STORYMIRROR

Truptimayee Behera

Children Stories Drama Classics

4.5  

Truptimayee Behera

Children Stories Drama Classics

କରୋନା ସମୟର ରାକ୍ଷୀ ପୂର୍ଣ୍ଣିମା

କରୋନା ସମୟର ରାକ୍ଷୀ ପୂର୍ଣ୍ଣିମା

4 mins
257


ଆମେ ଚାରି ଭଉଣୀରେ ଗୋଟେ ଭାଇ। ଭାଇ ସବୁଠୁ ସାନ। ମୋର ବାହାଘର ବେଳକୁ ତାକୁ ମାତ୍ର ନଅ ବର୍ଷ ହେଇଥିଲା। ବାହାଘର ପରଠୁ ମୁଁ ପ୍ରାୟ ଓଡି଼ଶା ବାହାରେ ରହିଲି। କୋଉ ବର୍ଷ ଯାଇପାରେନି ରାକ୍ଷୀ ପିନ୍ଧେଇବାକୁ। ଯେତେବେଳେ ଭୁବନେଶ୍ୱରରେ ରହୁଥିଲି ଦୁଇବର୍ଷ ତାକୁ ରାକ୍ଷୀ ବାନ୍ଧିଛି। ଆଉ ନହଲେ ସବୁବେଳେ ତା ପାଇଁ ରାକ୍ଷୀ ପୋଷ୍ଟ୍ କରିଦିଏ। ସେ ଯେତେବେଳେ ଛୋଟ ଥିଲା ତାକୁ ସବୁବେଳେ ଗ୍ଲୋ କରୁଥିବା ରାକ୍ଷୀ ଭଲଲାଗେ। ମୁଁ ବି ରାକ୍ଷୀ ଆସିବା ଆଗରୁ ମାର୍କେଟ୍ ସାରା ବୁଲିବୁଲି ସୁନ୍ଦର ରାକ୍ଷୀ ଖୋଜିକି ପଠାଏ ତା ପାଇଁ। ସେ ବି ସବୁବେଳେ କହିବ ଟୁକୁନାନା ରାକ୍ଷୀ ସବୁଠୁ ସୁନ୍ଦର ହେଇଛି। ମୋ ତଳ ଭଉଣୀ ସବୁବେଳେ କହିବ ଶିବୁନି କୁ ତୋ ରାକ୍ଷୀ କାଇଁ ସବୁବେଳେ ଭଲ ଲାଗୁଚି ଯେ। ମୁଁ ହସେ । 

          ଏଇ ବର୍ଷ କିନ୍ତୁ ତା ପାଇଁ ରାକ୍ଷୀ ପଠେଇ ପାରିନି। ମୋ ସାନ ଭଉଣୀ ରାକ୍ଷୀର ଗୋଟେ ସପ୍ତାହ ଆଗରୁ ଅନଲାଇନ୍ ରେ ରାକ୍ଷୀ ପଠେଇ ଦେଇଥିଲା। ସେ ମତେ ଫୋନ୍ କରିକି କହିଲା ସେ ରାକ୍ଷୀ ପଠେଇ ଦେଇଛି ବୋଲି। ମୁଁ ତାକୁ ପଚାରିଲି ରାକ୍ଷୀ କେବେ କି ? ସେ କହିଲା 3 ତାରିଖ ରେ। ମୁଁ ସତରେ ଭୁଲି ଯାଇଥିଲି। ବୋଉ କୁ ଫୋନ୍ କଲି କହିଲି ମୁଁ ରାକ୍ଷୀ ପଠେଇନି ମୁଁ ବି ଅନଲାଇନ୍ ରେ ରାକ୍ଷୀ ପଠେଇ ଦଉଛି। ବୋଉ କହିଲା ଥାଉ ତୁ ଆଉ ଅନଲାଇନ୍ ରେ ପଠାନି। କୁରିଅର୍ ରେ ପୁଣି ଆସିବ ଥାଉ ତୁ ବୁକ୍ କରେନି। ମୁଁ କହିଲି ହଉ ତୁ ଯଦି ମନା କରୁଚୁ ତାହାଲେ ପଠେଇବିନି ଏ ବର୍ଷ। ମୁଁ ଆଉ ପଠେଇଲିନି ରାକ୍ଷୀ ତା ପାଇଁ।

