ମାଉସୀ ଘର ଓ ଦଶଟଙ୍କା
ମାଉସୀ ଘର ଓ ଦଶଟଙ୍କା
ଛୋଟ ବେଳର କିଛି ସ୍ମୃତି “ମାଉସୀ ଘର ଓ ଦଶଟଙ୍କା"
ଛୋଟବେଳେ ସ୍କୁଲରେ ଖରାଦିନ ଛୁଟି କି ଦୂର୍ଗାପୂଜା ଛୁଟି ହେଲେ ଆମେ ବାବା, ବୋଉ ଓ ଭଉଣୀମାନେ ବାହାରି ଯାଉ ଆମର ପ୍ରିୟ ମାଉସୀ ଘରକୁ। ମୋ ବୋଉ ଅଫିସରୁ ଗୋଟେ ସପ୍ତାହ ଛୁଟି ନିଏ ଓ ଆମେ ସବୁ ମିଶିକିଯାଉ। ମୋ ବୋଉ ଦୁଇ ଭଉଣୀ, ମାଉସୀ ବଡ ଓ ବୋଉ ଛୋଟ। ମୋ ବୋଉର ନିଜର କେହି ଭାଇ ନଥିଲେ। ସେଥିପାଇଁ ମାମୁଁ ଘରଠାରୁ ବେଶୀ ଆମେ ଯାଉ ମାଉସୀଘର। ଅଜା ବୋଉର ବାହାଘର ଆଗରୁ ଏଇ ଦୁନିଆ ଛାଡି ଚାଲିଯାଇଥିଲେ ଓ ଆଈ ମୋ ବୋଉର ବାହାଘରର ଦୁଇବର୍ଷପରେ ଏଇ ଦୁନିଆ ଛାଡି ଚାଲିଗଲେ । ସେଥିପାଇଁ ବୋଉର ସବୁକିଛି ମାଉସୀ ଓ ମଉସା ଥିଲେ। ବୋଉର ବାପଘର ସେଇଟା କହିଲେ ଅତ୍ୟୁକ୍ତି ହବନି। ମାଉସୀ ବହୁତ ସ୍ନେହୀ। ଆମମାନଙ୍କୁ ବହୁତ ଭଲ ପାନ୍ତି। ମାଉସୀ ମାନେ ଦ୍ୱିତୀୟ ମା' ସେ। ବୋଉ ଆମକୁ ସେଠି ଏକା ଛାଡିଦେଲେ ବି ଆମେ ରହିଯାଉ ନିଶ୍ଚିନ୍ତରେ। ମାଉସୀଙ୍କ ପୁଅ ଝିଅ ସହ ଖେଳିବୁଲି ଆମର ଛୁଟିଦିନ କେମିତି ସରିଯାଏ ଜଣାପଡେନି। ତାଙ୍କ ବାରି ଘର ଅଗଣା ମତେ ବହତ ଭଲଲାଗେ। ମାଉସୀ ଝିଅ ଲିତୁନାନୀ ସହ ଗାଁ ପୋଖରି ଆଉ ବିଲ ବି ବୁଲିବାକୁ ଯାଏ। ବାରି ପଛପଟେ ବହୁତସାରା ତାଙ୍କର ଗଛ ଲଗେଇଥିଲେ। ବହୁତ ବଡ ବଡ କାନ୍ଧିଆ ହୁଏ ସେଥିରେ। ଆମ୍ବ,କଦଳୀ,ପିଜୁଳି ଗଛ ବି ଥିଲା। ବିଭିନ୍ନ ଶାଗ, ପନିପରିବା ଗଛ ବି ମାଉସୀ ମଉସା ମିଶିକି ଲଗେଇଥିଲେ। ମାଉସୀ ଆମେ ଫେରିଲା ଦିନ ଆମ ବ୍ୟାଗ ଭରି ଦିଅନ୍ତି ତାଙ୍କ ବାରି ଫଳମୂଳ ଓ ପନିପରିବାରେ। ପିଠା ବି ତିଆରି କରି ଦିଅନ୍ତି। ଯେତେ ଭଲ ଖାଇବା ଜିନିଷ ମିଳେ ତାଙ୍କ ଗାଁରେ ସବୁ କିଣିକି ଆଣିକି ଆମକୁ ଦିଅନ୍ତି। ଆଉ ଆମେମାନେ ଯେତେବେଳେ ବାହାରୁ ଆସିବା ପାଇଁ ଆମ ଭଉଣୀମାନଙ୍କ ହାତରେ ଗୁଞ୍ଜିଦିଅନ୍ତି ଦଶଟଙ୍କା। ବାବା ସ୍କୁଟରରେ ଆମକୁ ନେଇକି ଯାଇଥାନ୍ତି। ବାବାଙ୍କ ସ୍କୁଟରରେ ଆମେ ଫେରୁ। ବାବା ବୋଉ କୁହନ୍ତି ଦେ ପଇସାଟା ମତେ ମୁଁ ରଖିଦେବି, ତୁ ରାସ୍ତାରେ ହଜେଇଦବୁ। ( କାଳେ ବାବା ବୋଉ ପଇସା ରଖିଦେବେ ଆଉ ମତେ ଦେବେନି ସେଇ ଡରରେ ମୁଁ ଆଉ ପଇସା ତାଙ୍କୁ ଦିଏନି।) ମୁଁ କହେ, ନା ମୁଁ ହାତରେ ଧରିକି ରଖିଛି ଜମା ପକେଇବିନି। ରାସ୍ତାରେ ଆସୁଆସୁ ବାବାଙ୍କ ପେଟ ଧରିକି ଗାଡିରେ ବସିଥାଏ ଆଉ କେତେବେଳେ ନିଦହେଇଯାଏ ଜଣାପଡେନି। ଘରେ ପହଞ୍ଚିଲେ ବାବା କହନ୍ତି ଓହ୍ଲା ଗାଡିରୁ ଘର ହେଇଗଲା। ଝଟପଟ ହେଇ ଗାଡିରୁ ଓହ୍ଲାଏ। ହଠାତ ହାତରେ ମୋର ଖୋଜିବାକୁ ଲାଗେ ମାଉସୀ ଦେଇଥିବା ସେଇ ଦଶଟଙ୍କା। କିନ୍ତୁ ମୁଁ ଆଉ ପାଏନି। ରାସ୍ତାରେ ଆସିଲା ବେଳେ ନିଦରେ ହାତମୋର ଖୋଲି ଯାଇଥାଏ ଓ ରାସ୍ତାରେ ପଡିଯାଇଥାଏ ମୋର ସେଇ ଦଶ ଟଙ୍କା। ବହୁତ କାନ୍ଦେ ଓ ବହୁତ ମନ ଦୁଃଖକରେ ସେତେବେଳେ। ବାବା ଆଉ ବୋଉ କୁହନ୍ତି ତତେ ମାଗିଥିଲୁ ତୁ ଆମକୁ ରଖିବାକୁ ଦେଲୁନି ଏବେ ହଜିଗଲା, ହଉ କାନ୍ଦେନି, ଆମଠୁ ନେଇଯିବୁ ଦଶ ଟଙ୍କା। ମୋର କିନ୍ତୁ ଲୋଭ ଥିଲା ମାଉସୀ ଦେଇଥିବା ସେଇ ଦଶଟଙ୍କାରେ ନା କି ବାବା ବୋଉଙ୍କ ଦଶଟଙ୍କାରେ। ମାଉସୀ କେତେ ସ୍ନେହରେ ଦେଇଥିଲେ ସେଇ ଦଶଟଙ୍କା କହିଥିଲେ ତୁ ରଖେ ତୋର ଖର୍ଚ୍ଚକରିବୁ। ଚକଲେଟ୍ କିଣିକି ଖାଇବୁ ବା ଖାତା କଲମ କିଣିବୁ। ସେଇ ସ୍ନେହ କ'ଣ ଆଉ କୋଉ ଦଶଟଙ୍କାରେ ମିଳିବ!
(ଏମିତି ମୋ ହାତରୁ ପଇସା ଦୁଇ ତିନିଥର ରାସ୍ତାରେ ପଡିକି ହଜିଛି ) ଆଉ ବେଳେବେଳେ ମୋ ହାତରୁ ପଡିନଥାଏ ମାଉସୀ ଦେଇଥିବା ସେଇ ପଇସା। ସେଇ ଦଶଟଙ୍କା ମୁଁ ନେଇ ମୋ ସରାଘଡି଼ରେ ପକାଏ ଓ ଜମାକରିକି ରଖେ ।
