Pallabi Das

Classics

2  

Pallabi Das

Classics

ପଶ୍ଚାତାପ

ପଶ୍ଚାତାପ

6 mins
556


  ଆକାଶରେ ମେଘ ଘୋଡେଇଥାଏ, ମଝିରେ ମଝିରେ ତାରି ଫାଙ୍କ ଦେଇ ମୁହଁ ଗଳେଇ ଫିକ କରି ହସି ଦେଉଥାନ୍ତି ସୂର୍ଯ୍ୟ ।

  ଖୋଲା ଝରକା ଦେଇ ବସ୍ ଭିତରକୁ ସ୍ୱଚ୍ଛ ପବନ ପଶି ଆସୁଥାଏ ଭୀଷଣ ଜୋରରେ । ମୁଣ୍ଡ ବାଳ ଅସ୍ତ ବ୍ୟସ୍ତ । ଆଉ ବସ୍ ର ପଛ ସିଟ୍ ରେ କେବଳ ମୁଁ ।  ମାଆ ର କୂଳ ପୋଛା ପୁଅ ମୁଁ, ତିନି ଭଉଣୀଙ୍କ ପରେ ଜନ୍ମ ହୋଇଥିବାରୁ ଭାରି ଗେଲବସରରେ ପାଳିଛି ମତେ । ଗତ କାଲି ଫୋନରେ ବାରମ୍ବାର କହିଥିଲା – ଟିକିଏ ଚଞ୍ଚଳ ଆସିବୁ । ତୋର ଫେରିବା ବାଟକୁ ଚାହିଁ ରହିଛି ।  ଏଇ କେଇ ଦିନ ହେଲା ତାର ଦେହ ଭଲ ରହୁ ନାହିଁ । କୌଣସି ଔଷଧ ମଧ୍ୟ ଧରୁ ନାହିଁ । ବୈଧବ୍ୟ ଆଉ ବୟସର ଭାରରେ ତାର ଦେହ ଭାଙ୍ଗି ପଡ଼ୁଛି ।  ଆଜି ବହୁତ ବର୍ଷ ପରେ କାମରୁ ଟିକେ ଫୁରସତ ପାଇ ଗାଁ ଆଡ଼େ ବୁଲି ବାହାରି ପଡିଛି ମାଆ ସାଥିରେ ସମୟ ବିତେଇବା ଆଳରେ ।  ପୁରୀ ଜିଲ୍ଲାର ଗୋଟିଏ ମଫସଲ ଗ୍ରାମ, ମୁକୁନ୍ଦପୁର ଶାସନରେ ଅବସ୍ଥାପିତ ଏକ ଧନାଢ୍ୟ ଭଦ୍ର ବ୍ୟକ୍ତିଙ୍କ ଏକମାତ୍ର ଅବାଧ୍ୟ ସନ୍ତାନ ମୁଁ ।  ବିରାଟ ବଡ ଜମିଦାରୀ ଛାଡ଼ି, ମୁଁ ସରକାରୀ ଚାକିରୀ କରୁଛି ଆଉ ବାକି ସବୁ ମୋ ସ୍ତ୍ରୀ ବୁଝୁଚି । ଦିନ ଥିଲା ସେ ସବୁ ଜମିଦାରୀ କାମ ମୁଁ ବୁଝୁଥିଲି କିନ୍ତୁ ମୋ ବାପା ମୋ କାମ ରେ ଖୁସି ନଥିଲେ  ସେଥିପାଇଁ ସବୁ ଭାର ମୋ ସ୍ତ୍ରୀ ହାତକୁ ଟେକି ଦେଇଥିଲେ । ଟିକେ ଦୁଃଖ ଲାଗିଥିଲା ସତ କିନ୍ତୁ ଏବେ ବୁଝୁଚି ବାପାଙ୍କ ନିଷ୍ପତି ଠିକ୍ ଥିଲା ଆମ ପାଇଁ ।  