ପ୍ରତ୍ୟାବର୍ତ୍ତନ
ପ୍ରତ୍ୟାବର୍ତ୍ତନ
ବର୍ଷା ଉପରେ କାବ୍ୟ କବିତା ଲେଖିବା ତ ସହଜ କଥା...କିନ୍ତୁ ପ୍ରେମର ବର୍ଷାରେ ଭିଜି ଭିଜାଇ ସେ ଭିଜାମାଟିର ବାସ୍ନାରେ ପୁଲକିତ ହୋଇ ହଜିଯିବା କଥା କିଛି ଅଲଗା । ଆଶା, ଅସ୍ଥିରତା, ଆବେଗ ଏବଂ ଦୂରତ୍ୱର ମିଠା ମିଠା ବିଷାଦରେ ରାତି ରାତି ଆଖି ତିନ୍ତାଇ ମନରେ ହାଜର ଆବେଗର ଶିହରଣକୁ ଅନୁଭବ କରିବା ପାଇଁ ଜୁ' ଥିବା ଦରକାର ।
ଦିକି ଦିକି କରି ଦେହ ମନରେ ଜଳି ଉଠିଥିବା ନିଆଁ ଝୁଲକୁ ବଞ୍ଚାଇ ରଖିବାକୁ ଦରକାର ହେଲେ ତାକୁ ଲିଭେଇବାକୁ ଚେଷ୍ଟାରତ ଯେ କୌଣସି ଡର ସହ ଭିଡି ଯିବା ପାଇଁ ସତସାହସ ଥିବା ଦରକାର । ଦୁଇଟି ପଞ୍ଚମହାଭୂତର ତତ୍ତ୍ୱ - ଗୋଟିଏ ହେଲା ପାଣି ଅନ୍ୟଟି ଅନଳ । ଯେଉଁଠି ଡର ରୂପକ ପାଣି ମାଡିଆସି ତାର ପ୍ରକୋପ ବୃଦ୍ଧି କରେ , ସେଠି ପ୍ରେମର ଅନଳ ତାର ସତ୍ତା ହରାଇବସେ । ସମସ୍ତଙ୍କ ଦେଇ ଏ ପ୍ରେମ ସମ୍ଭବ ନୁହେଁ ।
ପରୀକ୍ଷାର ଘଡିସନ୍ଧି ମୁହୂର୍ତ୍ତ । ସ୍ବପ୍ନରେ ସ୍ବପ୍ନରେ ଘଡିକେ ଘୋଡା ଛୁଟାଉଥିବା ମନ ଆଜି ବାସ୍ତବତା ସହ ଆଖି ମିଳାଇବା ନିମନ୍ତେ ଭୀତତ୍ରସ୍ତ ହୁଏ.... କାହିଁକି କେଜାଣି??
ଦିନେ ଗପରୁ ଆରମ୍ଭ ହୁଏ ସିନା କିନ୍ତୁ ବାସ୍ତବତାରେ ଉପସଂହାର ହୁଏ ଏକ ପ୍ରେମ କାହାଣୀ ।
ବର୍ଷକ ତଳର ଘଟଣା । ସୀମା ଏବଂ ବିଜୁ ଉଭୟ କଥାକାର । କିଛିଦିନ ତଳେ ଏକ ସାହିତ୍ୟଧର୍ମୀ ୱାଟସ ଆପ ଗ୍ରୁପରୁ ଦୁହେଁ ଚିନ୍ହା ପରିଚୟ । ଗ୍ରୁପରେ ଯିଏ ଯେଝାର ସୃଜନୀ ଶକ୍ତିର ପାରଦର୍ଶିତା ଦେଖାଇ ଥାନ୍ତି ହେଲେ, ଏକ ଅଜବ ଆକର୍ଷଣର ବଶୀଭୂତ ହୋଇଥାନ୍ତି ଦୁଇଟି ହୃଦୟ ।ଉଭୟ ଉଭୟଙ୍କ ପ୍ରତିଭାରେ ଅଭିଭୂତ । ଉଭୟ ଉଭୟଙ୍କ ଉପଲବ୍ଧିକୁ ଗୁପ୍ତ ଦୁର୍ବଳତାକୁ ହୃଦୟଙ୍ଗମ କରିପାରିଥାନ୍ତି । ଦୁହେଁ ଦୁହିଁଙ୍କ ସଫଳ ପ୍ରଚେଷ୍ଟାରେ ଶୁଭେଚ୍ଛା ମଧ୍ୟ ଜଣାଇବାକୁ ତିଳେହେଁ କାର୍ପଣ୍ୟ ଦେଖାନ୍ତି ନାହିଁ । ଭିତରେ ଅସୁମାରୀ ଇଚ୍ଛାର ସ୍ଫୁରଣ ହେଉଥାଏ । ହେଲେ.....
