଲେ ନାତି ଟୋକା ବି ଏ.ଟି.ଏମ୍.ରୁ କିଛି ପାର୍ କରିଦେଇଛି, ଭରସା ଉଠିଗଲା । ତା’ ପରଠାରୁ ନିଜେ ବ୍ୟାଙ୍କ୍ ଯାଇ ଟଙ୍କା ଉଠୋଉଛନ୍ତି । ମୀନା ବାପାଙ୍କ ଯିବାର 20 ବର୍ଷ ହୋଇଗଲାଣି । ଏବେ ଯେତିକି ପେନସନ୍ ପାଉଛନ୍ତି, ମୀନା ବାପା ଚାକିରି କାଳେ ତା’ ଅଧାରୁ ଆଧା ବି ପାଉ ନ ଥିଲେ । ତେବେ ପେନସନ୍ ଗଣ୍ଡାକରେ ସମସ୍ତଙ୍କର ଆଖି । ନାତି ନାତୁଣୀଙ୍କ ଠାରୁ ଆରମ୍ଭ କରି ପୁଅ ଝିଅ ପର୍ଯ୍ୟନ୍ତ  ହେଲେ ହୀରାମଣିଙ୍କର ସେଥିରେ ଖୁସି । ଗୋଟିଏ ପଇସା ନିଜ ପାଇଁ ରଖନ୍ତିନି । ଭାବନ୍ତି, ପେନସନ୍ ଗଣ୍ଡାକ ତ ମୀନା ବାପାଙ୍କର କର୍ମ ଫଳ । ଏ ସଂସାର ତ ତାଙ୍କରି । ସେ ସିନା ଚାଲିଗଲେ । ତାଙ୍କ ଯୋଗୁଁ ଏ ବୁଢୀ ବୟସରେ ପେନସନ୍ ଗଣ୍ଡାକ ପାଉଛନ୍ତି । ପୁଅଝିଅଙ୍କୁ ମଣିଷ କଲେ । ସମସ୍ତଙ୍କ ଜଞ୍ଜାଳ ତୁଟେଇ ଆରପାରିକୁ ଚାଲିଗଲେ । ଗଲାବେଳକୁ ଛାଡିଗଲେ ଏତେ ସମ୍ପତ୍ତି ଯେ ଖାଇଲେ ସରିବ ନାହିଁ । ପେନସନ୍ ଟଙ୍କାଟା ଜ୍ଞାନ ହାତକୁ ବଢେଇଦେଲେ, ତାଙ୍କ ହାତବାକ୍ସରେ ରଖି ଦେବାକୁ । ତାଜା ଉପରୁ ପୁଅ ବାକ୍ସଟି ଖୋଲି ଦେଖିଲେ ବୋଉ ପର୍ସରେ ଆହୁରି ଅଢେଇ ହଜାର ଟଙ୍କା ପଡିଛି । ସବୁ ମିଶି ଦଶ ହଜାର ଟଙ୍କା ହେଲା । ବାକ୍ସଟିକୁ ନେଇ ରଖିଦେଲେ ତାଜା ଉପରେ । ଆଉ କ’ଣ ବୟସ ଅଛି ହୀରାମଣିଙ୍କର । କିଛି ବାଟ ଚାଲିଗଲେ ହାଲିଆ ଲାଗୁଛି । ବିଛଣା ଉପରେ ଟିକେ ଗଡି ପଡିଲେ । ମନେ ମନେ ହିସାବ କରୁଥାନ୍ତି, ଏଥର କାହାକୁ ଦେବେ ? ଆରଥର କିଏ ବାଦ୍ ପଡିଥିଲା ? ପେଣ୍ଡି କାନ ଫୁଲ ଦୁଇଟା ଭାଙ୍ଗି ଯାଇଛି । ବଦଳେଇଲେ ବି ହେବ । କେତେ ପଇସା ଲାଗିବ କେଜାଣି ? ତାଙ୍କ କାଳେ ସିନା ବଣିଆ ମଜୁରୀ ନେଇ ଗଢେଇ ଦେଉଥିଲା । ଆଜିକାଲି ତ ଦୋକାନ ହେଲାଣି । ବଡ ପୁଅ ପାଖକୁ ଗଲେ ଭୁବନେଶ୍ୱରରେ ବଦଳେଇଦେବେ । ଏମିତି ଭାବୁ ଭାବୁ କେତେବେଳେ ନିଦ ଆସିଯାଇଛି ଜାଣିପାରିଲେନି ।