ମଣିଷ କୁ ଲାଗେ, ଦୁନିଆ ରେ ସେ ସବୁଠୁ ଦୁଃଖୀ । ନିଜ ଦୁଃଖ, ଅନ୍ୟ ସମସ୍ତଙ୍କ ଠୁ ଅଧିକ ଲାଗେ ।  ହେଲେ ଯେବେ ଖୁବ୍ ନିକଟରେ ଆଉ କାହାର ଯନ୍ତ୍ରଣା ଆମେ ଅନୁଭବ କରନ୍ତି, ସେଇ ମୁହୂର୍ତ୍ତରେ ଜୀବନ ଆଉ ଯନ୍ତ୍ରଣା ପ୍ରତି ଆମର ଦୃଷ୍ଟିକୋଣ ବଦଳି ଯାଏ ।  କିନ୍ତୁ ମୋ ଦୃଷ୍ଟିକୋଣ ବଦଳିବାକୁ ବହୁତ ଗୁଡ଼ାଏ ବର୍ଷ ଲାଗିଗଲା । ମାଟ୍ରିକ ପରୀକ୍ଷା ପରେ ବାପା ମତେ ଜମିଦାରୀ ବୁଝିବା ପାଇଁ କହିଥିଲେ ।  ଲୋକମାନଙ୍କ କାମ ତଦାରଖ କରୁ କରୁ ମୁଁ କେତେ ବେଳେ କୋଉ ପୁରୁଣା ଚଳଚ୍ଚିତ୍ରର ଅତ୍ୟାଚାରୀ ଜମିଦାର ପାଲଟି ଗଲି ଜାଣି ପାରିଲିନି ।  ଭିତରେ ଗୋଟେ କୋମଳ ମନ ଥାଇ ସୁଦ୍ଧା ନିଜକୁ କଠୋର କରି ବାହାରେ ପ୍ରକାଶ କରୁଥିଲି । ମତେ ଲାଗୁଥିଲା ଦୁନିଆରେ ସବୁ କାମ କରିବା ହଉ ଅବା କରେଇବା ଏତେ ବି ସହଜ ନୁହେଁ,  ସେଥିପାଇଁ କଠୋରତା ଅବଲମ୍ବନ କରୁଥିଲି । କିନ୍ତୁ ସେଦିନର ସନ୍ଧ୍ୟା ପରଠାରୁ ମୁଁ ନିଜକୁ ବହୁତ ବଦଳେଇ ଦେଇଥିଲି ।  ବାପାଙ୍କ କଠୋର ବଚନ ପ୍ରଥମ କରି ଶୁଣିବାକୁ ପାଇଥିଲି -" ଦାମୋଦର ତୁ ସେ ନେପନ ବୋହୂ କୁ ଖାଲି କାମ କୁ ଆସିବାକୁ ମନା କରିନାହୁଁ, ତୁ ସେ ନଅ ମାସର ଗର୍ଭବତୀ ନାରୀର ପେଟ କୁ ନାତ ମାରିଛୁ" |  ଏବେ ବି ସେ ଘଟଣା ଜଳ ଜଳ ହୋଇ ମାେ ଆଖି ଆଗରେ ଭାସି ଯାଉଛି ।  ଅଦିନିଆ ବର୍ଷା ଦିନ । ପାଞ୍ଚଟା ବେଳକୁ ଚାରିଆଡ ଅନ୍ଧାରୁଆ ହୋଇ ଆସିଥାଏ । ଶୀତ ଶୀତ ଲାଗୁଥାଏ ।  ମଝିରେ ମଝିରେ ଅସରାଏ ଲେଖା ବର୍ଷା ହଉଥାଏ। ବିଲରେ କାଦୁଅ ସହ ଆଣ୍ଠୁଏ ଲେଖା ପାଣି ଭର୍ତ୍ତି ହୋଇ ଯାଇଥାଏ । ବିଲ ହୁଡ଼ା କୁ ମଜବୁଦ କରିବାକୁ ପ୍ରାୟ ଛଅ ସାତଟି ଲୋକ ଲାଗିଛନ୍ତି,  ନହଲେ ବର୍ଷ ଯାକର ପରିଶ୍ରମ ପାଣିରେ ଧୋଇ ହୋଇଯିବ ।