ଅନ୍ୟ ପଟରେ ଉଭୟଙ୍କର ସୁଖଦୁଃଖର ବାସ୍ତବ ଜୀବନ । ଉଭୟ ଚରିତ୍ରବାନ, କର୍ତ୍ତବ୍ୟନିଷ୍ଠ ଏବଂ ରକ୍ଷଣଶୀଳ ପରିବାରରୁ ଆସନ୍ତି । ସମାଜରେ ଉଭୟଙ୍କର ପରିଚୟ ଅଛି । ଉଭୟ ସମ୍ମାନିତ । ତେବେ ଏତିକିରେ କାହିଁକି ମନ ତୃପ ହୁଏନାହିଁ? ଅନନ୍ୟୋପାୟ ହୋଇ ଉଭୟ ଗ୍ରୁପ ଛାଡି ଦିଅନ୍ତି ହତୋତ୍ସାହ ହୋଇ । ଉଭୟ ଦୂରତା ବଜାଏ ରଖିଥାନ୍ତି । ହେଲେବି ଉଭୟ ବିଫଳ । ବେଳେ ବେଳେ ମନ କାହିଁ କେଜାଣି କଣ ପାଇଁ ଚାହେଁ କିଛି ଅତି ବିକ୍କଳ ହୋଇ ଯାହା ସ୍ବର୍ଗୀୟ, ଅତୀନ୍ଦ୍ରିୟ ଏବଂ ଶାଶ୍ୱତ ଲାଗେ? କଣ ଏହା ପଛରେ କାରଣ ଥାଇ ପାରେ?
ଉତ୍ତର ହେଲା,ସତ୍ୟ......
ସତ୍ୟର ମହକ ଭିଜାମାଟିର ବାସ୍ନାପରି । ପହିଲି ବର୍ଷାର ଆର୍ଦ୍ରତା ତାର ସାନ୍ଧ୍ର,ସୁଗାଢ଼, ସୁଗନ୍ଧକୁ ଚାରିଆଡେ ଖେଳିବାକୁ ଆହ୍ୱାନ ଦିଏ । ଡାହିରୁ ଛିଣ୍ଡି ସର ସର ହୋଇ ଖେଳିବା ଆରମ୍ଭ କରନ୍ତି ପେନ୍ଥା ପେନ୍ଥା ହେନା ଫୁଲ । ଇନ୍ଦ୍ରଧନୁର ସପ୍ତ ରଙ୍ଗ ହୃଦୟରେ ତରଙ୍ଗ ଖେଳଏ । ଦୃଷ୍ଟି ଖୋଜେ ପୁଣି ପୁଣି ସେଇ ସୌମ୍ୟ ଦିବ୍ୟତ୍ୱ ର ଦର୍ଶନ ଆଉ ଯେତେଥର ଦେଖେ ନୂଆ କରି ପ୍ରେମ ହୋଇଯାଏ... ଯେତେବେଳେ ମନେପଡେ ସବୁଜ ସବୁଜ ସବୁଜିମାରେ ମନ ଅଙ୍କୁରିତ ହୋଇଯାଏ ।
ମନର ଆବେଗ ନିରାଭରଣ ହୋଇ ନୃତ୍ୟକରିବାକୁ ଲାଗେ । ଲାଜ ଏବଂ ପ୍ରୀତି ଉଭୟଙ୍କ ସମ୍ମିଶ୍ରିତ ରଙ୍ଗର ଛିଟା ମୁହଁରେ ମୁହଁରେ ସ୍ପଷ୍ଟ ଦିଶେ । ତନ୍ମୟ ହୁଅନ୍ତି ଦେଖଣାହାରି... କେବଳ ସେତିକି ନୁହେଁ,ସମସ୍ତଙ୍କୁ ଏ ପ୍ରେମର ଉନ୍ମାଦନା ଅଳ୍ପ ବହୁତ ସ୍ପର୍ଶ କରେ । ପ୍ରେମିକା ଓ ପ୍ରେମୀ ଜଳି