STORYMIRROR

Truptimayee Behera

Drama Classics Children

4  

Truptimayee Behera

Drama Classics Children

ପ୍ରତୀକ୍ଷା

ପ୍ରତୀକ୍ଷା

2 mins
341


     ମତେ ଛୋଟବେଳୁ ସୋମବାରଟି ଯମାରୁ ଭଲ ଲାଗେନି। କାରଣ ସୋମବାର ହେଉ ହେଉ ମୋ ବାବା ପଳାନ୍ତି ତାଙ୍କ ଚାକିରି କରିଥିବା ଜାଗାକୁ। ଘରେ ରହିଯାଉ ଆମେ ଭାଇ ଭଉଣୀ ବୋଉ ସହିତ। ବାବା ପ୍ରତି ସପ୍ତାହର ଶୁକ୍ରବାର ବା ଶନିବାର ରାତିରେ ଆସନ୍ତି । ଆମେ ଭାଇ ଭଉଣୀ ବସିଥାଉ ଆମ ଦୁଆର ବାରଣ୍ଡାରେ ବାବାଙ୍କ ଆସିବା ବାଟକୁ ଅନେଇ । ବାବା ଚାଲି ଚାଲି ଆସନ୍ତି ଆମେ ତାଙ୍କୁ ଦେଖିପାରୁ । ଆଉ ବାବା ଆସିବା ପରେ ଶନିବାର ଆଉ ରବିବାରଟା କେମିତି ପଳାଏ ଜଣା ପଡେନି। ବାବା ଆମକୁ ତାଙ୍କ ସହ ଗୋଟିଏ ଥାଳିରେ ବସେଇକି ଖୁଆନ୍ତି। ବାବା ଆସିଲେ ଆମେ କେହି ଟିଭି ଆଉ ଦେଖୁନା। ବାବାଙ୍କ ଚାରିପଟେ ଗୋଲ୍ ହେଇ ବସିଯାଉ ଆଉ ବାବାଙ୍କ ଠାରୁ ଗପ ଶୁଣୁ। ଗପ କହିବାକୁ ଗଲେ ବାବା ଆମକୁ ତାଙ୍କ ଛୋଟବେଳ କଥା କୁହନ୍ତି । ସେ କେତେ କଷ୍ଟ କରିକି ପାଠ ପଢିଛନ୍ତି । ତାଙ୍କ ଜୀବନର ସଂଘର୍ଷ ବିଷୟରେ । ବୋଉ ବି ତା ଛୋଟ ବେଳର କଥା କୁହେ, ତାର ଜୀବନର ସଂଘର୍ଷ ବିଷୟରେ ମଧ୍ୟ କୁହେ । ଆମେ ଚାରି ଭଉଣୀ ମନଦେଇ ସବୁ ଶୁଣୁ । ବହୁତ ଭଲ ଲାଗେ ସେଇ ପରିବେଶ। ଦେଖୁ ଦେଖୁ ଶନିବାର ଆଉ ରବିବାର ସରିଯାଏ। ଆଉ ଆସିଯାଏ ସୋମବାର। ରବିବାର ରାତିରୁ ହିଁ ମନଟା ଟିକେ ଟିକେ ଖରାପ ଲାଗିବାକୁ ଲାଗେ। କାରଣ ସୋମବାର ଭୋରୁ ଭୋରୁ ବାବା ପଳାନ୍ତି ବାଲେଶ୍ୱର ର ବସ୍ତା, ତାଙ୍କ ଚାକିରି ଜାଗାକୁ।

    ସୋମବାର ଭୋର 4.30ରୁ ବାବା ବୋଉ ଉଠନ୍ତି। ବାବା ଗାଧେଇ ପାଧେଇ ରେଡି ହୁଅନ୍ତି। ବୋଉ ବାବାଙ୍କ ପାଇଁ ବାଢିଦିଏ ପଖାଳ ଭାତ ତା ସହିତ ବାଇଗଣ, ଭେଣ୍ଡି କି ଜହ୍ନି ପୋଡା, ଆଉ ରାତିର ଥିବା ଭଜାଭଜି କି ତରକାରି । ବାବା ପଖାଳ ଭାତ ଖାଇ ବାହାରି ଯାନ୍ତି ବସ୍ତା। ତାଙ୍କ ଟ୍ରେନ୍ ଭୋରୁ ଭୋରୁ ଥାଏ। ବାବା ବୋଉକୁ ମନା କରନ୍ତି ଆମକୁ ଉଠେଇ ବାକୁ। କାରଣ ବାବାଙ୍କୁ ଯିବାର ଦେଖିଲେ ଆମେମାନେ ମନ ଦୁଃଖ କରିବୁ। ବୋଉ ଆମକୁ କାହାକୁ ଉଠାଏନି। କିନ୍ତୁ ବେଳେବେଳେ ଖଡ୍ ଖାଡ୍ ଆବାଜ୍ ରେ ଆମର ନିଦ ଭାଙ୍ଗିଯାଏ। ଆଉ ଦେଖୁ ବାବା ଖଟ ପାଖରେ ପଖାଳ ଖାଉଥିବାର । ଆଉ ବେଳେବେଳେ ଡେରିରେ ନିଦ ଭାଙ୍ଗିଲେ ଦେଖୁ ଖାଲି ପଖାଳ କଂସା ଟା ପଡିଥିବାର। ନିଦରୁ ଉଠି ଦୌଡିକି ଦୁଆର ମୁହଁ କୁ ଗଲାବେଳକୁ ବାବା ପଳେଇଥାନ୍ତି। ମନ ବହୁତ ଦୁଃଖ ହେଇଯାଏ। ସୋମବାରଟା ଯମାରୁ ଆଉ ଭଲ ଲାଗେନି। ପୁଣି ପ୍ରତୀକ୍ଷା କରୁ ଶନିବାର କେବେହେବ ଆଉ ବାବା ଆସିବେ। ଠିକ୍ ଚାତକ  ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama