ମୋ ବୋଉ
ମୋ ବୋଉ
ବୋଉ ବିଷୟରେ କଣ କହିବି ଯେ, ତା ବିଷୟରେ ଯେତେ କହିଲେ ବି କମ୍ ପଡିବ। ନିଜଠାରୁ ବେଶୀ ପରିବାରରେ ସମସ୍ତିଙ୍କ କଥା ଭାବେ। ତା ପିଲାମାନେ କେମିତି ଭଲରେ ଚଳିବେ, ଭଲରେ ରହିବେ, ଭଲ ପିନ୍ଧିବେ, ଭଲ ଖାଇବେ ଓ ଭଲ ମଣିଷ ହେବେ ଓ ଘର ସଂସାରଟା କେମିତି ଭଲରେ ଚଳିବ ତାର ସବୁବେଳେ ସେଇ ଚିନ୍ତା। ତା ନିଜ ଦେହ ଖରାପ ହେଲେ ସେ କାହାକୁ କିଛି କୁହେନି ସେଇଥିରେ ଘରର ସବୁ କାମଦାମ ସାରି ଅଫିସ୍ ବି ଯାଏ। କିନ୍ତୁ ଆମାନଙ୍କର ଟିକେ ଦେହଖରାପ ହେଲେ ସେ ସହିପାରେନି। ସେ ଦିନରାତି ଏକ୍ କରିଦିଏ ଆମକୁ ଠିକ୍ କରିବାରେ। ରାତି ରାତି ଅନିଦ୍ରା ରହି ଆମର ସେବା କରେ। ଜର ହେଲେ ଖାଇବାକୁ କିଛି ରୁଚେନି। ସେ ସାଗୁ କରି ଖୁଆଇ ଦିଏ, ଯେତେ ମନା କଲେବି ଖାଲି ପେଟରେ ରହିବାକୁ ଦିଏନି। ଖିର ପାଉଁରୁଟି ଜବରଦସ୍ତି ଖୁଆଇ ଔଷଧ ଦିଏ ଖାଇବାକୁ। ତା କୋଳରେ ଶୋଇପଡିଲେ ସବୁ କଷ୍ଟ ଯେମିତି ପଳାଏ ଓ ଜଲ୍ଦି ନିଦ ହେଇଯାଏ। ଘରେ ଯେତେବେଳେ ମାଛ ମାଂସ ହୁଏ ବୋଉ ଆମକୁ ବାଛି ବାଛି ଭଲ ଖାଇବାକୁ ଦେଇଦିଏ ବୋଉ କିନ୍ତୁ ମାଛର ଲାଞ୍ଜ ପିସ୍ ଖାଏ। ମୁଁ ଛୋଟବେଳେ ଭାବୁଥିଲି ବୋଉକୁ ଲାଞ୍ଜ ପିସ୍ ବୋଧେ ଭଲ ଲାଗେ। କିନ୍ତୁ ମୋର ଯେତେବେଳେ ବାହାଘର ହେଇଗଲା ମୋର ନିଜର ଘର ସଂସାର ପିଲା ଛୁଆ ହେଲା ମୁଁ ନିଜେ ମା ହେଲି ମୁଁ ବୁଝି ପାରିଲି ବୋଉକୁ ଲାଞ୍ଜ ପିସ୍ ଭଲ ଲାଗେ ବୋଲି ବୋଉ ନିଏନି। ଲାଞ୍ଜ ପିସରେ ବହୁତ କଣ୍ଟା ସେ ଆଉ କାହାକୁ ଦେଇପାରେନି ବୋଲି ନିଜେ ଖାଏ। ବେଳେବେଳେ ଆମେ ଖାଇ ସବୁ ଖାଇସାରିଲା ପରେ ଭାତ ସରିଗଲେ ବୋଉ ପଖାଳ ଭାତର ତୋରାଣିରେ ମୁଢି ପକେଇକି ବି ଖାଇଦିଏ କାହାକୁ କିଛି କୁହେନି।