ଯାଆନ୍ତି ଉଭୟଙ୍କ ପ୍ରଶଂସକ ପ୍ରଶଂସିକାଙ୍କ ଅନିୟନ୍ତ୍ରିତ ଉଦବେଗକୁ ଦେଖି କିନ୍ତୁ ସେ ନିଜେ ହିଁ ଏଥିପାଇଁ ଉତ୍ତରଦାୟି, ଭୁଲି ଯାଆନ୍ତି । ମନେ ପଡିଲେ ପୁଣି ହସ ଧାରେ ଖେଳି ଉଠେ ଓଠରେ ଓଠରେ ।
ସୀମା ଏହା ପୂର୍ବରୁ ନିଶ୍ୱାସ ନେଉଥିଲା କେବଳ ନିୟମ ଭାବି, ହେଲେ ସେଥିରେ ଏଥର ପ୍ରୀତିର ସ୍ପର୍ଶ । ବିଜୟ ଖୁବ ପିତୃଭକ୍ତ । ତାଙ୍କ ଅନୁମତି ବିନା ଅନ୍ୟତ୍ର ବିବାହ କରିବାକୁ ପଦକ୍ଷେପ ସେ କେବେବି ନେଇ ପାରିବ ନାହିଁ । ସେ ଵି ନିଜ ଜାତି ବାହାରେ..... କଳ୍ପନା ଵି କରି ପାରୁ ନଥିଲେ ବିଜୁ ।
ହେଲେମଧ୍ୟ ଜୀବନର ଏ ଅପୂର୍ଵ ଆଲୋଡନକୁ, ନିଜ ମନର ଆବଶ୍ୟକତାକୁ ଉପଲବ୍ଧି କରୁଥାନ୍ତି ଧୀରେ ଧୀରେ ଉଭୟ । ସେ ଵି କାହା ବଞ୍ଚିବାପାଇଁ ଅପରିହାର୍ଯ୍ୟ ହୋଇ ଯାଇଥାନ୍ତି ଭାବିଲେ ଜିଁବାର ସ୍ପୃହା ଉଜ୍ଜୀବିତ ହୋଇଥାଏ । ସେ ଵି କାହାପାଇଁ ଈଶ୍ୱର ତୁଲ୍ୟ ଆସନରେ ଆଜି । ଅଧିକ କଣ ଆଶା କରିହୁଏ ମଣିଷ ଜୀବନରେ? ନିଜର ଯତ୍ନ ନେବାକୁ ଇଚ୍ଛା ହୁଏ । ନିଜପାଇଁ ମଧ୍ୟ ବଞ୍ଚିବାକୁ ଇଚ୍ଛା ବଳବତ୍ତର ହୁଏ । ଏକ ଅହେତୁକ ପ୍ରତୀକ୍ଷାରେ ହାଇଁ ପାଇଁ ହୁଏ ଯେତେବେଳେ ଶରୀରରେ ପ୍ରଥମ କରି ହୃଦୟର ସ୍ଥିତି ଜଣା ପଡେ ।
ସୀମାର ବିବାହ ଠିକ ହୋଇଯାଇଥାଏ ଅନ୍ୟତ୍ର । ସେ ରହୁଥାନ୍ତି ଜନ୍ମଭୂମିଠୁଁ ଦୂର ଏକ ରାଜ୍ୟରେ । ତେବେ ଏ ପ୍ରକାର ପରିସ୍ଥିତିରେ ସୀମା ପ୍ରତ୍ୟାବର୍ତ୍ତନ କରନ୍ତି ନିଜ ସ୍ବପ୍ନର ଭୂମିକୁ । ନାରୀ ହୋଇ ମଧ୍ୟ ନିଜ ତରଫରୁ ଏକ ଦୃଢ ପଦକ୍ଷେପ ନିଅନ୍ତି ପ୍ରେମକୁ ବଞ୍ଚାଇ ରଖିବାକୁ ।