  ସେ ଭିତରୁ ନେପନ ଆଉ ତା ସ୍ତ୍ରୀ ଅନ୍ୟତମ । ମୋ ପାଟିରୁ ଖାଲି ରହି ରହି -"ଜଲ୍ଦି ଜଲ୍ଦି କାମ ସାର" ବୋଲି ବାହାରୁଥାଏ । ଲୋକମାନେ ଛାନିଆ ହୋଇ କାମ କରୁଥାନ୍ତି ।

  କିନ୍ତୁ ନେପନ ସ୍ତ୍ରୀ ଟିକେ ଧିମା ଗତିରେ କାମ କରୁଥାଏ ସେଥିପାଇଁ ଛତା ଧରି ହୁଡ଼ା ଉପରୁ ଠିଆ ହୋଇ ତାକୁ ବିରକ୍ତ ହୋଇ ଗାଳି ଦେବାକୁ ଲାଗିଲି ଆଉ ତା ପରେ କହିଥିଲି -"କାଲିଠାରୁ ଆଉ ତୁ କାମ କୁ ଆସିବୁନି ବୋଲି "।

  ଏତିକି କହି ସାରିବାପରେ ମନ ମାନିଲାନି ଯ ଆହୁରି ତାକୁ ବିରକ୍ତ ହୋଇ କହି ପକେଇଲି-"ତୁ ଏବେ କାମରୁ ବାହାରିଲୁ,ଏତେ ଧୀରେ କାମ କଲେ ଆଉ ଚଳିବନି" ।

  ଯୋଉ ଆତେ କହୁଥିଲି ସେଇ ଆତେ ମୋର ଲକ୍ଷ ନଥିଲା କି ବିଚାରି ନଅ ମାସର ଗର୍ଭବତୀ ଥିଲା ବୋଲି ।

  ବିଲ ଭିତରେ ପାଣିର ପରିମାଣ ଏତେ ବଢ଼ି ଯାଇଥିଲା କି ପାଣି ପେଟ କୁ ଛୁଉଁ ଥିଲା ଆଉ ସେ କାଦୁଅ ଭିତରେ ନେପନ ସ୍ତ୍ରୀ ଶାଢ଼ୀଟାକୁ ଲୁଙ୍ଗି ପରି ଭିଡି କାମ କରୁଥିଲା , ସେ କାଦୁଅ ରୁ ବାହାରି ବୁଢା ବର ଗଛ ତଳେ ଲଥ କରି ବସି ପଡିଲା, ଆଖିରୁ ତାର ଲୁହ ବାହାରି ଯାଉଥିଲା ।

  କଣ ହେଲା ବୋଲି ମୁଁ ସେଇ ଆଡକୁ ଛତା ଧରି ଦୌଡିଥିଲି, ସେଠି ଯାଇ ଦେଖେ ତ ନେପନ ସ୍ତ୍ରୀ କାଦୁଅ ସହ ରକ୍ତ ସାଲୁ ବାଲୁ ହୋଇ ପଡିଛି,ବିଚାରି ର ଗୋଡ଼ ଟି କେତେବେଳେ ପଥରରେ ଆଘାତ ଲାଗିଛି। କ୍ଷତାକ୍ତ ଗୋଡ଼ ଆଉ ରକ୍ତାକ୍ତ ମନକୁ ଧରି ସେ କାନ୍ଦି ଚାଲିଛି। ପାଖରେ ନେପନ ବସି ତାକୁ ତୁନି କରୁଥାଏ ।

  ହଠାତ ଗୋଟେ ବିକଟାଳ ଚିତ୍କାର । ମୋର ଛାତି ମଧ୍ୟ ଭୟରେ ସ୍ପନ୍ଦିତ ହୋଇ ଉଠିଲା । ମୁଣ୍ଡ ଉଠେଇ ନିସ୍ତେଜ ଆଖିରେ ଉପରକୁ ଚାହିଁଲା ମତେ, ପେଟକୁ ଧରି ଗୁଡ଼ାଏ ଖଣ୍ଡେ ଗାଳି ଦେଇ ପକେଇଲା ଅଣନିଶ୍ୱାସ ହୋଇ ।

  -ଆମେ ଗରିବ ବୋଲି କଣ, ଆମ କୂଳ ରେ ପିଲାଟେ ଜନ୍ମ ହେବା ପାପ କି ବାବୁ ? ମୋ ପାଖରେ ତା ପ୍ରଶ୍ନର କିଛି ଉତ୍ତର ନଥିଲା ।

  ମୁଁ ତା ଆଖିରେ ଦେଖିପାରୁଥାଏ ଅଗ୍ନି ଶିଖା, ଆଉ ମୁକ୍ତି ପାଇବା ପାଇଁ ମାଗୁଥାଏ କିଛି ଗରମ ନିଃଶ୍ୱାସ, ଏତେ ବର୍ଷ ଧରି ଯୋଉ ଲୋକମାନେ ତାକୁ ବାଞ୍ଝ ଡାକୁଥିଲେ ସେମାନେ ଏଇ କିଛି ମାସ ହବ ତାକୁ ବାଞ୍ଝ ଡାକିବା ଛାଡ଼ି ଦେଇଥିଲେ କାଳେ ପୁଣି ସେମାନେ ତାକୁ ବାଞ୍ଝ ଡାକିବେ ସେ ଦୁଃଖରେ ସେ ମ୍ରିୟମାଣ ହୋଇପଡୁଥିଲା ।

  ମୋର ଆପାଦମସ୍ତକ ହୋଇ ଆସୁଥାଏ ନିଷ୍କ୍ରିୟ । କରୁଣ ଦୃଷ୍ଟି ରେ ମୁଁ ଦେଖୁଥାଏ ଗୋଟେ ମାଆ ର ଗର୍ଜନ ନିଜ ଛୁଆ ପାଇଁ ।

  କାଳେ ଛୁଆଟିର କଣ ଅସୁବିଧା ହୋଇଥିବ ଭାବି, ବାପା ମୋର ବ୍ୟସ୍ତ ବିବ୍ରତ ହୋଇ ନେପନ ହାତରେ କିଛି ଟଙ୍କା ଦେଇ ପାଖ ଡାକ୍ତରଖାନା କୁ ପଠେଇ ଥିଲେ,  ବହୁତ ଗୁଡ଼ାଏ ପରୀକ୍ଷା ନିରୀକ୍ଷା କରିବା ପରେ "ଛୁଆଟି ଠିକ୍ ଅଛି" ବୋଲି ଡାକ୍ତର ଜଣେଇଥିଲେ । ଡାକ୍ତରଖାନାରୁ ଖବର ଆସିବା ପରେ ଗୋଟାଏ ଅତୃପ୍ତ ଦୀର୍ଘଶ୍ବାସ ମୋର ଛାତି ପଞ୍ଜରା ଦୋହଲାଇ ବାହାରି ଆସିଥିଲା ସେଦିନ ।

  ତା ପର ଦିନ ଠାରୁ ଜମିଦାରୀ ପୁଣିଥରେ ବାପା ବୁଝିବାକୁ ଲାଗିଥିଲେ ଆଉ ମୁଁ ଚାଲି ଯାଇଥିଲି ସରକାରୀ ଚାକିରି କରିବାକୁ । ବାପାଙ୍କ ଠାରୁ ଗାଳି ଖାଇବା ପରେ ଘରକୁ ବୋହୁତ କମ୍ ସମୟ ଯିବା ଆସିବା କରେ । ନେପନ ର କିଛି ଖବର ରଖିନି ସେ ଘଟଣା ପରଠାରୁ ।

  ଆଗ ପରି ମୋର କଠୋରତା ଆଉ ନଥିଲା କିନ୍ତୁ ମୁଁ ଜୀବନ ସାରା ଭଗଵାନ ଙ୍କୁ ଧନ୍ୟବାଦ୍ ଦେଇ ଚାଲିଛି ନେପାନ ର ଛୁଆ ଠିକ୍ ଥିବାରୁ ।