ଛୋଟବେଳେ ବାବା ବୋଉ ଯେତେବେଳେ ଅଫିସ୍ ଯାନ୍ତି ବାବା ନିଜ ପାଇଁ କଡାପାନ ଆଣନ୍ତି ଓ ବୋଉକୁ ସାଧା ପାନ ଦିଅନ୍ତି । ମୋର ମନେ ଅଛି ବୋଉ ସବୁଦିନ ଅଫିସ୍ ଗଲେ ବେଳେ ଆମେ ତାକୁ ପାନ ମାଗୁ ଓ ବୋଉ ତା ପାଟିରୁ ଟିକିଏ ପାନ ଛିଡେଇକି ଆମ ପାଟିରେ ଦେଇଦିଏ। ବୋଉ ପାଟିରୁ ସେଇ ପାନ ଖାଇବା ପାଇଁ ଆମେ ଭଉଣୀମାନେ ତା ପଛରେ ଗୋଡେଇ ଥାଉ ଆଉ ତା ପାଟିରୁ ସେଇ ପାନ ଭାରି ମିଠା ଲାଗେ । ଅଫିସ୍ ଯିବା ଆଗରୁ ପ୍ରତିଦିନ ବୋଉକୁ ପଇସା ମାଗୁ ସ୍କୁଲରେ ଖେଳଛୁଟିରେ କଣ କିଣିକି ଖାଇବୁ ବୋଲି। କେତେବେଳେ ସେ ତା ଭ୍ୟାନିଟିରୁ କୋଡିଏ ପଇସା, ପଚିଶି ପଇସା ଓ ପଚାଶ ପଇସା ଦିଏ ଓ କେତେବେଳେ ବାବା ତାଙ୍କ ପକେଟରୁ ଆମକୁ ପଇସା ଦିଅନ୍ତି। ବୋଉ ବାବାଙ୍କ ସହ ଅଫିସ୍ ଗଲାବେଳେ ଆମେ ତାକୁ ଟା----ଟା କରି ଖଣ୍ଡେ ବାଟ ବାବାଙ୍କ ସ୍କୁଟର ପଛପଟେ ଦୌଡିଯାଉ। ବୋଉ ପ୍ରତିଦିନ ଅଫିସରୁ ଆସିଲାବେଳେ ଆମେ ତା ବାଟକୁ ଅନେଇ ଥାଉ ସେ ଆମ ପାଇଁ କଣ ନେଇକି ଆସିଥିବ ବୋଲି। ପ୍ରତିଦିନ ତାକୁ ମାଗୁ ବୋଉ ତୁ କଣ ଆଣିଛୁ ଆମ ପାଇଁ। ବୋଉ କୋଉଦିନ ରୁଟି ଦିଟା ଦିଏ ଓ କଦଳୀ ଦିଏ ତ କୋଉ ଦିନ ମୁଗ ଭଜା, ବୁଟ ଭଜା ଦିଏ। ବୋଉ ଦିହିପରେ ଲଞ୍ଜ ବ୍ରେକରେ ଅଫିସ୍ କ୍ୟାଣ୍ଟିନରୁ ତା ନିଜ ପାଇଁ ଯୋଉ ଖାଇବା ମଗେଇଥାଏ ସେ ସେଥିରୁ ଅଧା ଖାଇ ଆମ ପାଇଁ ଅଧା ଘରକୁ ନେଇ ଆସେ। କେତେବେଳେ ଅଫିସରେ କିଛି ପ୍ରୋଗ୍ରାମ୍ ହେଲେ ଯୋଉ ଜଳଖିଆ ପୁଡିଆ ମିଳେ ସେ ତାକୁ ନଖାଇ ବି ଆମ ପାଇଁ ନେଇ ଆସିଥାଏ। ଖାଲି ଖାଇବା ପିଇବା କଣ ପିନ୍ଧିବା ଲଗେଇବାରେ ବି ସେ ନିଜଠୁ ବେଶୀ ଆମ କଥା ଦେଖେ। ବାପା ମାଙ୍କ ଭଲ ପାଇବା ଆଗରେ ଦୁନିଆର ସବୁ କିଛି ତୁଛ।
ଶାମ୍ବଦଶମୀ ଦିନର କଥା
ମୋ ବୋଉ ପ୍ରତିବର୍ଷ ଆମ ପାଇଁ ଶାମ୍ବଦଶମୀ ପୂଜା କରେ। ବୋଉ ସେଦିନ ବି ଶାମ୍ବଦଶମୀ ପୂଜାସାରି ପୂଜାର ଫୋଟ ୱାଟସପରେ ଆମ ପାଖକୁ ପଠେଇଥିଲା। ମୋ ପୁଅ ଫୋଟଦେଖି ମତେ ପଚାରିଲା ବୋଉ ଏଇଟା କି ଫଟ ପଠେଇଛି। ମୁଁ କହିଲି ବୋଉ ଆଜି ତା ପିଲାମାନଙ୍କର ମଙ୍ଗଳ ପାଇଁ ସୂର୍ଯ୍ୟ ଦେବତାଙ୍କ ପୂଜା କରି ଫଟ ପଠେଇଛି। ମୋ ପୁଅ କହିଲା ତୁ ତ କରିନୁ ମୋ ପାଇଁ ? ମୁଁ କହିଲି ନା ମୁଁ କରିନି କିନ୍ତୁ ବୋଉ କରିଛି ତୋ ପାଇଁ। ହେଇ ଦେଖୁନୁ ବୋଉ କେତେଟା ପତ୍ରରେ ଭୋଗ ଲଗେଇଛି । ଏଥିରୁ ଗୋଟେ ପତ୍ରରେ ଭୋଗ ତୋ ନାଆଁରେ ବି ଦେଇଛି। ଆଶୁ ପତ୍ର ଗଣିବାକୁ ଲାଗିଲା। ସେଥିରେ ପତ୍ର 14 ଟି ଥିଲା। ମୁଁ ବି ଟିକେ କନଫ୍ୟୁଜ୍ ହେଇଗଲି ଏତେଟା ପତ୍ରରେ ଭୋଗ କଣ ପାଇଁ ଦେଇଛି। ଆମେ ଭାଇ ଭଉଣୀ ତ ପାଞ୍ଚଜଣ ଆମର ଛୁଆ ତିନିଜଣ। ମୁଁ କନଫ୍ୟୁଜ୍ ଦୂର କରିବାକୁ ବୋଉକୁ ଫୋନ୍ କଲି ଓ ବୋଉକୁ ପଚାରିଲି ତୁ ଏତେଟା ପତ୍ରରେ ଭୋଗ ଦେଇଚୁ, କାହା କାହା ପାଇଁ ପୂଜା କରିଛୁ। ଆମେ ତ ଭାଇ ଭଉଣୀ ପାଞ୍ଚଜଣ ଆଉ ଆମର ଛୁଆ ତିନୋଟି। ବୋଉ ମତେ ବୁଝେଇଲା କହିଲା ତୋ ବାବାଙ୍କ ପାଇଁ ଦେଇଛି ଆଉ ତମେ ମାନେ ପାଞ୍ଚ ଜଣ, ମୋର ନାତି ନାତୁଣୀ ତିନିଜଣ, ଆଉ ଜ୍ୱାଇଁ ଚାରିଜଣ ଓ ମୋ ନିଜ ପାଇଁ ଗୋଟେ। ମୁଁ କହଲି ତୁ ତୋ ଜ୍ୱାଇଁମାନଙ୍କ ପାଇଁ ବି ପୂଜା କରିଛୁ। ବୋଉ କହିଲା ତୁ କି କଥା କହୁଛୁ ମୋ ଜ୍ଜାଇଁମାନଙ୍କ ଖୁସିରେ ତ ମୋ ଝିଅ ଓ ନାତି ନାତୁଣୀଙ୍କ ଖୁସି ନା। ସେ ଭଲରେ ରହିଲେ ତମେମାନେ ବି ଭଲରେ ରହିବ। ଜ୍ଜାଇଁ ସହିତ ଝିଅ ନା ଆଉ କଣ ଖାଲି ଝିଅମାନଙ୍କ ପାଇଁ ପୂଜା କରିବି ଆଉ ଜ୍ୱାଇଁମାନଙ୍କୁ ତାଙ୍କୁ ଛାଡିଦେବି। ମୁଁ ମନେ ମନେ ବହୁତ ଖୁସି ହେଇଗଲି। ବୋଉ ମାନେ ବୋଉ ସେ ତାର ଭଲପାଇବାରେ କେବେ ପାତର ଅନ୍ତର କରେନି। ତା ପାଇଁ ସବୁ ପିଲା ସମାନ ଆଉ ଜ୍ୱାଇଁ ମାନେ ବି ତାର ପୁଅ। ଝିଅମାନଙ୍କଠାରୁ ଜ୍ଜାଇଁମାନଙ୍କ କଥା ସେ ଆଗ କରେ। ନାତି ନାତୁଣୀ ବି ତାର ଭାରି ପ୍ରିୟ। ବୋଉ ଆମେ ସମସ୍ତେ ତତେ ଆଉ ବାବାଙ୍କୁ ବହୁତ ଭଲ ପାଉ। ତମେମାନେ ସବୁବେଳେ ସୁସ୍ଥରେ ରୁହ, ଭଲରେ ରୁହ ଓ ତମମାନଙ୍କ ଆଶୀର୍ବାଦ ଆମଉପରେ ସବୁବେଳେ ଥାଉ।
ଲଭ୍ ୟୁ ବାବା ଆଉ ବୋଉ