ନାରୀ ହୋଇ ତାକୁ ନିଜ ଇଛା ଜାକିବାକୁ ବାଧ୍ୟ କରା ଯାଇଛି ପିଲାଦିନୁ । ମନେ ପଡେ, ପିଲାଦିନେ ଦିନସାରା ଭିତରେ ଚାରିଟା ବେଳ ଖେଳ ତାକୁ ଭାରି ପସନ୍ଦ । ଭାଇ, ଭଉଣୀ , ପଡିଶାଘର ପିଲାମାନେ ମିଶି ପଡିଆରେ ଖେଳିଲା ବେଳେ ସେ ଯେମିତି ଆଉ ସବୁକିଛି ଭୁଲିଯାଏ । କିନ୍ତୁ ୠତୁମତୀ ହେଲା ପରେ ସେ ନିଜ ଆଉ ଭାଇ ଭିତରେ ପ୍ରଭେଦ ଅଛି ବୋଲି ଜାଣିବାକୁ ପାଇଥିଲା ପ୍ରଥମ କରି । ଆଉ ତା ପରେ..ନିର୍ଦୋଷରେ କିପରି ବନ୍ଦୀ ପାଲଟି ଘରେ ବସିବାକୁ ପଡିଥିଲା ତାକୁ ।
ଅଜାତିରେ ବାହା ହୋଇ ଥିବାରୁ ବଡ଼ ଭଉଣୀଟିକୁ ତାର କେତେ କଣ ପଛରେ ନ କହିଥିଲେ ଘରେ!! ସେବେଠୁ ସୀମା ଉପରେ ସମସ୍ତଙ୍କ ନିଘା । ଘରେ ଯେଉଁଠି କହିବେ ସେଇଠି ବିବାହ କରିବାକୁ ହେବ । ଠିକକଥା । ସମସ୍ତଙ୍କ ଖୁସିରେ ଖୁସି ହେଉଥିବା ସୀମାକୁ କେହି ଏମିତି ସମ୍ମାନ ଏମିତି ଆତ୍ମାର ସହ କେହି ଭଲ ଵି ପାଇ ନଥିଲେ ବୋଧହୁଏ ......ନଚେତ ସେ ତ ତାକୁ ପାଇବା ପାଇଁ ଆକାଶ ପାତାଳ ଏକ କରି ଦେଇଥାନ୍ତା ।
ନା ନା......... ମରି ହଜି ଯିବା ଆଗରୁ ଥରଟିଏ ନିଜ ହୃଦୟର କଥା ଶୁଣି ନେବାକୁ ହେବ । ମିଛରେ ତ ବହୁତ ବଞ୍ଚିଲେ । ଏବେ ମରିବା ଆଗରୁ ଭଗବାନ ତା ନିମନ୍ତେ ଅସ୍ଥିଚର୍ମରେ ପଠାଇ ଥିବା ପ୍ରେମ କେମିତି ଆକାର ନେଇ ଧରାକୁ ମଣ୍ଡିତ କରୁଛି ....ଥରେ ଛୁଇଁ ନେବାକୁ ହେବ । ତା'ପର ମୁହୂର୍ତ୍ତ ମୃତ୍ୟୁ କୋଳରେ ଲୋଟି ଗଲେ ଵି ଯେମିତି ଶୋଚନା ରହିବନି । ଏ ବ୍ୟକ୍ତି କେଉଁଠି ଥିଲା ମୋର ଆଜିଯାଏ? ମୋର କଣ ଭାଗ୍ୟ ଏତେ ଖରାପ ଯେ ହାତ ପା'ନ୍ତା କୁ ଆସୁ ଆସୁ ମୁଁ ହଜାଇ ଦେବି ମୋ ସାରା ଜୀବନ ଯଜ୍ଞର ଫଳ? ମୋ ସ୍ବପ୍ନ? ମୋ ଭାଗ୍ୟ? ମୋ ଅହଂକାର? ମୋ ନାରୀତ୍ୱର ପରିପୂରକ ତଥା ପୂର୍ଣ୍ଣ ଅନୁଭୂତି ଜଣଙ୍କୁ?ଥରଟିଏ ପରସ୍ପରକୁ ଜାବୁଡି ନେଇ ପ୍ରୀତିର ଶୋଷ ମେଣ୍ଟାଇ ନିଅନ୍ତେ ନାହିଁ ଆମେ ଦୁହେଁ ? ଏହାକୁ କଣ ପାପ କୁହାଯାଏ? ଭାବୁ ଭାବୁ ଅନିଶ୍ଚିତତାର ଦୁଇ ବୁନ୍ଦା ସୀମା ଆଖିରେ ଜକେଇ ଆସେ ।
ଅନେକ ରାତି ଅନିଦ୍ରା ରହି, ଅନେକ ପ୍ରତିରୋଧ କରି, ଅନେକ ପଥ ଅତିକ୍ରମ କରି ଆସି ଯାଇଥାନ୍ତି ସୀମା ।
ହେଲେ ଆଉ ଅଳ୍ପବାଟ କଣ ବିଜୁ ଆସିବେ? କଣ ସାକ୍ଷାତ ହେବ ଥରଟିଏ ନା ସମାଜକୁ ଡରି କେବେବି ଦେଖା ହୋଇ ପାରିବେନି ଦୁହେଁ? ଅତୃପ୍ତିରେ ଅବସାଦରେ ହିଁ ଅବଶିଷ୍ଟ ଜୀବନ ବିତାଇ ମରିବାକୁ ହେବ? କିଏ କାହା ଭାଗ୍ୟରେ ଅଛି କିଏ ଜାଣି?
କାହାର କିଛି ଯିବନି ଆସିବନି ହଁ, ମାତ୍ର ଅନେକ ଫରକ ପଡିବ ଥରଟିଏ ଦେଖା ସାକ୍ଷାତ ହେଲେ । ଏ ଜୀବନ ସାର୍ଥକ ହୋଇଯିବ ସୀମା ଏବଂ ବିଜୁଙ୍କର । ଦୁନିଆରେ ବଂଚୁଛନ୍ତି ତ ସମସ୍ତେ । ହେଲେ ସେ ବଞ୍ଚିବାରେ ଜୀବନର ଆଭାସ କାହିଁ?
ପ୍ରତୀକ୍ଷାରେ ନିମିଷ ନିମିଷ ଖୁବ ଚିନ୍ତାରେ କାଟୁଥାନ୍ତି ସୀମା ।
ବିଜୟ ଗାଡି ଭିତରୁ ବାହାରି ମୁରକି ହସୁଥାନ୍ତି ସୀମାକୁ ତାର ନିର୍ଦ୍ଦିଷ୍ଟ ଭେଟିବା ସ୍ଥାନରେ ଦେଖି । ସମ୍ଭାବନା ମାନେ ଏକ ସ୍ବର୍ଗୀୟ ପୁଲକର ସ୍ପର୍ଶରେ ସ୍ୱର୍ଗରୁ ଉତୁରି ଆସୁଥାନ୍ତି । ମୌସୁମୀର ଆଦ୍ୟସ୍ନାତ ଧରା ମହକିତ ହେଉଥାଏ ପ୍ରେମର ଭିଜା ଭିଜା ବାସ୍ନାରେ । ଥରେ ବାଟ ହୁଡ଼ିଲା ପରେ ପ୍ରତ୍ୟାବର୍ତ୍ତନର ମଜା ଖୁବ ଅଲଗା ।