          ପ୍ରତିବର୍ଷ ମୋର ଦୁଇ ଭଉଣୀ ମୋ ସ୍ୱାମୀ ପାଇଁ ରାକ୍ଷୀ ପଠାନ୍ତି ଆଉ ସେଥିରେ 2ଟା ରାକ୍ଷୀ ଆଶୁ(ମୋ ପୁଅ) ପାଇଁ ବି ଥାଏ। ସେ ପ୍ରତିବର୍ଷ ତାର ମାଉସୀ ମାନେ ପଠେଇଥିବା ରାକ୍ଷୀ ପିନ୍ଧେ ଆଉ ବହୁତ୍ ଖୁସି ବି ହୁଏ। ତାର ମୋନା ମାସୀ ଆଉ ଗୁଡି ମାସୀ ବି ତାର ପସନ୍ଦିଦା ରାକ୍ଷୀ ପଠାନ୍ତି। ଏ ବର୍ଷ ସେମାନେ ବି ଆଉ ରାକ୍ଷୀ ପଠେଇ ନଥିଲେ। ମୋ ପୁଅ କିନ୍ତୁ ଅପେକ୍ଷା କରିଥିଲା ତା ମାଉସୀ ମାନଙ୍କ ରାକ୍ଷୀ କୁ। ଆଶୁ ମତେ ପଚାରିଲା, "ମୋନା ମାସୀ ଆଉ ଗୁଡି ମାସୀ ଙ୍କ ରାକ୍ଷୀ କେବେ ଆସିବ?" ମୁଁ କହିଲି ଯାଣିନି। ସେ କହିଲା ମୋ ପାଇଁ କ'ଣ ଏ ବର୍ଷ ସେମାନେ ରାକ୍ଷୀ ପଠେଇବେନି ? ସେ ଦୁଃଖୀ ଥିଲା। ମୁଁ ବୋଉ କୁ ଫୋନ୍ କଲି କହିଲି ଆଶୁ ରାକ୍ଷୀ ଖୋଜୁଚି। ବୋଉ ମୋ ଭାଇ କୁ ତା ପରେ ଫୋନ୍ ଦେଲା। ମୁଁ କହିଲି ମୋ ଭାଇ କୁ ଆଶୁ ରାକ୍ଷୀ ଖୋଜୁଚି ତା ମାଉସି ମାନେ କାଇଁ ରାକ୍ଷୀ ପଠେଇ ନାହାନ୍ତି। ମୋ ଭାଇ କହିଲା ଆଛା ମୁଁ ତା ପାଇଁ ଅନଲାଇନ୍ ରେ ରାକ୍ଷୀ ପଠେଇ ଦଉଛି ତା ମାଉସୀ ମାନଙ୍କ ତରଫରୁ। ମୁଁ କହିଲି ହଉ ତୁ ପଠେଇଦେ ରାକ୍ଷୀ ଦିନ "ରାକ୍ଷୀ" ପହଞ୍ଚିଲେବି ଚଳିବ। ଛୋଟ ଛୁଆ ତା ପାଇଁ ରାକ୍ଷୀ ଆସିଲା ଯାଣିଲେ ବି ସେ ଖୁସି ହେଇଯିବ। 

       ମାମୁଁ ର ରାକ୍ଷୀ ତା ଭଣଜା ପାଇଁ "ରାକ୍ଷୀ" ର ଦୁଇଦିନ ଆଗରୁ ଆସି ପହଞ୍ଚିଲା। ଆଜି ଆଶୁ ହାତରେ ରାକ୍ଷୀ ବନ୍ଧାହେଲା। ସେ ମତେ କହିଲା କିଏ ପଠେଇଛି ରାକ୍ଷୀ ?

ମୁଁ କହିଲି ମୋନା ମାସୀ ଆଉ ଗୁଡି ମାସୀ । ଆଶୁ ବହୁତ ଚାଲାଖ ହେଇଗଲାଣି। ମତେ କହିଲା ତୁ ମିଛ କହୁଛୁ। ଏଇ ରାକ୍ଷୀ ମାମୁଁ ପଠେଇଛି। ମୁଁ କହିଲି ହଁ, ମାମୁଁ, ମୋନା ମାସୀ ଆଉ ଗୁଡି ମାସୀ ତରଫରୁ ତୋ ପାଇଁ ପଠେଇଛି। ଆଶୁ କହିଲା ମାମୁଁ କ'ଣ ମୋର ଭଉଣୀ କି ? ସେ କାଇଁ ପଠେଇଲା ? ମୁଁ ତାକୁ କହିଲି ମୋନା ମାସୀ ଆଉ ଗୁଡି ମାସୀ ବି ତ ତୋର ଭଉଣୀ ନୁହନ୍ତି ସେମାନେ ମୋର ଭଉଣୀ ତାହାଲେ ସେମାନେ ତୋ ପାଇଁ କାଇଁ ପ୍ରତିବର୍ଷ ରାକ୍ଷୀ ପଠାନ୍ତି ? ମୋନା ମାସୀ ଆଉ ଗୁଡି ମାସୀ ଯେମିତି ତୋ ପାଇଁ ରାକ୍ଷୀ ପଠାନ୍ତି ସେମିତି ଆଜି ମାମୁଁ ତୋ ପାଇଁ ସେମାନଙ୍କ ତରଫରୁ ପଠେଇଛି। ସେ ଖୁସି ହେଇଗଲା ଆଉ ରାକ୍ଷୀ ବାନ୍ଧିଲା। 

