ଭଲପାଇବାର ପିଠା
ଭଲପାଇବାର ପିଠା
ମୁଁ ଆଗରୁ କରୋନା ଓ ଲକଡାଉନ୍ ସମୟରେ ଜାହାନାରା ଓ ଟୁମ୍ପାଦିଦି ବିଷୟରେ ଲେଖିଥିଲି। ଜାହାନାରା ମତେ ମୋ ଘର କାମରେ ସାହାଯ୍ୟ କରେ ଓ ଟୁମ୍ପାଦିଦି ରାତି ପାଇଁ ରୋଷେଇ କରେ। କରୋନା ସମୟରେ ମୁଁ ମଧ୍ୟ ଜାହାନାରା ଓ ଟୁମ୍ପାଦିଦି କୁ ମୋ ଘରକୁ ଆସିବାକୁ ମନା କରିଦେଇଥିଲି। କିନ୍ତୁ ମୁଁ ସେମାନଙ୍କର ମାସିକ ଦରମା ବନ୍ଦ କରି ନଥିଲି, ଆଗପରି ଦଉଥିଲି। ଟିକେ ପରିସ୍ଥିତି ସୁଧୁରିବାରୁ ଜାହାନାରା ଓ ଟୁମ୍ପା ଦିଦି ଓକ୍ଟୋବର ମାସରୁ ପୁଣି ଆମ ଘରକୁ ଆଗପରି ଆସୁଛନ୍ତି। କରୋନା ଓ ଲକଡାଉନ୍ ଯୋଗୁ ଜାହାନାରା ଓ ଟୁମ୍ପାଦିଦି ଦୁଇଜଣଙ୍କର ହାତରୁ କାମ ପଳେଇ ଥିଲା। ଏବେ ଧିରେ ଧିରେ ତାଙ୍କୁ ନୂଆକାମ ବି ମିଳିଗଲାଣି। ଜାହାନାରା ଆଉ ଆଳୁ ପିଆଜ ବିକ୍ରି କରୁନି କି ଟୁମ୍ପା ଦିଦି ଘରେ ରହି ମାସ୍କ୍ ତିଆରି କରୁନି। ଦୁଇଜଣ ଆଗପରି କାମକୁ ଆସୁଛନ୍ତି ଖାଲି ଫରକ୍ ଏତିକି ଯେ ଆଗରୁ ବିନା ମାସ୍କ୍ ରେ ଆସୁଥିଲେ ଏବେ ମାସ୍କ୍ ପିନ୍ଧିକି ଆସୁଛନ୍ତି। ସମୟ ବଦଳିଛି କିନ୍ତୁ ଆମ ଭିତରେ ସମ୍ପର୍କ ଠିକ୍ ଆଗପରି ଅଛି। ଆମେ ଦୁଃଖସୁଖ ବି ହଉ ଆଉ ଖୁବ୍ ସାରା ହସୁ ବି କଥାବାର୍ତ୍ତା ହେଇ । ସବୁଦିନ ପରି ଆଜି ସକାଳେ 7ଟା ରେ ମଧ୍ୟ ଜାହାନାରା ଆସି କାମ କରିଦେଇ ଯାଇଥିଲା। ସେ ପୁଣି ସକାଳ10ଟା ରେ ମତେ ଆଉଥରେ ଫୋନ୍ କରିଥିଲା। ମନେ ମନେ ଭାବିଲି ଉପର ଓଳି ବାସନ ମାଜିବାକୁ ଆସିବନି ବୋଲି ବୋଧେ ଫୋନ୍ କରିଛି। ସେ ଉପର ଓଳି ନ ଆସିଲେ ଫୋନ୍ କରି ଜଣେଇଦିଏ ଆସିବନି ବୋଲି। ମୁଁ ଫୋନ୍ ଉଠେଇ ପଚାରିଲି, ଜାହାନାରା କଣ ହେଲା ? ସେ ମତେ ସେପଟୁ ପଚାରୁଛି , “ଭାବି(ଭାଉଜ) ତମେ ପିଠା ଖାଇବ?" ମୁଁ ତାକୁ ପଚାରିଲି ,“ କି ପିଠା?" ସେ କହିଲା,“ ମୁଁ କାଲି ରାତିରେ ଘରେ ପିଠା ତିଆରି କରିଥିଲି, ତମେ ଖାଇବ ଜଦି କହିବ, ତମ ପାଇଁ ନେଇକି ଯିବି। ଏଇ ପିଠା ଖୀରରେ ତିଆରି କରିଛି। ରାତିରେ ତିଆରି କରି ରଖିଛି । ଏଇ ପିଠା ଥଣ୍ଡା ଥଣ୍ଡା ଖିଆ ହୁଏ । ଗରମ ଠୁ ଥଣ୍ଡା ପିଠା ବେଶୀ ଟେଷ୍ଟି ଲାଗେ।" ମୁଁ କହିଲି ହଁ ମୁଁ ଖାଇବି । ସେ କହିଲା,“ ହଉ ଠିକ୍ ଅଛି।" ଆମ ଘରଠୁ ତା ଘର ଅଧ କିଲୋମିଟର ଦୂରରେ। ଠିକ୍ ଅଧଘଣ୍ଟା ପରେ ମାନେ 10.30ରେ କଲିଙ୍ଗ୍ ବେଲ୍ ବାଜିଲା। ଦେଖିଲା ବେଳକୁ ଜାହାନାରା ଛିଡା ହେଇଛି। ସେ ମତେ ଦେଖିକି ଟିଫିନ୍ ଟା ବଢେଇ ଦେଲା। କହିଲା ତମକୁ ପିଠା ଦବା ପାଇଁ ଏଇ ନୂଆ ଷ୍ଟିଲ୍ ଟିଫିନ୍ ଟା କାଢିଲି। ଦେଖିକି ଖୋଲିବ, ଖୀର ନହଲେ ଢଳିଯିବ। ମୁଁ କହିଲି ହଉ ଦେଖିକି ଖୋଲିବି। ମୁଁ ଖୁସିହେଇ ତାକୁ କହିଲି,“ ଥାଇଁକ୍ୟୁ ଜାହାନାରା।" ସେ ମତେ ଦେଖି ହସିକି ପଳେଇଲା। ତା ପିଠା ବହୁତ ଟେଷ୍ଟି ହେଇଥିଲା। ଆମ ସମସ୍ତିଙ୍କୁ ବହୁତ ଭଲ ଲାଗିଲା। କାଠ ଚୁଲି ରେ ମାଟି ହାଣ୍ଡିର ଛାଞ୍ଚରେ ଜାହାନାରା ପିଠାଟି ତିଆରି କରିଥିଲା। ସେଇ ପିଠାରୁ କାଠ ଚୁଲିର ମହକ, ମାଟି ହାଣ୍ଡିର ବାସ୍ନା ଓ ଜାହାନାରାର ବହୁତ ସାରା ଭଲପାଇବା ଭରିକି ଥିଲା। ସତରେ ଏଇ ସବୁ ଜିନିଷ ପିଠାଟିର ସ୍ୱାଦକୁ ଆହୁରି ଦୁଇଗୁଣିତ କରୁଥିଲା। ସେଇ ପିଠାଟି ଥିଲା ଭଲପାଇବାର ପିଠା ।
