Tikeshwar Sahu

Classics

4.0  

Tikeshwar Sahu

Classics

ପ୍ରତିଶ୍ରୁତି

ପ୍ରତିଶ୍ରୁତି

3 mins
198



      ପ୍ରଭାତ ମହାପାତ୍ର କଲେଜରୁ ଫେରିଲା । ରେଜନାଲ୍ ବିଇଡ଼ି କଲେଜର ଶେଷ ବର୍ଷର ଛାତ୍ର । ରୁମ୍ ରେ ଏକାକୀ ରହେ । ଟେବୁଲରେ ବହିଗୁଡ଼ାକ ଏପଟ ସପଟ ପଡ଼ିଥିଲା । ସଜାଇ ରଖିବାକୁ ଇଚ୍ଛା ନାହିଁ । ହେଙ୍ଗରରେ ପ୍ୟାଣ୍ଟ ସାର୍ଟର ଅବସ୍ଥା ମଧ୍ୟ ସେହିପରି । ଏଇ କିଛି ଦିନ ହେଲା ତାର ହାବଭାବ ଚାଲି ଚଳଣିରେ ବିରାଟ ପରିବର୍ତ୍ତନ । ରୁମ୍ କୁ ଆସିଲେ ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଇଚ୍ଛା ହୁଏନି । ପକେଟ୍ ମନିରୁ ପଇସା ରଖି ରଖି ଏଇ କିଛି ଦିନ ହେଲା ଦୁଇଟା ନାଇଟି, ଦୁଇଟା ସମ୍ବଲପୁରୀ ଚୂଡ଼ିଦାର ଡ୍ରେସ୍ ଲୁଚେଇ ଲୁଚେଇ କିଣିଛି । କିଏ ଦେଖିଦେଲେ କହେ ମୋ ସାନ ଭଉଣୀଙ୍କ ପାଇଁ କିଣିଛି । ଦିନ ବେଳେ ଭାରି ସନ୍ତର୍ପଣରେ ରଖେ । ରାତି ହେଲେ କବାଟ ବନ୍ଦ କରି ଚୂଡ଼ିଦାର ପିନ୍ଧେ । ଦର୍ପଣରେ ନିଜର ଆଗପଛ ବାରମ୍ବାର ଚାହେଁ । ମୁଣ୍ଡକୁ ବାରମ୍ବାର ସଜାଏ , ଯେମିତି ଷୋଡ଼ସୀ କନିଆଁ । ପ୍ରଭାତ ତା ସାଙ୍ଗ ମାନଙ୍କୁ ରୁମ୍ କୁ ପ୍ରାୟ ଆସିବାକୁ ଦିଏ ନାହିଁ । ଏକାକୀ ଜୀବନ ତାକୁ ଭଲ ଲାଗୁଥିଲା । 


     ଚୁପଚାପ୍ ରହୁଥିଲା ପ୍ରଭାତ । ତାର ଶରୀରରେ କିଛି ପରିବର୍ତ୍ତନ ଦେଖା ଦେଉଥିଲା କି ? ମାନସିକ ପରିବର୍ତ୍ତନ ହେଉଥିଲା କି ? ସତରେ କିଛି ପରିବର୍ତ୍ତନ ହେଉଥିବାର ସେ ଅନୁଭବ କରୁଥିଲା । ଛୋଟ ପିଲା ଥିଲା ବେଳେ ତା ଦେହରେ ସେମିତି କିଛି ପରିବର୍ତ୍ତନ ଥିବାର ପରିବାର ଲୋକେ ଦେଖିଥିଲେ । ସେମାନେ ଭାବିଥିଲେ ଯେ ସେମିତି କିଛି ହେବନାହିଁ । ମାତ୍ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ନାରୀ ସୁଲଭ ପରିବର୍ତ୍ତନ ଗୁଡ଼ିକ ଦେଖାଦେବାରେ ଲାଗିଛି । ଭାରି ଅସ୍ତବ୍ୟସ୍ତ ହେଲା ପ୍ରଭାତ । କାହାକୁ କିଛି କହିପାରୁ ନ ଥିଲା କି ସହି ପାରୁନଥିଲା । ନିଜେ ଜଣେ ବିଜ୍ଞାନର ଛାତ୍ର ହିସାବରେ ସବୁର ସତ୍ଯତାକୁ ସହଜରେ ଗ୍ରହଣ କରିନେଉଥିଲା ପ୍ରଭାତ । ସେ ନିଜେ ଜଣେ କିନ୍ନର , ତାହା ପ୍ରକାଶ କରିବାକୁ ଆଉ ସେ ଲଜ୍ଜାବୋଧ କରିବ ନାହିଁ । ଆସନ୍ତା କାଲି ସବୁ କଥା ସାଙ୍ଗମାନଙ୍କୁ କହିଦେବ । ଏସବୁ କଥା ଭାବି ଭାବି ସେ ରାତ୍ରିର ଅନେକ ପ୍ରହର ପର୍ଯ୍ଯନ୍ତ ନିଦରେ ଶୋଇ ପାରିଲା ନାହିଁ । ତାର ଅବଚେତନ ମନରେ କିନ୍ନରର ଛାପ ଲାଗିଯାଇଥିଲା ଯେମିତି ।