***   ***   ***   ***   ***   ***

       ଏଠି ମଝିଆପୁଅ ଜ୍ଞାନ ନୂଆ ଘର କରିଛି । ଘରେ ବୋଲି ଲୋକ ତିନି ଜଣ । ପୁଅ, ବୋହୁ ଆଉ ନାତି । ବେଳେ ବେଳେ ବୋହୁର ଭାଇ ଆସେ ସାହାଯ୍ୟ କରିବା ପାଇଁ । ଝିଅମାନେ ଆସିଲେ ଟିକେ ବେଶି ଖୁସି ଲାଗେ ହୀରାମଣିଙ୍କୁ । ହେଲେ ସେମାନେ ଆଜିକାଲି ବେଶି ଆସୁ ନାହାନ୍ତି । ଆଜିକାଲିକା ନଣନ୍ଦ ଭାଉଜ । ତାଙ୍କ କାଳ କ’ଣ ଆଉ ଅଛି ? ଗପୁ ଗପୁ ରାତି ପାହି ଯାଉଥିଲା । ହେଲେ କଥା ସରୁ ନ ଥିଲା । ଭାଉଜ ତ ନୁହେଁ, ସାଙ୍ଗ ଠାରୁ ବଳି । ସେମାନେ ବି ଚାଲିଗଲେଣି । ଖାଲି ସେ ହିଁ ତାଙ୍କ ପୀଢିର ବାକି ରହିଛନ୍ତି । ଆଜିକାଲି ପଛ କଥା ବେଶି ମନେ ପଡୁଛି ତାଙ୍କର । ୟାଡୁ ସ୍ୟାଡୁ ଭାବିବାରୁ କୁଆଡେ ତାଙ୍କୁ ବି.ପି. ହୋଇଯାଇଛି ବୋଲି ବଡ ପୁଅ ଶିବ କହୁଥିଲା । ଆରେ ହଁ । ଔଷଧ ସରିଗଲାଣି । ଏକା ସାଙ୍ଗରେ ଦୁଇ ମାସର ଔଷଧ ନେଇ ଆସିବ । ଜ୍ଞାନକୁ କହିଲେ ବାକ୍ସଟା ଟିକେ ତଳକୁ ଦେ । ଟଙ୍କା କାଢିବା । ବାକ୍ସଟା ବୋଉ ବଢେଇ ଦେଇ ଜ୍ଞାନ କହିଲା, ନେ ବୋଉ । ତୋ ଟ୍ରେଜେରୀ । ମୋତେ ତ ଦେଖାଯାଉନି । ତୁ ବାହାର କରି ଦେ । ପାଞ୍ଚ ଶହ ଟଙ୍କା ତୁ ନେଇ ଯା’ । ବାକ୍ସ ଭିତରୁ ପର୍ସଟି ବାହାର କରି ମଝିଆ ପୁଅ ଚମକି ପଡିଲେ । ଆରେ ପାଞ୍ଚ ହଜାର ଟଙ୍କା କ’ଣ ଅଛି ? ବୋଉ ତୁ କାହାକୁ ଦେଲୁ କି ?