  ଏତେ ସବୁ ଭାବନା ର ପୂର୍ଣ୍ଣଛେଦ ଟାଣି ଗାଡ଼ି ଆସି ପହଞ୍ଚି ଯାଇଥିଲା ମାେ ଗ୍ରାମ ଛକ ରେ ସେଠୁ ମାେ ଘର ପ୍ରାୟ ପାଞ୍ଚ ମାଇଲେ ବାଟ । ବସ୍ ରୁ ଓହ୍ଲେଇ ପ୍ରଥମେ ଖୋଜିବାକୁ ଲାଗିଲି କାଳେ କିଏ ମାେ ଘର ଆଡ଼କୁ ଯାଉଥିବ ତା ସହ ସାଙ୍ଗ ହୋଇ ଚାଲି ଯିବି । ହଠାତ୍ ଗୋଟେ ଫଡଫଡ଼ିଆ ମୋଟସାଇକେଲରେ ଗୋଟେ ପତଳା ଟୋକା ଆସି ମତେ କହିଲା - "ଦାଦା, ପଛରେ ବସନ୍ତୁ ଖୁଡ଼ି ପଠେଇଚନ୍ତି ଆପଣଙ୍କୁ ନେବାକୁ "। ମୋ ଆସିବା ଖବର ପାଇଲେ, ମାେ ସ୍ତ୍ରୀ ବେଳେ ବେଳେ ମତେ ଏମିତି surprise ଦେଇ ଦିଏ ।

  ପିଲାଟି ସାଥିରେ ଘରକୁ ଯିବା ରାସ୍ତା ରେ ଆମର ସେଇ ବିଲ ସବୁ ରାସ୍ତା ରୁ ଦେଖା ଯାଉଥିଲା । ନିଜକୁ ଦୋଷୀ ପରି ଅନୁଭବ କରୁଥିଲି, କାହିଁ କେତେ ଲୋକ ଙ୍କୁ ଅତ୍ୟାଚାର କରିଥିଲି ସେ ବିଲରେ ଭାବି । ଏତେ ସବୁ ଭାବନା ର ପୂର୍ଣ୍ଣଛେଦ ଟାଣି ଗାଡିଟି ମୋ ଘର ଆଗରେ ରହି ଥିଲା । ପିଲାଟି ମୋ ବ୍ୟାଗ କୁ ହାତଟେ ଧରି ଆଗେ ଆଗେ ଚାଲିଲା ଆଉ ମୁଁ ତା ପଛେ ପଛେ ।

  ପିଲାଟି ବ୍ୟାଗଟା ଘର ବାରଣ୍ଡା ରେ ରଖିଦେଇ ଡାକ ପକେଇଲା ମୋ ସ୍ତ୍ରୀ ଉଦ୍ଧେଷ୍ୟ ରେ -"ଖୁଡି, ମୁଁ ଟିକେ ଘର ଆଡୁ ଆସୁଛି" , ତା ପରେ ନିଜ ରାସ୍ତାଟିଏ ପୁଣି ସେ ମୋଟରସାଇକେଲ ଧରି ଚାଲିଗଲା ।

  ଘରେ ପହଁଚି ପ୍ରଥମେ ମାଆ କୁ ଭେଟି ସାରିବା ପରେ ସ୍ତ୍ରୀ କୁ ପଚାରିଥିଲି -" ଯୋଉ ପିଲାଟି ମତେ ଛାଡିବାକୁ ଆସିଥିଲା ସେ ପିଲାଟି କିଏ ?"