      ଆସନ୍ତା କାଲି ବଡ଼ ପରୀକ୍ଷାର ଦିନ । ନିଜକୁ କେମିତି ସଜେଇବ, ଭାବିବାରେ ଲାଗିଛି ପ୍ରଭାତ । କଲେଜ ଗଲାନାହିଁ । ସକାଳର କଅଁଳ ଖରା ଯାଇ ତାତିବାରେ ଲାଗିଲା । ସହରର ସବିଅପା ଯେ କି କିନ୍ନର ବଡ଼ଅପାଙ୍କୁ ଫୋନ କଲା । ସବିଅପା ସହ ଆଉ ପ୍ରାୟ ଦଶ କି କୋଡ଼ିଏ ଜଣ କିନ୍ନର ଆସିଗଲେ । ଓଠରେ ଲିପଷ୍ଟିକ୍ , ସୁନ୍ଦର ଶାଢ଼ୀ ଓ କେଶ ବିନ୍ୟାସ ଖୁବ୍ ସୁନ୍ଦର । ପ୍ରଭାତ ସମ୍ବଲପୁରୀ ସାଲୱାର ପିଇଜାମା ପିନ୍ଧିନେଲା । ପ୍ରଥମେ ଖୁବ୍ ଲାଜ କରୁଥିଲା । କିଛି ସମୟ ପରେ ସବୁ ଯେମିତି ଠିକଠାକ ହୋଇଗଲା । ସହରର ଏକ ବଡ଼ ରେଷ୍ଟୁରାଣ୍ଟରେ ପହଞ୍ଚିଲେ । ବଡ଼ ସେଣ୍ଟ୍ରାଲ ହଲ ବୁକ୍ ହୋଇଥିଲା । ସେଇଠି ରଙ୍ଗ ବେରଙ୍ଗର ବେଲୁନ୍ ରେ ସାଜସଜ୍ଜା । ରଙ୍ଗିନ ଆଲୋକମାଳା । ପ୍ରଭାତର ନୂଆ ନାମକରଣ କରାହେବ । ସବି ଅପା ନୂଆ ନାଁ ଦେଲେ ପ୍ରଭାତରୁ ପ୍ରତିଶ୍ରୁତି । ନୂଆଁ ନାଁ ହେଲା ପ୍ରତିଶ୍ରୁତି ମହାପାତ୍ର । ବେଲୁନ୍ ଫୁଟାହେଲା , ମିଠି ବଣ୍ଟାହେଲା , ଏମିତି କେତେ କଣ ! ସବୁ ଖର୍ଚ୍ଚ କରିଥିଲେ ସବି ଅପା । ସେ ଏଇ ସହରର କିନ୍ନର ସଭାପତି । ସମସ୍ତେ ମସ୍ତି କରି ଘରକୁ ଫେରିଲେ । ପ୍ରଭାତ ମହାପାତ୍ର ହେଲା ପ୍ରତିଶ୍ରୁତି ମହାପାତ୍ର ।

     

    ଖବରଟା ଅଛପା ରହିଲା ନାହିଁ । ଗାଆଁକୁ ଖବର ପହଞ୍ଚିଗଲା । ବାପା ମାଆ ଖୁବ୍ ମନ ଦୁଃଖ କଲେ । ଲାଜରେ ମୁହଁ ଦେଖେଇ ପାରିଲେ ନାହିଁ । ବଡ଼ ଭାଇ ଅନେକ ଦିନ ପର୍ଯ୍ଯନ୍ତ କାହାକୁ ମୁହଁ ଦେଖେଇଲେ ନାହିଁ । ଏ କ'ଣ ହୋଇଗଲା ! ସବୁ ଓଲଟପାଲଟ । ହିସାବ ଖାତାର ପୃଷ୍ଠା ଶେଷ ହେଉଥିଲା ସିନା ହିସାବ ମିଳୁନଥିଲା ।

    

   ପ୍ରତିଶ୍ରୁତି ମହାପାତ୍ର । ଦୁଇ ବର୍ଷ ପରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀ । ପିଲାମାନେ କ'ଣ ସମ୍ବୋଧନ କରି ଡାକିବେ , ଠିକ କରିପାରନ୍ତି ନାହିଁ । ଷ୍ଟାପ୍ କମନ ରୁମ୍ ରେ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ମାନଙ୍କ ସହ ମିଶିବାକୁ ଭଲ ପାଆନ୍ତି । ଅତି ସହଜରେ ସେ ମିଶିଯାଆନ୍ତି । ବୟସର କଥା ନ ମାନି ସେ ଦିନ ପ୍ରଭାତ ସମ୍ଭାବନାକୁ କଥା ଦେଇଥିଲା ଜୀବନ ସାଥି କରିବାକୁ । ତା କଥା ସେତିକିରେ ରହିଗଲା । ପ୍ରଭାତରୁ ପ୍ରତିଶ୍ରୁତି ବଦଳି ଯାଇଥିବା ପ୍ରତିଶ୍ରୁତି ମହାପାତ୍ର ଦେଇଥିବା ପ୍ରତିଶ୍ରୁତିର ହିସାବ କରୁଥିଲା ଜହ୍ନ ଆକାଶରେ । ମଉଳି ଯାଉଥିଲା ମନର ଗୋଲାପ ଗୁଡ଼ାକ । ରଙ୍ଗିନ୍ ଫଗୁଣର ରଙ୍ଗ ଝାପ୍ସା କିରଣରେ ହଜିଯାଉଥିଲା । ଜୀବନର ଲମ୍ବା ଅଙ୍କ କଷୁଥିଲା ପ୍ରତିଶ୍ରୁତି ମହାପାତ୍ର ‐‐‐ ‐‐‐ ‐‐ ।



Rate this content
Log in

Similar oriya story from Classics