       : ନାଇଁରେ ପୁଅ । ମୁଁ କାହାକୁ ଦେବି ? ମୋର କ’ଣ ହାତ ପାଉଛି ବାକ୍ସକୁ ? ତୁ ପରା ପର୍ ଦିନ ଗଣିକି ଥୋଇଲୁ ? ଏତେ ଗୁଡିଏ ଟଙ୍କା ଯିବା ଦେଖି ଟିକେ ବଡ ପାଟି ହୋଇଗଲା । ଆଲୋ ମୋ ଟଙ୍କା ନେଲା କିଏ ? କିଏ ଆସିଥିଲା ? କିଏ ବାକ୍ସ ଖୋଲିଲା ? ପାଟି ଟିକେ ଜୋର ହେବାରୁ ଘର ଭିତରୁ ବୋହୁ ବାହାରି ଆସିଲା । ପଦରୁ ଦି ପଦ, ଦି ପଦରୁ ଚାରି ପଦ । ଆରମ୍ଭ ହୋଇଗଲା ମହାଭାରତ ।

 ***  ***   ***   ***   ***   ***

ଘରେ ସମସ୍ତଙ୍କୁ ପଚରାଗଲା । କିନ୍ତୁ ସମସ୍ତଙ୍କର ସେହି ଏକା ଉତ୍ତର । ଆମେ କେହି ବାକ୍ସରେ ହାତ ଦେଇନୁ । କେହି ତ ହାତ ଦେଇ ନାହାନ୍ତି । ଟଙ୍କାଟା କ’ଣ ଶୂନ୍ୟରେ ଉଭାନ ହୋଇଗଲା ? ଜ୍ଞାନ ମୁଣ୍ଡରେ କିଛି ପଶୁ ନ ଥିଲା । ଏତେ ଗୁଡିଏ ଟଙ୍କା । କିଏ ନେଲା ? କାହାକୁ ଦୋଷ ଦେବେ ? ବୋଉର ତ ବି.ପି. ବଢିଯିବ । ହଠାତ୍ ପୁଅର ଖଟ ଉପରେ ନଜର ପଡିଲା । ଖଟ ତଳେ ଟଙ୍କା ଭଳି କ’ଣ ଗୋଟେ ଦେଖା ଯାଉଥିଲା । ପାଖକୁ ଯାଇ ଦେଖନ୍ତି, ଦୁଇ ହଜାର ଟଙ୍କିଆଟା ଖଟ ତଳେ କାନ୍ଥକୁ ଲାଗି ମୋଡି ହୋଇ ପଡିଥିଲା । ତା’କୁ ଦେଖି ଜ୍ଞାନର ଛାତିରୁ ଯେମିତି ରକ୍ତ ଶୁଖିଗଲା । ସେ ଲଥ୍ କରି ବସିପଡିଲା । ତକିଆଟାକୁ ଖଟ ବାଡାକୁ ଆଉଜେଇ ବସି ପଡିବ ଭାବିବା ବେଳକୁ ତକିଆ ତଳେ ଆଉ ଦୁଇ ହଜାର ଟଙ୍କାର ନୋଟ୍ । ଜ୍ଞାନ ଜାଣିଗଲେ କାହାର କାମ ଇଏ ।

***   ***   ***   ***   ***   ***

ବୋହୁ ନ ଥିବା ବେଳେ ଚୁପ୍ ଚାପ୍ ବୋଉକୁ ଯାଇ କହିଲେ, ‘ଦେଖ ବୋଉ ! ତୋ’ର ଯେତିକି ଟଙ୍କା ଯାଇଛି, ମୁଁ ଦେଇ ଦେବି । ହେଲେ ତୁ ମୋ ପୁଅକୁ ଚୋର ବୋଲି ସନ୍ଦେହ କରିବୁନି । ଯଦି ଚୋର ଆସିଥାନ୍ତା, ସେ କ’ଣ ଗଣିକି ପାଞ୍ଚ ହଜାର ଟଙ୍କା ନେଇଥାନ୍ତା ? ଆର ବାକିତକ ଛାଡି ଦେଇଥାନ୍ତା ଖର୍ଚ୍ଚ କରିବା ପାଇଁ ? ’ 

: କେହି ତ ନେଇନ ? ତା’ହେଲେ କ’ଣ ଭଗବାନ ଆସି ନେଇଗଲେ ? ମନକୁ ମନ ଗୁଣୁ ଗୁଣୁ ହେଉଥାନ୍ତି, ହୀରାମଣି ।