  ମାଆ ର ଉତ୍ତର ଆସିଥିଲା -"ସେ ପରା ନେପନ ପୁଅ ଏତେ ଦିନ ପରେ ଆସିଛି ଗାଁ କୁ ତାର ଆମ ଗାଁ ସ୍କୁଲ କୁ ବଦଳି ହୋଇଛି ସେ ଶିକ୍ଷକ ଅଛି । ତୁ ତ ଗାଁ ରେ ବେଶୀ ସମୟ ରହୁ ନାହୁଁ ଜାଣିବୁ କେମିତି "। ଏତିକି ଶୁଣି ସାରିବା ପରେ ପଚାରି ଦେଇଥିଲି

  - ନେପନ ଆଉ ତା ସ୍ତ୍ରୀ କେମିତି ଅଛନ୍ତି ?

  -"ନେପନ ଆଉ ନାହିଁ ଏ ଦୁନିଆ ରେ କିନ୍ତୁ ତା ସ୍ତ୍ରୀ ଅଛି ସେ ବି ଆମ ଗାଁ ସ୍କୁଲ ରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଛି ଆଉ ବେଳେ ବେଳେ ଆମ ଘର ଆଡେ ଆସୁଛି ବିଲ କାମ ଦେଖିବାକୁ । ଆଜି ବି ଆସିବ ଉପର ବେଳା । ତୋତେ ଯଦି କିଛି କହିବାର ଇଛା କହିଦବୁ । ସେଥିପାଇଁ ତ ତତେ ଡାକିଛି "।

  ମୁଁ କାହିଁକି ଏତେ ସବୁ ପଚାରୁଛି ମାଆ ବୁଝି ପାରିଥିଲା ।  ସେଦିନ ଖାଇ ସାରିବା ପରେ ଆଉ ନିଦ ହୋଇନଥିଲା , ଭୁଲ୍ କେମିତି ମାଗିବି , କଣ କହି ଭୁଲ୍ ମାଗିବି କିଛି ଭାବି ପାରୁନଥିଲି ।  ୪ ଟା ବାଜିଲା ସ୍କୁଲ୍ ଛୁଟି ହେବା ପରେ ନେପନ ର ପୁଅ ତା ମାଆ କୁ ଧରି ଆମ ଘରକୁ ଆସିଲା । ମାେ ଗୋଡ଼ରେ ଜୀବନ ନଥିଲା ନେପନ ସ୍ତ୍ରୀ ର ସାମ୍ନା କରିବାକୁ , ବୋହୁତ ପ୍ରୟାସ କରି ନିଜକୁ ଠିଆ କରିଦେଇଥିଲି ଆଉ ହାତ ଯୋଡ଼ି କ୍ଷମା ମାଗିଥିଲି,

  ଯଦିଓ ନେପନ ବୋହୂକୁ ମୁଁ କଷ୍ଟ ଦେଇଥିଲି ତଥାପି ସେଦିନ ଅଭ୍ୟର୍ଥନାରେ ସାମାନ୍ୟ ସନ୍ତୋଷ ପ୍ରକାଶ କରିଥିଲା ।

  ସେଦିନ ଜାଣିବାକୁ ପାଇଥିଲି ମାେ ସ୍ତ୍ରୀ କୁ ନେପନ ର ସ୍ତ୍ରୀ ବୋହୁତ ସାହାଯ୍ୟ କରି ଚାଲିଛି ବାପା ଙ୍କ ଚାଲିଯିବା ପରେ ଜମିଦାରୀ ବୁଝିବା ରେ । ସେଦିନ ବୁଝିଥିଲି, ଭୁଲ୍ କରିବା ଯେତେ ସହଜ ନିଜର ଦୋଷ ସ୍ବୀକାର କରି ଭୁଲ୍ ମାଗିବା ବୋହୁତ କଷ୍ଟ । ଭୁଲ୍ ମାଗି ସାରିବା ପରେ , ମତେ ସେଦିନ ପରଠାରୁ ସବୁ ଦିନ ଶାନ୍ତି ରେ ନିଦ ହଉଛି, ମନ ଭିତରେ ଅହରହ କଷ୍ଟ ଦେଉଥିବା ପଶ୍ଚାତାପ ର ଅବସାନ ଘଟି ସାରିଛି ।



Rate this content
Log in

Similar oriya story from Classics