      ଏପଟେ ମତେ ଭଲ ଲାଗୁନଥିଲା ମୁଁ ମୋ ଭାଇଟା ପାଇଁ ରାକ୍ଷୀ ପଠେଇ ନଥିଲି ବୋଲି। ବହୁତ ଥର ଭାବିଲି ମୋନା କୁ କହିବି ମୋ ପାଇଁ ସେ ରାକ୍ଷୀ ଶିବୁନି କୁ ଦେଇଦବ ବୋଲି କିନ୍ତୁ ମୁଁ ଭୁଲି ଯାଇଥିଲି କହିବା। ସେ ବି ନାହିଁ ଭୁବନେଶ୍ୱର ରେ। କାଲି ଏତେଥର କଥା ହେଲି ଫୋନ୍ ରେ ଭିଡିଓ କଲ୍ ରେ ବି ତାହାଲେ ବି ଭୁଲି ଯାଇଚି ତାକୁ କହିବା ମୋ ତରଫରୁ ଭାଇ କୁ ରାକ୍ଷୀ ପଠେଇବାକୁ। ଆଜି ସକାଳୁ ମୋନା ତା ସ୍ୱାମୀଙ୍କ ହାତରେ ରାକ୍ଷୀ ପଠେଇଥିଲା ଭାଇ ପାଇଁ। ମୋ ଭାଇ କୁ ଫୋନ୍ କରିଥିଲି ରାକ୍ଷୀ ପିନ୍ଧିଲୁଣି ନା ନାଇଁ। ସେ କହିଲା ଗୁଡି ର ରାକ୍ଷୀ ଅଛି, ଆଉ ମୋନା ନାନି ର ରାକ୍ଷୀ, ଭାଇ ନେଇକି ଆସୁଛନ୍ତି ଭୁବନେଶ୍ୱର , ସେ ଆଣିକି ଆସିଲେ ସବୁ ରାକ୍ଷୀ ଏକାଠି ବାନ୍ଧିବି । ମୁଁ କହିଲି ହଉ ରାକ୍ଷୀ ବାନ୍ଧି ସାରିଲେ ମତେ ଫୋଟ ପଠେଇବୁ। ମୁଁ ସାଙ୍ଗେ ସାଙ୍ଗେ ମୋନା କୁ ଫୋନ୍ କଲି (ମୁଁ ତ ତାକୁ ମୋ ତରଫରୁ ରାକ୍ଷୀ ପଠେଇବା କହି ନଥିଲି ସେ ତ ତା ର ଖାଲି ରାକ୍ଷୀ ପଠେଇଥିବ) ମୁଁ ମନେ ମନେ ସେୟା ଭାବୁଥିଲି। ସେ ଫୋନ୍ ଉଠେଇଲାରୁ ପଚାରିଲି ତୁ ସିଦ୍ଧାର୍ଥଙ୍କ (ତା ସ୍ୱାମୀ) ହାତରେ ଶିବୁନି ପାଇଁ ରାକ୍ଷୀ ପଠେଇଛୁ ? ସେ କହିଲା ହଁ। ମୁଁ କହିଲି କେତେଟା ରାକ୍ଷୀ ଦେଇଛୁ ? ସେ କହିଲା 3 ଟା। ମୁଁ ଖୁସି ହେଇଗଲି। କହିଲା ତୁ ରାକ୍ଷୀ ପଠେଇନୁତ ମୁଁ ସେଥିପାଇଁ ତୋ ତରଫରୁ ଶିବୁନି ପାଇଁ ପଠେଇ ଦେଇଛି। ମୁଁ କହିଲି ମୁଁ ତତେ କହିବା ଭୁଲିଯାଇଥିଲି। ସେ କହିଲା ମୁଁ ଯାଣିଥିଲି ତୁ ପଠେଇନୁ ବୋଲି ମୁଁ ସେଥିପାଇଁ ତୋ ପାଇଁ ଦେଇ ଦେଇଛି। ମୁଁ ବହୁତ ଖୁସି ହେଇଗଲି। 

     ସତରେ ଏଇଟା ଭାଇ ଭଉଣୀ ଭିତରେ କନେକସନ୍ ନା , ନ କହିଲେ ବି ଆଉ ଜଣେ ବୁଝିନଉଛି ତମ ମନରେ କ'ଣ ଅଛି ବୋଲି । ମୁଁ ଭାଇ କୁ ଫୋନ୍ କଲି କହିଲି ରାକ୍ଷୀ ବାନ୍ଧିଲୁ ? ସେ କହିଲା ହଁ, ତୋ ତରଫରୁ ମୋନା ନାନି ରାକ୍ଷୀ ପଠେଇ ଦେଇଛି। ମୁଁ କହିଲି ହଁ ପରା ସେ ଯାଣିଦେଲା ମୋ ମନରେ କ'ଣ ଥିଲା। ମୁଁ କହିନଥିଲି ତାହାଲେ ବି ସେ ପଠେଇ ଦେଇଛି ରାକ୍ଷୀ। ମୁଁ କହିଲି ଶିବୁନି କୁ," ଏ ବର୍ଷ ରାକ୍ଷୀ ପୁରା ଅଲଗା। ମୁଁ ଭଉଣୀ ହେଇକି ତତେ ରାକ୍ଷୀ ଦେଇନି ଆଉ ତୁ ମାମୁଁ ହେଇକି ମୋ ଆଶୁ ପାଇଁ ରାକ୍ଷୀ ପଠେଇଛୁ"। ଆମେ ଦୁଇଜଣ ଖୁସିରେ ହସୁଛୁ । ସତରେ ଏ ବର୍ଷ ର ରାକ୍ଷୀ ପୁରା ଅଲଗା। ଦୂରରେ ଅଛୁ କିନ୍ତୁ କାହା ପାଇଁ କାହାର ଭଲ ପାଇବା କମି ଯାଇନି । 


Rate this content
Log in