ଶେଷ କଥା ପଦକ ପଡିଗଲା ବୋହୁର କାନରେ । ଆଉ କିଏ ସମ୍ଭାଳେ ? ପୁରା ରଣଚଣ୍ଡୀର ରୂପ । ଭରତପୁର ଝିଅ ଭାଇ । ଆଜି ସେ ପ୍ରଳୟ କରିବ । ଖାଇବାକୁ ଦେଇ ଘରେ ରଖିଥିଲେ କ’ଣ ତା’କୁ ଚୋର କହିବେ ବୋଲି ? ନାଃ.......। ଆଜି ଯେମିତି ହେଲେ ଫଇସଲା ହୋଇଯାଉ ।

: ଆରେ, ବୋଉ ବୁଢୀ ଲୋକ । ତା’ କଥାକୁ ଧରିଲେ ଚଳିବ ? ଜ୍ଞାନ ବୁଝୋଉଥାନ୍ତି ।

: ବୁଢୀ ଲୋକ ? ଶୁଣିଲନି କ’ଣ କହିଲେ ? ନାଟର ଗୋବର୍ଦ୍ଧନ । ଆଜି ଫଇସଲା କର । ଏ ଘରେ କିଏ ରହିବ ? ସିଏ ରହନ୍ତୁ, ନ ହେଲେ ମୁଁ । ପୁରା ରୋକ୍ ଠୋକ୍ । ଯେ ପର୍ଯ୍ୟନ୍ତ ଶାଶୁ ଘରେ ଥିବେ, ସେ ଏ ଘରେ ପାଦ ରଖିବ ନାହିଁ । ଏତେ ଜୋରରେ ମଝିଆ ବୋହୁ କହୁଥିଲା ଯେ, କାନରେ ଢୋ ଢୋ କରି ବାଜୁଥିଲା ।

କୁଆଡେ ଯିବେ ? ଏବେ ତ ପୁଅମାନେ ପାଳି କରି ରଖୁଛନ୍ତି । ସାନ ପୁଅ ରମା ତ ବୋହୁକୁ ନେଇ ବାହାରକୁ ଯାଇଛି ବୁଲିବା ପାଇଁ । ବଡ ପୁଅ ଘରୁ ତ ଏବେ ଆସିଛନ୍ତି । ଭାବିଲେ ଝିଅମାନଙ୍କ ଘରକୁ ପଳେଇବେ । ହେଲେ ଜ୍ୱାଇଁ ଘର ଲୋକମାନେ କ’ଣ କହିବେ ? ତିନି ତିନିଟା ପୁଅ । ମାଆଟାକୁ ମୁଠେ ଦେଇପାରିଲେନି ଯେ ଝିଅ ଘରେ ପଡିଛନ୍ତି । ଏତେ ସମ୍ପତ୍ତି ଥାଇ କେତେ ନ ଥାଇ କେତେ ? ବହେ କାନ୍ଦିଲେ । ମୀନା ବାପାଙ୍କୁ ଝୁରିଲେ । ପୁଅ ସିନା ବଡ ଘର କରିଛି । ହେଲେ ଘର କାନ୍ଥରେ ବାପାଙ୍କର ଛୋଟ ଫଟୋଟିଏ ବି ନାହିଁ । କେତେ ଆଦରରେ ରଖିଥିଲେ । ଦିନେ ହେଲେ ବି ପଦେ କଥା ଟାଣ କରି କହି ନ ଥିଲେ । ସେ କ’ଣ କେବେ ଭାବିଥିଲେ, ତାଙ୍କ ଯିବା ପରେ ପୁଅମାନେ ଏମିତି ବଦଳି ଯିବେ ? ଆଖିରୁ ଲୁହ ପୋଛୁ ପୋଛୁ ମିନିବାପାଙ୍କର ସେହି କଥା ପଦିକ ମନେ ପଡିଗଲା, “ପଥର ହୋଇଲେ କରିବୁ ଘର, ପତର ହୋଇଲେ ହସିବେ ପର ।”



Rate this content
Log in

More oriya story from Pramod Kumar Jena

Similar oriya story from Drama